Unknown

 

 

 

 

 

 

 

 

 

୩୭ତମ ସଂଖ୍ୟା କୋଣାର୍କ ୧୯୭୮

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସୂଚୀପତ୍ର

ବିଷୟ

ମାତୃ-ପୂଜାର ଆରମ୍ଭ ଓ କ୍ରମ-ବିକାଶ

ଶ୍ରୀ ସୁଶୀଲଚନ୍ଦ୍ର ଦେ

ଶବ୍ଦଶକ୍ତି

ଅଧ୍ୟାପକ ଡକ୍ଟର ବନମାଳୀ ରଥ

ଚିତ୍ରୋତ୍ପଳା ଉପତ୍ୟକାର ପ୍ରାଚୀନ କୀର୍ତ୍ତି

ଶ୍ରୀ ପ୍ରଶାନ୍ତ କୁମାର ରାୟ

ଧର୍ମଗ୍ରନ୍ଥରେ ବର୍ଣ୍ଣିତ ବିବର୍ତ୍ତନବାଦ

ଡକ୍ଟର ଶ୍ରୀଶ ପଟେଲ

ରାଜକବି ବ୍ରଜରାଜ ସିଂ ଦେବଙ୍କ

ସାହିତ୍ୟକୃତିର ଏକ ବିହଙ୍ଗାବଲୋକନ

ଶ୍ରୀ ପରଶୁରାମ ମୁଣ୍ତ

ଭକ୍ତକବି ବାଲିଗାଁ ଦାସ ଓ ଆଗତ ଭବିଷ୍ୟ

ନୀଳମଣି ମିଶ୍ର

ବୁଦ୍ଧ ଚରିତକାର ଅଶ୍ୱଘୋଷ

ରମାକାନ୍ତ ମଶ୍ର

ରତ୍ନଗିରି

ଗଣେଶପ୍ରସାଦ ପରିଜା

ଗୋପବନ୍ଧୁଙ୍କ ସୃଷ୍ଟିରେ ଧର୍ମପଦ

(ପୂର୍ବ ପ୍ରକାଶିତ ଉତ୍ତାରୁ)

ଶ୍ରୀ ରବିନାରାୟଣ ଦାଶ

 

 

ମାତୃପୂଜାର ଆରମ୍ଭ ଓ କ୍ରମ-ବିକାଶ

ଶ୍ରୀ ସୁଶୀଲଚନ୍ଦ ଦେ

 

ଆଜି ମାନବ ସଭ୍ୟତା ପୃଥିବୀର ପରିସରର ବହୁ ଊର୍ଦ୍ଧ୍ୱକୁ ଚାଲି ଗଲାଣି । ଯେଉଁ ଚନ୍ଦ୍ରକୁ ଆମ୍ଭେମାନେ ଏକ ଦେବତାରୂପେ ପୂଜା କରୁଥିଲୁ, ସେହି ଚନ୍ଦ୍ରରେ ମନୁଷ୍ୟ ପଦାର୍ପଣ କଲାଣି, ତା’ର ବହୁ ଦୂରରେ ଥିବା ମଙ୍ଗଳ ଗ୍ରହର ତଥ୍ୟ ସଂଗ୍ରହପାଇଁ ସେଠାକୁ ମହାକାଶ ଯାନ (Rocket) ପଠା ଗଲାଣି । ଜ୍ଞାନ–ବିଜ୍ଞାନ-ସମୃଦ୍ଧ ଆଧୁନିକ ମାନବର ପୂର୍ବ ପୁରୁଷମାନେ ଯେ ପ୍ରବୃତ୍ତି-ଚାଳିତ ମାନବ–ପଶୁ ଥିଲେ ଏହା ଆଧୁନିକ ଯୁଗରେ କଳ୍ପନା କରିବା ପ୍ରାୟ ଅସମ୍ଭବ ।

 

ଲକ୍ଷ ଲକ୍ଷ ବର୍ଷ ତଳର କଥା, ପ୍ରାଗୈତିହାସିକ ମାନବ-ପଶୁର ମଧ୍ୟରେ ମାନବ ସଭ୍ୟତାର ପ୍ରଥମ ସୂଚନା ଦେଖା ଦେଲା । ଆଦିମ ମନୁଷ୍ୟର ଚକ୍ଷୁରେ ବୁଦ୍ଧର ଉନ୍ମେଷର ଆଭାସ ମିଳିଲା । ମନୁଷ୍ୟର ଚିନ୍ତା ଶକ୍ତି କାର୍ଯ୍ୟ କରିବାକୁ ଆରମ୍ଭ କଲା । ମନୁଷ୍ୟ ତାର ପରିବେଶର ରହସ୍ୟ ସମ୍ପର୍କରେ ଧୀରେ ଧୀରେ ସଚେତନ ହେଲା ଓ ସେ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କଲା । ମାନବ ସଭ୍ୟତାର ଏହି ପ୍ରାରମ୍ଭିକ ଅବସ୍ଥାରେ ମାନବ–ଶିଶୁର ଜନ୍ମ ରହସ୍ୟ ଆଦିମ ମନୁଷ୍ୟ ମନରେ କୌତୁହଳ ସୃଷ୍ଟି କଲା । ଶିଶୁକୁ କିଏ ସୃଷ୍ଟି କରୁଛି, ସେ କିପରି ମା ଗର୍ଭରେ ରହୁଛି, ଏହି ବିଷୟରେ ଆଦିମମାନବ ବହୁ ଚିନ୍ତା କରି ସ୍ଥିର କଲେ ଯେ କୌଣସି ଇଷ୍ଟକାରୀ ଉପ ଦେବତା (benevolent spirit) ଶିଶୁକୁ ସୃଷ୍ଟି କରି ମା ଗର୍ଭରେ ରଖିଦିଏ । ସେହି ଉପଦେବତାଙ୍କୁ ସମସ୍ତଙ୍କର ପୂଜା କରିବା ଉଚିତ ବୋଲି ସେମାନେ ସ୍ଥିର କଲେ,, କାରଣ ତାଙ୍କ କୃପାରୁ ମନୁଷ୍ୟ ସମାଜର ଲୋକ ସଂଖ୍ୟା ବୃଦ୍ଧି ପାଉଛି, ତଦ୍ଦ୍ୱାରା ସମାଜ କ୍ରମେ ଶକ୍ତିଶାଳୀ ହେଉଛି-

 

ସେହି ଉପ ଦେବତାଙ୍କ ରୂପ କିପରି ହେବ ସେ ବିଷୟରେ ମଧ୍ୟ ଆଦିମ ମନୁଷ୍ୟ ଚିନ୍ତା କଲେ । ଶେଷରେ ସେମାନେ ସ୍ଥିର କଲେ ସେ ନିଶ୍ଚୟ ‘‘ମା’ ପରି ହେବେ, କାରଣ ସେ ‘ମା’ମାନଙ୍କ ଗର୍ଭରେ ଶିଶୁ ରଖୁଚନ୍ତି । ସେହି ସିଦ୍ଧାନ୍ତ ଅନୁସାରେ ସେମାନେ ଶିଳ ପରି ଗୋଟିଏ ପଥରରେ ‘ମା’ ଙ୍କ ମୂର୍ତ୍ତି ଅଙ୍କନ କରି ଓ ଗୋଟିଏ ସାନ ପ୍ରସ୍ତରକୁ ଶିଶୁରୂପେ ଚିତ୍ରିତ କରି ସେହି ଦୁଇଟି ପଥରକୁ ‘ମା-ପୁଅ’ ଦେବତା ରୂପରେ ପୂଜା କରିବାକୁ ଲାଗିଲେ । ସେମାନଙ୍କୁ ଜଙ୍ଗଲର କୌଣସି ଗଛ ତଳେ ସ୍ଥାପନା କରି ବଣ୍ୟ ଫଳ ମୂଳ ଭୋଗ ଦେଇ ପୂଜା କଲେ । ଏହିପରି ଭାବରେ ମାତୃଦେବୀଙ୍କ ପୂଜା ଆରମ୍ଭ ହେଲା । କଉଡ଼ିର ଆକୃତି ମା’ର ଜନନେନ୍ଦିୟର ଆକୃତ ସହିତ ସାଦୃଶ୍ୟ ଥିବାରୁ ତାକୁ ମାତୃଦେବୀଙ୍କ ପ୍ରତୀକ ବୋଲି ମନେ କରି ନବଜାତ ଶିଶୁର ଦେହରେ କଉଡ଼ି ବାନ୍ଧି ଦିଆଗଲା । କାରଣ ମାତୃଦେବୀଙ୍କ ପ୍ରତୀକ କଉଡ଼ି ଶିଶୁ ଦେହରେ ଥିଲେ କୌଣସି ଅପଦେବତାର ଅନିଷ୍ଟକର ପ୍ରଭାବ ତା’ର ଉପରେ ପଡ଼ିବ ନାହିଁ, ସୁତରାଂ ଶିଶୁର ଅକଲ୍ୟାଣ ହେବନାହିଁ ।

 

ମାତୃଦେବୀଙ୍କ ଆବିର୍ଭାବ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପ୍ରାଗୈତିହାସିକ ଯୁଗରେ ହୋଇଥିଲା । ତା’ପରେ ଆଜି ପର୍ଯ୍ୟନ୍ତ ଭାରତରେ ଧର୍ମ କ୍ଷେତ୍ରରେ ଅନେକ ଆବର୍ତ୍ତନ ବିବର୍ତ୍ତନ ହୋଇ ଧର୍ମ ଅନେକ ରୂପ ଧାରଣ କଲାଣି, ଧର୍ମ ସମ୍ବନ୍ଧୀୟ ଚିନ୍ତାଧାରା ଧର୍ମ କ୍ଷେତ୍ରରେ ବହୁ ବିପ୍ଳବ ସୃଷ୍ଟି କଲାଣି, କିନ୍ତୁ ଆଦିମ ମାନବ କଳ୍ପିତ ମାତୃଦେବୀଙ୍କ ପୂଜା ଲକ୍ଷ ଲକ୍ଷ ବର୍ଷର ବ୍ୟବଧାନ ଅତିକ୍ରମ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଚାଲି ଆସିଛି । ଆଜିକାର ଏହି ବୈଜ୍ଞାନିକ ଯୁଗରେ ମଧ୍ୟ ‘ମା’ମାନେ ଶିଶୁର ମଙ୍ଗଳ କାମନା କରି ଆଦିମ ଅନାର୍ଯ୍ୟ ମାତୃଦେବୀଙ୍କୁ ପୂଜା କରନ୍ତି, ଶିଶୁର ଅଣ୍ଟାରେ ବା ଗଳାରେ ଆଦିମ ମାତୃଦେବୀଙ୍କ କଉଡ଼ି ଶିଶୁର କଲ୍ୟାଣ କାମନାରେ ବାନ୍ଧନ୍ତି । ଅନାର୍ଯ୍ୟ ମାତୃଦେବୀ ପରବର୍ତ୍ତୀ ଆର୍ଯ୍ୟ ଯୁଗରେ ଷଷ୍ଠୀ ନାମରେ ନାମିତ ହୋଇ ଆର୍ଯ୍ୟ ଦେବ-ଦେବୀ ପର୍ଯ୍ୟାୟଭୁକ୍ତ ହେଲେ କିନ୍ତୁ ତାଙ୍କର ଆଦିମ ସତ୍ତା ଲୋପ ପାଇଲା ନାହିଁ ।

 

ଶିଳ, ଶିଳପୁଆ ସମସ୍ତଙ୍କ ଘରେ ଅଛି । ସେହି ଶିଳ ଶିଳପୁଆ ଆଦିମ ମାନବର ମାତୃଦେବୀ ଓ ତାଙ୍କର ପୁତ୍ରର ସ୍ମୃତି ରକ୍ଷା କରିଛି, ଏକଥା ଖୁବ୍‌ କମ୍‌ ଲୋକ ଜାଣନ୍ତି । ଆଦିମ ମାନବ ଶିଳ ଭଳି ଖଣ୍ତେ ପଥରକୁ ‘ମା’ ରୂପରେ ଓ ଶିଳପୁଆ ଭଳି ଖଣ୍ତେ ପଥରକୁ ତାଙ୍କର ପୁତ୍ରରୂପେ ପୂଜା କରିଥିଲେ । ସେହି ଦିନରୁ ଶିଳକୁ ମା ଓ ଶିଳପୁଆକୁ ତାଙ୍କ ପୁତ୍ର ବୋଲି ଲୋକେ ମନେ କରନ୍ତି । ସୁତରାଂ ଶିଳ ଶିଳପୁଆ ଆଦିମ ଯୁଗର ମାତୃ ପୁଜାର ସ୍ମାରକ।

 

ବଙ୍ଗ ଦେଶରେ ‘ମା’ମାନେ ବର୍ଷରେ ୪ଥର ଷଷ୍ଠୀ ପୂଜା କରନ୍ତି, ସେମାନଙ୍କ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନାରେ । ଷଷ୍ଠୀ ଦିନ ସେମାନେ ଶିଳରେ ମାତୃ ମୂର୍ତ୍ତି ଅଙ୍କନ କରନ୍ତି । ଶିଳ ପୁଆକୁ ତାଙ୍କର ସନ୍ତାନରୂପେ ଚିତ୍ରିତ କରି ତାଙ୍କ ପାଖରେ ଶୁଆଇ ଦିଅନ୍ତି । ଖଣ୍ତେ କନାକୁ ହଳଦି ପାଣିରେ ବୁଡ଼ାଇ ମାତୃଦେବୀ ଓ ତାଙ୍କର ସନ୍ତାନ ଉପରେ ବସ୍ତ୍ରରୂପେ ରଖି ଦିଅନ୍ତି ।

 

ଶିଳର ପଛରେ ବାସଙ୍ଗ ବାଉଁଶ ଇତ୍ୟାଦି ୭ ପ୍ରକାର ଗଛର ଡାଳ ରଖନ୍ତି । ଏହା ପ୍ରାଗୈତିହାସିକ ଯୁଗର ଜଙ୍ଗଲ ପରିବେଶର ସ୍ମାରକ ‘ମା’ମାନେ ନିଜେ ଷଷ୍ଠୀ ଦେବୀ ବା ଆଦିମ ମାତୃଦେବୀଙ୍କୁ ପୁତ୍ର-କନ୍ୟାର ମଙ୍ଗଳ କାମନାରେ ପୂଜା କରନ୍ତି ।

 

ଏହି ପ୍ରକାର ଷଷ୍ଠୀ ପୂଜା ଯେ ଆଦିମ ଯୁଗର ମାତୃ-ପୂଜା ଏ ବିଷୟରେ ସନ୍ଦେହ ନାହିଁ । ସେହିପରି ଗ୍ରାମ-ଦେବତୀ, ଯଥା ମଙ୍ଗଳା, ବାସୁଳୀ, ନାହାକାଣୀ ଇତ୍ୟାଦି ଆଦିମ-ମାନବ ପୂଜିତ ଦେବ-ଦେବୀ ସେମାନଙ୍କର ପୂଜା ପ୍ରତ୍ୟେକ ଗ୍ରାମର ଗ୍ରାମବାସୀମାନେ ନିଷ୍ଠାର ସହିତ ପାଳନ କରନ୍ତି । ଏହି ସବୁ ଦେବ-ଦେବୀଙ୍କ ପୂଜା ପ୍ରାଗୈତିହାସିକ ଯୁଗରୁ ଆଜିପର୍ଯ୍ୟନ୍ତ ଚାଲି ଆସିଛି । ବ୍ରାହ୍ମଣ୍ୟ ଧର୍ମର ପ୍ରଭାବ ମନୁଷ୍ୟର ଆଦିମ ବିଶ୍ୱାସକୁ ଧ୍ୱଂସ କରି ପାରି ନାହିଁ ।

 

ଆଦିମ ମାନବର ଚିନ୍ତାଧାରା ଯେତେବେଳେ କିଛି ଉନ୍ନତ ହେଲା ସେତେବେଳେ ସେମାନେ ଅନୁଭବ କଲେ ଯେ ଶିଶୁ-ଜନ୍ମ ସହିତ କେବଳ ମାତୃଦେବୀ ସମ୍ପୃକ୍ତ ନୁହନ୍ତି । ପିତୃ-ଦେବତା ମଧ୍ୟ ସେଥି ସହିତ ସମ୍ପୃକ୍ତ ସୁତରାଂ କାଳକ୍ରମେ ପିତୃ-ଦେବତାଙ୍କର ଆବିର୍ଭାବ ହେଲା । ଗୋଲ ଛିଦ୍ରଯୁକ୍ତ ପ୍ରସ୍ତର ଓ ଲିଙ୍ଗାକୃତି ପ୍ରସ୍ତରମାନଙ୍କୁ ଯଥାକ୍ରମେ ମାତୃଦେବୀ ଓ ପିତୃ ଦେବଙ୍କ ପ୍ରତୀକ ବୋଲି ପୂଜା କରାଗଲା । ଏହିପରି ଭାବରେ ପ୍ରାଗୈତିହାସିକ ଯୁଗରେ ଲିଙ୍ଗ-ଯୋନି ପୂଜାର ସୃଷ୍ଟି ହେଲା ।

 

ସିନ୍ଧୁ ସଭ୍ୟତା ଯୁଗରେ ମାତୃଦେବୀ ଓ ପିତୃଦେବ ପୂଜା ସୁପ୍ରତିଷ୍ଠିତ ହେଲା । ମହେଞ୍ଜୋଦାରୋ ଓ ହରପ୍‌ପାରୁ ମିଳିଥିବା କେବଳ କଟିବସ୍ତ୍ର ପରିହିତା ସାନ ସାନ ସ୍ତ୍ରୀ-ମୂର୍ତ୍ତି-ଗୁଡ଼ିକ, ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍‌, ମେକେଙ୍କ (Macag) ମତରେ ଗୃହ ଦେବତାରୂପେ ପୂଜା ପାଉଥିବା ମାତୃଦେବୀଙ୍କ ମୂର୍ତ୍ତି । ପ୍ରତ୍ନତତ୍ତ୍ୱବିତ୍‌ ମାର୍ଶେଲଙ୍କ (Marshall) ମତରେ ଗୋଲାକାର ଛିଦ୍ରଯୁକ୍ତ ପ୍ରସ୍ତର ଖଣ୍ତମାନ ମାତୃଦେବୀଙ୍କ ପ୍ରତୀକ ଯୋନି ରୂପରେ ପୂଜିତ ହେଉଥିଲା । ସେହିପରି ଲିଙ୍ଗାକୃତି ପ୍ରସ୍ତରଖଣ୍ତମାନ ପିତୃ-ଦେବତାଙ୍କ ପ୍ରତୀକ ଲିଙ୍ଗରୂପେ ପୂଜା ପାଉଥିଲା ।

 

ହରପପାରୁ ମିଳିଥିବା ଗୋଟିଏ ପୋଡ଼ମାଟିର ମୋହରରେ (Seal) ଗୋଟିଏ ସ୍ତ୍ରୀ ମୂର୍ତ୍ତିର ଛବି ରହିଛି । ସେହି ସ୍ତ୍ରୀ-ମୂର୍ତ୍ତିଟିର ମୁଣ୍ତ ତଳକୁ ଓ ଗୋଡ଼ ଦୁଇଟି ଉପର ଆଡ଼କୁ, ତାଙ୍କର ଗର୍ଭରୁ ଏକ ଲତା ବାହାରିଛି । ତାଙ୍କର ବାମ ପାର୍ଶ୍ୱରେ ଦୁଇଟି ବ୍ୟାଘ୍ର ପରସ୍ପର ମୁଖ-ମୁଖୀ ହୋଇ ଠିଆ ହୋଇଛନ୍ତି । ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କ ମତରେ ଏହି ମୂର୍ତ୍ତି ସୃଷ୍ଟିକାରିଣୀ ମାତୃଦେବୀଙ୍କ ମୂର୍ତ୍ତି । ସିନ୍ଧୁ-ସଭ୍ୟତା ଯୁଗରେ ମାତୃଦେବୀ ଜୀବଜଗତରେ ସୃଷ୍ଟିକାରିଣୀ ଓ ଶକ୍ତିସ୍ୱରୂପିଣୀ ବୋଲି ଲୋକଙ୍କର ବିଶ୍ୱାସ ଥିଲା । ପରବର୍ତ୍ତୀ ଯୁଗର ସିଂହବାହିନୀ ମାତୃଦେବୀ ସିନ୍ଧୁ-ସଭ୍ୟତା ଯୁଗର ସୃଷ୍ଟିକର୍ତ୍ତ୍ରୀ ବ୍ୟାଘ୍ରବାହିନୀ ଦେବୀଙ୍କର ରୂପାନ୍ତର ହୋଇ ପାରିଥାଆନ୍ତି ।

 

ସିନ୍ଧୁ-ସଭ୍ୟତା ଯୁଗରେ ଲୋକ ମାତୃଦେବୀଙ୍କ ସହିତ ପିତୃ-ଦେବତାଙ୍କୁ ମଧ୍ୟ ପୂଜା କରୁଥିଲେ । ହରପ୍‍ପାରୁ ମିଳିଥିବା ଗୋଟିଏ ପୋଡ଼ମାଟି ମୋହରରେ (Seal) ଯୋଗାସନରେ ବସିଥିବା ଊର୍ଦ୍ଧ୍ୱଲିଙ୍ଗ, ତ୍ରିମୁଖ, ବ୍ୟାଘ୍ର-ଗଣ୍ତାର-ହସ୍ତୀ ଇତ୍ୟାଦି ପଶୁ ପରିବୃତ୍ତ ଓ ମସ୍ତକରେ ଶୃଙ୍ଗ ଥିବା ଗୋଟିଏ ଦେବତାଙ୍କ ମୂର୍ତ୍ତି ରହିଛି । ଐତିହାସିକମାନଙ୍କ ମତରେ ସେହି ମୂର୍ତ୍ତିଟି ପିତୃ ଦେବ । ପରବର୍ତ୍ତୀ ଯୁଗରେ ସେ ବୈଦିକ ରୁଦ୍ରଙ୍କ ସହିତ ସମନ୍ୱିତ ହୋଇ ଶିବରୂପେ ଆବିର୍ଭୁତ ହେଲେ । ଶିବଙ୍କର ପଶୁପତି ମହାଯୋଗୀ ଧୁର୍ଜଟି ଇତ୍ୟାଦି କେତେକ ଆଖ୍ୟା ପୂର୍ବୋକ୍ତ ପିତୃଦେବଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବିଶେଷତଃ ପରବର୍ତ୍ତୀ ଯୁଗରେ ଶିବଙ୍କ ମୂର୍ତ୍ତିରେ ଯେଉଁ ଊର୍ଦ୍ଧ୍ୱଲିଙ୍ଗ ଚିହ୍ନ ଲକ୍ଷିତ ହୁଏ ତାହା ସିନ୍ଧୁ ସଭ୍ୟତା ଯୁଗରେ ପିତୃ-ଦେବଙ୍କର ମଧ୍ୟ ଅଛି, ସୁତରାଂ ସିନ୍ଧୁ ସଭ୍ୟତା ଯୁଗର ପିତୃ ଦେବତା ଓ ଆର୍ଯ୍ୟ ଯୁଗର ରୁଦ୍ରଙ୍କ ସମନ୍ୱୟରେ ଶିବଙ୍କର ସୃଷ୍ଟି ହୋଇଛି ବୋଲି ଐତିହାସିକମାନଙ୍କର ମତ ।

 

ଋଗ୍‌ ବେଦ ସମୟର ଲିଙ୍ଗ-ପୂଜା ପ୍ରଚଳିତ ଥିଲା । ସେହି ବେଦରେ ‘ଶିଶ୍ନ ଦେବ’ ପୂଜକ ବୋଲି କୌଣସି ଗୋଷ୍ଠୀ ପ୍ରତି ଘୃଣା ଓ ତାଚ୍ଛଲ୍ୟ ବ୍ୟଞ୍ଜକ ଉଲ୍ଲେଖ ରହିଛି । ଖୁବ୍‌ ସମ୍ଭବ ଆର୍ଯ୍ୟମାନଙ୍କର ପଞ୍ଜାବ ଅଧିକାର ପରେ ତାଙ୍କର ଅଧୀନତା ସ୍ୱୀକାର କରୁଥିବା ଲିଙ୍ଗ-ପୂଜକ ଦ୍ରାବିଡ଼ ଗୋଷ୍ଠୀ ପ୍ରତି ଉକ୍ତ ଆକ୍ଷେପ ଉଦ୍ଦିଷ୍ଟ । ଋଗ୍‍ବେଦ ସମୟରେ ଲିଙ୍ଗପୂଜା ଘୃଣ୍ୟ ଓ ଗର୍ହିତ ବୋଲି ବିବେଚିତ ହେଉଥିଲା । ସୁତରାଂ ପରବର୍ତ୍ତୀ ଯୁଗରେ ଯେଉଁ ଲିଙ୍ଗ–ଯୋନି ପୂଜାର ଆବିର୍ଭାବ ହେଲା ତାହା ଯେ ସିନ୍ଧୁ-ସଭ୍ୟତା ଯୁଗର ଧର୍ମ-ବିଶ୍ୱାସ ପ୍ରଭାବ ଯୋଗୁଁ, ଏହା ନିଃସନ୍ଦେହ-

 

ବୈଦିକ ଧର୍ମରେ ପୁରୁଷ ଦେବତାମାନେ, ଯଥା, ଇନ୍ଦ୍ର ସୂର୍ଯ୍ୟ, ରୁଦ୍ର, ବରୁଣ ଇତ୍ୟାଦି, ପ୍ରଧାନ୍ୟ ଲାଭ କରିଥିଲେ । ଋଗ୍‍ବେଦରେ ଦେବୀମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ନାହିଁ । ସୂକ୍ତମାନଙ୍କରେ ଦେବୀମାନଙ୍କ ବନ୍ଦନା ରହିଛି ସତ୍ୟ, କିନ୍ତୁ ସେମାନଙ୍କପାଇଁ ସୋମଯାଗର ବ୍ୟବସ୍ଥା ନାହିଁ । ଅଦିତୀ, ଉଷା, ସରସ୍ୱତୀ, ଧୀଷଣା, ରାତ୍ରି ପୃଥିବୀ ପ୍ରଭୃତି ଦେବୀମାନଙ୍କ ବନ୍ଦନା ଋଗ୍‍ବେଦରେ ଅଛି । ଅଦିତୀଙ୍କୁ ଦେବତାମାନଙ୍କର ଓ ବିଶ୍ୱବ୍ରହ୍ମାଣ୍ତର ମାତା ବୋଲି ବର୍ଣ୍ଣନା କରାଯାଇଛି । ସେହି ବେଦରେ ପିତୃଦେବତା ଓ ମାତୃଦେବୀ କଳ୍ପନାର ମଧ୍ୟଳ ସୂଚନା ମିଳେ (ଦୌର୍ମେ ପିତା.....ମାତା ପୃଥିବୀ ମହୀୟଂ) । ସେହି ବେଦରେ ବାଗଦେବୀଙ୍କ ବନ୍ଦନାରେ ଏକ ବିଶ୍ୱ-ଶକ୍ତି କଳ୍ପନାର ସୂଚନା ମିଳେ । ସୁତରାଂ ଋଗ୍‌ବେଦର ସୃଷ୍ଟି କାରିଣୀ ବିଶ୍ୱଶକ୍ତିର କଳ୍ପନା ଓ ପ୍ରାଗାର୍ଯ୍ୟ, ଯୁଗର ଶକ୍ତି କଳ୍ପନାର ସମନ୍ୱୟରେ ପରବର୍ତ୍ତୀ ଯୁଗର ଆଦ୍ୟାଶକ୍ତି କଳ୍ପନାର ଉଦ୍ଭବ ହୋଇଛି ।

 

ଋଗ୍‍ବେଦର ପରବର୍ତ୍ତୀ ଯୁଗରେ ଦେବୀମାନଙ୍କ ପ୍ରାଧାନ୍ୟ କ୍ରମେ ବଢ଼ିବାକୁ ଲାଗିଲା । ଅମ୍ବିକା, ଉଷା, କାଳୀ ଇତ୍ୟାଦି ଯେଉଁ ଦେବୀମାନେ ପରବର୍ତ୍ତୀ ଯୁଗରେ ଶକ୍ତି ଉପାସନାରେ ପ୍ରାଧାନ୍ୟ ଲାଭକଲେ ସେମାନଙ୍କ ଉଲ୍ଲେଖ ଯଜୁର୍ବେଦ ଓ ଅଥର୍ବ ବେଦରେ ଦେଖିବାକୁ ମିଳେ । ଯଜୁର୍ବେଦର ବାଜସନେୟୀ ସଂହିତାରେ ଓ ତୈତ୍ତରୀୟ ବ୍ରାହ୍ମଣରେ ଅମ୍ବିକା ରୁଦ୍ରଙ୍କ ଭଗ୍ନୀ ବୋଲି ଉଲ୍ଲେଖ ଅଛି, କିନ୍ତୁ ତୈତ୍ତରୀୟ ଆରଣ୍ୟକର ଦଶମଖଣ୍ତର ଅଷ୍ଟାଦଶ ଅନୁବାକ୍‌ରେ ରୁଦ୍ରଙ୍କୁ ‘ଅମ୍ବିକା ପତି’ ବୋଲି ଉଲ୍ଲେଖ କରାଯାଇଛି । ଏହିପରି ଭାବରେ ପରବର୍ତ୍ତୀ ବୈଦିକ ଯୁଗରେ ଶିବ-ପାର୍ବତୀଙ୍କ ପ୍ରାଥମିକ କଳ୍ପନା ସ୍ୱରୂପ ରୁଦ୍ର-ଅମ୍ବିକାଙ୍କ ଆବିର୍ଭାବ ହେଲା ।

 

ତୈତ୍ତରୀୟ ଆରଣ୍ୟକର କେନ ଉପନିଷଦରେ ଦେବୀଙ୍କର ଦୁର୍ଗା କନ୍ୟାକୁମାରୀ ଓ କାତ୍ୟାୟନୀ, ଏହି ତିନି ନାମର ଉଲ୍ଲେଖ ଅଛି । କୃଷ୍ଣ ଯଜୁର୍ବେଦର ମୈତ୍ରାୟନୀ ସଂହିତାର ‘ଶତ ରୁଦ୍ରୀୟ’ ସୂକ୍ତରେ ବ୍ରହ୍ମା, ଭାସ୍କର, ନାରାୟଣ ଇତ୍ୟାଦି ଦେବତାମାନଙ୍କ ଗାୟତ୍ରୀ ସହିତ ଗୌରୀଙ୍କ ଗାୟତ୍ରୀ ମଧ୍ୟ ଅଛି । ସେହି ଗାୟତ୍ରୀରେ ଦେବୀଙ୍କୁ ‘ଗିରିସୁତା’ ଓ ‘ଗାଙ୍ଗ’ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି । ତୈତ୍ତରୀୟ ଆରଣ୍ୟକରେ (ଦଶମ ଖଣ୍ତ, ୨ୟ ଅନୁବାକ୍‌) ଦୁର୍ଗାଙ୍କ ବର୍ଣ୍ଣନା ରହିଛି । ସେଥିରେ ଦୁର୍ଗା ଅଗ୍ନି ବର୍ଣ୍ଣା ଓ ସୂର୍ଯ୍ୟକନ୍ୟା ବୋଲି ବର୍ଣ୍ଣିତ ହୋଇଛନ୍ତି । ଋଗବେଦାନ୍ତର୍ଗତ ପରିଶିଷ୍ଟରେ ଥିବା ସୂକ୍ତରେ ଲକ୍ଷ୍ମୀଙ୍କ ବର୍ଣ୍ଣନା ମଧ୍ୟ ରହିଛି ।

 

ଉପର୍ଯ୍ୟୁକ୍ତ ବିଷୟଗୁଡ଼ିକୁ ଅନୁଶୀଳନ କଲେ ଜଣାଯାଏ ଯେ ଆଦିମ ମାତୃଦେବୀ ଓ ପିତୃଦେବ କଳ୍ପନା ସିନ୍ଧୁ ସଭ୍ୟତା ଯୁଗରେ ସୁପ୍ରତିଷ୍ଠିତ ହୋଇଥିଲା, ସମ୍ଭବତଃ ଆଦିମ କଳ୍ପନାକୁ ସିନ୍ଧୁ ସଭ୍ୟତା ଯୁଗରେ ସୁପ୍ରତିଷ୍ଠିତ ହୋଇଥିଲା, ସମ୍ଭବତଃ ଆଦିମ କଲ୍ପନାକୁ ସିନ୍ଧୁ ସଭ୍ୟତା ଯୁଗରେ ଉନ୍ନତ ରୁପ ଦିଆ ଯାଇଥିଲା । ପ୍ରାଗାର୍ଯ୍ୟ ଯୁଗର ଲୋକମାନେ ମାତୃ-ତାନ୍ତ୍ରିକ (Matrilinerl) ଥିବାରୁ ମାତୃପୂଜାକୁ ପ୍ରାଧାନ୍ୟ ଦେଇଥିଲେ । କିନ୍ତୁ ଆର୍ଯ୍ୟମାନେ ପିତୃତାନ୍ତ୍ରିକ (Fatrilinerl) ଥିବାରୁ ଦେବତାମାନଙ୍କୁ ପ୍ରାଧାନ୍ୟ ଦେଇଥିଲେ । କିନ୍ତୁ ଋଗ୍‍ବେଦର ପରବର୍ତ୍ତୀ ଯୁଗରେ ସିନ୍ଧୁ ସଭ୍ୟତା ଯୁଗର ଧର୍ମ ବିଶ୍ୱାସ ଆର୍ଯ୍ୟ ଧର୍ମକ୍ଷେତ୍ରରେ କ୍ରମେ କ୍ରମେ ଅନୁପ୍ରବେଶ କରି ଆର୍ଯ୍ୟମାନଙ୍କ ଧର୍ମବିଶ୍ୱାସ ଓ ମତକୁ କ୍ରମେ ପ୍ରଭାବିତ କଲା । ଫଳରେ ଆର୍ଯ୍ୟ ଅନାର୍ଯ୍ୟ ଧର୍ମର ସମନ୍ୱୟ କ୍ରମେ କ୍ରମେ ହେଲା ଓ ଅନାର୍ଯ୍ୟ ଅନେକ ଦେବଦେବୀ ରୂପାନ୍ତରିତ ହୋଇ ଆର୍ଯ୍ୟଦେବ ଦେବୀରୂପେ ପରିଚିତ ହେଲେ । ଫଳରେ ବୈଦିକ ଧର୍ମରେ ପରିବର୍ତ୍ତନ ହେଲା । ଅନାର୍ଯ୍ୟ ପିତୃଦେବ ଓ ମାତୃଦେବୀ ବୈଦିକୋତ୍ତର ଯୁଗରେ ଶିବ-ପାର୍ବତୀରୂପେ ଖ୍ୟାତି ଲାଭ କଲେ । ଅବଶ୍ୟ ଶିବଙ୍କ ପ୍ରାଧାନ୍ୟ ଯେତେ ଶୀଘ୍ର ପ୍ରସାର ଲାଭ କଲା ଶକ୍ତି ବା ପାବତୀଙ୍କର ସେତେ ଶୀଘ୍ର ହେଲା ନାହି କାରଣ ଆର୍ଯ୍ୟମାନେ ମାତୃଦେବୀର ଉପାସକ ନୁହନ୍ତି, କିନ୍ତୁ ଶିବଙ୍କ ପ୍ରାଧାନ୍ୟ ସହିତ ଗୌରୀଙ୍କ ପ୍ରାଧାନ୍ୟ ମଧ୍ୟ ବଢ଼ିଲା, କ୍ରମେ ପାର୍ବତୀ ବ୍ରାହ୍ମଣ୍ୟ ଧର୍ମର ପଞ୍ଚ ପ୍ରଧାନ ଦେବତାଙ୍କ ମଧ୍ୟରେ ଏକତମ ହେଲେ ।

 

ରାମାୟଣ ମହାକାବ୍ୟରେ ଶକ୍ତି ପୂଜାର କୌଣସି ସୂଚନା ମିଳେ ନାହିଁ, କେତେକ ରାମାୟଣରେ ଶ୍ରୀରାମ ରାବଣର ସଂହାରପାଇଁ ଶରତ୍‍କାଳରେ ଦେବୀଙ୍କର ଆରାଧନା କରିଥିବା କଥା ଉଲ୍ଲେଖ ଅଛି, ସେହି ଅନୁସାରେ ଭାରତର ପ୍ରାୟ ସର୍ବତ୍ର ଶାରଦୀୟ ଦୁର୍ଗୋତ୍ସବ ମହା ସମାରୋହରେ ପାଳିତ ହୁଏ । କିନ୍ତୁ ମୁଳ ରାମାୟଣରେ ଏ ବିଷୟରେ କିଛି ଉଲ୍ଲେଖ ନାହିଁ, ସୁତରାଂ ଶ୍ରୀରାମଙ୍କର ଶାରାଦୀୟ ଦୁର୍ଗାରାଧନା ପରବର୍ତ୍ତୀ ଯୁଗରେ ରାମାୟଣ ବିଷୟବସ୍ତୁରେ ଅନ୍ତର୍ଭୁକ୍ତ କରାଯାଇଥିବ ।

 

ମହାଭାରତର ବିରାଟ ପର୍ବରେ ଯୁଧିଷ୍ଠିରଙ୍କର ଦୁର୍ଗାସ୍ତବ କେତେକ ବହିରେ ଦେଖାଯାଏ, କିନ୍ତୁ ଏହା ସବୁ ମହାଭାରତରେ ନାହିଁ । ସେଥିରେ ଦୁର୍ଗାଙ୍କୁ ‘ନାରାୟଣ ପ୍ରିୟା, ନନ୍ଦଗୋପକୁଳେଜାତା, କଳ ବର୍ଦ୍ଧିନୀ, ଅସୁରନାଶିନୀ, କୁମାରୀ ବିନ୍ଧ୍ୟବାସିନୀ’’ ଇତ୍ୟାଦି ଆଖ୍ୟା ଦିଆଯାଇଛି ।

 

ଅର୍ଜ୍ଜୁନଙ୍କ ଦୁର୍ଗାସ୍ତବ ମହାଭାରତର ଭୀଷ୍ମପର୍ବରେ ଦେଖିବାକୁ ମିଳେ । ସେଥିରେ ଦୁର୍ଗାଙ୍କୁ ଆର୍ଯ୍ୟା ମନ୍ଦରବାସିନୀ, କୁମାରୀ, କପାଳୀ, ଭଦ୍ରକାଳୀ, ମହାକାଳୀ, କରାଳୀ’’ ବୋଲି ବର୍ଣ୍ଣନା କରା ହୋଇଛି । ହରିବଂଶର ପରିଶିଷ୍ଟରେ ଥିବା ଆର୍ଯ୍ୟ ସ୍ତବରେ ଦୁର୍ଗାଙ୍କୁ ‘‘ସନ୍ଧ୍ୟା, ରାତ୍ରି, କାଳରାତ୍ରି, କାତ୍ୟାୟନୀ, କୌଶିକୀ, ଜୟା, ବିଜୟା ଶବର ବର୍ବର ପୁଲିନ୍ଦ ପୂଜିତା କୁକ୍‌କୁଟମେକ୍ଷ–ବ୍ୟାଘ୍ର–ମେଷ–ସିଂହ–ସମାକୁଳା’ ବୋଲି ବନ୍ଦନା କାରାଯାଇଛି ।

 

ଉପର୍ଯ୍ୟୁକ୍ତ ସ୍ତବଗୁଡ଼ିକୁ ଅନୁଶୀଳନ କଲେ ଜଣାଯାଏ ଯେ ମହାଭାରତ ଯେତେବେଳେ ସମ୍ପୂର୍ଣ୍ଣ ଭାବରେ ଲିଖିତ ହେଲା, ଅର୍ଥାତ ପ୍ରାୟ ୨ୟ-୩ୟ ଶତାବ୍ଦୀ ବେଳକୁ, ଶକ୍ତି-ପୂଜା ଭାରତରେ ସୁପ୍ରତିଷ୍ଠିତ ହୋଇଥିଲା । ଏହି ଦୃଷ୍ଟିରୁ ଭାରତରେ ଶକ୍ତି ପୂଜାର ପ୍ରାଧାନ୍ୟ ପ୍ରାୟ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ ।

 

ମାତୃ-ପୂଜା ବା ଶକ୍ତି-ପୂଜାର ଆରମ୍ଭରୁ ମହାଭାରତ ଯୁଗ ପର୍ଯ୍ୟନ୍ତ ତା’ର କ୍ରମ ବିକାଶ ସଂକ୍ଷେପରେ ଆଲୋଚନା କରାଗଲା । ଅନ୍ୟ ଗୋଟିଏ ପ୍ରବନ୍ଧରେ ଶକ୍ତି-ପୂଜାର ପରବର୍ତ୍ତୀ କ୍ରମ-ବିକାଶ, ବିଶେଷତଃ ଓଡ଼ିଶାରେ, ଆଲୋଚନା କରାଯିବ ।

 

 

ଶବ୍ଦଶକ୍ତି

ଅଧ୍ୟାପକ ଡକ୍‌ଟର ବନମାଳୀ ରଥ

ବିଶ୍ୱଭାରତୀ, ଶାନ୍ତି ନିକେତନ

 

ମହାଭାଷ୍ୟକାର ପତଞ୍ଜଳିଙ୍କ ମତରେ ‘‘ପ୍ରତୀତ ପଦାର୍ଥକୋ ଲୋକେ ଧ୍ୱନିଃ ଶବ୍ଦ ଇତ୍ୟୁଚ୍ୟତେ’’ । ଅର୍ଥାତ୍‌ ଏହି ସଂସାରରେ ବିଭିନ୍ନ ପଦାର୍ଥର ପ୍ରତୀତ ଯେଉଁ ଧ୍ୱନି (ଶବ୍ଦ)ଦ୍ୱାରା ହୁଏ, ତାହାର ନାମ ଶବ୍ଦ, ସାଧାରଣତଃ ଧ୍ୱନି, ପଦ, ବାକ୍ୟ ଏ ସମସ୍ତଙ୍କୁ ‘ଶବ୍ଦ’ କୁହାଯାଏ । ଯାହା ଶୁଣାଯାଏ ତାହା ଶବ୍ଦ; ସେଥିରୁ ଯାହା ବୁଝାପଡ଼େ ତାହା ଅର୍ଥ ।

 

ସାହିତ୍ୟରେ ବ୍ୟବହୃତ ପଦ, ପଦ୍ୟାଶ ଓ ବାକ୍ୟାବଳୀରୁ ଅନନ୍ତ ଚମତ୍‌କାର ପୂର୍ଣ୍ଣ ଅର୍ଥ ଅଭିବ୍ୟକ୍ତି ହୁଅନ୍ତି । ତାହା କିପରି ହୁଏ ଜାଣିବାକୁ ହେଲେ ଶବ୍ଦର ଶକ୍ତି ବିଷୟରେ ସଚେତନ ହେବାକୁ ପଡ଼ିବ ।

 

ଶବ୍ଦରୁ ଅର୍ଥ ଅବଗତିପାଇଁ ନାନା ପ୍ରକାର ଉପାୟ ପରିକଳ୍ପନା କରାଯାଇଛି । ବିଭିନ୍ନ ପ୍ରକ୍ରିୟାଦ୍ୱାରା ବିଭିନ୍ନ ପରିବେଶରେ ବ୍ୟବହୃତ ଗୋଟିଏ ମାତ୍ର ଶବ୍ଦରୁ ଆମେ ଅସଂଖ୍ୟ ଅର୍ଥ ବୁଝିଥାଉଁ । ଯେକୌଣସି ଭାଷାରେ ଯେକୌଣସି ଶବ୍ଦର ଅର୍ଥ ସୀମିତ ନୁହେଁ । ତାହାର ପରିବେଶ ଓ ବ୍ୟବହାର କୌଶଳ ତାହାକୁ ବିଭିନ୍ନ ଅର୍ଥର ଦ୍ୟୋତକ କରିଥାଏ । ସାଧାରଣତଃ ବ୍ୟବହାରହିଁ ଶବ୍ଦର ବା ଶବ୍ଦମାନଙ୍କର ଅର୍ଥକୁ ନିର୍ଦ୍ଦିଷ୍ଟ କରେ ଓ ନିୟନ୍ତ୍ରିତ କରେ । ଉଦାହରଣ ସ୍ୱରୂପ ଯଦି କହିବା ‘ନିଆଁ’ ତେବେ ଆମେ ଉତ୍ତାପଯୁକ୍ତ ଗୋଟିଏ ପଦାର୍ଥକୁ ବୁଝୁ, କିନ୍ତୁ ଯଦି କହିବା ‘ସେ ଗୋଟିଏ ନିଆଗିଳା ଲୋକ, ଏଠାରେ ନିଆଁ ଶବ୍ଦର ଅର୍ଥ ‘ସବୁ’ ଲୋକଟି ‘ସର୍ବଗ୍ରାସୀ’ ଏହାହିଁ ବୁଝା ଯାଉଛି । ‘ଗଧ’ ଶବ୍ଦର ଅର୍ଥ ଗୋଟିଏ ନିର୍ଦ୍ଦିଷ୍ଟ ପଶୁ କିନ୍ତୁ ଯଦି ଆମେ କହୁ ‘ସେ ଲୋକଟି ଗୋଟିଏ ଗଧ’ ଏଠାରେ ‘ଗଧ’ ଶବ୍ଦର ଅର୍ଥ ବିଚାରହୀନ ‘ଅଥବା ‘ଅଧମ’ । ଏହିପରି ବାକ୍ୟରେ ବ୍ୟବହୃତ ଶବ୍ଦ ଗୁଡ଼ିକରୁ ବିଭିନ୍ନ ବ୍ୟବହାରଦ୍ୱାରା ବିଭିନ୍ନ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶିତ ହୁଏ । ଶବ୍ଦରୁ ନିର୍ଦ୍ଦିଷ୍ଟ ଅର୍ଥ ପରିପ୍ରକାଶନପାଇଁ ତିନୋଟି ଶକ୍ତି ବା ପ୍ରକ୍ରିୟାର ପରିକଳ୍ପନା କରାଯାଇଛି । ସେ ଗୁଡ଼ିକ ହେଲେ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନା । ଅଭିଧାଦ୍ୱାରା ଯେଉଁ ଅର୍ଥ ବ୍ୟକ୍ତ ହୁଏ ତାହାର ନାମ ବାଚ୍ୟ ବା ଅଭିଧେୟ, ଲକ୍ଷଣାଦ୍ୱାରା ଯେଉଁ ଅର୍ଥ ଲକ୍ଷିତ ହୁଏ ତାର ନାମ ଲକ୍ଷ୍ୟ; ବ୍ୟଞ୍ଜନାଦ୍ୱାରା ଯେଉଁ ଅର୍ଥ ଅଭିବ୍ୟଞ୍ଜିତ ହୁଏ ତାହାର ନାମ ବ୍ୟଙ୍ଗ୍ୟ, ଗମ୍ୟ ଅଥବା ପ୍ରତୀୟମାନ, ଠିକ୍‌ ସେହିପରି ଯେଉଁ ଶବ୍ଦ ବା ଶବ୍ଦ ସମଷ୍ଟିଦ୍ୱାରା ବାଚ୍ୟ ଅର୍ଥ ବ୍ୟକ୍ତ ହୁଏ ତାହାର ନାମ ବାଚକ ଶବ୍ଦ; ଲକ୍ଷ୍ୟ ଅର୍ଥର ପ୍ରକାଶକ ଶବ୍ଦକୁ ଲାକ୍ଷଣିକ ଓ ବ୍ୟଙ୍ଗ୍ୟ ଅର୍ଥର ପ୍ରକାଶକ ଶବ୍ଦକୁ ବ୍ୟଞ୍ଜକ କୁହାଯାଏ । ସଂକ୍ଷେପରେ କହିଲେ, ଅଭିଧା ଶକ୍ତିଦ୍ୱାରା ବଚକ ଶବ୍ଦ ବାଚ୍ୟ ଅର୍ଥକୁ ବ୍ୟକ୍ତ କରେ, ଲକ୍ଷଣା ଶକ୍ତିଦ୍ୱାରା ଲାକ୍ଷଣିକ ଶବ୍ଦ ଲକ୍ଷ୍ୟ ଅର୍ଥକୁ ପ୍ରକାଶ କରେ ଓ ବ୍ୟଞ୍ଜନା ଶକ୍ତିଦ୍ୱାରା ବ୍ୟଞ୍ଜକ ଶବ୍ଦ ବ୍ୟଙ୍ଗ ଅର୍ଥକୁ ବ୍ୟଞ୍ଜିତ କରେ ।

 

‘‘ବାଚ୍ୟାଽର୍ଥୋଭିଧୟା ବୋଧ୍ୟା ଲକ୍ଷ୍ୟୋ ଲକ୍ଷଣୟା ମତଃ

ବ୍ୟଙ୍ଗ୍ୟୋ ବ୍ୟଞ୍ଜନୟା ତାଃ ସ୍ୟୁସ୍ତିସ୍ରଃ ଶବ୍ଦସ୍ୟ ଶକ୍ତୟଃ ।’’

 

ଅଭିଧା ସେହି ଶବ୍ଦ ଶକ୍ତି ବା ଶବ୍ଦ ବ୍ୟାପାର ବା ଶବ୍ଦ ବୃତ୍ତି ଯାହାଦ୍ୱାରା ସାକ୍ଷାତ ସାଂକେତିକ ଅଥବା ମୁଖ୍ୟ ଅର୍ଥର ଅବବୋଧ ହୁଏ । ଶବ୍ଦର ମୁଖ୍ୟ ବା ପ୍ରଥମ ଅର୍ଥକୁ ବୁଝାଉଥିବାରୁ ଏହି ଅଭିଧା ଶକ୍ତିକୁ ମୁଖ୍ୟଶକ୍ତି ମଧ୍ୟ କୁହାଯାଏ ।

 

ଆମେ ଦୈନନ୍ଦିନ ଜୀବନରେ ପ୍ରତିଦିନ ଯେତେ ଶବ୍ଦ ବ୍ୟବହାର କରୁ ସେ ଗୁଡ଼ିକର ଗୋଟିଏ ଗୋଟିଏ ସ୍ୱାଭାବିକ ମୌଳିକ ଅର୍ଥ ଅଛି । ସେହି ମୌଳିକ ଅର୍ଥଟିର ନାମ ବାଚ୍ୟାର୍ଥ । ଯେ କୌଣସି ଗୋଟିଏ ଶବ୍ଦ ଶୁଣିବା ମାତ୍ରେ ଅଥବା ଉଚ୍ଚାରଣ କରିବା ମାତ୍ରେ ଆମ ମନରେ ତଦ୍‌ ବିଷୟକ ଗୋଟିଏ ନିର୍ଦ୍ଦିଷ୍ଟ ଧାରଣା ବା ମାନସିକ ଚିତ୍ର ଉପସ୍ଥାପିତ ହୁଏ । ସେହି ଧାରଣାଟିର ନାମ ସଂକେତ । କେହି ଜଣେ କିଛି କହିବା ଉଦ୍ଦେଶ୍ୟରେ ‘ପର୍ବତ’ ବୋଲି ଗୋଟିଏ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଆମ ମନରେ କୌଣସିନା କୌଣସି ଗୋଟିଏ ପର୍ବତର ଛବି ଆଙ୍କି ହୋଇଯାଏ । ସେହି ମାନସିକ ଚିତ୍ର ସମ୍ବଳିତ ସ୍ଥୁଳ ଧାରଣହିଁ ସେହି ଶବ୍ଦର ସଂକେତ । ଏହି ସାଂକେତିତ ଅର୍ଥଟିହିଁ ଶବ୍ଦର ମୁଖ୍ୟ ଅର୍ଥ ଯାହା ଶବ୍ଦୋଚ୍ଚାରଣ ମାତ୍ରେ ସ୍ୱାଭାବିକ ଭାବରେ ଆମ ମନରେ ଗୋଟିଏ ଧାରଣା ସୃଷ୍ଟି କରେ । ମାନସିକ ଚିତ୍ର ବା ସଂକେତଦ୍ୱାରା ବାଚ୍ୟାର୍ଥ ବା ମୁଖ୍ୟାର୍ଥର ଅବବୋଧ ହୁଏ-। ଏହି ସଂକେତର ଆଧାର କେତେକଙ୍କ ମତରେ କେବଳ ଜାତି ବୋଲି ଗୃହୀତ ହୋଇଥିବା ସ୍ଥଳେ ଅନେକ ସମାଲୋଚକ ଜାତି, ଦ୍ରବ୍ୟ, ଗୁଣ ଓ କ୍ରିୟାରେ ସଂକେତ ଗ୍ରହଣର ସିଦ୍ଧାନ୍ତ ଗ୍ରହଣ କରିଅଛି-। ଏଣୁ ସଂକେତକୁ ଜାତିଗତ, ଦ୍ରବ୍ୟଗତ, ଗୁଣଗତ ଓ କ୍ରିୟାଗତ ଏହିପରି ଚାରିଶ୍ରେଣୀରେ ବିଭକ୍ତ କରାଯାଇପାରେ । ଅର୍ଥାତ୍‌ ଗୋଟିଏ ଶବ୍ଦ ଶୁଣିବା ମାତ୍ରେ ମନରେ ତଦ୍‌ ବିଷୟକ ଯେଉଁ ଚିତ୍ର ଉପସ୍ଥାପିତ ହୁଏ ବା ସେଥିରୁ ଯେଉଁ ସଂକେତ ମିଳେ ସେହି ସଂକେତ ଜାତିର, ଦ୍ରବ୍ୟର, ଗୁଣର ଅଥବା କ୍ରିୟାର ହୋଇଥାଏ । ଉଦାହରଣ ସ୍ୱରୂପ ‘ମଣିଷ’ ଶବ୍ଦରୁ ହସ୍ତପଦାଦି ବିଶିଷ୍ଟ ମଣିଷ ଜାତିର ମାନସ ଚିତ୍ର ବା ସଂକେତ ମିଳେ । ସେହି ପରି ‘ଖଟ’ ଶବ୍ଦରୁ ଗୋଟିଏ ‘ଦ୍ରବ୍ୟ’ ର ‘ଦୟା’ ଶବ୍ଦରୁ ଗୋଟିଏ ଗୁଣର ‘ଗମନ’ ଶବ୍ଦରୁ ଗୋଟିଏ କ୍ରିୟାର ସଂକେତ ମିଳେ । ପ୍ରତ୍ୟେକ ଶବ୍ଦରୁ ଯେଉଁ ସଂକେତ ମିଳେ ବା ମାନସିକ ଧାରଣା ସୃଷ୍ଟି ହୁଏ, ତାହା ବ୍ୟକ୍ତିବିଶେଷର ଅନୁଭୁତି ଉପରେ ନିର୍ଭର କରୁଥିବାରୁ ସେଥିରେ ଏକରୂପତା ନ ଥାଏ । ଅର୍ଥାତ ‘ଭଲଲୋକ’ ବୋଲି କହିଲେ ଜଣକର ମନରେ ସେହି ଲୋକ ବିଷୟରେ ଯେଉଁ ନିର୍ଦ୍ଦିଷ୍ଟ ଧାରଣା ସଷ୍ଟି ହୁଏ, ଅନ୍ୟ ଜଣକର ମନରେ ଯେ ଠିକ୍‌ ସେହି ଅବିକଳ ଧାରଣା ସୃଷ୍ଟି ହେବ, ଏହିପରି କୌଣସି ଧରାବନ୍ଧା ନିୟମ ନାହିଁ-। ଭଲ ଶବ୍ଦଟି ବିଭିନ୍ନ ଲୋକଙ୍କୁ ରୁଚି ଅନୁସାରେ ବିଭିନ୍ନ ସଂକେତ ଦେଇଥାଏ । ଏଣୁ କୌଣସି ଶବ୍ଦର ସଂକେତିତ ଅର୍ଥ ନିର୍ଦ୍ଦିଷ୍ଟ ନୁହେଁ କି ସୀମିତି ମଧ୍ୟ ନୁହେଁ । ଏହି ସଂକେତିତ ଅର୍ଥର ନାମ ମୁଖ୍ୟାର୍ଥ ବା ବାଚ୍ୟର୍ଥ । ଯାହାକୁ ଅଭିଧା ନାମକ ଶବ୍ଦ ଶକ୍ତି ମାଧ୍ୟମରେ ଆମେ ବୁଝିବାକୁ ସମର୍ଥ ହୋଇଥାଉ ।

 

ମଣିଷ ନିଜର ଅନୁଭୂତି, ଜ୍ଞାନ ଓ ଧାରଣାକୁ ପ୍ରକାଶ କରିବାପାଇଁ ଶବ୍ଦ ବ୍ୟବହାର କରେ-। ଏକ ବା ଏକାଧିକ ବର୍ଣ୍ଣ ସମଷ୍ଟିଦ୍ୱାରା ଗଠିତ ଶବ୍ଦର କୌଣସି ନିଜସ୍ୱ ଅର୍ଥ ନ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ରୂପ ବିଶିଷ୍ଟ ଶବ୍ଦ ନିର୍ଦ୍ଦିଷ୍ଟ ଅର୍ଥକୁ ବ୍ୟକ୍ତ କରିବା ଉଦ୍ଦେଶ୍ୟେରେ ବକ୍ତା ସେହି ଶବ୍ଦ ପ୍ରୟୋଗ କରେ । ଧୀରେ ଧୀରେ ତାହାହିଁ ସେହି ଶବ୍ଦର ସାଂକେତିକ ଅର୍ଥ ହୋଇଯାଏ । ଶବ୍ଦ ଉପରେ ମଣିଷର ଅନୁଭୁତି ଓ ଧାରଣା ଆରୋପିତ ହୋଇଥାଏ । ଭାଷାର ବିକାଶରେ ଏହି ପ୍ରକ୍ରିୟା ସବୁବେଳେ ଲାଗି ରହିଛି । ସେଥିପାଇଁ ନୂଆ ନୂଆ ଅନୁଭୂତିକୁ ରୂପଦେବପାଇଁ ନୂଆ ଶବ୍ଦ ତିଆରି ହେଉଛି । ଆଜିର ‘‘ଆପୋଲୋ’’ ‘‘ସ୍ଫଟ୍‌ନିକ୍‌’’ ଇତ୍ୟାଦି ନୂତନ ଶବ୍ଦ ନବୀନ ଅନୁଭୁତି ବା ସଂକେତର ଦ୍ୟୋତକ । ଏହି ସବୁ କାରଣରୁ ସବୁ ଶବ୍ଦର ନିର୍ଦ୍ଦିଷ୍ଟ ସାଂକେତିକ ଅର୍ଥ ବୁଝିପାରିବା ସମସ୍ତଙ୍କ ପକ୍ଷରେ ସବୁବେଳେ ସହଜସାଧ୍ୟ ନୁହେଁ । ଆପ୍ତବାକ୍ୟ ବା ଅନୁଭୁତି ସମ୍ପନ୍ନ ବିଶ୍ୱାସଯୋଗ୍ୟ ଲୋକଙ୍କର ବ୍ୟବହାରରୁ ଅଭିଧାନ ଓ ପ୍ରକରଣାଦିର ପର୍ଯ୍ୟାଲୋଚନାରୁ ବିଭିନ୍ନ ଶବ୍ଦର ସାଂକେତିକ ଅର୍ଥ ମଧ୍ୟ ଗ୍ରହଣ କରାଯାଏ । ଉଦାହରଣ ସ୍ୱରୂପ ଗୋଟିଏ କାବ୍ୟରେ ‘ଶାତ’ ଶବ୍ଦଟି ପ୍ରଯୁକ୍ତ ହୋଇଛି । ପ୍ରକରଣାଦିର ପର୍ଯ୍ୟାଲୋଚନାରୁ ତାହାର ସାଂକେତିକ ଅର୍ଥଟି ବୁଝାପଡ଼ୁନାହିଁ । ଶେଷରେ ଅଭିଧାନ ଦେଖିବାରୁ ଜଣାଗଲା ଯେ, ‘ଶାତ’ ମାନେ ‘ସୁଖ । ବର୍ତ୍ତମାନ ଶବ୍ଦଟିର ସାଂକେତିକ ଅର୍ଥ ଅବବୋଧରେ ଆଉ କୌଣସି ଅସୁବିଧା ହେଉନାହିଁ ।

 

ଅଭିମା ଶକ୍ତିଦ୍ୱାରା ଯେଉଁ ଶବ୍ଦମାନଙ୍କର ଅର୍ଥବ୍ୟକ୍ତ ହୁଏ, ସେହି ବାଚକ ଶବ୍ଦମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି–ଯୌଗିକ, ରୂଢ଼ ଯୋଗାରୂଢ଼ା ଯେଉଁ ଶବ୍ଦମାନଙ୍କର ବ୍ୟାକରଣଗତ ନିୟମ ଅନୁସାରେ ବ୍ୟୁତ୍‌ପତ୍ତି ହୋଇପାରେ ସେଗୁଡ଼ିକୁ ଯୌଗିକ ଶବ୍ଦ କୁହାଯାଏ । ଅର୍ଥାତ୍‌ ଯେଉଁ ଶବ୍ଦ ସମୂହ ପ୍ରକୃତି ଓ ପ୍ରତ୍ୟୟର ଯୋଗରେ (ସମ୍ମିଶ୍ରଣରେ) ଗଠିତ ହୋଇଛନ୍ତି ଏବଂ ଯେଉଁ ଶବ୍ଦର ବ୍ୟୁତ୍‌ପତ୍ତିରୁ ତାହାର ଆଂଶିକ ଅର୍ଥ ସହିତ ସମୁଦାୟ ଅର୍ଥ ବୁଝାପଡ଼େ ସେହି ଶବ୍ଦ ସମୂହ ଯୌଗିକ ଶ୍ରେଣୀର ଅନୁର୍ଭୁକ୍ତ । ଯଥା:–‘ତୃଣଭୋଜୀ’ ପଶୁତୁଲ୍ୟ, ପାଚକ, ନରପତି ଓ ଅଧ୍ୟାପକ ଇତ୍ୟାଦି । ଯେଉଁ ଶବ୍ଦର କୌଣସି ବ୍ୟୁତ୍‌ପତ୍ତିଗତ ଅର୍ଥ କରାଯାଇ ପାରେ ନାହିଁ ଏବଂ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରେ ତାହାକୁ ରୂଢ଼ ଶବ୍ଦ କୁହାଯାଏ । ଯଥା:–ତାଡ଼, ଘର, ତରୁ, ଚନ୍ଦ୍ର, ଘୋଡ଼ ଇତ୍ୟାଦି-। ବ୍ୟଘ୍ର ଓ କୁଶଳ ପରି ଅନେକ ରୂଢ଼ ଶବ୍ଦ ଅଛନ୍ତି ଯାହାର ବ୍ୟୁତ୍‌ପତ୍ତିଗତ ଅର୍ଥ ବ୍ୟାକରଣର ନିୟମ ଦୃଷ୍ଟିରୁ କରାଯାଇ ପାରେ । କିନ୍ତୁ ସେହି ଅର୍ଥ ସେଗୁଡ଼ିକର ସାଂକେତିକ ଅର୍ଥ ନୁହଁନ୍ତି । ବିଶେଷ ଭାବରେ ଯେ ଆଘ୍ରାଣ କରେ ସେ ବ୍ୟାଘ୍ର । କୁଶ ଯିଏ ଆଣେ ସେ କୁଶଳ । କିନ୍ତୁ ଏହି ଅର୍ଥରେ କେହି ହେଲେ ବ୍ୟାଘ୍ର ଓ କୁଶଳ ଶବ୍ଦକୁ ପ୍ରୟୋଗ କରନ୍ତି ନାହିଁ । କୁଶଳ ଶବ୍ଦଟି ଦକ୍ଷ ଅର୍ଥରେ ରୂଢ଼ ଓ ବ୍ୟାଘ୍ର ଶବ୍ଦଟି ହିଂସ୍ର ପଶୁ ବିଶେଷ ଅର୍ଥରେ ରୂଢ଼ ହୋଇଯାଇଛି । ଯେଉଁ ଶବ୍ଦ ବ୍ୟାକରଣର ବ୍ୟୁତ୍‌ପତ୍ତି ଗତ ଅର୍ଥକୁ ପରିହାର ନ କରି ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ପ୍ରକାଶ କରେ, ତାହା ଯୋଗରୂଢ଼ ଶ୍ରେଣୀର ଅନ୍ତର୍ଭୁକ୍ତ । ଅର୍ଥାତ୍‌ ଯୋଗରୂଢ଼ ଶବ୍ଦ ଯୌଗିକ ହେବା ସଙ୍ଗେ ସଙ୍ଗେ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥରେ ତାହା ରୂଢ଼ ହୋଇଥାଏ । ସେଥିରୁ ପ୍ରକୃତି ଓ ପ୍ରତ୍ୟୟଗତ ଅର୍ଥ ବାହାରେ କିନ୍ତୁ ତାହା ଗୋଟିଏ ବିଶିଷ୍ଟ ଅର୍ଥରେ ସୀମିତ ହୋଇ ରହେ । ଯଥା–ପଙ୍କଜ, ଯାହା ପଙ୍କରୁ ଜାତ ହୁଏ–ପଦ୍ମ, କିନ୍ତୁ କଇଁଫୁଲ ଫଳରୁ ଜାତ ହେଉଥିଲେ ମଧ୍ୟ ପଙ୍କଜ ଶବ୍ଦର ସାଂକେତିକ ଅର୍ଥ କେବଳ ପଦ୍ମ, କଇଁ ନୁହେଁ । ସେହିପରି ପଶୁପତି, ପୟୋଦ, ଚକ୍ରଧର ଆଦି ଗୋଟିଏ ଗୋଟିଏ ଯୋଗରୂଢ଼ ଶବ୍ଦ ।

 

ଏହିପରି ଯୌଗିକ, ରୂଢ଼ ଓ ଯୋଗରୂଢ଼ ଶ୍ରେଣୀୟ ବାଚକ ଶବ୍ଦରୁ ଜାତିଗତ, ଗୁଣଗତ, କ୍ରିୟାଗତ ଓ ଯଦୃଚ୍ଛାଗତ (ଦ୍ରବ୍ୟଗତ ଓ ବ୍ୟକ୍ତିଗତ) ସାଂକେତିକ ଅର୍ଥ ବ୍ୟକ୍ତିହୁଏ । ସମୟକ୍ରମେ ବହୁ ଶବ୍ଦର ଏହି ସାଂକେତିକ ଅର୍ଥରେ ସଂକୋଚନ, ପ୍ରସାରଣ ଓ ସଂକ୍ରମଣ ମଧ୍ୟ ଘଟିଥାଏ । ଉଦାହରଣ ସ୍ୱରୂପ–‘ପୂର୍ବେ ବାର୍ତ୍ତା’ ଏହି ଶବ୍ଦଟି ସବୁପ୍ରକାର ସମ୍ବାଦ ଅର୍ଥରେ ବ୍ୟବହୃତ ହେଉଥିଲା । ଏବେ ଗଞ୍ଜାମ ଅଞ୍ଚଳରେ ‘ବାର୍ତ୍ତା’ ବା ବାରଣ କେବଳ ମୃତ୍ୟୁ ସଂବାଦର ବାଚକ ଭାବରେ ବ୍ୟବହୃତ ହେଉଅଛି । ଏଠାରେ ଅର୍ଥର ସଂକୋଚନ ଘଟିଛି । ପୂର୍ବେ ‘ତିଳ’ର ନିର୍ଯ୍ୟାସ ବା ରସକୁ ‘ତୈଳ’ ଭାବରେ ଗ୍ରହଣ କରାଯାଉଥିଲା, ଏବେ ଏହି ‘ତୈଳ’ ଶବ୍ଦ ତିଳତେଲ, ରାଶିତେଲ, ବାଦାମତେଲ, ଜଡ଼ାତେଲ ସବୁ ତୈଳର ବାଚକ ଶବ୍ଦଭାବରେ ବ୍ୟବହୃତ ହେଉଅଛି । ଏଠାରେ ଅର୍ଥର ପ୍ରସାରଣ ସଂସାଧିତ ହୋଇଛି । ଏହିପରି ବିଭିନ୍ନ ପରିବର୍ତ୍ତନ ମଧ୍ୟଦେଇ ଶବ୍ଦମାନେ ଗତି କରୁଥିଲେ ମଧ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟେକ ଶବ୍ଦର ଗୋଟିଏ ସ୍ୱାଭାବିକ ବା ସାଂକେତିକ ଅଥବା ମୁଖ୍ୟ ଅର୍ଥ ଥାଏ । ସେହି ଅର୍ଥଟି ଅଭିଧା ଶକ୍ତିଦ୍ୱାରା ବୋଧଗମ୍ୟ ହୁଏ । ଏଣୁ ଭଟ୍ଟନାୟକ ଆଦି ଆଚାର୍ଯ୍ୟମାନେ ଅଭିଧା ଶକ୍ତିକୁ ମୁଖ୍ୟଶକ୍ତି ଭାବରେ ପ୍ରତିପାଦନ କରିଛନ୍ତି।

 

ଲକ୍ଷଣା–ସୁନ୍ଦର ଭାବେ ମନୋଗତ ଭାବ ପ୍ରକାଶପାଇଁ ଭାଷାର ପ୍ରୟୋଗ କରାଯାଏ । ପ୍ରଚଳିତ ଶବ୍ଦମାନଙ୍କୁ ପ୍ରୟୋଗ କରି ଭାବ ବ୍ୟକ୍ତ କଲେ ମଧ୍ୟ, ଯେଉଁଠି ମୁଖ୍ୟାର୍ଥ ବା ବାଚ୍ୟାର୍ଥ ବାଧାପ୍ରାପ୍ତ ହୁଏ, ଅର୍ଥାତ୍‌ ଅଭିଧା ଶକ୍ତିଦ୍ୱାରା ଅଭିଳଷିତ ଅର୍ଥ ବୁଝାଯାଏ ନାହିଁ, କିନ୍ତୁ ପ୍ରସିଦ୍ଧି ବଶତଃ ହେଉ ମୁଖ୍ୟାର୍ଥ ସହିତ ସମ୍ବନ୍ଧ ରଖି ଅନ୍ୟ ଏକ ଅର୍ଥ ଲକ୍ଷିତ ହୁଏ, ସେଠାରେ ଲକ୍ଷଣା ଶକ୍ତିଦ୍ୱାରା ଲକ୍ଷ୍ୟ ଅର୍ଥ ଅଭିବ୍ୟକ୍ତି ଲାଭ କରେ । ଏହିପରି ଲକ୍ଷଣ ସହିତ ତିନୋଟି କଥା ସମ୍ବନ୍ଧିତ । ପ୍ରଥମେ ମୁଖ୍ୟାର୍ଥ ବା ବାଚ୍ୟାର୍ଥର ବାଧା, ଦ୍ୱିତୀୟରେ ରୁଢ଼ି ବା ପ୍ରୟୋଜନ । ଆଉ ତୃତୀୟରେ ମୁଖ୍ୟାର୍ଥ ସହିତ ସମ୍ବଳିତ ଅନ୍ୟ ଅର୍ଥର ଉତ୍‌ପତ୍ତି । ଏହି ତ୍ରିବିଧ ଆଧାର ଉପରେ ଲକ୍ଷଣାର ସମସ୍ତ ପ୍ରକାର ଭେଦ ପ୍ରତିଷ୍ଠିତ । ‘ମୁଖ୍ୟାର୍ଥର ବାଧା’ର ତାତ୍‌ପର୍ଯ୍ୟ ହେଉଛି ବାଚ୍ୟାର୍ଥର ପ୍ରତ୍ୟକ୍ଷ ବିରୋଧ ହେବା ସଙ୍ଗେ ସଙ୍ଗେ ବକ୍ତାର ଅଭିପ୍ରେତ ଅର୍ଥ ବୁଝିବାରେ ଜଟିଳତା ସୃଷ୍ଟି ହେବା । ପୁଣି କୌଣସି ପ୍ରସିଦ୍ଧ ଚଳଣି ଯୋଗୁଁ ଅର୍ଥାତ୍‌ ରୁଢ଼ି ବଶତଃ ଅଥବା କୌଣସି ପ୍ରୟୋଜନ ସିଦ୍ଧି ନିମିତ୍ତ ସେଥିରୁ ଏପରି କୌଣସି ଅର୍ଥ ବାହାରିବା ଉଚିତ ଯାହା ବାଚ୍ୟାର୍ଥ ସହିତ ସମ୍ବନ୍ଧ ରଖିଥିବ । ଉଦାହରଣ ସ୍ୱରୂପ–ଯଦି ଜଣେ ଅପର ବ୍ୟକ୍ତିକୁ ତୁଚ୍ଛାଟାରେ ଭୟଭୀତ ହୋଇଥିବାର ଦେଖି ବିରକ୍ତିରେ କହିଲେ–‘ତୁ ଗୋଟାଏ ମେଣ୍ଢା’’ ତେବେ ଏଠାରେ ମୁଖ୍ୟାର୍ଥ ବାଧାପ୍ରାପ୍ତ ହେବା ସ୍ୱାଭାବିକ୍‌ କଥା । କାରଣ ‘ମେଣ୍ଢା’ ଶବ୍ଦର ବାଚ୍ୟର୍ଥ ହେଉଛି ଏକ ଜାତୀୟ ଭୟାଳୁ ପଶୁ । କିନ୍ତୁ ଯାହାକୁ ମେଣ୍ଢା କୁହାଗଲା ସେ ପ୍ରକୃତରେ ମେଣ୍ଢା ନୁହେଁ, ଗୋଟିଏ ମଣିଷ । ଏଣୁ ମେଣ୍ଢା ଶବ୍ଦର ବାଚ୍ୟାର୍ଥ ବାଧାପ୍ରାପ୍ତ ହେଲା । ପୁଣି ତା’ ସ୍ଥାନରେ ମୁଖ୍ୟାର୍ଥ ସହିତ ସଂପର୍କ ରଖୁଥିବା ଆଉ ଗୋଟିଏ ଅର୍ଥ–‘‘ମେଣ୍ଢା ଭଳି ସାହସ ବିହୀନ ଗୋଟିଏ ଭୟାର୍ତ୍ତ ମଣିଷ’’ ଆରୋପିତ ହେଲା । ମୁଖ୍ୟାର୍ଥ ଉପରେ ଆରୋପିତ ଏହି ଦ୍ୱିତୀୟ ଅର୍ଥର ନାମ ଲକ୍ଷ୍ୟାର୍ଥ । ଏହି ଲକ୍ଷ୍ୟାର୍ଥର ପରିପ୍ରକାଶମୂଳରେ ଗୋଟିଏ ପ୍ରୟୋଜନ ମଧ୍ୟ ରହିଛି । ତାହା ହେଉଛି ଏପରି କହିବାଦ୍ୱାରା ଉଦ୍ଦିଷ୍ଟ ଲୋକର ଭୟାଳୁତାର ଆତିଶଯ୍ୟ ପ୍ରକଟ କରିବା, ସେହିପରି ଦୀର୍ଘ ଦିନର ଗୋଟିଏ ମକଦ୍ଦମା ଫଇସଲା ହୋଇଯିବାରୁ ଅଭିଯୁକ୍ତ ବ୍ୟକ୍ତି ଆନନ୍ଦରେ କହି ପକାଇଲେ ‘‘ଆଜି ଗୋଟିଏ ତେଣ୍ଟା ଗଲା ।’’ ‘‘ତେଣ୍ଟା’’ ଶବ୍ଦର ବାଚ୍ୟ ଅର୍ଥ ବର୍ଚ୍ଛା । ଏଣୁ ବାଚ୍ୟାର୍ଥ ଏଠାରେ ବାଧାପ୍ରାପ୍ତ ହୋଇ ତେଣ୍ଟା ଗଳିଗଲେ ଯେପରି ଦୁଃଖ ହୁଏ ସେପରି ଦୁଃଖଦାୟକ ମକଦ୍ଦମାଟି ଆଜି ସରିଗଲା : ଏହି ଅର୍ଥଟି ଲକ୍ଷିତ ହେଉଛି । ମକଦ୍ଦମାଟି ଦୁଃଖଦାୟକ ହୋଇଥିବାରୁ ରୁଚିଦ୍ୱାରା ତାହାକୁ ତେଣ୍ଟା କୁହାଯାଇଛି । ଏହି ରୁଚିମୂଳକ ଲକ୍ଷ୍ୟାର୍ଥ ଲକ୍ଷଣା ଶକ୍ତିଦ୍ୱାରା ଲକ୍ଷିତ ହେଉଅଛି । ଦୈନିନ୍ଦିନ ଜୀବନର ଚଳଣିରେ ଲକ୍ଷ୍ୟାର୍ଥ ପ୍ରୟୋଗର ବହୁ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ଖବର କାଗଜରେ ବାହାରିଛି ‘‘ସିମଳା ରାଜିନାମା ଅନୁସାରେ କାର୍ଯ୍ୟ କରିଯିବାକୁ ଭାରତ ଆନ୍ତରିକତା ପ୍ରଦର୍ଶନ କରି ଆସିଛି’’ । ‘ଭାରତ’ ଶବ୍ଦର ବାଚ୍ୟାର୍ଥ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ଦେଶ । କିନ୍ତୁ ଏଠାରେ ‘ଭାରତ’ ଶବ୍ଦର ପ୍ରୟୋଗ ସେହି ଅର୍ଥରେ ହୋଇନାହିଁ । ଭାରତ ଗୋଟିଏ ଭୂଖଣ୍ତ । ଆନ୍ତରିକତା ପ୍ରଦର୍ଶନ କରିବା ଗୋଟିଏ ଜୀବଧର୍ମ । ନିର୍ଜୀବ ଭୂଖଣ୍ତର ଅନ୍ତର (ହୃଦୟ) କାହିଁକି ଯେ ଆନ୍ତରିକତା ପ୍ରଦର୍ଶନ କରିବ । ଏଣୁ ଭାରତ ଶବ୍ଦଟିର ବାଚ୍ୟାର୍ଥ ବାଧାପ୍ରାପ୍ତ ହୋଇଛି, ତା ସ୍ଥାନରେ ତା ସହିତ ସଂପର୍କ ରଖୁଥିବା ଆଉ ଗୋଟିଏ ଅର୍ଥ ଆରୋପିତ ହୋଇଛି । ଏଠାରେ ‘ଭାରତ’ର ଅର୍ଥ ଭାରତର ଶାସନମୁଖ୍ୟ, ଏହି ଆରୋପିତ ଅର୍ଥଟି ହେଉଛି ଲକ୍ଷ୍ୟାର୍ଥ ।

 

ଆଜିର ଫୁଟବଲ ମ୍ୟାଚରେ ଖଲ୍ଲିକୋଟ କଲେଜ ବିଜୟ ହାସଲ କଲା । ବିଜୟ ହାସଲ କରିବା ଖେଳାଳୀଙ୍କ କାମ, ଖଲ୍ଲିକୋଟ କଲେଜର ନୁହେଁ । ଏଠାରେ ଖଲ୍ଲିକୋଟ କଲେଜ ଶବ୍ଦର ଲକ୍ଷ୍ୟାର୍ଥ ହେଉଛି ‘ଖଲ୍ଲିକୋଟ କଲେଜର ଖେଳାଳୀମାନେ’; ଚନାଚୂର ବିକୁଥିବା ଲୋକକୁ ‘ଏ ଚନାଚର ଆ’ ବୋଲି ଡାକିଲେ ଚନାଚୂର ବିକୁଥିବା ଲୋକଟି ଆସେ, କିନ୍ତୁ ସେ ଚନାଚୂର ନୁହେଁ । ଏଠାରେ ‘ଚନାଚୂର’ ଶବ୍ଦ ଚନାଚୂର ସହିତ ଚନାଚୂର ବିକାଳୀକୁ ବୁଝାଉଛି । ଏହି ଦ୍ୱିତୀୟ ଅର୍ଥଟି ହେଉଛି ଲକ୍ଷ୍ୟାର୍ଥ ।

 

‘‘ତମୋରାଶି ବୋଳିଦେଲା ନିଶାଧରା ଆନନେ’’

(ଶେଫାଳି ପ୍ରତି)

 

ବାସ୍ତବତା ଦୃଷ୍ଟିରୁ ଦେଖିଲେ ଧରାର ମୁହଁ ନାହିଁ । ତମୋରାଶି ପାଉଡ଼ର ନୁହେଁ ଯେ ତାକୁ ବୋଳାଯାଇ ପାରିବ, ପୁଣି ନିଶାର ବୋଳିଦେବା ଶକ୍ତି ନାହିଁ । ଏଠାରେ ବାଚ୍ୟାର୍ଥ ବାଧାପ୍ରାପ୍ତ ହୋଇ ‘ସମଗ୍ର ପୃଥିବୀ ଅନ୍ଧକାରମୟ ହୋଇଗଲା’ ଏହି ଲକ୍ଷ୍ୟାର୍ଥଟି ପ୍ରକାଶିତ ହେଉଅଛି ।

 

ଭାଷାରେ ସାବଲୀଳତା ପ୍ରକାଶ କରି ସୁନ୍ଦର ଭାବରେ ଭାବବ୍ୟକ୍ତ କରିବାପାଇଁ ଏହିପରି ବହୁପ୍ରୟୋଗ ସାହିତ୍ୟରେ ଦେଖିବାକୁ ମିଳେ । ସେଥିରେ ବାଚ୍ୟାର୍ଥ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ସେହିପରି ପ୍ରୟୋଗ ପ୍ରସିଦ୍ଧି ଯୋଗୁଁ ଅର୍ଥାତ୍‌ ରୁଢ଼ିପ୍ରୟୋଗ ହେତୁ ଭାବପ୍ରକାଶନରେ ଚମତ୍‌କାରିତା ସୃଷ୍ଟି ହୋଇଥାଏ ।

 

‘‘ବିଧାତାର ପୁଣ୍ୟ ଆନନ୍ଦ ସ୍ରୋତେ ଜଗତ ଭାସୁ’’

(ନବ ଯୁଗର ଅଭିଷେକ)

 

ସ୍ରୋତର ବାଚ୍ୟାର୍ଥ ଜଳ ପ୍ରବାହ । ପୁଣ୍ୟ ଓ ଆନନ୍ଦର ସ୍ରୋତ କିଏ କେବେ ଦେଖିନାହିଁ । ପୁଣି ଜଗତଟା ଗୋଟିଏ କାଗଜ ଡଙ୍ଗା ନୁହେଁ ଯେ ସେ ଭାସିବ । ଏଣୁ ଏଠାରେ ମୁଖ୍ୟାର୍ଥ ବାଧା ପ୍ରାପ୍ତ ହୋଇଛି କିନ୍ତୁ ତତ୍‌ସମ୍ପର୍କିତ ଅର୍ଥଟି ହେଉଛି ସମଗ୍ର ଜଗତବାସୀ ସ୍ୱର୍ଗୀୟ ପୁଣ୍ୟ ଓ ଆନନ୍ଦ ପ୍ରଚୁର ମାତ୍ରାରେ ଅନୁଭବ କରନ୍ତୁ । ଏହି ଆରୋପିତ ଅର୍ଥଟି ହିଁ ଲକ୍ଷ୍ୟାର୍ଥ ।

 

କଥା କଥାକେ ଏହିପରି ବହୁ ଲାକ୍ଷଣିକ ଶବ୍ଦର ପ୍ରୟୋଗ ଦେଖିବାକୁ ମିଳେ । ଯଥା–ମଧୁର ବ୍ୟବହାର, କର୍କଶ କଥା, ଜ୍ୱଳନ୍ତ ନିଦର୍ଶନ, ଦେଶର ଭାଗ୍ୟ, ସୁପ୍ତ ପୃଥିବୀ, ସଚେତନ ଦେଶ, ଜ୍ୱାଳାମୟୀ ବାଣୀ, ଉତ୍କଳ ଭାରତୀଙ୍କ ଉକ୍ତି, ଉଠ କଙ୍କାଳ, ଦୁର୍ଗର ନିଦ୍ରାଭଙ୍ଗ, ଚେନାଏ ହସ, ତୀକ୍ଷ୍‌ଣ ସ୍ୱର ଇତ୍ୟାଦି । ଏହିସବୁ ଉଦାହରଣରେ ବାଚ୍ୟାର୍ଥ ବାଧାପ୍ରାପ୍ତ ହୋଇଛି ଓ ତା’ ସହିତ ସମ୍ବନ୍ଧ ଥିବା ଆଉ ଗୋଟିଏ ଅର୍ଥ ସେଥିରେ ଆରୋପିତ ହୋଇଛି । ତାହା ହିଁ ଲକ୍ଷ୍ୟାର୍ଥ ।

 

ଏହି ଲକ୍ଷଣାର ବହୁ ପ୍ରକାର ଭେଦ ପରିକଳ୍ପନା କରାଯାଇଥିଲେ ମଧ୍ୟ ମମ୍ମଟ ଭଟ୍ଟ ତାହକୁ ଛଅଗୋଟି ଶ୍ରେଣୀରେ ବିଭକ୍ତ କରି ଆଲୋଚନା କରିଛନ୍ତି । ପ୍ରଥମେ ଶୁଦ୍ଧା ଓ ଗୌଣୀ ଭେଦରେ ଲକ୍ଷଣା ଦୁଇ ପ୍ରକାର । ଶୁଦ୍ଧା ଲକ୍ଷଣା, ଉପାଦାନ ଲକ୍ଷଣା ଓ ଲକ୍ଷଣଲକ୍ଷଣା ଭେଦରେ ପୁଣି ଦୁଇ ପ୍ରକାର । ଏହିପରି ଦୁଇ ପ୍ରକାର ଶୁଦ୍ଧା ସହିତ ଏକ ପ୍ରକାର ଗୌଣୀ ମିଶି ହେଲା ତିନି ପ୍ରକାର । ପୁଣି ପ୍ରତ୍ୟେକ ସାରୋପା ଓ ସାଧ୍ୟବସାନା ଭେଦରେ ଦୁଇ ଶ୍ରେଣୀରେ ପରିଣତ ହୋଇଥିବାରୁ ଲକ୍ଷଣା ସବୁ ଛ’ ଭାବରେ ବିଭକ୍ତ ।

Image

ଯେଉଁଠାରେ ଲାକ୍ଷଣିକ ଶବ୍ଦ ପ୍ରୟୋଗରେ ସାଦୃଶ୍ୟ ପରିକଳ୍ପନା ଥାଏ, ସେଠାରେ ଗୌଣୀଲକ୍ଷଣା ହୁଏ । ସାଦୃଶ୍ୟ ବ୍ୟତୀତ ବାଚ୍ୟାର୍ଥ ଓ ଲକ୍ଷ୍ୟାର୍ଥ ମଧ୍ୟରେ ଅନ୍ୟ ଯେ କୌଣସି ସମ୍ବନ୍ଧ ଥାଇ ଲାକ୍ଷଣିକ ଶବ୍ଦ ପ୍ରଯୁକ୍ତ ହେଲେ, ‘‘ଶୁଦ୍ଧା–ଲକ୍ଷଣା’ ହୁଏ । ଉଦାହରଣ ସ୍ୱରୂପ କୁହାଯାଇ ପାରେ ଯେ, ‘‘ସେ ବହୁବର୍ଷ ପର୍ଯ୍ୟନ୍ତ ନିଷ୍କଣ୍ଟକ ରାଜ୍ୟ ଭୋଗକଲେ’ । ଏଠାରେ ‘କଣ୍ଟକ’ ଶବ୍ଦଟି ଲାକ୍ଷଣିକ ଶବ୍ଦ । ‘‘କଣ୍ଟକ’ ଶବ୍ଦର ବାଚ୍ୟାର୍ଥ ‘କଣ୍ଟା’ ତାହା ଏଠାରେ ବାଧାପ୍ରାପ୍ତ ହୋଇ, କଣ୍ଟାପରି ଦୁଃଖଦାୟକ ଓ ଅନିଷ୍ଟକାରୀ ଶତ୍ରୁକୁ ବୁଝାଉଛି । କଣ୍ଟା ଓ ଶତ୍ରୁର କାର୍ଯ୍ୟରେ ସାଦୃଶ୍ୟ ଥିବାରୁ ଏଠାରେ ଗୌଣୀଲକ୍ଷଣା ହୋଇଛି । କଣ୍ଟକ ଶବ୍ଦଟି ରୂଢ଼ିବଶତଃ ଶତ୍ରୁ ଅର୍ଥରେ ପ୍ରଚଳିତ । ‘ମୁଁ’ ତାଙ୍କର ମଧୁର ବ୍ୟବହାରରେ ପ୍ରୀତ ହେଲି । ବ୍ୟବହାରକୁ ଜିଭରେ ଚାଖି ତାହା ମିଠା କି ଖଟା ଜାଣିବା ସମ୍ଭବ ନୁହେଁ । ଏଣୁ ଏଠାରେ ମଧୁର ଶବ୍ଦର ବାଚ୍ୟାର୍ଥ ‘ମିଠା’ ବାଧାପ୍ରାପ୍ତ ହୋଇ ‘ଉତ୍ତମ’ ଲକ୍ଷ୍ୟାର୍ଥ ପ୍ରଦାନ କରୁଅଛି । ମଧୁର ଶବ୍ଦଟି ରୂଢ଼ିବଶତଃ ଉତ୍ତମ ଅର୍ଥରେ ପ୍ରଚଳିତ । କିନ୍ତୁ ଏଠାରେ ମଧୁର ଶବ୍ଦର ବାଚ୍ୟାର୍ଥ ଓ ଲକ୍ଷ୍ୟାର୍ଥ ମଧ୍ୟରେ କୌଣସି ସାଦୃଶ୍ୟ ସମ୍ବନ୍ଧ ନାହିଁ । ଏଣୁ ଏହା ଶୁଦ୍ଧାଲକ୍ଷଣାର ଗୋଟିଏ ଉଦାହରଣ ।

 

ଉପାଦାନ ଲକ୍ଷଣାକୁ ‘ଅଜହତ୍‌ ସ୍ୱାର୍ଥା’ କୁହାଯାଏ । ଯେ ନିଜର ସ୍ୱାର୍ଥ ଛାଡ଼ି ନ ପାରି ନିଜର ଅର୍ଥସିଦ୍ଧିପାଇଁ ଅନ୍ୟ ଗୋଟିଏ ଅର୍ଥକୁ ଆକ୍ଷିପ୍ତ କରି ଆଣେ ତାହାକୁ ଉପାଦାନ ଲକ୍ଷଣା କୁହାଯାଏ ।

 

‘ଏ ରେକ୍‌ସା ଆ’ ବୋଲି ଡାକିଲେ ରେକ୍‌ସା ସହିତ ରେକ୍‌ସାର ଚାଳକ ଆସି ପହଞ୍ଚେ । ଏଣୁ ଏଠାରେ ରେକ୍‌ସା ଶବ୍ଦର ବାଚ୍ୟାର୍ଥ ବାଧିତ ହୋଇଛି । ରେକ୍‌ସା ଶବ୍ଦର ଅର୍ଥସିଦ୍ଧିପାଇଁ ‘ରେକ୍‌ସାର ଚାଳକ’ ଏହି ଲକ୍ଷ୍ୟାର୍ଥ ଆକ୍ଷିପ୍ତ ହୋଇ ଆସେ । ଏଠାରେ ‘ରେକ୍‌ସା’ ଶବ୍ଦର ଲକ୍ଷ୍ୟାର୍ଥ ‘ରେକ୍‌ସା ଚାଳକ’ ହେଲେ ମଧ୍ୟ ‘ରେକ୍‌ସା’ ଶବ୍ଦ ତା’ର ବାଚ୍ୟାର୍ଥକକୁ ସମ୍ପୂର୍ଣ୍ଣଭାବେ ପରିତ୍ୟାଗ କରିନାହିଁ ।

 

ଲକ୍ଷଣ ଲକ୍ଷଣାକୁ ‘ଜହତ୍‌ ସ୍ୱାର୍ଥ’ ଲକ୍ଷଣ କୁହାଯାଏ । ଏଠାରେ ବାଚକ ଶବ୍ଦ ଲକ୍ଷ୍ୟାର୍ଥ ସିଦ୍ଧିପାଇଁ ନିଜର ଅର୍ଥକୁ ସମ୍ପୂର୍ଣ୍ଣରୂପେ ପରିତ୍ୟାଗ କରେ । ଯଦି ଜଣେ କୌଣସି ଅପର ବ୍ୟକ୍ତିକୁ କହେ, ‘‘ଆପଣଙ୍କର ଚାଲିଚଳନ ଓ କଥାବାର୍ତ୍ତାରୁ ଆପଣ ଯେ ଜଣେ ମହାପଣ୍ତିତ ଏହା ସ୍ପଷ୍ଟ ସୂଚିତ ହେଉଛି । ଏଠାରେ ‘ମହାପଣ୍ତିତ’ର ବାଚ୍ୟାର୍ଥ ବାଧିତ ହୋଇ ‘ମହାମୂର୍ଖ’ ଏହି ଲକ୍ଷ୍ୟାର୍ଥ ପ୍ରତୀତ ହେଉଅଛି ।

 

କଂସର ମୃତ୍ୟୁ ପରେ କୃଷ୍ଣ କାନ୍ଦୁ ଥିଲେ-

‘‘ଆହା କେଣେ ଗଲ ମାମୁଁ ବଡ଼ ଉପକାରୀ

ତୁମ୍ଭଙ୍କୁ ନ ଦେଖି ଛାତି ହୁଅଇ ବିଦାରି ।’’

 

ଏଠାରେ ‘ଉପକାରୀ’ ଶବ୍ଦ ତାହାର ବାଚ୍ୟାର୍ଥକୁ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରି ‘ଅପକାରୀ’ ରୂପକ ଲକ୍ଷ୍ୟାର୍ଥକୁ ପ୍ରକାଶ କରୁଅଛି ।

 

‘‘ଜରାଜୀର୍ଣ୍ଣ ବେଶେ ଦେଖଇ ସେ ଆଜ

ନବ୍ୟ ଉତ୍କଳର ଏ ସଭ୍ୟ ସମାଜ’’–(ଦରବାର)

 

ଏଠାରେ ସଭ୍ୟ ସମାଜ’ରୁ ‘ଅସଭ୍ୟ ସମାଜ’ ଅର୍ଥ ଲକ୍ଷିତ ହେଉଅଛି । ଏହିପରି ସ୍ଥଳମାନଙ୍କରେ ଲକ୍ଷଣ ଲକ୍ଷଣା ହୁଏ ।

 

ସାରୋପା ଲକ୍ଷଣାରେ ଯାହା ଆରୋପିତ ହୁଏ ଏବଂ ଯାହା ଉପରେ ଆରୋପ କରାଯାଏ, ସେହି ଦୁଇ ବସ୍ତୁର ଉଲ୍ଲେଖ ଥାଏ; କିନ୍ତୁ ସାଧ୍ୟବସାନା ଲକ୍ଷଣାରେ କେବଳ ଆରୋପିତ ବସ୍ତୁର ଉଲ୍ଲେଖ ରହେ । ଉଦାହରଣ ସ୍ୱରୂପ–ଯଦି କୁହାଯାଏ ‘ମୋ ଗଧ ଚାକରଟି ହାତରେ କିଛି ହେବ ନାହିଁ ।’ ପୁଣି ସେ ଗଧଟି ହାତରେ କିଛି ହେବ ନାହିଁ । ଏଠାରେ ‘ଗଧ’ ଶବ୍ଦର ବାଚ୍ୟାର୍ଥ ଗୋଟିଏ ପଶୁବିଶେଷ, ଚାକରଟି ଗୋଟିଏ ମଣିଷ, ସେ ଗଧ କିପରି ହେବ ? ଏଣୁ ପ୍ରଥମେ ଗଧ ଶବ୍ଦର ବାଚ୍ୟାର୍ଥ ବାଧିତ ହୋଇ ଗଧ ପରି ନିର୍ବୋଧ । ଏହି ଲକ୍ଷ୍ୟାର୍ଥଟି ‘ଗଧ’ ଉପରେ ଆରୋପିତ ହୋଇଛି । ପ୍ରଥମ ବାକ୍ୟରେ ଆରୋପିତ ଗଧ ଓ ଯାହା ଉପରେ ଆରୋପ କରାଯାଇଛି ସେହି ‘ଚାକର’ ଏହିପରି ଆରୋପ ବିଷୟ ଓ ଆରୋପ୍ୟମାଣୁ ବସ୍ତୁ ଦୁଇଟିର ଉଲ୍ଲେଖ ଅଛି । ଏଣୁ ତାହା ସାରୋପା ଲକ୍ଷଣାର ଉଦାହରଣ । କିନ୍ତୁ ଦ୍ୱିତୀୟ ବାକ୍ୟଟି–‘ସେ ଗଧ ହାତରେ କିଛି ହେବ ନାହିଁ ।’’ ସାଧ୍ୟବସାନାର ଉଦାହରଣ । କାରଣ ଏଠାରେ କେବଳ ଆରୋପିତ ବସ୍ତୁ ‘ଗଧ’ର ଉଲ୍ଲେଖ ଅଛି । ଯାହା ଉପରେ ଗଧତ୍ୱ ଆରୋପ କରାଯାଇଛି ସେହି ‘ଚାକର’ର ଉଲ୍ଲେଖ ନାହିଁ ।

 

ଏହି ସାରୋପା ଓ ସାଧ୍ୟବସାନା ଲକ୍ଷଣା ସାଦୃଶ୍ୟମୂଳକ ପରିକଳ୍ପନାରେ ଆଧାରିତ ହେଲେ ସାରୋପା ଗୌଣୀ ଓ ସାଧ୍ୟବସାନା ଗୌଣୀ ଲକ୍ଷଣା ଭାବରେ ଗୃହୀତ ହୁଅନ୍ତି । ଯଦି ସେହି ସାରୋପା ଓ ସାଧ୍ୟବସାନା ଲକ୍ଷଣାର ମୁଖ୍ୟାର୍ଥ ଓ ଲକ୍ଷ୍ୟାର୍ଥ ମଧ୍ୟରେ କୌଣସି ସାଦୃଶ୍ୟ ସମ୍ବନ୍ଧ ନ ଥାଏ ତେବେ ତାହା ଶୁଦ୍ଧାଲକ୍ଷଣା ଭାବରେ ଗୃହୀତ ହୁଏ । ଏ ସମସ୍ତ ଲକ୍ଷଣାରେ ପୂର୍ବରୁ ଆଲୋଚିତ ତିନୋଟି ମୌଳିକ ଲକ୍ଷଣ (୧) ମୁଖ୍ୟାର୍ଥର ବାଧା (୨) ମୁଖ୍ୟାର୍ଥ ଯୋଗ ଓ (୩) ରୂଢ଼ ଅଥବା ପ୍ରୟୋଜନ, ନିଶ୍ଚିତ ଭାବରେ ରହିବାକୁ ହେବ । ଆଲୋଚିତ ଲକ୍ଷଣାର ଛଅ ଗୋଟି ପ୍ରକାରକୁ ନିମ୍ନଲିଖିତ ରୀତିରେ ଗ୍ରହଣ କରାଯାଏ ।

 

(୧)

ଶୁଦ୍ଧା ସାରୋପା ଉପାଦାନ ଲକ୍ଷଣା

(୨)

ଶୁଦ୍ଧା ସାଧ୍ୟବସାନା ଉପାଦାନ ଲକ୍ଷଣା

(୩)

ଶୁଦ୍ଧା ସାରୋପା ଲକ୍ଷଣ ଲକ୍ଷଣା

(୪)

ଶୁଦ୍ଧା ସାଧ୍ୟବସାନା ଲକ୍ଷଣ ଲକ୍ଷଣା

(୫)

ସାରୋପ ଗୌଣୀ ଲକ୍ଷଣା

(୬)

ସାଧ୍ୟବସାନା ଗୌଣୀ ଲକ୍ଷଣା

 

ବ୍ୟଞ୍ଜନା–

ବ୍ୟଞ୍ଜନା ଶବ୍ଦର ଅର୍ଥ ହେଉଛି, ବିଶେଷ ଭାବରେ ସ୍ପଷ୍ଟ କରିବା, ଖୋଲିବା ଓ ବିକସିତ କରିବା । ଅଭିଧା ଓ ଲକ୍ଷଣା ଶକ୍ତିଦ୍ୱୟ ଯେ କୌଣସି ଶବ୍ଦ ଅଥବା ବାକ୍ୟର ଅର୍ଥବୋଧ କରାଇ ସାରିବା ପରେ ଯେଉଁ ଶକ୍ତିଦ୍ୱାରା ସେଥିରୁ ଅନ୍ୟ ଗୋଟିଏ ଚମତ୍‌କାରପୂର୍ଣ୍ଣ ଅର୍ଥ ଦ୍ୟୋତିତ ହୁଏ, ତାହାକୁ ବ୍ୟଞ୍ଜନା ଶକ୍ତି କୁହାଯାଏ । ଯେଉଁ ଶବ୍ଦରୁ ସେହି ବ୍ୟଙ୍ଗ୍ୟାର୍ଥ ଦ୍ୟୋତିତ ହୁଏ ତାହାକୁ ବ୍ୟଞ୍ଜକ ଓ ସେଥିରୁ ଯେଉଁ ଅର୍ଥ ଦ୍ୟୋତିତ ହୁଏ ତାହାକୁ ବ୍ୟଙ୍ଗ୍ୟାର୍ଥ କୁହାଯାଏ ।

 

ଅଭିଧା ଓ ଲକ୍ଷଣା ସବୁବେଳେ ଶବ୍ଦ ସହିତ ସମ୍ବନ୍ଧାନ୍ୱିତ କିନ୍ତୁ ବ୍ୟଞ୍ଜନାର ସମ୍ବନ୍ଧ କେବଳ ଶବ୍ଦ ସହିତ ନୁହେଁ ତାହାର ସମ୍ବନ୍ଧ ଅର୍ଥ ସହିତ ମଧ୍ୟ ଥାଏ । ଅର୍ଥରୁ ମଧ୍ୟ ଅର୍ଥ ବାହାରେ । ଏଣୁ କରି ବ୍ୟଞ୍ଜନା ପ୍ରଥମତଃ ଶାବ୍ଦୀ ଓ ଆର୍ଥୀ ଭେଦରେ ଦୁଇ ପ୍ରକାର । ବ୍ୟଞ୍ଜନାକୁ ବୁଝିବାପାଇଁ ଓ ଉପଲବ୍‌ଧି କରିବାପାଇଁ ନିର୍ମଳ ପ୍ରତିଭା, ବୁଦ୍ଧିମାନ ବ୍ୟକ୍ତିମାନଙ୍କର ସାହଚର୍ଯ୍ୟ ଓ ପ୍ରସଙ୍ଗ ଜ୍ଞାନର ଆବଶ୍ୟକତା ବିଶେଷ ଭାବେ ଆବଶ୍ୟକ ହୋଇଥାଏ ।

 

ବ୍ୟଞ୍ଜନା ଭେଦ-

ଶବ୍ଦ ଓ ଅର୍ଥର ବ୍ୟାପାର ବ୍ୟଞ୍ଜନାରେ ନିହିତ ଥାଏ । ଏଣୁ ବ୍ୟଞ୍ଜନାରେ ଦୁଇଟି ରୂପ ଶାବ୍ଦୀ ବ୍ୟଞ୍ଜନା ଓ ଆର୍ଥୀ ବ୍ୟଞ୍ଜନା । ବିଚାରର ସୁବିଧା ଦୃଷ୍ଟିରୁ ବ୍ୟଞ୍ଜନାକୁ ଶାବ୍ଦୀ ଓ ଆର୍ଥୀ ଭେଦରେ ଦୁଇପ୍ରକାର ଭାବରେ କଳ୍ପନା କରାଯାଇଛି । ଯେଉଁଠି ଶବ୍ଦ ଅଛି, ସେଠାରେ ଅର୍ଥର ସତ୍ତା ନିଶ୍ଚିତ ଭାବେ ରହିଛି । ଯେଉଁଠି ଅର୍ଥ ଅଛି ସେଠାରେ ଶବ୍ଦର ସ୍ଥିତି ମଧ୍ୟ ଅପରିହାର୍ଯ୍ୟ । ତେବେ ଏପରି ବିଭାଗୀକରଣର ଲକ୍ଷ୍ୟ ହେଉଛି–‘ପ୍ରାଧାନ୍ୟେନ ବ୍ୟପଦେଶଃ’ ଶାବ୍ଦୀ ବ୍ୟଞ୍ଜନା ଅର୍ଥାତ୍‌ ଯେଉଁଠି ବ୍ୟଙ୍ଗ୍ୟାର୍ଥ ପ୍ରକାଶିତ ହେବାରେ ଶବ୍ଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ସେଠାରେ ଶାବ୍ଦୀ ଏବଂ ଯେଉଁଠି ବ୍ୟଙ୍ଗ୍ୟାର୍ଥର ଅବଗତିପାଇଁ ଅର୍ଥର ପ୍ରାଧାନ୍ୟ ସ୍ୱୀକୃତ, ସେଠାରେ ଆର୍ଥୀ ବ୍ୟଞ୍ଜନା ହୁଏ । ଯେଉଁଠି ଗୋଟିଏ ବ୍ୟଞ୍ଜକ ଶବ୍ଦ ବଦଳରେ ଆଉ ଗୋଟିଏ ସମାର୍ଥକ ଶବ୍ଦ ପ୍ରୟୋଗ କଲେ ଅନୁଭୂତ ବ୍ୟଙ୍ଗ୍ୟାର୍ଥ ଆଉ ପ୍ରତୀତ ହୁଏନାହିଁ ସେଠାରେ ନିର୍ଦ୍ଦିଷ୍ଟ ଶବ୍ଦର ପ୍ରଧାନତା ଦୃଷ୍ଟିରୁ ଶାବ୍ଦୀ ବ୍ୟଞ୍ଜନା ହୁଏ । କିନ୍ତୁ ଆର୍ଥୀ ବ୍ୟଞ୍ଜନା ସ୍ଥଳରେ ଅର୍ଥର ପ୍ରାଧାନ୍ୟ ସ୍ୱୀକୃତ ହୋଇଥିବାରୁ ନିର୍ଦ୍ଦିଷ୍ଟ ବ୍ୟଞ୍ଜକ ଶବ୍ଦକୁ ବଦଳାଇ ଦେଇ ତା ସ୍ଥାନରେ ସମାନାର୍ଥକ ଆଉ ଗୋଟିଏ ଶବ୍ଦ ପ୍ରୟୋଗ କଲେ ମଧ୍ୟ, ବ୍ୟଙ୍ଗ୍ୟାର୍ଥର ଅବଗତିରେ କୌଣସି ଅସୁବିଧା ହୁଏନାହିଁ । ଏହିପରି ସ୍ଥଳରେ ଆର୍ଥୀ ବ୍ୟଞ୍ଜନା ହୁଏ । ଶାବ୍ଦୀ ଓ ଆର୍ଥୀ ବ୍ୟଞ୍ଜନା ମଧ୍ୟରୁ ଶାବ୍ଦୀ ବ୍ୟଞ୍ଜନା ଦୁଇପ୍ରକାର (୧) ଅଭିଧା ମୂଳା ଶାବ୍ଦୀ ବ୍ୟଞ୍ଜନା (୨) ଲକ୍ଷଣାମୂଳା ଶାବ୍ଦୀ ବ୍ୟଞ୍ଜନା ।

 

ଅଭିଧାମୂଳା ଶାବ୍ଦୀ ବ୍ୟଞ୍ଜନା-

ଏକାଧିକ ଅର୍ଥସଂପନ୍ନ ପଦମାନଙ୍କଦ୍ୱାରା ଗଠିତ ବାକ୍ୟରେ ସଂଯୋଗ ଓ ବିଯୋଗାଦିଦ୍ୱାରା ଅନେକାର୍ଥକ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ନିୟନ୍ତ୍ରିତ ହୋଇ ସାରିବାପରେ ସେହି ଶବ୍ଦରୁ ବାଚ୍ୟାର୍ଥ ଭିନ୍ନ ଅନ୍ୟ ଅର୍ଥର ପ୍ରତୀତି ହେଲେ ସେଠାରେ ଅଭିଧାମୂଳା ଶାବ୍ଦୀ ବ୍ୟଞ୍ଜନା ହୁଏ । ଅନେକାର୍ଥକ ଶବ୍ଦମାନଙ୍କୁ ଏକ ଅର୍ଥରେ ନିୟନ୍ତ୍ରିତ କରିବାପାଇଁ କେତେକ ଉପାୟର ପରିକଳ୍ପନା କରାଯାଇଛି । ସେଗୁଡ଼ିକର ସଂକ୍ଷିପ୍ତ ପରିଚୟ ଏଠାରେ ଦିଆଯାଉଛି ।

 

୧ । ସଂଯୋଗ-

ବସ୍ତୁମାନଙ୍କର ସଂଯୋଗଦ୍ୱାରା ଅର୍ଥ ନିୟନ୍ତ୍ରିତ ହୁଏ । ‘‘ସଶଙ୍ଖଚକ୍ର ହରି’’ ଶଙ୍ଖ ଓ ଚକ୍ର ଧାରଣ କରିଥିବା ହରି ଅର୍ଥାତ୍‌ ବିଷ୍ଣୁ ସଂସ୍କୃତରେ ‘ହରି’ ଶବ୍ଦର ଅର୍ଥ ବାନର, ସିଂହ, ବିଷ୍ଣୁ ଇତ୍ୟାଦି । କିନ୍ତୁ ଶଙ୍ଖ ଓ ଚକ୍ର ସହିତ କେବଳ ବିଷ୍ଣୁଙ୍କ ସଂଯୋଗ ସ୍ଥାପିତ ହୁଏ । ଏଣୁ ଏଠାରେ ସଂଯୋଗଦ୍ୱାରା ଅନେକାର୍ଥକ ହରିଶବ୍ଦ କେବଳ ‘ବିଷ୍ଣୁ’ ଅର୍ଥରେ ନିୟନ୍ତ୍ରିତ ହେଲା ।

 

୨ । ବିପ୍ରଯୋଗ ବି ବିଯୋଗ-

ବିଯୋଗ ମଧ୍ୟ ଅନେକାର୍ଥକ ଶବ୍ଦକୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ନିୟନ୍ତ୍ରିତ କରେ, ଯଥା: ‘ଅଶଙ୍ଖଚକ୍ର ହରି’ । ଶଙ୍ଖଚକ୍ର ବିହୀନ ହରି । ବିଷ୍ଣୁଙ୍କର ଶଙ୍ଖ ଓ ଚକ୍ର ସହିତ ସଂଯୋଗ ରହିଛି । ଏଣୁ ତାହାର ବିଯୋଗଦ୍ୱାରା ଏଠାରେ ହରି ଶବ୍ଦ କେବଳ ବିଷ୍ଣୁଙ୍କୁହିଁ ବୁଝାଉଛି ।

 

୩ । ସାହଚର୍ଯ୍ୟ–

ସାହଚର୍ଯ୍ୟ ଅଥବା ସାନ୍ନିଧ୍ୟଦ୍ୱାରା ମଧ୍ୟ ଅର୍ଥ ନିୟନ୍ତ୍ରିତ ହୁଏ । ଯଥା : ରାମ, ଲକ୍ଷ୍ମଣ । ପ୍ରାଚୀନ ସାହିତ୍ୟରେ ‘ରାମ’ ନାମଦ୍ୱାରା ତିନିଜଣ ପ୍ରସିଦ୍ଧି ଲାଭ କରିଛନ୍ତି । ପରଶୁରାମ, ଦାଶରଥୀ ରାମ ଓ ବଳରାମ, କିନ୍ତୁ ଏଠାରେ ଲକ୍ଷ୍ମଣଙ୍କ ସାନ୍ନିଧ୍ୟରୁ ‘ରାମ’ ବାଚକ ଶବ୍ଦ କେବଳ ଦଶରଥଙ୍କ ପୁତ୍ର ରାମଙ୍କୁ ବୁଝାଉଛି ।

 

୪। ବିରୋଧ–

ବିରୋଧ ଭାବ ମଧ୍ୟ ଅର୍ଥର ନିୟାମକ । ଯଥା : କର୍ଣ୍ଣାର୍ଜ୍ଜୁନ । କର୍ଣ୍ଣ ଶବ୍ଦର ଅର୍ଥ ଶ୍ରବଣେନ୍ଦ୍ରିୟ ଓ ସୂର୍ଯ୍ୟ ପୁତ୍ର । କିନ୍ତୁ କର୍ଣ୍ଣ ଓ ଅର୍ଜ୍ଜୁନଙ୍କ ମଧ୍ୟରେ ବିରୋଧିତା ଥିବାରୁ କର୍ଣ୍ଣଶବ୍ଦ ସୂର୍ଯ୍ୟ ପୁତ୍ର ଅର୍ଥରେ ନିୟନ୍ତ୍ରିତ ହୋଇଛି ।

 

୫। ଅର୍ଥ–

(ପ୍ରୟୋଜନ) ‘ସ୍ଥାଣୁ ବନ୍ଦନା ବିଧେୟ’ । ସ୍ଥାଣୁ ଶବ୍ଦର ଅର୍ଥ ଲଣ୍ତାଗଛ ଓ ଶିବ, ବନ୍ଦନାର ପ୍ରୟୋଜନ ଦୃଷ୍ଟିରୁ ଏଠାରେ ସ୍ଥାଣୁ ଶବ୍ଦ ଶିବ ଅର୍ଥରେ ନିୟନ୍ତ୍ରିତ ହୋଇଛି ।

 

୬। ପ୍ରକରଣ–      

ଯଦି ଜଣେ ମନ୍ତ୍ରୀ ରାଜାଙ୍କ ନିକଟରେ କହେ ‘ପ୍ରଭୁ ସବୁ ଜାଣନ୍ତି’ ତେବେ ପ୍ରସଙ୍ଗ ଆଲୋଚନାରୁ ପ୍ରଭୁ ଶବ୍ଦର ଅର୍ଥ ଏଠାରେ ‘ରାଜା ହେବ । ଅନ୍ୟ ପ୍ରସଙ୍ଗରେ ପ୍ରଭୁ ଶବ୍ଦର ଅର୍ଥ ଭଗବାନ ମଧ୍ୟ ହୋଇପାରେ ।

 

୭। ଲିଙ୍ଗ–

(ଧର୍ମ)–କ୍ରୁଦ୍ଧ ମକରଧ୍ୱଜ । ମକରଧ୍ୱଜର ଅର୍ଥ କାମଦେବ ଓ ସମୁଦ୍ର ହେଲେ ମଧ୍ୟ ସମୁଦ୍ର କ୍ରୁଦ୍ଧ ହୋଇ ନପାରେ । କୁପିତ ହେବା ଚେତନ ପ୍ରାଣୀର ଧର୍ମ । ଏଣୁ ଏଠାରେ ମକରଧ୍ୱଜ ମାନେ ‘କାମ ଦେବ’ ।

 

୮। ସାମର୍ଥ୍ୟ–

ମଧୁମତ୍ତ ପିକ । ଏଠାରେ ମଧୁଶବ୍ଦ ବସନ୍ତ ଅର୍ଥରେ ନିୟନ୍ତ୍ରିତ । କାରଣ କୋକିଳକୁ ମତ୍ତ କରିବାର ସାମର୍ଥ୍ୟ କେବଳ ବସନ୍ତର ଅଛି ‘ମହୁ’ର ନାହିଁ ।

 

୯ । ଔଚିତ୍ୟ–

ଚକାଡୋଳାର ଚାହାଣୀ ଆପଣଙ୍କୁ ରକ୍ଷାକରୁ । ଚାହାଣୀର ଅର୍ଥ ଦୁଷ୍ଟି ଓ ଦୃଷ୍ଟି ଭଙ୍ଗୀ; କିନ୍ତୁ ଦୃଷ୍ଟି କାହାକୁ ରକ୍ଷାକରି ପାରିବ ନାହିଁ । ଚାହାଣୀ ଶବ୍ଦ ଔଚିତ୍ୟ ଦୃଷ୍ଟିରୁ ଅନୁକମ୍ପା ଅର୍ଥରେ ନିୟନ୍ତ୍ରିତ-

 

୧୦ । ଦେଶ-

ଆକାଶର ତାରା, ସମୁଦ୍ରର ହୀରା । ଏଠାରେ ତାରା ଶବ୍ଦ ଆକାଶ ସହିତ ସଂପୃକ୍ତ ଥିବାରୁ ନକ୍ଷତ୍ର ଅର୍ଥରେ ନିୟନ୍ତ୍ରିତ । ‘କନୀନିକା’ ତାହାର ଆଉ ଗୋଟିଏ ଅର୍ଥ ହେଲେ ମଧ୍ୟ ଆକାଶରେ ତାରାର ଅବସ୍ଥିତି ଦୃଷ୍ଟିରୁ ନକ୍ଷତ୍ରହିଁ ସ୍ୱୀକୃତ ।

 

୧୧। କାଳ-

ରାତିରେ ଚିତ୍ରଭାନୁ ଶୋଭାପାଏ । ଚିତ୍ରଭାନୁର ଅର୍ଥ ସୂର୍ଯ୍ୟ ଓ ଅଗ୍ନି । ଏଠାରେ ରାତି (କାଳ)ର ଉଲ୍ଲେଖ ଥିବାରୁ ଏଠାରେ ଚିତ୍ରଭାନୁ ଶବ୍ଦ ‘ଅଗ୍ନି’ ଅର୍ଥରେ ନିୟନ୍ତ୍ରିତ, ସୂର୍ଯ୍ୟ ଅର୍ଥରେ ନୁହେଁ-

 

ଏହିପରି ଅନେକାର୍ଥକ ଶବ୍ଦ ଉପର୍ଯ୍ୟୁକ୍ତ ରୀତିରେ ଅଭିଧା ଶକ୍ତିଦ୍ୱାରା ଗୋଟିଏ ଅର୍ଥରେ ନିୟନ୍ତ୍ରିତ ହୋଇ ସାରିବା ପରେ ସେଥିରୁ ଯେଉଁ ଶକ୍ତି ବଳରେ ବ୍ୟଙ୍ଗ୍ୟାର୍ଥର ପ୍ରତୀତି ହୁଏ, ତାହାକୁ ଅଭିଧାମୂଳୀ ଶାବ୍ଦୀ ବ୍ୟଞ୍ଜନା କୁହାଯାଏ । ଉଦାହରଣ ସ୍ୱରୂପ ଦିଆଯାଇ ପାରେ–

 

‘‘ଅଭିରାମ ଶ୍ରୀରାମ ଶୁଭରତ ଭରତ

ସଲକ୍ଷ୍ମଣ ଲକ୍ଷ୍ମଣ ଶତ୍ରୁଘ୍ନ ହେଲେ ଜାତ’’ ।

(ଲାବଣ୍ୟବତୀ)

 

ଏଠାରେ ରାମ, ଲକ୍ଷ୍ମଣ ଓ ଭରତ ଶବ୍ଦର ସାହଚର୍ଯ୍ୟରୁ ଶତ୍ରୁଘ୍ନ ଶବ୍ଦର ଅର୍ଥ ‘ଦଶରଥଙ୍କ ଚତୁର୍ଥ ପୁତ୍ର’ । ଶତ୍ରୁଘ୍ନ ଶବ୍ଦ ଏହି ନିର୍ଦ୍ଦିଷ୍ଟ ଅର୍ଥରେ ନିୟନ୍ତ୍ରିତ ହୋଇ ସାରିବା ପରେ ଶାବ୍ଦୀ ବ୍ୟଞ୍ଜନା ବ୍ୟାପାରଦ୍ୱାରା ସେ ଯେ ପ୍ରବଳ ଶତ୍ରୁହନ୍ତା ଏହି ବ୍ୟଙ୍ଗ୍ୟାର୍ଥଟି ଦ୍ୟୋତିତ ହେଉଅଛି । ରାମ, ଲକ୍ଷ୍ମଣ ଓ ଭରତଙ୍କର ବୈଶିଷ୍ୟ ସ୍ପଷ୍ଟ ଶବ୍ଦରେ ବିଶ୍ଳେଷିତ ହୋଇଛି କିନ୍ତୁ ଶତ୍ରୁଘ୍ନ ଶବ୍ଦଟିର ଏଠାରେ ତାତ୍‌ପର୍ଯ୍ୟପୂର୍ଣ୍ଣ ପ୍ରୟୋଗରୁହିଁ ଶତ୍ରୁଘ୍ନର ବୀରତ୍ୱ ବ୍ୟଞ୍ଜିତ ହେଉଛି । ‘ଶତ୍ରୁଘ୍ନ’ ଶବ୍ଦ ପ୍ରୟୋଗର ପ୍ରାଧାନ୍ୟ ଏଥିରେ ଅନୁଭୁତ ହେଉଥିବାରୁ ଏହା ଅଭିଧାମୂଳା ଶାବ୍ଦୀ ବ୍ୟଞ୍ଜନାର ଅନ୍ତର୍ଗତ ।

 

ଆଉ ଗୋଟିଏ ଉଦାହରଣ–କୌଣସି ଗୋଟିଏ ପଥିକ ନିଜ ଘରକୁ ଫେରିବା ବେଳେ ସଂନ୍ଧ୍ୟା ହୋଇଯିବାରୁ ବାଟରେ ଥିବା କୌଣସି ଏକ ପଲ୍ଲୀରେ ରାତିଟା ରହି ଯିବାପାଇଁ ଆଶ୍ରୟ ଖୋଜୁଥିଲେ । ସେତିକିବେଳେ ସେ ଗାଁର ଜଣେ ବିରହିଣୀ ନାରୀ କହୁଛନ୍ତି–‘ହେ ପଥିକ, ଏ ପାହାଡ଼ିଆ ଗାଁରେ ଶୋଇବାପାଇଁ କୋମଳ ଶେଯ ମିଳିବନି, କିନ୍ତୁ ଉନ୍ନତ ପୟୋଧର (ମେଘ)କୁ ଦେଖି ଯଦି ରହିବାକୁ ଇଚ୍ଛା, ରହିଯାଅ, ଏଠାରେ ‘ପଥିକ’ ଶବ୍ଦର ଅର୍ଥ ବାଟୋଇ ଓ ବିରହୀ । ‘‘ପୟୋଧର’’ର ଅର୍ଥ ମେଘ ଓ ସ୍ତନ । ପ୍ରଥମର ପ୍ରସଙ୍ଗକ୍ରମେ ପଥିକ ଓ ପୟୋଧରର ଅର୍ଥ ଅଭିଧା ଶକ୍ତିଦ୍ୱାରା ବାଟେଇ ଓ ମେଘ ଅର୍ଥରେ ନିୟନ୍ତ୍ରିତ ହୋଇସାରିବା ପରେ ଦେଶ, କାଳ, ପାତ୍ର ପର୍ଯ୍ୟାଲୋଚନାରୁ ଏହି ବ୍ୟଙ୍ଗ୍ୟାର୍ଥ ପ୍ରତୀତ ହେଉଅଛି ଯେ ଯଦି ତୁମେ ବାସ୍ତବରେ ରସିକ, ଶୋଇବାପାଇଁ କୋମଳ ଶେଳା ଖଣ୍ତେ ନ ମିଳିଲେ ମଧ୍ୟ ରତିସୁଖ ଉପଭୋଗପାଇଁ ସମସ୍ତ ସାମଗ୍ରୀ (ଉନ୍ନତସ୍ତନ ଇତ୍ୟାଦି) ଏଠାରେ ସହଜଲଭ୍ୟ । ରାତିଟି ଏଠାରେ କଟାଇଦିଅ । ବିରହିଣୀ ନାୟିକାର ବିରହୀ ପ୍ରତି ଏ ଯେଉଁ ଆବାହନ ରୂପ ବ୍ୟଙ୍ଗ୍ୟାର୍ଥ ପ୍ରତୀତ ହେଉଛି ସେଥିପାଇଁ କେବଳ ‘ପଥିକ’ ଓ ‘ପୟୋଧର’ ଶବ୍ଦର ବୈଚିତ୍ର୍ୟପୂର୍ଣ୍ଣ ପ୍ରୟୋଗହିଁ ଦାୟୀ । ଏଠାରେ ଏହି ବ୍ୟଙ୍ଗ୍ୟାର୍ଥର ପରିପ୍ରକାଶପାଇଁ ଏହି ଶବ୍ଦଦ୍ୱୟର ପ୍ରାଧାନ୍ୟ ଓ ଅବଦାନ ଏକାନ୍ତ ଭାବରେ ସ୍ୱୀକୃତ । ଏଣୁ ଏହା ଗୋଟିଏ ଅଭିଧାମୂଳା ଶାବ୍ଦୀ ବ୍ୟଞ୍ଜନାର ଉଦାହରଣ ।

 

ଲକ୍ଷଣାମୂଳା ଶାବ୍ଦୀ ବ୍ୟଞ୍ଜନା–

ଆଗରୁ କୁହାଯାଇଛି ଯେ ଯେକୌଣସି ଶବ୍ଦର ଅର୍ଥ ପ୍ରତୀତିରେ ମୁଖ୍ୟାର୍ଥ ବାଧାପ୍ରାପ୍ତ ହେଲେ ଲକ୍ଷଣାଶକ୍ତି ରୂଢ଼ି ଅଥବା ପ୍ରୟୋଜନବଶତଃ ସେଥିରୁ ଲକ୍ଷ୍ୟାର୍ଥ ବ୍ୟକ୍ତକରେ । ଏହି ପ୍ରୟୋଜନ ରୂପକ ଅର୍ଥଟି ବ୍ୟଞ୍ଜନାଦ୍ୱାରା ବ୍ୟକ୍ତହୁଏ । ଗୋଟିଏ ଉଦାହରଣରୁ କଥାଟି ସ୍ପଷ୍ଟଭାବେ ବୁଝାଯିବ । ଧରିନିଆଯାଉ ଜଣେ ଆଉ ଜଣଙ୍କୁ କହିଲା ‘ତୁ ଗୋଟାଏ ଗଧ’ । ‘ଗଧ’ ଶବ୍ଦର ବ୍ୟାଚ୍ୟାର୍ଥ ପଶୁବିଶେଷ । ମଣିଷଟା ପଶୁ ହେବ କିପରି । ଏଣୁ ‘ଗଧ’ ଶବ୍ଦର ବାଚ୍ୟାର୍ଥ ବାଧିତ ହୋଇ ‘ଗଧପରି ଗୋଟିଏ ବୋକା ମଣିଷ’ ଏହି ଲକ୍ଷ୍ୟାର୍ଥ ପ୍ରକାଶିତ ହେଲା । ପୁଣି ପ୍ରଶ୍ନ ଉଠେ ‘ତୁ ଗୋଟିଏ ବୋକା ମଣିଷ’ ବୋଲି ନ କହି ‘ତୁ ଗୋଟାଏ ଗଧ’ ବୋଲି କହିବାର ପ୍ରୟୋଜନ କ’ଣ । ପ୍ରୟୋଜନ ବା ଏହିପରି କହିବାର ଉଦ୍ଦେଶ୍ୟ ହେଉଛି : ‘ମଣିଷଟିର ଅତ୍ୟନ୍ତ ବୋକାମି ବ୍ୟକ୍ତ କରିବା’ । ଏଠାରେ ‘ଗଧ’ ଶବ୍ଦ ପ୍ରୟୋଗରୁ ତିନୋଟି ଅର୍ଥ ବ୍ୟକ୍ତ ହେଉଅଛି । ପ୍ରଥମ ଅର୍ଥ (ମୁଖ୍ୟାର୍ଥ ବା ବାଚ୍ୟାର୍ଥ)–‘ପଶୁ ବିଶେଷ’ । ଦ୍ୱିତୀୟ ଅର୍ଥ (ଲକ୍ଷ୍ୟାର୍ଥ)–ଗଧ ପରି ବୋକା ମଣିଷ, ତୃତୀୟ ଅର୍ଥ (ବ୍ୟଙ୍ଗ୍ୟାର୍ଥ)–ଅତ୍ୟନ୍ତ ବୋକା ବା ନିପଟ ବୋକା ମଣିଷ’ । ଏହି ତୃତୀୟ ଅର୍ଥଟି ଲକ୍ଷଣାମୂଳା ଶାବ୍ଦୀ ବ୍ୟଞ୍ଜନାଦ୍ୱାରା ବୁଝାଯାଏ । ‘ଗଧ’ ଶବ୍ଦଟି ଏଠାରେ ଗୋଟିଏ ଲାକ୍ଷଣିକ ଶବ୍ଦ । ଏଣୁ ଲକ୍ଷଣା ମୂଳା ମୂଳକ । ପୁଣି ଏଠାରେ ଏହି ବ୍ୟଙ୍ଗ୍ୟାର୍ଥର ପ୍ରତୀତିପାଇଁ ‘ଗଧ’ ଶବ୍ଦର ପ୍ରାଧାନ୍ୟ ସର୍ବବାଦୀ ସମ୍ମତ, ଏଣୁ ଶାବ୍ଦୀ । ‘ଗଧ’ ଶବ୍ଦଟିକୁ ଉଠାଇଦେଲେ ଏଥିରୁ ଏହି ବ୍ୟଙ୍ଗ୍ୟାର୍ଥ ବୋଧ ହେବନାହିଁ । ଏଣୁ ସମସ୍ତ ପ୍ରୟୋଜନବତୀ ଲକ୍ଷଣାର ପ୍ରୟୋଜନବିଷୟକ ସୂକ୍ଷ୍ମାତିସୂକ୍ଷ୍ମ ଦିଗ ବ୍ୟଞ୍ଜନାଦ୍ୱାରା ଉଦ୍‌ଘାଟିତ ହୁଏ । ଏହି ଲକ୍ଷଣାମୂଳା ଶାବ୍ଦୀ ବ୍ୟଞ୍ଜନାର ଆଉ ଗୋଟିଏ ଉଦାହରଣ-

 

‘‘ସରଯୂର ଅଙ୍କେ ରମ୍ୟ ନଗରୀ

      ବିରାଜିତ ଲିଳା ରଙ୍ଗେ ।’’

–(ଶ୍ରୀ ରାମ ବନବାସ)

 

ସରଯୂ ଗୋଟିଏ ନଦୀ । ତାର ଅଙ୍କରେ ଅର୍ଥାତ କୋଳରେ (ନଦୀ ଭିତରେ) ନଗରୀ ଅବସ୍ଥିତ । ନଦୀ ଗୋଟିଏ ଜଳ ପ୍ରବାହ ହୋଇଥିବାରୁ ତାରି କୋଳରେ (ଭିତରେ) ନଗରୀର ଅବସ୍ଥିତି ଅସମ୍ଭବ । ଏଣୁ ପ୍ରଥମେ ‘ଅଙ୍କ’ ଶବ୍ଦର ମୁଖ୍ୟାର୍ଥ ‘କୋଳ’ ବାଧିତ ହୋଇ ‘କୂଳ’ କୁ ବୁଝାଇଲା, ଅର୍ଥାତ୍‌ ଅଙ୍କ ଶବ୍ଦ ଉପରେ କୂଳ ଅର୍ଥ ଆରୋପିତ ହେଲା । ଏହି ‘କୂଳ’ ଅର୍ଥଟି ହେଉଛି ଲକ୍ଷ୍ୟାର୍ଥ । ପ୍ରଶ୍ନ ଉଠେ ସରଯୂ କୂଳରେ ନଗରୀ ଅବସ୍ଥିତ ବୋଲି ନକହି ‘ସରଯୂର ଅଞ୍ଚଳ’ ବୋଲି କହିବାର ଉଦ୍ଦେଶ୍ୟ କ’ଣ ? ଉଦ୍ଦେଶ୍ୟଟି ହେଉଛି ‘କୂଳେ’ ବୋଲି କହିଥିଲେ ନଗରୀର ଅବସ୍ଥିତ ସରଯୁ ନଦୀର ଅତ୍ୟନ୍ତ ନିକଟରେ ପାଣିକୁ ନଗରୀଟି ଲାଗିଛି ଏକଥା ବୁଝାଯାଇ ନଥାନ୍ତା । ନଦୀଠାରୁ ଦୁଇ ମାଇଲ ଦୂରବର୍ତ୍ତୀ ଅଞ୍ଚଳକୁ ମଧ୍ୟ ନଦୀ କୂଳ କୁହାଯାଏ । ଅଙ୍କ ଶବ୍ଦର ପ୍ରୟୋଗରୁ ନଗରୀରସ୍ଥିତି ସରଯୂଧାରାର ଅତିନିକଟରେ ବୋଲି ସୁଚିତ ହେଉଥିବାରୁ ନଗରୀଟି ପୁଣ୍ୟତୋୟା ସରୟୂର ସଂସ୍ପର୍ଶରେ ଅତି ଶିତଳ ପବିତ୍ର ଏକଥା ମଧ୍ୟ ଜଣାପଡ଼ୁଛି । ନଗରୀର ଶିତଳତା ଓ ପବିତ୍ରତା ପ୍ରତିପାଦନ କରିବାହିଁ ‘ଅଙ୍କେ’ ଶବ୍ଦ ପ୍ରୟୋଗର ପ୍ରୟୋଜନ । ଏଠାରେ ‘ଅଙ୍କ’ ଶବ୍ଦଟି ଗୋଟିଏ ଲାକ୍ଷଣିକ ଶବ୍ଦ ଓ ଏହି ପ୍ରୟୋଗରେ ଏହି ଶବ୍ଦର ପ୍ରାଧାନ୍ୟ ଥିବାରୁ ଏହାର ପ୍ରତୀତି ଲକ୍ଷଣା ମୂଳା ଶାବ୍ଦୀ ବ୍ୟଞ୍ଜନଦ୍ୱାରା ସାଧିତ ହୋଇଅଛି । Gopalpur on the sea ପରି ପ୍ରୟୋଗ ମଧ୍ୟ ଉଲ୍ଲିଖିତ ବିଶ୍ଳେଷଣ ଅନୁସାରେ ବୁଝିବାକୁ ହେବ ସମୁଦ୍ରରେ ଅବସ୍ଥିତ ଗୋପାଳପୁର ବୋଲି କହିବାଦ୍ୱାରା ଅନ୍ୟାନ୍ୟ ସମୁଦ୍ରକୂଳିଆ ସହର ଅପେକ୍ଷା ଗୋପାଳପୁରରେ ସମୁଦ୍ର ପବନର ପ୍ରାଚୁର୍ଯ୍ୟ ଦ୍ୟୋତିତ ହେଉଅଛି । ଏହି ପ୍ରାଚୁର୍ଯ୍ୟର ଅଭିବ୍ୟକ୍ତିହିଁ ଏହିପରି ଲାକ୍ଷଣିକ ପ୍ରୟୋଗର ପ୍ରୟୋଜନ ଏବଂ ଏହି ପ୍ରୟୋଜନ ରୂପକ ଅର୍ଥଟି ବ୍ୟଞ୍ଜନାଦ୍ୱାରା ଅଭିବ୍ୟଞ୍ଜିତ ହୁଏ ।

 

ଆଥୀ ବ୍ୟଞ୍ଜନା :–

ଏହି ବ୍ୟଞ୍ଜନାରେ ବ୍ୟଙ୍ଗ୍ୟାର୍ଥର ଅଭିବ୍ୟକ୍ତି ଶବ୍ଦ ଉପରେ ନିର୍ଭର କରେ ନାହିଁ । ଏଣୁ ଏଠାରେ ବ୍ୟଙ୍ଗ୍ୟ ହେଉଛି ଆର୍ଥ, ଶାବ୍ଦ ନୁହେଁ । ଆର୍ଥୀ ବ୍ୟଞ୍ଜନାରେ ଅର୍ଥ ସାହାଯ୍ୟରେ ପ୍ରତୀୟମାନ ଅଥବା ବ୍ୟଙ୍ଗ୍ୟଅର୍ଥର ପ୍ରତିତ ହୁଏ । ଯେଉଁ ଶବ୍ଦ ଶକ୍ତି ବକ୍ତା; ବୋଦ୍ଧବ୍ୟ (ଯାହାକୁ କୁହାଯାଏ) ବାକ୍ୟ, ଅନ୍ୟ ସନ୍ନିଧି, ବାଚ୍ୟ (କଥିତ ଅର୍ଥ) ପ୍ରକରଣ (ପ୍ରସଙ୍ଗ) ଦେଶ, କାଳ, କାକୁ (କହିବାର ଗୋଟିଏ ବିଶିଷ୍ଟ ଭଙ୍ଗୀ) ଓ ଚେଷ୍ଟା ଆଦିର ବୈଶିଷ୍ଟ୍ୟ ଯୋଗୁଁ ବ୍ୟଙ୍ଗ୍ୟାର୍ଥ ପ୍ରତୀତି କରାଏ, ତାହାକୁ ଆର୍ଥୀ ବ୍ୟଞ୍ଜନା କୁହାଯାଏ । ଏହିସବୁ ବିଷୟ ବୈଶିଷ୍ଟ୍ୟ ପର୍ଯ୍ୟାଲୋଚନା କରି ପ୍ରତିଭାସଂପନ୍ନ ପାଠକ ବା ଶ୍ରୋତା ଯେଉଁଠି ବାଚ୍ୟାର୍ଥରୁ ଅନ୍ୟ ଗୋଟିଏ ଚମତ୍‌କାରପୂର୍ଣ୍ଣ ଅର୍ଥ ଉପଲବଧି କରନ୍ତି, ସେଠାରେ ଆର୍ଥୀ ବ୍ୟଞ୍ଜନାର ସ୍ଥିତି ସ୍ୱତଃସିଦ୍ଧ, ଏହିସବୁ ବିଶେଷତ୍ୱମାନଙ୍କ ମଧ୍ୟରୁ କେତୋଟିର ଉଦାହରଣ ଏଠାରେ ଦିଆଯାଉଛି ।

 

ବକ୍ତାର ବୈଶଷ୍ଟ୍ୟ :–

‘‘ନିଜର କାମନା ପରିପୂର୍ତ୍ତିପାଇଁ ଏହି ଅଟେ ଅବସର

ଯିବା ଦିନ ଆଉ ଫେରିବନି କେବେ ଦେହଟି କ୍ଷଣଭଙ୍ଗୁର’’

 

ଏହା ହେଉଛି କାମନା ପୂର୍ତ୍ତିପାଇଁ ପ୍ରକୃଷ୍ଟ ସମୟ । ଜୀବନରେ ଏହିପରି ଦିନ ଆଉ କେବେ ଆସିବନି । ଏଣୁ ଯାହା କରିବା କଥା କରିଯାଅ ।

 

ଏଠାରେ ଦେଖିବାର କଥା ଯେ ଏହାର ବକ୍ତା କିଏ । ଯଦି ଏହା ନିଜର ଅନନୁଗତ ପ୍ରେମିକ ପ୍ରତି କୌଣସି ଫୁଶ୍ଚଳୀ ନାୟିକାର ଉକ୍ତି, ତାହାହେଲେ ଏଠାରେ ବିଷୟବାସନା ବ୍ୟଙ୍ଗ୍ୟ ଅର୍ଥାତ୍‌ ସବୁବେଳେ ଦେହରେ ଯୌବନର ମାଦକତା ରହିବ ନାହିଁ । ଏଣୁ ଦିନେ ହେଲେ ସମୟ ନଷ୍ଟ ନକରି ଜୀବନକୁ ତିଳତିଳ କରି ଉପଭୋଗ କରିଯିବା ଉଚିତ । ଅନ୍ୟ ପକ୍ଷରେ ଯଦି ଏହା ଆଧ୍ୟାତ୍ମମାର୍ଗୀ ଜୀବନ ଜିଜ୍ଞାସୁ ଶିଷ୍ୟବର୍ଗଙ୍କ ପ୍ରତି କୌଣସି ଯୋଗସିଦ୍ଧ ସାଧୁପୁରୁଷଙ୍କ ଉକ୍ତି ହୋଇଥାଏ, ତାହାହେଲେ ଏଠାରେ ମୋକ୍ଷ ଇଚ୍ଛାହିଁ ବ୍ୟଙ୍ଗ୍ୟ । ଅର୍ଥାତ୍‌ ଏହି ସୀମିତ ଜୀବନର କ୍ଷଣେ ହେଲେ ସମୟ ବୃଥାରେ ବ୍ୟୟ ନକରି ଜୀବନର ଚରମଲକ୍ଷ୍ୟ ମୋକ୍ଷ ପ୍ରାପ୍ତିପାଇଁ ଅହରହ ଉଦ୍ୟମଶୀଳ ହେବା ଉଚିତ । ଉଲ୍ଲିଖିତ ଏକମାତ୍ର ପଦ୍ୟାଂଶରୁ ବିଭିନ୍ନ ବକ୍ତା ଅନୁସାରେ ନୂତନ ନୂତନ ବ୍ୟଙ୍ଗ୍ୟାର୍ଥର ପ୍ରତୀତ ହେଉଅଛି । ଏଣୁ ଯଥାର୍ଥ ବ୍ୟାଙ୍ଗ୍ୟାର୍ଥର ଅବଗତପାଇଁ ଏଠାରେ ବକ୍ତାର ବୈଶିଷ୍ଟ୍ୟହିଁ ଏକମାତ୍ର କାରଣ । ଏଣୁ ଏହା ବକ୍ତୃ ବୈଶିଷ୍ଟ୍ୟ ଆର୍ଥୀ ବ୍ୟଞ୍ଜନାର ଗୋଟିଏ ପ୍ରକୃଷ୍ଟ ଉଦାହରଣ ।

 

ବୋଦ୍ଧବ୍ୟବୈଶିଷ୍ଟ୍ୟ :-

ବୋଦ୍ଧବ୍ୟମାନେ ଯାହାକୁ କୁହାଯାଏ ।

‘ରହ ଅଟକିଲା                   କଣ୍ଟାରେ ବସନ

ବୋଲିବାରୁ ଉରୁବଣୀ

ଅଟକିବ ଜାଣି                  ଥିଲି ଛଟକିନି

ସଜନୀ ବୋଇଲା ହସି’’

(ଉର୍ବଶୀ)

 

ଉର୍ବଶୀ ପ୍ରତି ଚିତ୍ରଲେଖାର ‘ଅଟକିବା ଜାଣିଥିଲି’ ଏହି ଉକ୍ତିର ବାଚ୍ୟାର୍ଥରେ କୌଣସି ବିଶେଷତ୍ୱ ନାହିଁ । କିନ୍ତୁ ଏହାର ବ୍ୟଙ୍ଗ୍ୟାର୍ଥ ବେଶ୍‌ ଚମତ୍‌କାର ପୂର୍ଣ୍ଣ । ଚିତ୍ର ଲେଖାର ଉକ୍ତିରୁ ଏହି ବ୍ୟଙ୍ଗ୍ୟାର୍ଥ ପ୍ରତୀତ ହେଉଅଛି ଯେ–‘କଣ୍ଟାରେ ଲୁଗା ଅଟକି ନାହିଁ, ସେସବୁ ମିଛ କଥା, ତୁ ପୁଣି ଥରେ ପୁରୁରବାଙ୍କୁ ଚାହିଁବାପାଇଁ କଣ୍ଟାରେ ଲୁଗା ଅଟକିବା କଥା ମିଛରେ କହୁଛୁ ।’’ ସାଧାରଣ ବାଚ୍ୟାର୍ଥରୁ ଏହି ବ୍ୟଙ୍ଗ୍ୟାର୍ଥ ପ୍ରକାଶିତ ହେଉଛି, ତାହା କେବଳ ଉର୍ବଶୀଙ୍କ ଉଦ୍ଦେଶ୍ୟରେ କୁହାଯାଇଥିବାରୁ ସମ୍ଭବ ହୋଇଛି । ଏଣୁ ଏଠାରେ ବୋଦ୍ଧବ୍ୟ ବିଶିଷ୍ଟତା ହେତୁ ବାଚ୍ୟାର୍ଥରୁ ଏହି ବ୍ୟଙ୍ଗାର୍ଥର ପ୍ରତୀତି ହେଉଅଛି ।

 

ବାକ୍ୟ ବୈଶିଷ୍ଟ୍ୟ :

କି ଥିଲା ଏ ରାଜ୍ୟ

କି ହୋଇଛି ଆଜ

 

ଏ ବାକ୍ୟର ବାଚ୍ୟାର୍ଥ ସ୍ପଷ୍ଟ । କିନ୍ତୁ ସେଥିରୁ ଏ ଦେଶ ଅତୀତରେ ବଡ଼ ସମୃଦ୍ଧ ଥିଲା । ଏହାର ଅଧିବାସୀମାନେ ଶୌର୍ଯ୍ୟ, ବୀର୍ଯ୍ୟ, ଧନଧାନ୍ୟରେ ଜଗତ୍‌ ବିଖ୍ୟାତ ଥିଲେ, କିନ୍ତୁ ଦୁଃଖର କଥା ଆମ୍ଭମାନଙ୍କର ଉଦାସୀନତାର ନିଷ୍କିୟତା ଯୋଗୁଁ ସେହି ସମୃଦ୍ଧ ଉତ୍କଳଦେଶ ଓ ଉତ୍କଳୀୟମାନେ ଆଜି ଦୀନ, ହୀନ, ଦଳିତ ଓ ଲାଞ୍ଛିତ ହୋଇ ପଡ଼ିଛନ୍ତି ଏହି ବ୍ୟଙ୍ଗ୍ୟାର୍ଥ ବ୍ୟକ୍ତି ହେଉଅଛି । ଏଠାରେ ବାକ୍ୟର ରଚନାଗତ ବୈଶିଷ୍ଟ୍ୟହି ଏହି ବ୍ୟାଙ୍ଗ୍ୟାର୍ଥ ପ୍ରତୀତର କାରଣ ।

 

ଅନ୍ୟ ସନ୍ନିଧି ବୈଶିଷ୍ଟ୍ୟ–

‘‘ଅଦୂର କାନନେ             ପ୍ରିୟମ୍ବଦା ତେଣେ

ଇଙ୍ଗିତରେ ଦେଲା ଡାକି

ନଳିନୀ କି ତେଜି             ମିହିର ଗଲେଣି

ଚକ୍ରବାକ ଚକ୍ରବାକୀ’’

 

ନିଭୃତ କୁଞ୍ଜ ବନରେ ଦୁଷ୍ମନ୍ତଙ୍କ ସହିତ ପ୍ରଣୟ ଲିପ୍ତ ଶକୁନ୍ତଳାଙ୍କ ପ୍ରତି ସଖୀ ପ୍ରିୟମ୍ବଦାଙ୍କ ଉକ୍ତି । ଦ୍ୱିତୀୟ ଧାଡ଼ିରେ ଇଙ୍ଗିତ ଡାକଟି ବ୍ୟଞ୍ଜିତ ହେଉଅଛି ‘ହେ ଶକୁନ୍ତଳା, ସନ୍ଧ୍ୟା ହେଲାଣି, ଆଉ ବେଶି ସମୟ ରାଜାଙ୍କ ନିକଟରେ ରହିବା ଉଚିତ ନୁହେଁ, ଶୀଘ୍ର ଆସ ଆଶ୍ରମକୁ ଯିବା’ । ଏହି ବ୍ୟଙ୍ଗ୍ୟାର୍ଥଟି ଅନ୍ୟ ସନ୍ନିଧି ବୈଶିଷ୍ଟ୍ୟରୁ ପ୍ରତୀତ ହେଉଅଛି । ଏପରି ନ କହି ସ୍ପଷ୍ଟ ଶବ୍ଦରେ କଥାଟିକୁ ପ୍ରକାଶ କଲେ ପାଖରେ ଥିବା କେହି ଶୁଣିଲେ ଅନର୍ଥ ହେବ । ସେଥିପାଇଁ ଅନ୍ୟ ସନ୍ନିଧି ବୈଶିଷ୍ଟ୍ୟ ପୂର୍ଣ୍ଣ ବାକ୍ୟାର୍ଥ ମାଧ୍ୟମରେ ଅଭିଳଷିତ ବ୍ୟଙ୍ଗ୍ୟାର୍ଥ ପ୍ରକାଶିତ ହୋଇଅଛି ।

 

ବାଚ୍ୟ ବୈଶିଷ୍ଠ୍ୟ :-

ରାଧା ଲଳିତାକୁ କହୁଛନ୍ତି–

‘‘ଗୋଡ଼ ଖସିଖେଦ ହେବାର ଦରଦ ଯିବାର ଉପାୟ କହ’’ (ଚମ୍ପୂ) କୃଷ୍ଣଙ୍କ ସହିତ ମୋର ଟିକେ ମିଳନ କରାଇଦେ, ଏହି ଅନୁରୋଧ ରୂପକବ୍ୟଙ୍ଗ୍ୟାର୍ଥ ଏଠାରେ ବାଚ୍ୟ ବୈଶିଷ୍ଟ୍ୟରୁ ପ୍ରତୀତ ହେଉଅଛି । ଯେଉଁଭଳି ଭାବରେ ଏଠାରେ ରାଧା ନିଜର ବକ୍ତବ୍ୟ ପ୍ରକାଶ କରିଛନ୍ତି, ତାହାର ଗୋଟିଏ ବିଶେଷତ୍ୱ ରହିଛି, ସେହି ବିଶେଷତ୍ୱରୁ ମିଳନାକାଙ୍‌କ୍ଷା ଅଭିବ୍ୟଞ୍ଜିତ ହେଉଅଛି ।

 

ପ୍ରକରଣ ବୈଶିଷ୍ଟ୍ୟ :–

      ଶକୁନ୍ତଳା ରୂପକ କୁସୁମ ମାଳାକୁ

ଆଦରରେ ଗ୍ରହଣ କରନ୍ତୁ ବୋଲି ପ୍ରିୟମ୍ବଦା ଦୁଷ୍ମନ୍ତଙ୍କୁ ଅନୁରୋଧ କରିବାରୁ ଦୁଷ୍ମନ୍ତଙ୍କ ଭାବନା :-

 

‘‘ଭାଗ୍ୟ ପରଶଂସି             ରାଜାମାନେ କଲେ

ରୋଗୀ ଲୋଡ଼ୁଥିଲା ଯାହା

ରୋଗ ପ୍ରଶମନ             ବ୍ୟବସ୍ଥା ଶ୍ଳୋକରେ

ଭିଷକ ଭାଷିଲା ତାହା ।’’

 

ଏଠାରେ କୌଣସି ରୋଗୀ ନାହିଁକି ରୋଗ ନାହିଁ । ଭିଷକ (ବୈଦ୍ୟ) ନାହିଁ କି ବୈଦ୍ୟର ବ୍ୟବସ୍ଥା ପତ୍ର ମଧ୍ୟ ନାହିଁ । କିନ୍ତୁ ପ୍ରସଙ୍ଗ ପର୍ଯ୍ୟାଲୋଚନା କଲେ ଉଲ୍ଲିଖିତ ପଦ୍ୟାଂଶରୁ ପ୍ରତୀତି ହେଉଅଛି ଯେ, ‘ରାଜା ନିଜକୁ ବଡ଼ ଭାଗ୍ୟବାନ ମନେକଲେ ଏବଂ ନିଜର ଅଭିଳଷିତ ଲକ୍ଷ୍ୟ ଅତି ସହଜରେ ପୂର୍ଣ୍ଣ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ ହେଲେ’, ଏହି ବ୍ୟଙ୍ଗ୍ୟାର୍ଥଟି ଏଠାରେ ପ୍ରସଙ୍ଗ ବୈଶିଷ୍ଟ୍ୟରୁ ଅଭିବ୍ୟଞ୍ଜିତ ହେଉଅଛି ।

 

ଚେଷ୍ଟା ବୈଶିଷ୍ଟ୍ୟ :-

‘‘କୁରୁବକ କଣ୍ଟା             ଲାଗିଗଲା ବୋଲି

ସଖୀଙ୍କି କହିଲା ଛଳି

ପ୍ରିୟମ୍ବଦା ବୋଲେ             ପୁରୁବକ କଣ୍ଟା

ମୀନାକ୍ଷି ଗଲାକି ଗିଳି ।’’

 

ଏଠାରେ ଶକୁନ୍ତଳାଙ୍କର କୁରୁବକ କଣ୍ତା ଗଳିଯିବାର ମିଥ୍ୟାଭିନୟ ଓ ସ୍ଥାନତ୍ୟାଗ ନ କରିବା ରୂପକ ଚେଷ୍ଟା ବୈଶିଷ୍ଟ୍ୟରୁ ଜଣାଯାଉଛି ଯେ ‘ସେ ରାଜାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତା, ରାଜାଙ୍କୁ ଦେଖିବାର ଲୋଭ ସମ୍ବରଣ କରି ପାରୁନାହାନ୍ତି ।’ ଏହି ବ୍ୟଙ୍ଗ୍ୟାର୍ଥ ଚେଷ୍ଟା ବୈଶିଷ୍ଟ୍ୟମୂଳକ ଆର୍ଥୀ ବ୍ୟଞ୍ଜନା ଶକ୍ତିଦ୍ୱାରା ଅନୁଭୂତ ହେଉଅଛି ।

 

କାକୁ ବୈଶିଷ୍ଟ୍ୟ :–

‘‘ନାହିଁ ଏ ଭାରତେ ବିଦ୍ୟାର ବିଳାସ

ନାହିଁ ଏ ଭାରତେ ଶୌର୍ଯ୍ୟର ପ୍ରକାଶ ।’’

 

କଣ୍ଠ ସ୍ୱରକୁ ସାମାନ୍ୟ ବଦଳାଇ ଦେଇ ଏହାକୁ ପ୍ରଶ୍ନବାଚୀ କରି କହିଲେ ନିଷେଧାର୍ଥକ ବାଚ୍ୟାର୍ଥରୁ ବିଧି ରୂପକ ବ୍ୟଙ୍ଗ୍ୟାର୍ଥ ପ୍ରତୀତ ହେବ । ଭାରତରେ ବିଦ୍ୟାର ବିଳାସ ଅଛି ଓ ଶୌର୍ଯ୍ୟର ପ୍ରକାଶ ମଧ୍ୟ ଅଛି’, ଏହାହିଁ ଏଠାରେ ବ୍ୟଙ୍ଗ୍ୟାର୍ଥ ।

 

ଦେଶ ବୈଶିଷ୍ଟ୍ୟ ଓ କାଳ ବୈଶିଷ୍ଟ୍ୟ:-

ପ୍ରଣୟ ବଲ୍ଲରୀରେ ଶକୁନ୍ତଳା, ପ୍ରିୟମ୍ବଦା ଓ ଅନସୂୟାଙ୍କ ପଦଚିହ୍ନ ଅନୁସରଣ କରି ଦୁଷ୍ମନ୍ତ ବେତସ କୁଞ୍ଜ ନିକଟରେ ପହଞ୍ଚି ଭାବୁଛନ୍ତି–

 

‘‘କଳ କଳ ନାଦେ             ବହୁଛି ନିକଟେ

ମାଳିନୀ ନିର୍ମଳ ଧାରା

ପୁଳିନ ନିକୁଞ୍ଜ             ନ ହେବ ଏକାଳେ

କାହାର ହୃଦୟକାରା ।’’

 

ଏଠାରେ ବର୍ଣ୍ଣିତ ଦେଶ (ସ୍ଥାନ) ବୈଶିଷ୍ଟ୍ୟତାରୁ ‘‘ମିଳନୋପଯୁକ୍ତତା’ ଓ କାଳ ବୈଶିଷ୍ଟ୍ୟରୁ ‘ନିର୍ଜନତା’ ରୂପକ ବ୍ୟଙ୍ଗ୍ୟାର୍ଥ ଅଭିବ୍ୟଞ୍ଜିତ ହେଉଅଛି ।

 

ଏହିପରି ବିଭିନ୍ନ ବୈଶିଷ୍ଟ୍ୟ ମୂଳକ ଆର୍ଥୀ ବ୍ୟଞ୍ଜନା ବ୍ୟାପାରଦ୍ୱାରା ସ୍ଥଳ ବିଶେଷରେ ବାଚ୍ୟାର୍ଥରୁ ଅନନ୍ତ ଚମତ୍‌କାର ପୂର୍ଣ୍ଣ ବ୍ୟଙ୍ଗ୍ୟାର୍ଥ ଅଭିବ୍ୟଞ୍ଜିତ ହୋଇଥାଏ । ଏହି ବ୍ୟଙ୍ଗ୍ୟାର୍ଥ ହିଁ ଉତ୍ତମ କାବ୍ୟ ପରିକଳ୍ପନାର ଏକମାତ୍ର ଉପାୟ।

***

 

ଚିତ୍ରୋତ୍ପଳା ଉପତ୍ୟକାର ପ୍ରାଚୀନ କୀର୍ତ୍ତି

ଶ୍ରୀ ପ୍ରଶାନ୍ତ କୁମାର ରାୟ

ଅଧ୍ୟକ୍ଷ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ

 

ପୁଣ୍ୟତୋୟା ଚିତ୍ରୋତ୍ପଳା ବହି ଚାଲିଛି, କୁଳୁକୁଳୁ ନାଦ କରି । ଉତ୍କଳର ସବୁ ନଦୀମାନଙ୍କ ମଧ୍ୟରେ ପବିତ୍ରତା ଦୃଷ୍ଟିରୁ ସର୍ବୋତ୍କୃଷ୍ଟ । ଏହାର ପବିତ୍ରଉପତ୍ୟକାରେ ଗଢ଼ି ଉଠିଥିଲା ମାନବ ଜାତିର ସଂସ୍କୃତି । ଯୁଗ ପରେ ଯୁଗ ବିତିଗଲା, କେତେ ସଭ୍ୟତା ଯେ ଧୂଳିସାତ ହୋଇ ଭୂ-ଗର୍ଭରେ ଲୀନ ହେଲା, ତା’ର କଳନା ନାହିଁ । ପ୍ରାଚୀନ ସିନ୍ଧୁ ଉପତ୍ୟକା ସଭ୍ୟତା ଏପରି ଚିତ୍ରୋତ୍ପଳା ଉପତ୍ୟକାରେ ଗଢ଼ି ଉଠିଥିଲା ପ୍ରାଚୀନ ସଭ୍ୟତା । ଉତ୍କଳ ଭୂମିରେ ବୌଦ୍ଧଧର୍ମର ପ୍ରଭାବ ବିପୁଳ ଭାବରେ ବିସ୍ତାର ଲାଭ କରିଥିଲା । ସତ୍ୟ, ଧର୍ମ, ନ୍ୟାୟ ବୌଦ୍ଧ ଧର୍ମର ମୌଳିକନୀତି ଉତ୍କଳର ପୁରପଲ୍ଲୀରେ ପ୍ରକଟ ହୋଇଥିଲା । ପରିଣାମ ହେଲା ଯେ; ଚଣ୍ତାଶୋକ ଆକ୍ରମଣର ଆକ୍ରୋଶରେ ଏହି ପବିତ୍ର ଭୂମିରେ ପଦାର୍ପଣ କଲାବେଳେ ନିଜର ଅନ୍ତର ଏକ ନବାଲୋକରେ ସ୍ପନ୍ଦିତ ହେଲା । ତରବାରୀର ଜୟ ପରିବର୍ତ୍ତେ ଯେ ଧର୍ମର ଜୟ ଶ୍ରେୟସ୍କର, ତାହା ସେ ଏଠାରେ ଶିକ୍ଷା ଲାଭ କଲେ-। ଧଉଳି ପାହାଡ଼ ଆଜି ତା’ର ମୂକସାକ୍ଷୀରୂପେ ବିଦ୍ୟମାନ । ଅଶୋକଙ୍କ ପରେ ମଧ୍ୟ ଓଡ଼ିଶାରେ ବୌଦ୍ଧଧର୍ମ ତିଷ୍ଠି ପାରିଥିଲା । ଅଶୋକଙ୍କଠାରୁ ଗୁପ୍ତଯୁଗ ପର୍ଯ୍ୟନ୍ତ ବୌଦ୍ଧକୀର୍ତ୍ତିର ଭଗ୍ନାବଶେଷ ଦେଶର ସ୍ଥାନେ ସ୍ଥାନେ ଦେଖାଯାଏ । ଖ୍ରୀ. ୬ଷ୍ଠ-୭ମ ଶତାବ୍ଦୀ ମଧ୍ୟରେ ଚିତ୍ରୋତ୍ପଳା ଓ ବିରୂପାର ଉପତ୍ୟକା ବୌଦ୍ଧଧର୍ମର ପ୍ରଧାନ ପୀଠରୂପେ ପରିଗଣିତ ହେଲା । ରାମେଶ୍ୱର, ଲଳିତଗିରି, ଉଦୟଗିରି, ବ୍ରଜଗିରି ଓ ରତ୍ନଗିରି ସମୂହ ଏକ ବୌଦ୍ଧପୀଠରେ ପରିଣତ ହୋଇ ପୁଷ୍ପଗିରି ବିହାର ନାମରେ କଥିତ ହେଲା ।

 

ପରବର୍ତ୍ତୀ ଯୁଗରେ ଖ୍ରୀ: ୯ମ ଶତାବ୍ଦୀରେ ପୁଷ୍ପଗିରି ବିହାର ସଦୃଶ ଚିତ୍ରୋତ୍ପଳା ଉପତ୍ୟକା ବୌଦ୍ଧକୀର୍ତ୍ତିରେ ପରିପୂର୍ଣ୍ଣ ହୋଇଉଠିଲା । ନଦୀ କୂଳରେ ଗଢ଼ି ଉଠିଲା ଅନେକ ବୌଦ୍ଧ ମନ୍ଦିର । ସେଗୁଡ଼ିକ ମଧ୍ୟରୁ କେତେକ ଭୂ–ଗର୍ଭ ଓ ନଦୀ ଗର୍ଭରେ ଲୀନ । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ଏ ସବୁର ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ କରାଯାଇଛି । ଚିତ୍ରୋତ୍ପଳା କୂଳରେ ଥିବା କେନ୍ଦୁପାଟଣାଠାରୁ ଆରମ୍ଭ କରି ସାଲେପୁର ପର୍ଯ୍ୟନ୍ତ ସ୍ଥାନକୁ ବ୍ରହ୍ମାବତା ନାମରେ କଥିତ । ନିକଟରେ ଏହି ବ୍ରହ୍ମାବତା ମଧ୍ୟରେ କେତେଗୁଡ଼ିଏ ବୌଦ୍ଧ ପ୍ରତିମା ମିଳିଥିଲା ଏବଂ ସେଗୁଡ଼ିକ ବର୍ତ୍ତମାନ ଏକ ଚାଳଘରେ ଶ୍ରୀ ଗୋଲକ ମହାନ୍ତିଙ୍କ ତତ୍ତ୍ୱାବଧାନରେ ବ୍ରହ୍ମାବତା ମଧ୍ୟରେ ରଖାଯାଇଛି । ସେ ମୂର୍ତ୍ତିଗୁଡ଼ିକ ହେଲେ ଭୂମିସ୍ପର୍ଶ ମୁଦ୍ରାରେ ବୁଦ୍ଧଦେବ, ତାରା, ଅବଲୋକିତେଶ୍ୱର ଓ ମଞ୍ଜୁଶ୍ରୀ । ବୌଦ୍ଧଧର୍ମ ଦୁଇ ଭାଗରେ ବିଭକ୍ତ ହେଲା ପରେ, ଦେବତା ପୂଜା ମହାଯାନ ମଧ୍ୟରେ ଟେକି ଉଠିଲା । ମହାଯାନ ଶାକ୍ୟସିଂହ ମୂର୍ତ୍ତିପୂଜା କରୁଥିଲେ । କ୍ରମେ କ୍ରମେ ଗୋଟିଏ ଧ୍ୟାନୀବୁଦ୍ଧର ଆବିର୍ଭାବ ହେଲା ‘ଅମିତାଭ’, ‘ଅକ୍ଷୋଭ’, ‘ବୈରୋଚନ’ ‘ରତ୍ନସମ୍ଭବ’ ଓ ‘ଅମୋଘସିଦ୍ଧି’ ସେମାନଙ୍କର ପଞ୍ଚଶକ୍ତି ହେଲା ‘ଲୋଚନା’, ‘ମାମକୀ’ ‘ତାରା’, ‘ପାନ୍ତରା’ ଓ ଆର୍ଯ୍ୟ ତାରିକା । ସେମାନଙ୍କ ମଧ୍ୟରୁ ମଞ୍ଜୁଶ୍ରୀ ପୂଜା କରେ ଜ୍ଞାନ, ପରିଜ୍ଞାନ, ସ୍କୃତି, ଧୂତିଶକ୍ତି, ବୁଦ୍ଧି ଓ ବାକ୍ୟପଟୁତା ଏବଂ ଶାସ୍ତ୍ର ପନ୍ଥାଦି ଆୟତ୍ତ କରିବାରେ ସମର୍ଥ ଲାଭ କରନ୍ତି । ସୁତରାଂ ମଞ୍ଜୁଶ୍ରୀ ହେଉଛି ବିଦ୍ୟା ଓ ସଂସ୍କୃତିର ପ୍ରଧାନ ଦେବତା । ବୌଦ୍ଧଶାସ୍ତ୍ର ଅନୁସାରେ ସେହିହିଁ ପ୍ରଥମ ବୋଧିସତ୍ତ୍ୱ । ହିନ୍ଦୁ ଧର୍ମରେ ଯେପରି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତ୍ରିମୂର୍ତ୍ତିରୂପେ ବିବେଚିତ, ସେହିପରି ବୋଧିସତ୍ତ୍ୱ ମଣ୍ତଳିରେ ମଞ୍ଜୁଶ୍ରୀ, ଅବଲୋକିତେଶ୍ୱର ଓ ବଜ୍ରପାଣି ତ୍ରିମୂର୍ତ୍ତିରୂପେ ବିବେଚିତ । ଏହି ତ୍ରିମୂର୍ତ୍ତି ମଧ୍ୟରୁ ଜ୍ଞାନର ଦେବତା ମଞ୍ଜୁଶ୍ରୀର ସ୍ଥାନ ପ୍ରଥମ, କାରୁଣାର ଦେବତା ଅବଲୋକିତେଶ୍ୱରର ସ୍ଥାନ ଦ୍ୱିତୀୟ ଏବଂ ଶକ୍ତିର ଦେବତା ବଜ୍ରପାଣିର ସ୍ଥାନ ତୃତୀୟ । ଅବଲୋକିତେଶ୍ୱର ସ୍ଥାନ ବିଷ୍ଣୁଙ୍କର ସ୍ଥାନ ସଙ୍ଗେ ସମାନ । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ଅବଲୋକିତେଶ୍ୱର ବିଷ୍ଣୁଙ୍କ ସଦୃଶ । ହିନ୍ଦୁମାନଙ୍କର ଅଧିଷ୍ଠାତ୍ରୀ ଦେବୀ କାଳୀ (ତାରା) ଯେପରି ବିଭିନ୍ନ ରୂପ ଧାରଣ କରି ପୂଜା ପାଉଛନ୍ତି, ବୌଦ୍ଧମାନଙ୍କର ତାରା ମଧ୍ୟ ବିଭିନ୍ନ ରୂପ ଧାରଣ କରି ପୂଜା ପାଉଥିଲେ ।

 

ଚିତ୍ରୋତ୍ପଳା କୂଳରେ ଯେଉଁ ବୌଦ୍ଧ ପ୍ରତିମା ରହିଛି, ସେମାନଙ୍କ ପୃଷ୍ଠଦେଶରେ ଦେବନାଗରୀ ଲିପିରେ ଖୋଦିତ ହୋଇ ଲେଖା ଯାଇଛି । ଏସବୁ ଲେଖାକୁ ବୌଦ୍ଧଧାରଣୀ ବୋଲି କହନ୍ତି । ବୌଦ୍ଧଧର୍ମ ମଧ୍ୟରେ ଯେତେବେଳେ ତାନ୍ତ୍ରିକର ପ୍ରଭାବ ପ୍ରକାଶ କଲା, ସେତେବେଳେ ଧାରଣୀ ସବୁ ଲେଖା ହୋଇଥିଲା । ମହାଯାନର ଆଚାର୍ଯ୍ୟମାନେ କହିବାକୁ ଲାଗିଲେ ‘ତମେମାନେ ଧାରଣୀ ମୁଖସ୍ଥ କର, ଧାରଣୀ ଜପକର’, ଏହା କଲେ ଭଲ ଫଳ ପାଇବ । ଏହିପରି ଆର୍ଯ୍ୟମାନେ ଶିଷ୍ୟମାନଙ୍କୁ ମନ୍ତ୍ରପାଠ କରିବାକୁ କହିଲେ ଏବଂ ଏହାଦ୍ୱାରା ଅନେକ ଧାରଣୀ ତିଆରି ହେଲା । ଭୌମଯୁଗରେ (ଖ୍ରୀ: ୮ମ ଶତାବ୍ଦୀ) ଯେଉଁ ଯୋଗଶାସ୍ତ୍ରର ଅଧ୍ୟୟନ ଆରମ୍ଭ ହେଲା, ତାହା କେତେକ ପରିମାଣରେ ମଧ୍ୟ ଧାରଣୀଦ୍ୱାରା ପ୍ରଭାବିତ ହେଲା । ଏହି ଧାରଣୀର ଲିପି ଓ ଭାଷା ଓଡ଼ିଶାରେ ମିଳିଥିବା ଭୌମମାନଙ୍କର ତମ୍ବାପଟାର ଲିପି ଓ ଭାଷା ସହିତ ସାମଞ୍ଜସ୍ୟ ରହିଛି ।

 

ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବ୍ରହ୍ମାବତାଠାରେ ଖନନ କାର୍ଯ୍ୟ ଫଳରେ ଭୂ-ଗର୍ଭସ୍ଥ ଏକ ବୌଦ୍ଧ ମନ୍ଦିରର ନିମ୍ନଭାଗ ଉଦ୍ଧାର କରାଯାଇଛି । ପ୍ରାଚୀନ ଇଟାରେ ମନ୍ଦିରଟି ନିର୍ମିତ ହୋଇଥିଲା । ଅଧୁନା ବ୍ରହ୍ମାବତାଠାରେ ରହିଥିବା ଉପରୋକ୍ତ ବୌଦ୍ଧ ପ୍ରତିମା ଗୁଡ଼ିକ ବୋଧହୁଏ ଏହି ମନ୍ଦିରରେ ପୂଜା ପାଉଥିଲେ । ଭଗ୍ନ ବୌଦ୍ଧ–ମନ୍ଦିରଟି ଖ୍ରୀ: ନବମ–ଦଶମ ଶତାବ୍ଦୀର ଅନ୍ତର୍ଗତ ।

 

ଚିତ୍ରୋତ୍ପଳା ଉପତ୍ୟକାରେ ନଟରା ଗ୍ରାମ । ଗ୍ରାମର ଶେଷ ପ୍ରାନ୍ତରେ ଅନେକ ଗୁଡ଼ିଏ ବୌଦ୍ଧ ଓ ହିନ୍ଦୁ ପ୍ରତିମା ପୂଜା ପାଉଛନ୍ତି । ତନ୍ମଧ୍ୟରୁ ମୈତ୍ରୀୟ ଓ ଅବଲୋକିତେଶ୍ୱର ପ୍ରଧାନ । କାରୁକାର୍ଯ୍ୟପୂର୍ଣ୍ଣ ମୈତ୍ରୀୟ ମୂର୍ତ୍ତିଟି ହସ୍ତରେ (ଦକ୍ଷିଣ ହସ୍ତରେ ପଦ୍ମ, ବରଦାମୁଦ୍ରା, ବାମହସ୍ତ ପଦ୍ମ ଓ କମଣ୍ତଳୁ) ସେହି ଚିତ୍ରୋତ୍ପଳା କୂଳରେ କେନ୍ଦୁପାଟଣା ଗଛ ମୂଳରେ ପଡ଼ିରହିଛି । ଅବଲୋକିତେଶ୍ୱର ଓ ଆସ୍ତିକ ଦରଦ୍‌କାରୁ ପ୍ରତିମା । ଅଳ୍ପ ବ୍ୟବଧାନରେ ଲୋଲହଣ୍‌ପୁର ଗ୍ରାମ । ସେଠାରେ ମଧ୍ୟ ଜନୈକ ଗୃହରେ ମଞ୍ଜୁଶ୍ରୀ ଓ ତାରା ମୂର୍ତ୍ତି ପୂଜା ପାଉଛନ୍ତି । ଏହିପରି ଅନେକ ପ୍ରତିମା ସ୍ଥାନେ ସ୍ଥାନେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । କେଉଁଠାରେ ବା ତୁଠପଥରରୂପେ ବ୍ୟବହାର କରାଯାଇଛି । ଏହାର ଏକ ଦୃଷ୍ଟାନ୍ତ ଚିତ୍ରୋତ୍ପଳା ଉପତ୍ୟକାର ମାହାଙ୍ଗାଠାରେ ଦେଖାଯାଏ ।

 

ମାହାଙ୍ଗାଗ୍ରାମର ଶେଷ ପ୍ରାନ୍ତରେ ଲଙ୍ଗଳେଶ୍ୱର ଶିବ ମନ୍ଦିର । ନିକଟସ୍ଥ ପୁଷ୍କରିଣୀରେ ଭାସ୍କର୍ଯ୍ୟପୂର୍ଣ୍ଣ ଏକ ପ୍ରସ୍ତର, ତୁଠ ପଥରରୂପେ ବ୍ୟବହୃତ ହେଉଥିଲା । ଗ୍ରାମବାସୀମାନେ ଏକଦା ତାକୁ ଲେଉଟାଇ ଦେଖିଲେ ଯେ, ତାହା ଏକ ଦେବ ପ୍ରତିମା । ଉକ୍ତ ପ୍ରତିମାଟି ଆଣି ଲଙ୍ଗେଳଶ୍ୱର ଶିବ ମନ୍ଦିରରେ ରଖିଛନ୍ତି । ଲେଖକ ଉକ୍ତ ପରିଦର୍ଶନରେ ଯାଇ ଦେଖିଲେ ଯେ ଏହା ଏକ ବିଚକ୍ଷଣ ମୂର୍ତ୍ତି । ମସ୍ତକହୀନ ବୁଦ୍ଧଦେବ ଧର୍ମଚକ୍ର ପ୍ରବର୍ତ୍ତକ ମୁଦ୍ରାରେ ପଦ୍ମାସନରେ ଉପବିଷ୍ଟ । ନିମ୍ନରେ ମୃଗଦାହ ବନର ଦୃଶ୍ୟ । ଏପରି ମୂର୍ତ୍ତି ଓଡ଼ିଶାରେ ମିଳିବା ଖୁବ୍‌ ବିରଳ । ବୌଦ୍ଧ ପ୍ରତିମା ଗୁଡ଼ିକର ଏପରି ଅବସ୍ଥା ସ୍ଥାନେ ସ୍ଥାନେ ଦେଖିଲେ ମନେପଡ଼େ ଗୋପବନ୍ଧୁଙ୍କର କବିତା–

 

‘‘ଶିଳ୍ପୀ ସିଦ୍ଧି ସୀମା             ପାଷାଣ ପ୍ରତିମା

ଭାଙ୍ଗି ଅଛି ମୁଖ, ତୁଟିଛି କର ।

ପଡ଼ିଅଛି ବାଟେ             କିବା ବଣ ପାଟେ

ହୋଇଅଛି କାହିଁ ତୁଠପଥର ।’’

 

ଚିତ୍ରୋତ୍ପଳା ଉପତ୍ୟକାର ଆଉ ଏକ ଦର୍ଶନୀୟ ସ୍ଥାନ ହେଉଛି ଲେଣ୍ତୁରା ଭଗବାନପୁର । ଲୋକ ଅଗୋଚରରେ ପଡ଼ିରହିଛି ଅନେକ ଗୁଡ଼ିଏ ପ୍ରାଚୀନ ମୂର୍ତ୍ତି । ଭଗ୍ନ ଅନନ୍ତେଶ୍ୱର ଶିବ ମନ୍ଦିର ଖ୍ରୀଷ୍ଟୀୟ ୭ମ ଶତାବ୍ଦୀର ଅନ୍ତର୍ଗତ । ମନ୍ଦିରଟି ଭୁବନେଶ୍ୱରର ଲକ୍ଷ୍ମଣେଶ୍ୱର ଶିବ ମନ୍ଦିର ଛାଞ୍ଚରେ ଗଠିତ । ବିଭିନ୍ନ ଭୈରବ ମୂର୍ତ୍ତି ଓ ଅଷ୍ଟଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ଚାରୁକଳା ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ-। ନିକଟରେ ଯେଉଁ ଈଶାନେଶ୍ୱର ମନ୍ଦିର ଶୋଭା ପାଉଛି ଓ ସେଥିରେ ଯେଉଁ ମୂର୍ତ୍ତି ଗୁଡ଼ିକ ରହିଛି ତନ୍ମଧ୍ୟରୁ ଜୈନ ବିଗ୍ରହ ପାର୍ଶ୍ୱନାଥ ଏକ କ୍ଷୁଦ୍ର ରେଖା ମନ୍ଦିରର ଚତୁଃପାର୍ଶ୍ୱରେ ଶୋଭା ପାଉଛନ୍ତି । ଏହାଛଡ଼ା ଅନେକଗୁଡ଼ିଏ ପ୍ରତିମା ଏକତ୍ର ଗ୍ରାମଦେବତୀରୂପେ ପୂଜା ପାଉଛନ୍ତି-। ଏକ ଅଷ୍ଟଗ୍ରହପାଟ ଉପରେ ଏକ ଅଷ୍ଟପୂଜା ଚାମୁଣ୍ତା, ବିଷ୍ଣୁ, ପାର୍ବତୀ, ବଳରାମ ଓ ଭୈରବ ରଖାଯାଇ ପୂଜା ପାଉଛନ୍ତି । ଏ ଅଷ୍ଟଗ୍ରହ ପାଟଟି ଭଗ୍ନ ଅନନ୍ତେଶ୍ୱର ମନ୍ଦିରର । ଏପରି ବିଚ୍ଛିନ୍ନ ଭାବରେ ପଡ଼ିଥିବା ପ୍ରତିମାଗୁଡ଼ିକ ଦେଖିଲେ ମନେହୁଏ ଏଠାରେ କ୍ରମାନ୍ୱୟରେ ଜୈନ, ବୌଦ୍ଧ, ଶିବ ଓ ଶାକ୍ତ ଧର୍ମ ପ୍ରସାର ଲାଭ କରିଥିଲା ।

 

ବିଲୁପ୍ତ ବୌଦ୍ଧକୀର୍ତ୍ତିର ପୁନରୁଦ୍ଧାରପାଇଁ ରାଜ୍ୟ ସରକାର ଚିତ୍ରୋତ୍ପଳା ଉପତ୍ୟକାରେ ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ କାର୍ଯ୍ୟ ଓ ଲିଳିତଗିରିର ଖନନ କାର୍ଯ୍ୟ ଚଳାଇବାପାଇଁ ଯୋଜନା ପ୍ରସ୍ତୁତ କରିଅଛନ୍ତି । ଅଶୋକ କଳିଙ୍ଗର ବୌଦ୍ଧଧର୍ମ ପ୍ରଚାର କରିଥିଲେ ଓ କାଳକ୍ରମେ ବୌଦ୍ଧଧର୍ମ ମଧ୍ୟରେ ତନ୍ତ୍ରମନ୍ତ୍ର, ଉପାସନା ଇତ୍ୟାଦି ବ୍ୟାପକ ଭାବରେ ପ୍ରବେଶ କରିଥିଲା । ଯେତେବେଳେ ବୌଦ୍ଧ ଧର୍ମର ଭିନ୍ନ ଗୋଷ୍ଠ୍ୟାବଲମ୍ବୀମାନଙ୍କର ନୀତିଭ୍ରଷ୍ଟତା ଫଳରେ ଏହି ଧର୍ମର ଅଧଃପତନ ହେଲା, ସେତେବେଳେ ଅଚ୍ୟୁତାନନ୍ଦ, ବଳରାମ, ଜଗନ୍ନାଥ, ଅନନ୍ତ ଓ ଯଶୋବନ୍ତ ଯେଉଁ ବୈଷ୍ଣବ ଧର୍ମର ପ୍ରଚାର କଲେ ସେଥିରେ ସେମାନେ କେତେକାଂଶରେ ପ୍ରାଚୀନ ବୌଦ୍ଧଧର୍ମକୁ ଅନୁସରଣ କରିଥିଲେ । ସେମାନଙ୍କ ମତରେ ସେହି ଶୂନ୍ୟ, ସେହି ବ୍ରହ୍ମା, ସେହି ପୁରୁଷୋତ୍ତମ ।

 

***

 

ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ବିବର୍ତ୍ତନବାଦ

ଡକ୍‌ଟର ଶ୍ରୀଶ ପଟେଲ

ଅଧ୍ୟାପକ ବି. ଜେ. ବି. ମହାବିଦ୍ୟାଳୟ

 

ଗୀତାରେ ଭଗବାନ କୃଷ୍ଣ କହିଛନ୍ତି–

ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍‌ ।

ହେତୁନାନେନ କୌନ୍ତେୟ ଜଗବ୍ଦିପରିବର୍ତ୍ତତେ ।୧୦।

(୯ମ ଅଧ୍ୟାୟ)

 

ହେ ଅର୍ଜ୍ଜୁନ, ମୋର ତତ୍ତ୍ୱାବଧାରକତ୍ୱରେ ମୋର ମାୟା, ସୃଷ୍ଟିର ସକଳ ଚର (ଜୈବ) ଓ ଅଚର (ଅଜୈବ)ମାନଙ୍କୁ ଜାତ କରାଇଥାଏ । ଏହି କାରଣରୁ ସଂସାରଚକ୍ର କ୍ରମାନ୍ୱୟେ ଚାଲିଛି ।

 

ମନୁ ସ୍ମୃତିରେ ମଧ୍ୟ କୁହାଯାଇଛି-

ସୋଽଭିଧ୍ୟାୟ ଶରୀରାତ୍‌ସ୍ୱତ୍ସି ସୃକ୍ଷୁର୍ବିବିଧଃ ପ୍ରଜାଃ ।

ଅପଏବ ସସର୍ଜାଦୈ ତାସୁ ବୀଜଂ ବ୍ୟସୃଜତ ।୮।

ତଦଣ୍ତମଭବଦ୍ଧୈମଂ ସହସ୍ରାଶ୍ୱସମପ୍ରଭମ୍‌

ତସ୍ମିଞ୍ଜଜ୍ଞେ ସ୍ୱୟଂ ବ୍ରହ୍ମ ସର୍ବଲୋକ ପିତାମହଃ ।୯।

 

ସଷ୍ଟିକର୍ତ୍ତା ନିଜ ଶରୀରରୁ ଭିନ୍ନ ପ୍ରକାର ଜୀବୀ ଗଢ଼ିବାକୁ ଇଚ୍ଛା କଲେ । ସେହି ମାନସ ଇଚ୍ଛା ବଳରେ ପ୍ରଥମେ ଜଳ ସୃଷ୍ଟି ହେଲା ଏବଂ ତନ୍ମଧ୍ୟରେ ସେ ସୃଷ୍ଟିର ମୂଳ ବୀଜ ବପନ କରିଥିଲେ । ସେହି ବୀଜ ସୂର୍ଯ୍ୟଙ୍କର ସମୁଜ୍ଜ୍ୱଳ ସୁବର୍ଣ୍ଣ ଅଣ୍ତରେ ପରିଣତ ହେଲା, ଯେଉଁଥିରୁ କି ଚରାଚରର ସୃଷ୍ଟିକର୍ତ୍ତା ବ୍ରହ୍ମା ମଧ୍ୟ ସେହି ଅଣ୍ତରୁ ଜାତ ହେଲେ ।

 

ଦୁର୍ଗା ସପ୍ତଶତୀର ଦ୍ୱାଦଶ ଅଧ୍ୟାୟରେ ମେଧା ଋଷି ସୁରଥ ରାଜାଙ୍କୁ ଆଦିଶକ୍ତିଦେବୀଙ୍କ ମାହାତ୍ମ୍ୟ ବୁଝାଇବା ଛଳରେ କହିଛନ୍ତି ।

 

ବ୍ୟାପ୍ତଂ ତୟୈତ ତ୍ସକଳଂ ବ୍ରହ୍ମାଣ୍ତଂ ମନୁକେଶ୍ୱର

ମହାକାଲ୍ୟା ମହାକାଳେ ମହାମାରୀ ସ୍ୱରୂପୟା ।୩୮।

ଶୈବକାଳେ ମହାମାରୀ ଶୈବ ସୃଷ୍ଟି ର୍ଭବତ୍ୟଜ ।

ସ୍ଥିତିଂ କରୋତି ଭୁତାନାଂ ଶୈବକାଳେ ସନାତନୀ ।୩୯।

 

ହେ ରାଜନ୍‌ ! ସେଇ (ଦେବୀ) ଏହି ସକଳ ବ୍ରହ୍ମାଣ୍ତରେ ବ୍ୟାପ୍ତ । ପ୍ରଳୟ ସମୟରେ ମହାମାରୀ ରୂପ ଧାରଣ କରନ୍ତି ଏବଂ ସୃଷ୍ଟି ସମୟରେ ସୃଷ୍ଟି ସ୍ୱରୂପା ।

 

ପ୍ରାଚୀନ କାଳରେ ବିଶ୍ୱାସ ଥିଲା ଯେ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀଗଣ ସୃଷ୍ଟି ଆରମ୍ଭଠାରୁ ଏହି ରୂପରେ ଅଛନ୍ତି ଏବଂ ସୃଷ୍ଟିର ବିନାଶ ପର୍ଯ୍ୟନ୍ତ ସେମାନଙ୍କର ରୂପ ଓ ଅବସ୍ଥାରେ ମଧ୍ୟ କୌଣସି ପରିବର୍ତ୍ତନ ସଂଘଟିତ ହେବନାହିଁ । ପୁନଶ୍ଚ ଏହି ଜୀବୀଗୁଡ଼ିକ କୌଣସି ଦୈବ୍ୟ ଶକ୍ତିଦ୍ୱାରା ସୃଷ୍ଟ ଏବଂ ଯେଉଁ ରୂପରେ ପ୍ରଥମେ ଗଢ଼ା ହୋଇଥିଲେ ଅବିକଳ ସେହି ରୂପରେ ବର୍ତ୍ତମାନ ଯୁଗକୁ ଆସି ପାରିଛନ୍ତି । ଏହାହିଁ ହେଉଛି ଜୀବୀଙ୍କ ଅସାଧାରଣ ବିଶିଷ୍ଟ ସର୍ଜ୍ଜନାବାଦ । ଏହି ସିଦ୍ଧାନ୍ତ ଅନୁଯାୟୀ ପ୍ରତ୍ୟେକ ପ୍ରକାର ଓ ଜାତିର ଜୀବୀ ପୃଥକ୍‌ ଏବଂ ସ୍ଥାୟୀ ଭାବେ ଗଢ଼ା ଓ ତନ୍ମଧ୍ୟରେ କୌଣସି ପରିବର୍ତ୍ତନ ସମ୍ଭବପର ନୁହେଁ, କିମ୍ବା ତାଙ୍କଠାରୁ କୌଣସି ଅନ୍ୟ ନୂତନଜାତିର ଜୀବୀଙ୍କ ଉତ୍ପତ୍ତି ମଧ୍ୟ ଅସମ୍ଭବ । ଏହାକୁ ଜୀବୀଙ୍କ ସ୍ୱତଃସ୍ଫୁର୍ତ୍ତ ଉତ୍ପତ୍ତି ସିଦ୍ଧାନ୍ତଦ୍ୱାରା ବୁଝାଇବାକୁ ଯାଇ କୁହାଯାଇଛି ଯେ, ପ୍ରତ୍ୟେକ ଜାତିର ସୃଷ୍ଟି ପୃଥକ ଏବଂ ସେମାନେ ସମ୍ପୂର୍ଣ୍ଣ ଭାବେ ଧୂଳି, ଅଳିଆ ଏବଂ ଅଜୈବ ବସ୍ତୁଠାରୁ ଉତ୍ପନ୍ନ ଓ ବିକଶିତ । ଏତଦ୍‌ଭିନ୍ନ ସ୍ୱତଃ ପ୍ରବୃତ୍ତ ଜନନ ପରେ ସେହି ଜାତି ସ୍ଥାୟୀ ଏବଂ ଅପରିବର୍ତ୍ତନୀୟ । ଅନ୍ୟ କେତେକଙ୍କ ମତରେ ଭିନ୍ନ ଗ୍ରହରୁ ଜୀବର ଉତ୍ପତ୍ତି ଘଟିଛି ।

 

ଗୀତାର ନବମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ ସୃଷ୍ଟିର ମର୍ମ ବୁଝାଇବାକୁ ଯାଇ କହିଛନ୍ତି–

 

ସର୍ବଭୁତାନି କୌନ୍ତେୟ ପ୍ରକୃତି ଯାନ୍ତି ନାମିକାମ୍‌ ।

କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୌ ବିସୃଜାମ୍ୟହମ୍‌ ।୭।

 

ହେ ଅର୍ଜ୍ଜୁନ ! ପ୍ରତି କଳ୍ପାନ୍ତରରେ ସକଳ ଜୀବୀ ମୋର ପ୍ରକୃତିରେ ପ୍ରବେଶ କରନ୍ତି ଏବଂ ପ୍ରତ୍ୟେକ କଳ୍ପ ପ୍ରାରମ୍ଭରେ ମୁଁ ସେମାନଙ୍କୁ ପୁନଶ୍ଚ ପ୍ରକାଶ କରନ୍ତି । ଏହି ପ୍ରଳୟବାଦ ମତାନୁଯାୟୀ ସମୟ ସମୟରେ ପୃଥିବୀ ପୃଷ୍ଟରେ ଘଟିଥିବା ମନ୍ୱନ୍ତରଦ୍ୱାରା ସବୁ ଜୀବର ବିନାଶ ଘଟିଥାଏ ଏବଂ ଏହି ଦୈବୀ ଦୁର୍ଘଟଣା ପରେ ନୂତନ ପ୍ରକାର ଭିନ୍ନାବୟବ ଜୀବୀମାନଙ୍କ ବିଶିଷ୍ଟ ସର୍ଜନା ହୋଇଥାଏ-

 

ମାତ୍ର ଉଦ୍ଭିଦ ଓ ପ୍ରାଣୀ ସମଷ୍ଟିର ଜ୍ଞାତ କ୍ରମନ୍ୱୟର କୌଣସି ଏକ ସନ୍ତୋଷଜନକ ଉତ୍ତର ଦେବାପାଇଁ ଦୈବୀଦୁର୍ବିପାକର ସଂଖ୍ୟା ବାସ୍ତବରେ ସଙ୍ଗତ ନୁହେଁ । ଅପର ପକ୍ଷେ କୌଣସି ମନ୍ୱନ୍ତର ସମୟରେ ଜୀବିତ ସମସ୍ତ ପ୍ରକାର ଜୀବୀଙ୍କ ଏକ ସଙ୍ଗେ ବିନଷ୍ଟ ହେବା କଥା ଏହି ମତ ସମର୍ଥନ କରିଥାଏ । ଅଥଚ ‘ଫସିଲ’ ପ୍ରମାଣ ସମୂହ, ସବୁ ଜୀବୀଙ୍କ ଏକ ସମୟରେ ସମୁଳେ ନଷ୍ଟ ହେବା ଦର୍ଶାଇ ନାହିଁ; ବରଂ ଅନ୍ୟ ଦିଗରେ ଏହା ଦର୍ଶାଇ ଥାଏ ଯେ–ପରିବର୍ତ୍ତନ କ୍ରମାଗତ ଏବଂ ଅନେକ ପର୍ଯ୍ୟାୟରେ ବିସ୍ତୃତ, ପ୍ରତ୍ୟେକ ପ୍ରକାର ଜୀବୀର ଉଦ୍ଭବ ହୋଇଥାଏ, ସେମାନେ ସ୍ତର ପରେ ସ୍ତର ବଞ୍ଚି ରହି ଥାଆନ୍ତି ଏବଂ କ୍ରମଶଃ ସେମାନଙ୍କ ସଂଖ୍ୟା ହ୍ରାସ ପାଇବାକୁ ଲାଗେ ଓ ପରିଶେଷରେ ସେମାନେ ସମୂଳେ ଲୋପ ପାଅନ୍ତି । ଯୁଗ ଯୁଗାନ୍ତରର ଏହି ସବୁ ଘଟଣା ଜୀବୀଙ୍କ ଉତ୍ପତ୍ତି, ଜୀବନ ଯାପନ ଓ କ୍ରମାନ୍ୱୟରେ ଲୋପ ପାଇବା ଏବଂ ନବଜାତ ଭିନ୍ନ ପ୍ରକାର ଜୀବୀଙ୍କ ଆଗମନାଦି–ବହୁ ବର୍ଷ ଧରି କ୍ରମାଗତ ଭାବେ ଘଟିଥିଲା ।

 

ଯୁଗାନ୍ତର ବ୍ୟାପୀ ଆଦ୍ୟ ଓ ସରଳଜୀବୀଙ୍କଠାରୁ ଅଧୁନାତନ ଏବଂ ଉନ୍ନତ ଉଦ୍ଭିଦ ଓ ପ୍ରାଣୀଗୁଡ଼ିକର କ୍ରମାନୁଗତ ବଂଶୋଦ୍ଭବ । ଏହି କ୍ରମ-ପରିବର୍ତ୍ତନ ଅତି ସୁଦକ୍ଷ ମାର୍ଗରେ ସଂଘଟିତ ହୋଇଥାଏ, ଯଦ୍ଦ୍ୱାରା ପ୍ରତ୍ୟେକ ପ୍ରରିବର୍ତ୍ତନର ସ୍ୱରୂପ, ବିଗତଠାରୁ ହିଁ ପ୍ରଭାବିତ ହୋଇଥାଏ ଏବଂ ଆସନ୍ନ ପରିବର୍ତ୍ତନର ସ୍ୱରୂପ ମଧ୍ୟ ନିରୂପିତ ହୋଇଥାଏ ।

 

ଅର୍ବାଚୀନ ଉଦ୍ଭିଦ ଓ ପ୍ରାଣୀଗୁଡ଼ିକ କିଛି ବର୍ଦ୍ଧିତ ପରିବର୍ତ୍ତନ ସହ ଅତୀତ ଜୀବୀଙ୍କଠାରୁ ବଂଶୋଦ୍ଭୂତ ହେବାର ଏହି ସୁଦକ୍ଷ ପ୍ରକ୍ରିୟା ଅବା ପ୍ରବର୍ଦ୍ଧକୁହିଁ ଜୈବିକ–ବିବର୍ତ୍ତନ କହନ୍ତି । କ୍ରମବିକାଶ ପ୍ରାୟ ସରଳ ପୂର୍ବଜଙ୍କଠାରୁ ଅତୀବ କ୍ଳିଷ୍ଟ ଧରଣର ଜୀବମାନଙ୍କର ଉଦ୍ଭବରେ ପ୍ରତିଫଳିତ ହୁଏ ଏବଂ ଏହା ପ୍ରଗତିଶୀଳ ବୋଲି ଧରି ନିଆଯାଇଥାଏ । ସମୟେ ସମୟେ କ୍ୱିଚିତ୍‌ ଜଟିଳ ଜୀବୀଙ୍କଠାରୁ ସରଳ ପ୍ରକାର ଜୀବୀଙ୍କର ମଧ୍ୟ ଉଦ୍ଭବ ହୋଇଥାଏ । ଏହିଭଳି ଅବସ୍ଥାରେ ବିବର୍ତ୍ତନକୁ ପ୍ରଗତି–ବିପରୀତ କୁହାଯାଇଥାଏ । ପୃଥିବୀର ଭୂତାତ୍ତ୍ୱିକ ଇତିହାସର ପ୍ରଥମ ଭାଗରେ ଯେଉଁ ଜୀବୀମାନଙ୍କ ପ୍ରାଚୁର୍ଯ୍ୟ ଥିଲା ସେମାନଙ୍କୁ ଆଦ୍ୟ ଏବଂ ବର୍ତ୍ତମାନର ଜୀବୀଙ୍କ ଉନ୍ନତ କୁହାଯାଇଥାଏ ।

 

ଉଦ୍‌ବର୍ତ୍ତନ ଅବା ବିବର୍ତ୍ତନର ଅର୍ଥ ହେଉଛି, କୌଣସି ବସ୍ତୁର ପୂର୍ବଠାରୁ ପ୍ରାକୃତିକ ପ୍ରକ୍ରମଦ୍ୱାରା ବିକାଶ । ଜୀବୀଙ୍କ ମଧ୍ୟରେ କ୍ରମବିକାଶ ଘଟିଛି; ଘଟୁଛି ଏବଂ ଘଟୁଥିବ । ଅବଶ୍ୟ ସୃଷ୍ଟିର ଏତାଦୃଶ କ୍ରମବିକାଶ ଧାରାକୁ କେହି ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ପ୍ରମାଣିତ କରି ପାରିବେ ନାହିଁ-। କ୍ରମବିକାଶ ଅବା ବିବର୍ତ୍ତନ ହେଉଛି ଏକ ଧୀର–ମନ୍ଥର ପ୍ରକ୍ରିୟା । ବିବର୍ତ୍ତନର ପଦ୍ଧତିକୁ ଘଡ଼ିର ମନ୍ଥର ଗତିରେ ଚାଲୁଥିବା ଘଣ୍ଟାକଣ୍ଟାର ଗତି ସହିତ ତୁଳନା କରାଯାଇପାରେ । ଗୋଟିଏ ଜୀବୀ ଯାହାର ଆୟୁ ମାତ୍ର ଏକ ସେକେଣ୍ତ, ସେ ଘଣ୍ଟାକଣ୍ଟାର ଗତିକୁ ଅନୁଭବ କରିପାରିବ ନାହିଁ । ଠିକ୍‌ ସେହିଭଳି ବିବର୍ତ୍ତନର ପ୍ରକ୍ରମ ଲକ୍ଷ୍ୟ କରିପାରିବା ଗୋଟିଏ ମଣିଷର ଜୀବନକାଳ ମଧ୍ୟରେ ଅସମ୍ଭବ । କାରଣ ଜୀବୀଙ୍କ କ୍ରମବିକାଶ ଯୁଗ ଯୁଗ ଧରି ଚାଲିଥାଏ ଓ ଚାଲିଛି ମଧ୍ୟ, ସୁତରାଂ ଏହି ଦୀର୍ଘ କାଳ ମଧ୍ୟରେ ମଣିଷର ଅବସ୍ଥା ସେହି ସେକେଣ୍ତ-କଣ୍ଟା ବ୍ୟତୀତ ଅନ୍ୟ କିଛି ନୁହେଁ । ପ୍ରାଚୀନ ଧର୍ମଗ୍ରନ୍ଥ ଗୁଡ଼ିକରେ ମଧ୍ୟ ପ୍ରକୃତିର ଏହି ସାବଲୀଳ ସ୍ୱତଃ–ପ୍ରକ୍ରିୟାର ଉଲ୍ଲେଖ ରହିଛି । ଦଶାବତାର ବର୍ଣ୍ଣିତ ଘଟଣାବଳୀ ଏହାର ଅନ୍ୟ ଏକ ଉଦାହରଣ ।

 

***

 

Unknown

ରାଜକବି ବ୍ରଜରାଜ ସିଂହଦେବଙ୍କ ସାହିତ୍ୟକୃତିର ଏକ ବିହଙ୍ଗାବଲୋକନ

ଶ୍ରୀ ପରଶୁରାମ ମୁଣ୍ତ

 

ଅତ୍ୟନ୍ତ ଆନନ୍ଦର କଥା ଯେ, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସଙ୍ଗୀତ ଏକାଡ଼େମୀ ଆନୁକୂଲ୍ୟରେ ଏହି ମନନୀୟ ସାଂସ୍କୃତିକ ମହୋତ୍ସବ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଖଡ଼ିଆଳଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର କଳାହାଣ୍ତି ଜିଲ୍ଲା ପକ୍ଷରେ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଏଥିଲାଗି ମୁଁ ଆଜି ସାଂସ୍କୃତିକ ବ୍ୟାପାର ବିଭାଗର ମାନ୍ୟବର ମନ୍ତ୍ରୀ ମହୋଦୟ ତଥା ଉକ୍ତ ବିଭାଗର ଶାସନ ସଚିବ ଶ୍ରୀ ଏ. ଏନ୍‌. ତେଓ୍ୱାରି, ଆଇ. ଏ. ଏସ୍‌. ତଥା ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସଙ୍ଗୀତ ଏକାଡ଼େମୀର କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରୁଛି ।

 

ସ୍ନ ୧୯୫୦ ମସିହାର କଥା । ଭବାନୀପାଟଣାର ଏକ ସାଂଧ୍ୟ ସାହିତ୍ୟ ଆସରରେ ଜଣେ ବନ୍ଧୁ ମୋ ହାତକୁ ଖଣ୍ତିଏ ବହି ବଢ଼ାଇ ଦେଲେ । ବହିଟିର ନାମ ଊର୍ମି, ଲେଖକ ଶ୍ରୀ ଅନୁପସିଂହ ଦେବ । ମୁଁ ଚମକି ପଡ଼ିଲି । ଅନୁପସିଂହଦେବଙ୍କୁ ମୁଁ ଖଡ଼ିଆଳର ରାଜପୁତ୍ର ତଥା ଶାସକ ଓ କଳାହାଣ୍ତି ରାଜବଂଶର ଜାମାତାରୂପେ ଚିହ୍ନିଥିଲି, ମାତ୍ର ସେ ଯେ ଜଣେ ଉଚ୍ଚକୋଟୀର କବି ତାହା ମୁଁ ଜାଣି ନ ଥିଲି । ମୁଁ ଏ ବହିଟିର ‘ଉତ୍ସର୍ଗ’ କବିତାଟିକୁ ହିଁ ପ୍ରଥମେ ପାଠ କରି ତନ୍ମୟ ହୋଇଗଲି । ଏ କବିତାଟି ଏତେ ପ୍ରାଣସ୍ପର୍ଶୀ ହୋଇଥିଲା ଯେ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏ ବହିଟିର ସ୍ୱାଗତିକା ଲେଖିକା ବେଳେ ଭାବାବେଗରେ ଉଦ୍‌ବେଳିତ ହୋଇଯାଇଥିଲେ । ସମସ୍ତ ବହିଟି ମୁଁ ଏକ ନିଃଶ୍ୱାସରେ ପଢ଼ିଗଲା ବେଳେ ମୋର ମନେ ହେଲା ଯେ, ମୁଁ ହୁଏତ ଏକ ସୁରଭିତ ପୁଷ୍ପୋଦ୍ୟାନରେ ବିଚରଣ କରୁଛି ।

 

ହଠାତ୍‌ ମୋ ମନରେ ଏହି ପ୍ରଶ୍ନ ଉଦିତ ହେଲା ଯେ, ଶ୍ରୀ ଅନୁପସିଂହଦେବ ଏହି ଅନନ୍ୟ ସାହିତ୍ୟିକ ପ୍ରତିଭା ପାଇଲେ କେଉଁଠାରୁ ? ଅବଶ୍ୟ ବାଗ୍‌ଦେବୀ ବୀଣାପାଣି ଯାହାର ଅନ୍ତରରେ ସ୍ଫୁର୍ତ୍ତ ହୋଇଥାନ୍ତି ସେ ତ ଲେଖନୀ ଚାଳନା କରିପାରେ, ମାତ୍ର ପିତୃପିତାମହଗଣଙ୍କ ଅନ୍ତରରେ ଏଭଳି ପୂର୍ବପ୍ରତିଭା ନଥିଲେ :

 

କିଏ ସେହି ବିଶ୍ୱସ୍ରଷ୍ଟା ଯାହାର ଆଦେଶେ

ହସି ଉଠେ ଶରତର ସୁରମ୍ୟ ସକାଳ ।

କାନ୍ଦେ ପୁଣି କୃଷ୍ଣନିଶି ଆଷାଢ଼ ବତାସେ

ନୀରବ ଧରଣୀ ବୁକେ ଢାଳି ଅଶ୍ରୁଜଳ ।

 

ରାତିର ଅଳସ ସ୍ୱପ୍ନ ଭାଙ୍ଗି ତାର ଗାନ ।

ଉଠଇ ଶିହରି ଯେବେ ଦୂରବନପାରେ ।

ବଂଶୀରନ୍ଧ୍ରେ କିପାଁ ମୋର ଛୁଟିଯାଏ ତାନ

 

ଅଧୀର ସେ ଶୂନ୍ୟ ନଭେ ଖୋଜେ ପୁଣି କାରେ ......ଭଳି ଅତି ଉଚ୍ଚକୋଟୀର ମହନୀୟ ଭାବନା ସୃଷ୍ଟି ହୁଅନ୍ତା କିପରି । ପୂର୍ବପୁରୁଷଗଣଙ୍କର ସମୁଜ୍ଜ୍ୱଳ ପ୍ରତିଭାର ଉତ୍ତମ-ପୁରୁଷମାନଙ୍କର ଅନ୍ତରକୁ ସମୁଜ୍ଜ୍ୱଳ କରିଥିବା କଥା ଓଡ଼ିଶା ସାହିତ୍ୟ କ୍ଷେତ୍ରରେ ବିରଳ ନୁହେଁ ।

 

ଥରେ ଗଙ୍ଗାଧର ଗ୍ରନ୍ଥାବଳୀ ଆମୂଳଚୂଳ ପାଠ କରୁ କରୁ ଯେତେବେଳେ ‘ଉତ୍କଳ ଲକ୍ଷ୍ମୀ’ରେ ପହଞ୍ଚିଲି ଅକସ୍ମାତ୍‌ ପଢ଼ିବାକୁ ପାଇଲି :

 

ଅଲକ୍ଷ୍ୟରେ ତେଲ             ଥାଇ ନ ପାଇଲା

ଲାସ୍ୟ ବିଳାସିନୀ ଯଶ,

କିନ୍ତୁ ହୃଦୟରେ             ବହୁଥିଲା ତାର

ମଧୁର ସଙ୍ଗୀତ ରସ ।

 

ଖଡ଼ିଆଳ ପତି             ବ୍ରଜରାଜଙ୍କର

ସଙ୍ଗୀତ ଲଳିତ ରାଗେ

ଗାଉଥିଲା ବେନି             କଲ୍ଲୋଲିନୀ ତେଲ

ଚିତ୍ରୋତ୍ପଳା ପଛଭାଗେ ।

 

ଖଡ଼ିଆଳ ବନ             କୁସୁମ ସ୍ତବକେ

ଶୋଭୁଥିଲା ତାଙ୍କ ଖୋଷା,

ଜନମନ ଟାଣି             ନେଉଥିଲେ ଫୁଲ–

ବାସେ ସେହି ବନ-ଯୋଷା ।

 

‘ଉତ୍କଳ ଲକ୍ଷ୍ମୀ’ର ଏହି ଉକ୍ତିରୁ ‘ବ୍ରଜରାଜ ଦେବ’ ନାମକ ଜଣେ ରାଜକବି ଖଡ଼ିଆଳରେ ଥିଲେ–ଏ କଥା ଯେତେବେଳେ ମୁଁ ଜାଣିବାକୁ ପାଇଲି; ସାହିତ୍ୟିକ ବନ୍ଧୁ ଅନୁପସିଂହଦେବଙ୍କ କବିତାବଳୀ ପାଠବେଳେ ମୁଁ ଯେଉଁ କଳ୍ପନା କରୁଥିଲି, ତାହା ଏକାନ୍ତ ସତ୍ୟ ।

 

ଦୁଃଖର କଥା, ୧୯୩୬ ସାଲରୁ ଖଡ଼ିଆଳର ମିଶ୍ରଣ ଓଡ଼ିଶା ସହିତ ହୋଇ ଯାଇଥିଲେ ମଧ୍ୟ ଓ ତତ୍ପରେ ଖଡ଼ିଆଳ କଳାହାଣ୍ତି ଜିଲାର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହି ଦିନମାନଙ୍କରେ ଖଡ଼ିଆଳ ସହିତ ଭବାନୀପାଟଣାର ବିଶେଷ ଯୋଗାଯୋଗ ସମ୍ପର୍କ ନ ଥିଲା । ଦୀର୍ଘପଥ ଚାଲି ଚାଲି ଅଥବା ଶକଟପୃଷ୍ଠରେ ଆରୋହଣ କରି ଆସିବାକୁ ପଡ଼ୁଥିବାରୁ ଖଡ଼ିଆଳ ସହିତ ମୋଗଲବନ୍ଦୀର ସମ୍ପର୍କ ତେଣେ ଥାଉ, ନିକଟବର୍ତ୍ତୀ ଅଞ୍ଚଳମାନଙ୍କ ସହିତ ମଧ୍ୟ ବିଶେଷ ସମ୍ପର୍କ ନଥିଲା । ଏଣୁ ତଦାନୀନ୍ତନ ଖଡ଼ିଆଳରେ ପ୍ରବାହିତ ହେଉଥିବା ସାହିତ୍ୟର ମଳୟ ହିଲ୍ଲୋଳ ଅନେକ ଦିନ ଧରି ଆମ୍ଭମାନଙ୍କର ହୃଦୟକୁ ଆଲୋଡ଼ନ କରି ପାରି ନ ଥିଲା ।

 

ମାତ୍ର ସାରସ୍ୱତ ପୂତ ପ୍ରତିଭା ଆଉ କେତେ ଦିନ ସଂଗୁପ୍ତ ରହିପାରେ ! ଧୀରେ ଧୀରେ ଏହାର ସୁଗନ୍ଧ ଚତୁର୍ଦ୍ଦିଗରେ ପ୍ରବାହିତ ହେଲା । ଶ୍ରୀ ଅନୁପସିଂହଦେବଙ୍କର ଊର୍ମି ପଛେ ପଛେ ମୂର୍ଚ୍ଛନା, ଲତିକା, ଆରତି ପ୍ରକାଶିତ ହେଲା । ତା’ ପରେ ଶିବନାରାୟଣ ଦେବଙ୍କର ଜାତି ଜାତି ଫୁଲ ବାମଣ୍ତାଧୀଶ୍ୱର ଶ୍ରୀ ଭାନୁଗଙ୍ଗ ଦେବଙ୍କଦ୍ୱାରା ସ୍ନ ୧୯୫୨ରେ ପ୍ରକାଶିତ ହେଲା ଓ ‘ବୀରବର ରଚନାବଳୀ’ ନାମରେ ବୀରବର ଦେବଙ୍କର ସାହିତ୍ୟକୃତିମାନ ଖଡ଼ିଆଳ ସାହିତ୍ୟସମିତି ଆନୁକୂଲ୍ୟରେ ଖଡ଼ିଆଳ କୁସୁମର ପ୍ରଥମାର୍ଦ୍ଧରେ ପ୍ରକାଶିତ ହେଲା । ଏହାପରେ ଖଡ଼ିଆଳ କୁସୁମର ଦ୍ୱିତୀୟାର୍ଦ୍ଧ ‘ଗୀତି ମଞ୍ଜୁଷା’ ନାମରେ ସେହି ଖଡ଼ିଆଳ ସାହିତ୍ୟ ସମିତିଦ୍ୱାରା ସ୍ନ ୧୯୫୫ରେ ପ୍ରକାଶିତ ହେଲା । ଶ୍ରୀ ରୁଦ୍ରମାଧବ ଦେବ ଓ ଶ୍ରୀ ପ୍ରୟାଗଦତ୍ତ ଯୋଷିଙ୍କ ସମ୍ପାଦନାରେ ଏହି ପୁସ୍ତକମାନ ସମ୍ପାଦିତ ହୋଇ ବିଶେଷ ଜନପ୍ରିୟତା ଲାଭ କଲା ।

 

ଅତ୍ୟନ୍ତ ଆନନ୍ଦ ଆଉ ସୌଭାଗ୍ୟର କଥା ଯେ, ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ନାମରେ ନାମିତ ରାଜକବି ବ୍ରଜରାଜ ସିଂହଦେବଙ୍କ ରଚିତ ଆଠୋଟି ସାହିତ୍ୟିକ ମହାନ୍‌କୃତୀ ୧୯୭୫ ମସିହାରେ ରାଜ୍ୟପର୍ଯ୍ୟଟନ ଓ ସାଂସ୍କୃତିକ ବିଭାଗ ନିର୍ଦ୍ଦେଶାଳୟ, ଭୁବନେଶ୍ୱରରୁ ଅଧ୍ୟାପକ ଶ୍ରୀ ଗୌରୀକୁମାର ବ୍ରହ୍ମା ଓ ଶ୍ରୀ ଭଗବାନ ପଣ୍ତାଙ୍କ ସମ୍ପାଦନାରେ ସମ୍ପାଦିତ ହୋଇ ଖଡ଼ିଆଳ ରାଜବଂଶର ସାହିତ୍ୟିକ ପ୍ରତିଭାକୁ ସମ୍ପୂର୍ଣ୍ଣ ମୁକ୍ତ କରିଦେଲା । ଏହି ଶୁଭ ମୁକ୍ତି ଲାଗି ମୁଁ ସାସ୍କୃଂତିକ ବ୍ୟାପାର ବିଭାଗର ନିର୍ଦ୍ଦେଶକ ଏବଂ ଶାସନ ସଚିବ ଶ୍ରୀ ଏ. ଏନ୍‌. ତେଓ୍ୱାରିଙ୍କୁ ଆନ୍ତରିକ ଅଭିନନ୍ଦନ ଜ୍ଞାପନ କରୁଛି । କାରଣ ସେ ଅକ୍ଳାନ୍ତ ପରିଶ୍ରମକରି ସମସ୍ତ ଗ୍ରନ୍ଥଟିର ପୁନରୁଦ୍ଧାର କରି ମାନନୀୟ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ପ୍ରକାଶ କରି ଏକ ମହାନ୍‌ ଲୁପ୍ତରତ୍ନର ସମୁଦ୍ଧାର କରିଛନ୍ତି । ଏହାଦ୍ୱାରା ମୋର ସମ୍ମାନିତବନ୍ଧୁ ଶ୍ରୀ ତେଓ୍ୱାରି ଖଡ଼ିଆଳର ସୁପ୍ରତିଷ୍ଠିତ ତେଓ୍ୱାରି ବଂଶର ସୁପୁତ୍ରରୂପେ ତଥା ସମଗ୍ର କଳାହାଣ୍ତି ଜିଲାର ବରପୁତ୍ରରୂପେ ଅବଶ୍ୟ ସମ୍ମାନିତ ଓ ସମ୍ବର୍ଦ୍ଧିତ ହେବେ । ତାଙ୍କପରେ ବର୍ତ୍ତମାନ ରାଜା ସାହେବଙ୍କ ସୁପୁତ୍ର ଐତିହାସିକ ଶ୍ରୀ ଜିତା ମିତ୍ର ପ୍ରସାଦ ସିଂହଦେବଙ୍କ ପ୍ରଗାଢ଼ ନିଷ୍ଠା ଓ ଅଧ୍ୟବସାୟ ଯେ, ଏହି ମହାନ୍‌ ଗ୍ରନ୍ଥର ପ୍ରକାଶନ ଦିଗରେ ଅତ୍ୟନ୍ତ ସହାୟକ ହୋଇଛି–ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ବ୍ରଜରାଜ ସିଂହଦେବ ଅଥବା ତାଙ୍କ ନାତି ଶ୍ରୀ ଅନୁପସିଂହଦେବ ଯେ କେବଳ ସାହିତ୍ୟିକ ପ୍ରତିଭାମଣ୍ତିତ ତାହା ନୁହେ, ଏହି ସାରସ୍ୱତ ପ୍ରତିଭା ଯେପରି ଏହି ମହାନ୍‌ ରାଜବଂଶର ପାରଂପରିକ ଓ କୁଳାନୁଗତ, ବ୍ରଜରାଜ ସିଂହଦେବଙ୍କ ପିତା ଓ ପ୍ରପିତାମହମାନେ ମଧ୍ୟ ଉଚ୍ଚକୋଟିର କବି ଥିଲେ-। କବି ବ୍ରଜରାଜ ଦେବଙ୍କର ପିତାମହ ରତନ ସିଂହଙ୍କର ସାତୋଟି ଗୀତି କବିତା ସଂକଳିତ ହୋଇ ଖଡ଼ିଆଳ କୁସୁମର ଗୀତି ମଞ୍ଜୁଷାରେ ପ୍ରକାଶିତ ହୋଇଛି । ଏହି ଗୀତିମଞ୍ଜୁଷା ଏହି ମହାନ୍‌ବଂଶର କୃଷ୍ଣ ଚନ୍ଦ୍ର ସିଂହଦେବ, ପଦ୍ମନ ସିଂହଦେବ, ବୀରବିକ୍ରମ ସିଂହଦେବ, ଶିବନାରାୟଣ ଦେବ, ଆର୍ତ୍ତତ୍ରାଣ ଦେବ, ଶିବନାରାୟଣଙ୍କ ପୁତ୍ର ରୁଦ୍ରମାଧବ ଦେବ ଓ ଅନୁପସିଂହଦେବ ଆଦି ରାଜପୁତ୍ରମାନଙ୍କର ରଚନାବଳୀଦ୍ୱାରା ସମୁଜ୍ଜ୍ୱଳ ହୋଇଛି । ଏହି ବଂଶର ରୁଦ୍ରମାଧବ ସିଂହଦେବ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ଭାଷାରେ ପ୍ରବୀଣ ଥିବା ହେତୁ ଗ୍ରେସ୍‌ ଏଲିଜି, ଓମାର ଖାୟାମ୍‌, କର୍ଣ୍ଣାର୍ଜ୍ଜୁନ, ପରପାରେ, ପାଷାଣୀ, ନରନାରାୟଣ, ଦୁର୍ଗାସ୍ତବ, ଆତ୍ମଦର୍ଶନ ଆଦି ନାଟକ ଓ ସାହିତ୍ୟକୃତିମାନଙ୍କର ଅନୁବାଦ କରିଥିଲେ । ଚନ୍ଦ୍ରଭାନୁ ଦେବଙ୍କର ମଧ୍ୟ ବାରଟି କବିତା ଗୀତି ମଞ୍ଜୁଷାରେ ପ୍ରକାଶିତ ହୋଇଛି ଓ ବୀରବର ସିଂହ ନିନାଙ୍କର ସ୍ୱତନ୍ତ୍ର ଗ୍ରନ୍ଥ ବୀରବର ରଚନାବଳୀ ନାମରେ ଖଡ଼ିଆଳ କୁସୁମର ପ୍ରଥମ ଭାଗରେ ପ୍ରକାଶିତ ହୋଇଛି । ଏହି ବଂଶର ବୀରବିକ୍ରମ ସିଂହଦେବ ଜଣେ ଉଚ୍ଚକୋଟିର ନାଟ୍ୟକାର ଥିଲେ । ତାଙ୍କର କୁସୁମ ସୁନ୍ଦରୀ, ବାଲ୍ୟବିବାହ, ବୃଦ୍ଧବିବାହ, ବ୍ୟଭିଚାର ଦୋଷ ପ୍ରଦର୍ଶନ, ସୁହାସିନୀ ପ୍ରହସନ, ଉତ୍କଳ ଦୁର୍ଦ୍ଦଶା, ଅମ୍ବିକା ଦେବୀ, ପ୍ରେମଲତା ଆଦି ନାଟକମାନ ଓଡ଼ିଶା ନାଟ୍ୟ ସାହିତ୍ୟରେ ଦିନେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହାଙ୍କର ପତ୍ନୀ ଶ୍ରୀମତୀ ଡୋଳାମଣି ଦେବୀ ‘ନାରୀସ୍ୱାତନ୍ତ୍ର୍ୟ’ ନାଟକ ଲେଖି ଯଶସ୍ୱିନୀ ହୋଇଛନ୍ତି-

 

ଏହି ପରିପ୍ରେକ୍ଷୀରୁ ଜଣାଯାଏ ଯେ, ଏହି ରାଜବଂଶ ପ୍ରତି ବୀଣାପାଣି ସରସ୍ୱତୀଙ୍କର ଅସୀମ କରୁଣା ଚିର ପ୍ରବହମାନା ହୋଇ ରହି ଯାଇଛି । ଅନୁପ ସିଂହଦେବଙ୍କ ପୁତ୍ର ଶ୍ରୀ ଜିତାମିତ୍ର ପ୍ରସାଦ ସିଂହଦେବ ବୟସରେ ନିତାନ୍ତ ତରୁଣ ହେଲେହେଁ ଇତିହାସର ଏକନିଷ୍ଠ ସାଧକ ଓ ପ୍ରତ୍ନତାତ୍ତ୍ୱିକ ଭାବେ ଏବେ ଓଡ଼ିଶାରେ ଓ ଓଡ଼ିଶା ବାହାରେ ସୁପରିଚିତ ହୋଇ ସାରିଛନ୍ତି ।

 

ଖଡ଼ିଆଳ ରାଜବଂଶର ସାରସ୍ୱତ ପ୍ରତିଭାବନ୍ତ ରାଜପୁରୁଷମାନଙ୍କର ସାହିତ୍ୟ ପ୍ରତିଭାର ସାମାନ୍ୟତମ ସୂଚନା ଦେଲା ପରେ ମୁଁ ଏବେ ମୋର ଆଲୋଚ୍ୟ ରାଜକବି ବ୍ରଜରାଜ ସିଂହଦେବଙ୍କର ସାମାନ୍ୟ ପରିଚୟ ପ୍ରଦାନ କରୁଛି ।

 

କବି ବ୍ରଜରାଜ ସିଂହଦେବ ଇତିହାସ ପ୍ରସିଦ୍ଧ ପୃଥ୍ୱୀରାଜ ଚୌହାନଙ୍କ ବଂଶଧର ଅଟନ୍ତି । ସାହାବୁଦ୍ଦିନ୍‌ ଘୋରୀଙ୍କ ସହିତ ଯୁଦ୍ଧରେ ଚୌହାନ ବଂଶର ସମସ୍ତ ରାଜପୁତ୍ରଙ୍କର ବୀରଗତି ପ୍ରାପ୍ତ ହୁଅନ୍ତେ ପୃଥ୍ୱୀରାଜଙ୍କ ଏକପୁତ୍ର ହଟ୍ଟହମିର ଦେବଙ୍କ ପତ୍ନୀ ଆଶାବତୀଙ୍କୁ ନେଇ ତାଙ୍କ ଅନୁଚରମାନେ ଅରଣ୍ୟ ପ୍ରଦେଶକୁ ପଳାୟନ କଲେ । ସେତେବେଳେ ଆଶାବତୀ ଦେବୀ ଅନ୍ତଃସତ୍ତ୍ୱା ଥିଲେ । ଏହି ଗର୍ଭସମ୍ଭୂତ ସମାଇ ଦେବ ଓ ତାଙ୍କର ବଂଶଧରମାନେ ପାଟଣା, ଖଡ଼ିଆଳ, ସୋନପୁର, ସମ୍ବଲପୁର ଓ ବରପାଲିଆଦି ସ୍ଥାନରେ ରାଜତ୍ୱ କଲେ । ପାଟଣା ରାଜ୍ୟାଧୀଶ୍ୱର ପ୍ରତାପରୁଦ୍ରଦେବଙ୍କ ପୁତ୍ର ଗୋପାଳ ରାୟଦେବ ଖଡ଼ିଆଳ ଅଞ୍ଚଳକୁ ଭାଇଭାଗ ପାଇ ୧୫୯୦ ଖ୍ରୀ: ଅ: ରେ ଆସି ରାଜତ୍ୱ କଲେ । ଏହି ବଂଶର ପ୍ରତାପରୂଦ୍ର ଦେବ ୧୭୯୩ ରୁ ୧୮୮୮ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ବିଷ୍ଣୁଗର୍ଭ ପୁରାଣ ଓ ନିର୍ଗୁଣ ମାହାତ୍ମ୍ୟର ରଚୟିତା ଶ୍ରୀଚୈତନ୍ୟ ଦାସଙ୍କୁ ବଡ଼ମୂଳା ଗ୍ରାମରେ ଭୂବୃତ୍ତି ପ୍ରଦାନ କରିଥିଲେ । ଏହି ବଂଶର ରତନ ସିଂହଦେବଙ୍କର ପାଞ୍ଚ ପୁତ୍ରଥିଲେ । ଜ୍ୟେଷ୍ଠପୁତ୍ର କୃଷ୍ଣଚନ୍ଦ୍ର ଦେବ ସିଂହାସନରେ ବସିଲେ । ଏହାଙ୍କର ଦ୍ୱିତୀୟ ଭ୍ରାତା ପଦ୍ମନ ସିଂହଦେବ ତଦାନୀନ୍ତନ କଳାହାଣ୍ତିସ୍ଥିତ ମଦନପୁର–ରାମପୁର ନିବାସୀ ରାଜ ବଂଶୀୟ ଆନନ୍ଦ ନିନାଙ୍କ କନ୍ୟା ରତ୍ନାବତୀଙ୍କୁ ବିବାହ କରିଥିଲେ । ତାଙ୍କ ଗର୍ଭରୁ ୧୮୫୧ ଖ୍ରୀ: ଅ: ରେ ମାଘ ଶୁକ୍ଳପଞ୍ଚମୀ ଅର୍ଥାତ୍‌ ଭଗବତୀ ବୀଣାପାଣିଙ୍କ ପୂଜୋତ୍ସବ ଦିନ ବ୍ରଜରାଜ ସିଂହଦେବ ଭୂମିଷ୍ଠ ହେଲେ । ଜ୍ୟେଷ୍ଠଭ୍ରାତା କୃଷ୍ଣଚନ୍ଦ୍ର ଦେବଙ୍କ ସହିତ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ସେ ରାଜ୍ୟରୁ ନିଷ୍କାସିତ ହେଲେ । ଏଣୁ ସେ କଳାହାଣ୍ତିର ରାଜଧାନୀ ଜୁନାଗଡ଼ରେ ଉପସ୍ଥିତ ହୋଇ ତଦାନୀନ୍ତନ ମହାରାଜା ଉଦିତ ପ୍ରତାପଦେବଙ୍କ ଆଶ୍ରୟ ଲାଭକଲେ । ବ୍ରଜରାଜ ଦେବଙ୍କ ଉପନୟନ କର୍ମ ଜୁନାଗଡ଼ରେ, ତାଙ୍କର ନବମ ବର୍ଷ ବୟସରେ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଜୁନାଗଡ଼ରେ ସୁପ୍ରତିଷ୍ଠିତ ଗୋଟିଏ ସଂସ୍କୃତ ଟୋଲ ଥିଲା । ସେଠାରେ ସୁଯୋଗ୍ୟ ପଣ୍ତିତମାନଙ୍କ ତତ୍ତ୍ୱାବଧାନରେ ବାଳକ ବ୍ରଜରାଜଦେବ ଓଡ଼ିଆ ଓ ସଂସ୍କୃତ ଭାଷା ଶିକ୍ଷା କଲେ । ଏତେବେଳେ ସେ ବେଦ, ଉପନିଷଦ, ନାଟକ, କାବ୍ୟ, ଜ୍ୟୋତିଷ, ଆୟୁର୍ବେଦ ଆଦି ମଧ୍ୟ ଶିକ୍ଷାକରି ସମସ୍ତବିଦ୍ୟାରେ ଧୁରନ୍ଧର ହୋଇ ଉଠିଲେ।

 

୧୮୬୭ ଖ୍ରୀ:ଅ:ରେ ପିତୃବ୍ୟ କୃଷ୍ଣଚନ୍ଦ୍ର ଦେବ ଅପୁତ୍ରିକ ଭାବେ ପରଲୋକପ୍ରାପ୍ତ ହେବାରୁ ରାଜ୍ୟବାସୀ ଜନସାଧାରଣ ପଦ୍ମନ ସିଂହଙ୍କୁ ନିମନ୍ତ୍ରଣ କରି ଆଣି ଖଡ଼ିଆଳ ରାଜସିଂହାସନ ପ୍ରଦାନକଲେ । ପଦ୍ମନ ସିଂହ ୧୮୮୯ ପର୍ଯ୍ୟନ୍ତ ରାଜତ୍ୱକଲେ । ୧୮୭୨ ସାଲରେ ସେ ବ୍ରଜରାଜ ଦେବଙ୍କୁ ଯୌବରାଜ୍ୟ ପ୍ରଦାନ କରିଥିଲେ । ୧୮୮୯ରେ ପିତାଙ୍କ ସ୍ୱର୍ଗପ୍ରାପ୍ତି ଘଟିବାରୁ ସେ ରାଜସିଂହାସନ ଆରୋହଣ କଲେ ।

 

ରାଜକବି ବ୍ରଜରାଜ ଦେବଙ୍କ ସାହିତ୍ୟକୃତିମାନଙ୍କରୁ ଜଣାପଡ଼େ ଯେ, ସେ ୧୮୮୩ ରୁ ୧୮୮୭ ମଧ୍ୟରେହିଁ ସମସ୍ତ ସାହିତ୍ୟକୃତି ରଚନା କରିଛନ୍ତି । ଏତେବେଳେ ସେ ଯୁବରାଜ ଥିଲେ, ଏଣୁ ଭଣିତାମାନଙ୍କରେ ସେ ନିଜକୁ ଯୁବରାଜ ବୋଲି ଉଲ୍ଲେଖ କରିଅଛନ୍ତି । ତାଙ୍କର ‘ବ୍ରଜବଧୂ–ବିଳାସ’ କାବ୍ୟରେ–

 

ବିପଦନାଶନ ବାନା ଯା’ର ଧନ୍ୟ ସନ୍ତତ ଶୁଭଇ

ବ୍ରଜରାଜ ସିଂହ ଯୁବରାଜ ଦେହ ପୁଲକ ହୁଅଇ ।

 

ସେହିପରି ‘ଶୋଭା ବଲ୍ଲରୀ କାବ୍ୟରେ ଉଲ୍ଲେଖ ଅଛି :

 

ହେ ପ୍ରଭୁ, ବୃନ୍ଦାବନ ନଭନିଶୀଶ

ଯେଉଁ ପଦେ ଦଳିଲା କାଳୀୟ ବଂଶ ଯେ

ଶ୍ରୀ ବ୍ରଜରାଜ ସିଂହ ଯୁବନରେଶ

ବୋଲେ ସେ ପାଦେ ରହୁ ମୋର ମାନସ ଯେ

 

ସେହିପରି ‘ରତ୍ନପ୍ରଭା’ କାବ୍ୟରେ ଲିଖିତ ଅଛି :

 

ଏ ଘୋର କଷଣ ଅଟଇ ଦୂଷଣ ବିଭୂତି ଭୂଷଣ ଦିଗମ୍ବର

ଅଙ୍ଗେ ଗନ୍ଧସାର ଶୋଭା ପୀତାମ୍ବର ବିପଦ ହରଣେ ଧୁରନ୍ଧର,

ତାଙ୍କ ପଦ ଯୁଗକଞ୍ଜା ମଧୁରେ ମଧୁପ ହୋଇ

ଶ୍ରୀବରଜରାଜ ସିଂହ ଯୁବରାଜ ପାନକରି ନିତ୍ୟେ ଅଛି ରହି ।

 

ରାଜ ସିଂହାସନ ଆରୋହଣ କଲାପରେ କବି ଅତ୍ୟନ୍ତ କର୍ମବ୍ୟସ୍ତ ହୋଇ ପଡ଼ିଲେ । ରାଜକାର୍ଯ୍ୟର ସୁଶୃଙ୍ଖଳ ପରିଚାଳନା ମଧ୍ୟରେ ଆବନ୍ଧ ରହି ସେ ଆଉ ଲେଖାଲେଖି କରି ନ ପାରିଲେ ମଧ୍ୟ ସାହିତ୍ୟ ଚର୍ଚ୍ଚା ଓ ସାହିତ୍ୟ ଆସରରୁ ନିବୃତ୍ତ ହୋଇ ନ ଥିଲେ । ଏତେବେଳେ ସେ ସଂସ୍କୃତ ସତ୍ୟନାରାୟଣ ବ୍ରତକଥାର ଓଡ଼ିଆ ଅନୁବାଦ ନବାକ୍ଷରୀ ରାଗରେ ସମ୍ପନ୍ନ କରିଥିଲେ ।

 

କବି ବ୍ରଜରାକ ସିଂହଦେବ ୧୮୮୩ ରୁ ୧୮୮୭ ମଧ୍ୟରେ ଅର୍ଥାତ୍‌ ସର୍ବମୋଟ ଚାରି ପାଞ୍ଚବର୍ଷ ମଧ୍ୟରେ ଯେଉଁ କାବ୍ୟକୃତିମାନ ରଚନା କରି ଯାଇଛନ୍ତି, ତାହା ଅନୁଧ୍ୟାନ କଲେ ବିସ୍ମିତ ହେବାକୁ ହୁଏ । ଏହା ଯେପରି ଅଦ୍ଭୁତ, ସେହିପରି ଅଲୌକିକ ପ୍ରତିଭାର ପରିଚାୟକ, ତାହା ନ ହେଲେ ନାନାପ୍ରକାରର କାବ୍ୟକୃତି ଛାନ୍ଦ, ଯମକ, ଅନୁପ୍ରାସ, ବନ୍ଧଆଦି ମଣ୍ତିତ ହୋଇ କିପରି ପ୍ରକଟିତ ହୋଇ ପାରନ୍ତା ?

 

କବି ବ୍ରଜରାଜଙ୍କ ଏ ଯାବତ୍‌ ସଂକଳିତ ଓ ପ୍ରକାଶିତ ସାହିତ୍ୟକୃତି, ଯାହାକି ବ୍ରଜରାଜ ଗ୍ରନ୍ଥାବଳୀ ନାମରେ ନାମିତ ହୋଇଛି, ସେଥିରେ ସର୍ବମୋଟ ଆଠଗୋଟି ରଚନା ସମାବିଷ୍ଟ ହୋଇଛି । ସମସ୍ତ ଗ୍ରନ୍ଥମାଳାର ପୃଷ୍ଠସଂଖ୍ୟା ୩୯୫ । ପ୍ରକାଶିତ ଗ୍ରନ୍ଥଗୁଡ଼ିକର ନାମ :

 

୧.

ବ୍ରଜବଧୂବିଳାସ କାବ୍ୟ

୨.

ଶୋଭାବଲ୍ଲରୀ କାବ୍ୟ

୩.

ରତ୍ନପ୍ରଭା କାବ୍ୟ

୪.

ରୂପମଞ୍ଜରୀ, କାବ୍ୟ

୫.

ଚଉତିଶା କ୍ରୟ ଚଉତିଶା

୬.

ସଙ୍ଗୀତ ଗୁଚ୍ଛ

୭.

ସତ୍ୟନାରାୟଣ ବ୍ରତକଥା, ପୌରାଣିକ ବ୍ରତ ।

୮.

ପ୍ରବନ୍ଧ ଚିତ୍ରକାବ୍ୟ, ବନ୍ଧ ସମନ୍ୱିତ କାବ୍ୟ ।

 

କବିଙ୍କର କାବ୍ୟକୃତି ଗୁଡ଼ିକୁ ପାଠକଲେ ତାଙ୍କର ଅନନ୍ୟ ସାଧାରଣ ପ୍ରତିଭାର ପରିଚୟ ମିଳିଥାଏ । ଭାବିଲେ ବିସ୍ମିତ ହେବାକୁ ହେବାକୁ ହୁଏ ଯେ, ଦାୟିତ୍ୱପୂର୍ଣ୍ଣ ରାଜଦଣ୍ତ ହାତରେ ଧାରଣକରି, ସଦାସର୍ବଦା ରାଜକାର୍ଯ୍ୟ ରତ ହୋଇ ସେ ଯେଉଁ ଅମରକୃତିମାନ ରଚନା କରିଗଲେ ତାହା ସାଧାରଣ ଧୀଶକ୍ତିସଂପନ୍ନ ମନୁଷ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ଅପରନ୍ତୁ ସେ ଉପାନ୍ତ ଅଞ୍ଚଳର ଲୋକଥିଲେ, ସମ୍ବଲପୁରୀ ଭାଷାଭାଷୀ ଅଞ୍ଚଳର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରପାଲିଠାରୁ ଆହୁରି ଦକ୍ଷିଣ ପଶ୍ଚିମ କୋଣରେ, ଯେଉଁଠାରେ ହିନ୍ଦୀ ଭାଷାଭାଷୀମାନଙ୍କର ସ୍ଥାନ ସଂଖ୍ୟାଗରିଷ୍ଠ ନ ହେଲେ ମଧ୍ୟ ପ୍ରଭାବପୂର୍ଣ୍ଣ, ସାଧାରଣ ସାହିତ୍ୟିକ ଭାଷାଠାରୁ ଏକ ସ୍ୱତନ୍ତ୍ର ଆଞ୍ଚଳିକ ଭାଷା ଯେଉଁଠାରେ ବିଦ୍ୟମାନ, ପୁନଶ୍ଚ ଯେଉଁ ରାଜ୍ୟ ଦିନେ ତତ୍କାଳୀନ ସି.ପି.ର ଅନ୍ତର୍ଗତ ଥିଲା, ଯେଉଁଠାରେ ବିଦ୍ୟାମାନ, ପୁନଶ୍ଚ ଯେଉଁ ରାଜ୍ୟ ଦିନେ ତତ୍କାଳୀନ ସି.ପି. ର ଅନ୍ତର୍ଗତ ଥିଲା, ଯେଉଁଠାରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣର ଡିଣ୍ଡିମ ଘନ ଘନ ବାଜି ଉଠୁଥିଲା ଓ ଯାହାର ବିରୋଧରେ ହିନ୍ଦୀ ଭାଷା ଭାଷୀମାନେ ପ୍ରବଳ ପ୍ରତିରୋଧ କରୁଥିଲେ ସେହିପରି ଏକ ପରିବେଶ ମଧ୍ୟରେ ନିଜର ମାତୃଭାଷା ଓଡ଼ିଆକୁ ଜାଗ୍ରତ ରଖି ନିଜକୁ ସମ୍ପୂର୍ଣ୍ଣ ଓଡ଼ିଆ ବୋଲି ପରିଚୟ ଦେଇ, ଖାଲି ପରିଚୟ ତ ନୁହେ ଓଡ଼ିଆ ଭାଷାରେ ରାଶି ଅମୂଲ୍ୟ ଗ୍ରନ୍ଥ ପ୍ରଣୟନକରି ସ୍ୱକୀୟ ପ୍ରତିଭାର ପ୍ରତିଷ୍ଠା ସଙ୍ଗେ ସଙ୍ଗେ ନିଜ ଅଞ୍ଚଳର ବୈଶିଷ୍ଟ୍ୟ ପ୍ରତିପାଦନ କରିବା ଏକ ଅଭୂତପୂର୍ବ କଥା ।

 

ପୁନଶ୍ଚ ଏତେବେଳେ ଆଧୁନିକତାର ପ୍ରଭାତୀ ବାୟୁ ସଞ୍ଚାରିତ ହୋଇ ସାରିଥିଲା ଓ ତା’ ସହିତ ମଧ୍ୟ ନିଶାନ୍ତ ସମୀରଣ ଅନୁଭୁତ ହୋଇ ସାରିଥିଲା । ଏତେବେଳେ ଦେଶସେବା, ଦେଶର ଗୌରବ ବର୍ଦ୍ଧନ, ଦେଶରେ ଜାତୀୟ ଜାଗୃତିର ସମ୍ପାଦନ, ଦେଶବାସୀଙ୍କ ମଧ୍ୟରେ ସଂହତି ସଙ୍ଗଠନ ଓ ସାଂସ୍କୃତିକ ଚିନ୍ତାର ଉଦ୍‌ବୋଧନ ଲାଗି ଦେଶର ନିଷ୍ଠାପର ସାହିତ୍ୟିକମାନେ ଆତ୍ମନିୟୋଗ କରିସାରିଥିଲେ । ସେତେବେଳେ ରାଧାନାଥ ରାୟ, ମଧୁସୂଦନ ରାଓ, କବି ଗଙ୍ଗାଧର, ନନ୍ଦକିଶୋର ବଳ, ରାମଶଙ୍କର ରାୟ, ଗୋପବନ୍ଧୁ ଦାଶ ଆଦି କବିମାନେ କବିତା, ନାଟକ, ଉପନ୍ୟାସ, ଗଳ୍ପ,ପ୍ରବନ୍ଧ, ଶିଶୁସାହିତ୍ୟ, ସମାଲୋଚନା ଓ ଜୀବନୀ ଆଦି ସୃଷ୍ଟିକରି ଓଡ଼ିଆ-ସାହିତ୍ୟ ଭଣ୍ତାରକୁ ସମୃଦ୍ଧ କରୁଥିଲେ । ବ୍ରଜରାଜ ଦେବ ମଧ୍ୟ ସାହିତ୍ୟ ସାଧନାର ପବିତ୍ର ପୀଠରେ ଅବତୀର୍ଣ୍ଣ ହୋଇ ନିବିଷ୍ଟ ଚିତ୍ତରେ ସ୍ୱକୀୟ ପରିଚାଳନା କରି ଉତ୍କଳ ଜନନୀପାଇଁ କାବ୍ୟ କବିତାର କୁସୁମମାଳା ରଚନା କରି ଚାଲିଥିଲେ ।

 

ସାହିତ୍ୟ ସାଧକ ଓ ସମାଲୋଚକମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ଦେ-କ୍ରୟ ଚିନ୍ତା ମଧ୍ୟରୁ ରାଜକବି ବ୍ରଜରାଜ ଦେବ ଦେହ-ପ୍ରାଧାନ୍ୟ କବିଥିଲେ ମଧ୍ୟ ସ୍ଥାନେ ସ୍ଥାନେ ଦେବ ପ୍ରାଧାନ୍ୟ କବିତ୍ୱର ମଧ୍ୟ ପରିଚୟ ଦେଇଯାଇ ଅଛନ୍ତି । ତାଙ୍କର ସତ୍ୟନାରାୟଣ ବ୍ରତ କଥାର ଓଡ଼ିଆ ଅନୁବାଦ ଏହାର ପ୍ରକୃଷ୍ଟ ପ୍ରମାଣ । ଆହୁରି ମଧ୍ୟ ତାଙ୍କର ଚଉତିଶାକ୍ରୟ ମଧ୍ୟସ୍ଥିତ ମାନଭଙ୍ଗ ଚଉତିଶା ଓ ବ୍ରଜବଧୂ ବିଳାସ କାବ୍ୟ ଦେହପ୍ରାଧାନ୍ୟ ହେଲେ ସୁଦ୍ଧା ଦେବପ୍ରାଧାନ୍ୟ ହିଁ ଏହାର ମୂଳଭିତ୍ତି ।

 

କବିଙ୍କ ରଚନାବଳୀରେ ମଧ୍ୟଯୁଗୀୟ ଓଡ଼ିଆ–ସାହିତ୍ୟର ରୀତିରଞ୍ଜନ ସହିତ ଦେହଧର୍ମୀ ବାଗବିଳାସ ଓ ଦେବସେବାର ଆଭିମୁଖ୍ୟ ମଧ୍ୟ ପ୍ରକାଶ ପାଇଥିଲା । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରୀତିଯୁଗୀୟ ଛାନ୍ଦବିଳାସର ଅନୁସରଣରେ ଅଭିମନ୍ୟୁ ସାମନ୍ତସିଂହାର, ବ୍ରଜନାଥ ବଡ଼ଜେନା, ଗୋଲକଚନ୍ଦ୍ର ପ୍ରଧାନ ଓ କବି ବ୍ରଜରାଜ ଦେବ ଯେଉଁଭଳି କାବ୍ୟକୃତିମାନ ରଚନା କରିଗଲେ, ସେଗୁଡ଼ିକ ସମୀକ୍ଷା କରି ପ୍ରକୃତରେ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜର ଆଖ୍ୟା ଲାଭପାଇଁ କେଉଁ କବି ସମଧିକ ଉପଯୁକ୍ତ, ତାହା ପ୍ରଣିଧାନର ଯୋଗ୍ୟ । ତେବେ ଗତ ଶତାବ୍ଦୀର ଦ୍ୱିତୀୟ ଭାଗରେ ଯେତେବେଳେ ଓଡ଼ିଆ-ସାହିତ୍ୟ ଆଧୁନିକତାର ବାର୍ତ୍ତାବହରୂପେ ପ୍ରଧାବିତ ହେଉଥିଲା, ସେତେବେଳେ ଯେଉଁମାନେ ଭଞ୍ଜସାହିତ୍ୟର ଅନୁକୃତି ଓ ଅନୁସୃତିରେ ନିଜ ନିଜର ସାହିତ୍ୟକୃତିମାନ ରଚନା କରିଯାଉଥିଲେ, ସେମାନଙ୍କ ମଧ୍ୟରେ ନିଃସନ୍ଦେହରୂପେ କବି ବ୍ରଜରାଜ ଦେବଙ୍କୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇ ପାରେ । କବି ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସର ‘ବ’ ଆଦ୍ୟ ନିୟମ ଅବଲମ୍ବନରେ ସେହିପରି ଅନୁରୂପ ନାମକରଣ କରି ବାଇଶ ଛାନ୍ଦବିଶିଷ୍ଟ ଯେଉଁ ବ୍ରଜବଧୂ ବିଳାସ କାବ୍ୟ ରଚନାକଲେ ତାହା ରୀତିଯୁଗୀୟ ବା ଛାନ୍ଦଯୁଗୀୟ କାବ୍ୟର ଯେ ଏକ ସଫଳସୃଷ୍ଟି ଏହା ନିଃସନ୍ଦେହରୂପେ କୁହାଯାଇପାରେ ।

 

ଦୁଃଖର କଥା, ନାନା ପ୍ରକାରର ପାରିପାର୍ଶ୍ୱିକ ଦୁଃସ୍ଥିତି ଦୃଷ୍ଟିରୁ କବି ବ୍ରଜରାଜଦେବଙ୍କ ମହାନ ସାହିତ୍ୟକୃତିମାନ ଲୋକଲୋଚନକୁ ଆସି ନପାରି ରସ ପିପାସୁ ଛାନ୍ଦାର୍ଥୀମାନଙ୍କ ସହିତ ସମ୍ପର୍କ ରକ୍ଷା କରିପାରିଲା ନାହିଁ, ଅଥଚ ଆମ୍ଭମାନଙ୍କର ସମସାମୟିକ କବି ଗୋଲକଚନ୍ଦ୍ର ପ୍ରଧାନଙ୍କ ଇନ୍ଦୁରେଖା କାବ୍ୟ ପାଲା ଓ ଦାସକାଠିବାଲାଙ୍କଦ୍ୱାରା ଗୀତ ହୋଇ ଅସଂଖ୍ୟ ଶ୍ରୋତାଙ୍କର ଶ୍ରୁତିପଥାରୁଢ଼ ହେଲା ଓ କବି ପ୍ରଧାନଙ୍କୁ ଲୋକଲୋଚନକୁ ଆଣିପାରିଲା । ତଥାପି ଭଞ୍ଜଯୁଗର ଅବସାନ ପ୍ରାୟ କାଳରେ ଯେଉଁ କେତେଜଣ ବିଳାସୀ କବି ଅସ୍ତାୟମାନ ସୂର୍ଯ୍ୟାଲୋକରେ ପ୍ରତିବିମ୍ବିତ ହୋଇ ଅପୂର୍ବ ଝଲକ ସୃଷ୍ଟିକରିଗଲେ, ସେମାନଙ୍କ ମଧ୍ୟରେ କବି ବ୍ରଜରାଜ ନିଃସନ୍ଦେହରୂପେ ଏକ ବିଶିଷ୍ଟ ସ୍ଥାନର ଅଧିକାରୀ ।

 

ବ୍ରଜରାଜ ଦେବ ଯେ ଜଣେ ଅଦ୍ଭୁତ ପ୍ରତିଭାଶାଳୀ କବି ଥିଲେ ଏ କଥା ବୀରବର ରଚନାବଳୀ, ଉତ୍କଳଲକ୍ଷ୍ମୀ, ଇନ୍ଦ୍ରଧନୁ ଓ ବିଜୁଳି ପତ୍ରିକାମାନଙ୍କରୁ ସ୍ପଷ୍ଟ ଜଣାପଡ଼େ । ଏପରିକି କବିଙ୍କୁ ଉତ୍କଳ ଭାରତୀର ନିଷ୍ଠାପରି ସାଧକରୂପେ ଗ୍ରହଣ କରି ଇନ୍ଦ୍ରଧନୁ ଓ ବିଜୁଳି ତଥା ସ୍ୱଭାବ କବି ଗଙ୍ଗାଧର ତାଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ଆଖ୍ୟା ପ୍ରଦାନ କରିଥିଲେ ।

 

ଭଞ୍ଜ-ସାହିତ୍ୟର କ୍ଳିଷ୍ଟତାରୁ ଉତ୍କଳ ଭାରତୀଙ୍କୁ ବିମୁକ୍ତ କରିବାର ଯେଉଁ ଅପୂର୍ବ ଉଦ୍ୟମ ରାଧାନାଥ ଯୁଗରେ ଆରମ୍ଭ ହୋଇଥିଲା ତାହାର ସଙ୍କେତ ଉପଲବ୍‌ଧ କରି ବ୍ରଜରାଜ ଦେବ ନିଜର ସାମର୍ଥ ଓ ଦୂରଦୃଷ୍ଟିର ପରିଚୟ ଦେଇଅଛନ୍ତି । କବି ଦୀନକୃଷ୍ଣଙ୍କର ପଦ ଲାଳିତ୍ୟରେ ମୁଗ୍‌ଧ ହୋଇ ଉପେନ୍ଦ୍ରଭଞ୍ଜ ଯାହା କହିଥିଲେ, କିମ୍ବଦନ୍ତୀ ଆକାରରେ ଅଦ୍ୟାପି ତାହା ସାହିତ୍ୟ ରସିକମାନଙ୍କ ମୁଖରୁ ଶୁଣାଯାଇଥାଏ ।

 

କହେ ଉପେନ୍ଦ୍ର ଭଞ୍ଜ ଟେକି ବେନି ବାହାକୁ

ରବିତଳେ କବିପଣେ ନ ଗଣଇ କାହାକୁ ।

କବି ଦୀନକୃଷ୍ଣଙ୍କୁ ମୋ ଦୂରୁ ଜୁହାର

ଆସ ସବୁ କବି ମୋର ବାମ ପୟର ।

 

କବି ବ୍ରଜରାଜଙ୍କ ଗ୍ରନ୍ଥାବଳୀରେ ଏଭଳି ସରଳ ତରଳ ପଦ ଲାଳିତ୍ୟ ମଧ୍ୟରେ ପ୍ରାଣସ୍ପର୍ଶୀ ଶୋଭନ ଛାନ୍ଦମାନ ବହୁଧା ପରିଦୃଷ୍ଟ ହୁଏ । ତାଙ୍କ ଗ୍ରନ୍ଥାବଳୀର କେତେକ ପଂକ୍ତିରୁ ଏହା ଅବଧାରଣା କରାଯାଇ ପାରେ ।

 

ଦିନେ କୁସୁମବତୀ ହୋଇକରି;

ମୋ ପାଶୁ ଅନ୍ତର ହେଉ ସୁନ୍ଦରୀ ।

 

ଜାଣି ତା’ ପଛେ ପଛେ ଯାଇ ମୁହିଁ

ଶ୍ରୀକର ଧରିବି ବୋଲୁଁ ତା ସହି

ଏକି ଏକି ବୋଲି, ନାହିଁ ନାହିଁ କଲା, ଚାରୁଛଇଳୀ ।

 

ଦିନେ ବେଶକାଳେ କହିଲି ଯାଇ

ତୁ କହିଲେ ବାସ ଦେବି ପିନ୍ଧାଇ

ସମ୍ମତ କରୁ ସେ ରାମାରତନ,

କଟୀରେ ତାର ଭିଡ଼ନ୍ତେ ବସନ,

ଇଷି ଇଷି ଭାସି, ନେତ୍ର ଯୁଗ ଦେଲା ଲଲାଟେ ଖୋସି ।

 

ଦିନେ କେଳିପୁରେ କେଳିଲାଳସୀ

ମୋ ଉର ତା ଉରେ ଲଗାନ୍ତେ ଆସି

ସେକାଳେ ମୁଁ ଯେ ହୋଇ ସାବଧାନ

କୁଚାଗ୍ର ତାର କର ମରଦନ,

ଇଷି ଇଷି ଭାସି ନେତ୍ର ଯୁଗ ଦେଲା ଲଲାଟେ ଖୋସି ।

ଶୋଭାବୟସୀ, ୯୦, ୯୧, ପୃଷ୍ଠା, ୧୪, ୧୬, ୧୮ ପଦମାନ ।

 

ରୀତିଯୁଗୀୟ ଏକ କବିଙ୍କ ଲେଖନୀରୁ ଏହାଠାରୁ ବଳି କି ପଦଲାଳିତ୍ୟ ଆଉ ଆଶା କରାଯାଇ ପାରେ !

 

ବ୍ରଜବଧୂବିଳାସ ଭଞ୍ଜ ଅନୁକୃତିରେ ବୈଦେହୀଶ ବିଳାସତୁଲ୍ୟ ‘ବ’ ଆଦ୍ୟ ଅକ୍ଷର ଅବଲମ୍ବନରେ ରଚିତ ହୋଇଥିଲେ ହେଁ କେବଳ ଆଦ୍ୟବର୍ଣ୍ଣର ବିଳାସ–ନିୟମିତ କାବ୍ୟ ସାଧନାରେ ନୁହେଁ, ଭଞ୍ଜୀୟ ଭାବ ପ୍ରବାହର ନିଜସ୍ୱ କରଣରେ ମଧ୍ୟ ଏହି କବିଙ୍କର ମୂଲ୍ୟ ଓ ମହତ୍ତ୍ୱର ସ୍ୱାତନ୍ତ୍ର୍ୟ ସହଜରେ ଉପଲବ୍‌ଧି କରିହୁଏ । ଅତ୍ୟନ୍ତ ଆୟାସ ସହକାରେ ଆଦ୍ୟବର୍ଣ୍ଣ ଖୋଜି ଲାଗିପଡ଼ି ସାହିତ୍ୟ-କୃତିରେ ଖଞ୍ଜିବା ଭିନ୍ନ, ଅଥଚ ସେହି ଆଦ୍ୟବର୍ଣ୍ଣ ଅବଲମ୍ବନରେ ଅତ୍ୟନ୍ତ ସରଳ ତରଳ ଭାବରେ ସମ୍ପୂର୍ଣ୍ଣ ଭାବୋଲ୍ଲାସ ସହ ସାବଲୀଳ କାବ୍ୟରଚନା ସମ୍ପୂର୍ଣ୍ଣ ସ୍ୱଭାବଜାତ ସ୍ୱତନ୍ତ୍ର ପ୍ରତିଭାର ପରିଚୟ ପ୍ରଦାନ କରେ ।

 

ବ୍ରଜବଧୂ ବିଳାସ କାବ୍ୟର ଏହି ସ୍ୱାତନ୍ତ୍ର୍ୟ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଏହି କାବ୍ୟର ୩ୟ ଛାନ୍ଦରେ ଶ୍ରୀକୃଷ୍ଣ ଜନ୍ମ ବର୍ଣ୍ଣନା ଅତ୍ୟନ୍ତ ମନୋହର । ଏହି କାବ୍ୟଟି ୧୮୮୧ ଖ୍ରୀ:ଅ:ରେ ପ୍ରଣୀତ ହୋଇଥିଲା ଓ ୧୮୮୩ ଖ୍ରୀ: ଅ.ରେ କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ମୁଦ୍ରିତ ହୋଇଥିଲା । ‘ବ’ ଆଦ୍ୟ ଅକ୍ଷରଟିକୁ କିପରି ସ୍ୱାଭାବିକରୂପେ ଓ ସାବଲୀଳ ଛନ୍ଦରେ ନିଜ ସାହିତ୍ୟକୃତିରେ ଖଞ୍ଜାଯାଇଛି, ତାହାର ଏକ ଉଦାହରଣ ପ୍ରଣିଧାନ ଯୋଗ୍ୟ ।

 

ବୁଧଜନେ ମନଦେଇ ଶ୍ରୁତିପଥେ ଶୁଣ

ବିଚିତ୍ର କୃଷ୍ଣ ଚରିତ କରିବି ବଖାଣ ଯେ ।୧।

ବିଭାବରୀ ଶେଷହେଉ ଅରୁଣ ଉଦିତ

ବିଲୋକିଲେ ଯଶୋଦା ଜନ୍ମିଛି ଏକ ସୁତ ଯେ ।୨।

 

ବାମାଏ ସମୀପେ ଥିଲେ ସମସ୍ତେ ଜାଣିଲେ

ବାଳକ ନବୀନଜାତ ହୋଇଛି ବୋଇଲେ ଯେ । ୩।

ବଡ଼ ସୁଭାଗ୍ୟ ଯଶୋଦା ନନ୍ଦ ଭାଗ୍ୟବନ୍ତ

ବଡ଼ ସୁକୃତରୁ ଏ ପାଇଲେ ଏହି ସୁତ ଯେ ।୪।

 

ବେଗେ ଯାଇ ଜଣାଇଲେ ନନ୍ଦର ଆଗରେ

ବାଳାଏ ଜାତ ହୋଇଛି ଯଶୋଦା କୋଳରେ ଯେ ।୫।

ବ୍ରଜେଶ୍ୱର ଶୁଣି ସେହିକ୍ଷଣି ତହିଁ ଗଲେ

ବଦନ ହରଷ ହୋଇ ପୁତ୍ରକୁ ଚାହିଁଲେ ଯେ । ୬।

 

ଏହି ଛାନ୍ଦର ସମସ୍ତ ପଦ ଅତ୍ୟନ୍ତ ସୁଲଳିତ ଓ ମର୍ମସ୍ପର୍ଶୀ । ପୁନଶ୍ଚ ଷଷ୍ଠ ଛାନ୍ଦରେ ଗୁଣ୍ତଚା ବସନ୍ତ ବୃତ୍ତରେ କବିଙ୍କର ରଚନା ପରିପାଟୀର ସାବଲୀଳତା ଅତ୍ୟନ୍ତ ସ୍ପଷ୍ଟ ।

 

ବିଭାବରୀ ଅନ୍ତେ             ପ୍ରଭାତ ହୁଅନ୍ତେ

ଦ୍ୱିଜେ କଲେ ବେଦଘୋଷ

ବହୁ ବିଜିଘଣ୍ଟ             ବାଜିଲାକ ଆଣ୍ଟ

ରାବିଲେ ଉଚ୍ଚେ ବାୟସ, ସେ ବ୍ରଜେ

 

ବାଳ ଗୋପାଳ ଚହଳ ଉଜେ ସେ

ବଡ଼ ଅବକାଶେ ବ୍ରଜରାଜେ

ବିଜେ ଗୋଷ୍ଠେ ଦେବକୀ ତନୁଜେ ।୧।

 

ବଛା ଗାଈ ଛନ୍ଦି             ଗୋ ଦହନ ବିଧି

ବଢ଼ାଇ ବନେ ବିହାର

ବିଚାରିଲେ ମନେ             ବସନ ହରଣେ

କସିବଇଁ ଗୋପୀଙ୍କର ସେ ବଳ

ବଛା ରଖିଲେ ଯମୁନା କୂଳ ସେ

ବହି ଆନନ୍ଦ ଗୋପାଳ ବାଳ

ବିଚାରିଲେ ଖେଳ କୁତୂହଳ ସେ । ୨।

 

କବିଙ୍କର ଶୋଭବୟସୀ କାବ୍ୟଟି ଏକ କାଳ୍ପନିକ ବିଷୟକୁ ନେଇ ପାଞ୍ଚୋଟି ଛାନ୍ଦରେ ରଚନା କରାଯାଇଛି । ଏହା ୧୮୮୫ ଖ୍ରୀ.ଅ. ରେ କଟକ ପ୍ରିଣ୍ଟିଂ କମ୍ପାନୀଦ୍ୱାରା ମୁଦ୍ରିତ ହୋଇଥିଲା-। ଏହା ପରେ କବିଙ୍କ କୃତି ରତ୍ନପ୍ରଭା କାବ୍ୟ । ଅଷ୍ଟମ ଛାନ୍ଦର ମୂଳ ଅଂଶ ଅନୁପଲବ୍‌ଧ-। ଏହାର ପରବର୍ତ୍ତୀ କାବ୍ୟ ରୂପମଞ୍ଜରୀ । ଏହି କାବ୍ୟରେ ବହୁବିଧ କାବ୍ୟ କୌଶଳର ସଫଳ ରୂପାୟନ ସହିତ ଅଳଙ୍କାରର ଆଳଙ୍କାରିକ ପ୍ରୟୋଗ କ୍ଷେତ୍ରରେ କବି ବ୍ରଜରାଜଙ୍କ ଚିନ୍ତାପଟୁତା ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଏହି କାବ୍ୟର ଦଶମ ଛାନ୍ଦର ପ୍ରଥମ ପନ୍ଦରଟି ପଦ ଆଦ୍ୟ–ପ୍ରାନ୍ତାନୁପ୍ରାସ ଓ ଶେଷ ପାଞ୍ଚୋଟି ପଦ ସର୍ବ ଯମକରେ ରଚନା କରାଯାଇଅଛି । ଏକାଦଶ ଛାନ୍ଦରେ ବିରୋଧାଭାସ ଯମକ, ଶ୍ଳେଷ, ଅଦ୍ଭୁତ ଓ ରୂପକ ସହିତ ଦ୍ୱାଦଶ ଛାନ୍ଦରେ ବର୍ଣ୍ଣାନୁପ୍ରାସ ଓ ପୁନରୁକ୍ତ ଅଳଙ୍କାରର ଉଲ୍ଲେଖ କରାଯାଇଅଛି । ଷୋଡ଼ଶ ଛାନ୍ଦଟି ଅବନା ନିୟମରେ ପ୍ରଣୀତ ହୋଇଛି ।

 

କୌଣସି ଏକ ପ୍ରିୟାବିରହୀ ନାୟକର ବିଦେଶ ଅବସ୍ଥାନ କାଳରେ ବର୍ଷାକାଳୀନ କଳାବଳାହକ ଦର୍ଶନରେ ପ୍ରିୟା ମିଳନର ସ୍ମୃତି ମେଘ ଆଗରେ ବର୍ଣ୍ଣନା କରୁଥିବାର ବିଷୟକୁ ନେଇ କବିଙ୍କର ପରବର୍ତ୍ତୀ ରଚନା ବଳାହକ ଚଉତିଶା ପ୍ରଣୀତ ହୋଇଛି । କ୍ଷମାନିଧି ଚଉତିଶାରେ ମଧ୍ୟ ପୂର୍ବୋକ୍ତ ବିଷୟବସ୍ତୁର ଅନୁରୂପ ବର୍ଣ୍ଣନା ଦେଖାଯାଏ । ମାନିନୀ ପ୍ରିୟାର ମାନଭଙ୍ଗ ପ୍ରସଙ୍ଗରେ ମାନଭଙ୍ଗ ଚଉତିଶା ପ୍ରଣୀତ ହୋଇ ତିନୋଟି ରଚନାର ଏକତ୍ରୀକରଣରେ ‘ଚଉତିଶା କ୍ରୟ’ ରଚିତ ହୋଇଛି ।

 

‘ସଙ୍ଗୀତ ଗୁଚ୍ଛ’ରେ ପ୍ରେମ ଓ ଭକ୍ତି ଉପରେ ଆଧାରିତ ଚଉଦଟି ସଙ୍ଗୀତ ଓ ଗୋଟିଏ ଭଜନ ସନ୍ନିବିଷ୍ଟ ହୋଇଛି ।

 

କବିଙ୍କର ଶେଷତମ କୃତି ‘ସତ୍ୟନାରାୟଣ ବ୍ରତ କଥା’ । ଏହା ମୂଳ ସଂସ୍କୃତରୁ ଓଡ଼ିଆ ଭାଷାରେ ଭାଗବତ ବୃତ୍ତରେ ଅତ୍ୟନ୍ତ ସରଳ ଭାଷାରେ ଅନୂଦିତ ହୋଇଛି ।

 

କବିଙ୍କର ‘ପ୍ରବନ୍ଧ ଚିତ୍ରକାବ୍ୟ’ ଏକ ଅଦ୍ଭୁତ କୃତି । ଉପେନ୍ଦ୍ର ଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦୟ କାବ୍ୟର ଅନୁକରଣରେ ଏଗାରଟି ଛାନ୍ଦରେ ବାସ୍ତରିଟି ବନ୍ଧ ସମନ୍ୱିତ ଏହି କାବ୍ୟଟି ତାଙ୍କର ଅଗାଧ ପାଣ୍ତିତ୍ୟର ପରିଚୟ ଦିଏ । ଏହି କାବ୍ୟର ରଚନା ୧୮୮୬ ଖ୍ରୀ. ଅ.ରେ ଶେଷ ହୋଇଥିବା ଜଣାପଡ଼େ । କଟକ ପ୍ରିଣ୍ଟିଂ କମ୍ପାନୀ ଉକ୍ତ ଗ୍ରନ୍ଥ ଲିଥୋ ଆକାରରେ ୧୮୮୭ ମସିହାରେ ପ୍ରକାଶ କରିଥିଲେ । ବ୍ରଜବଧୂ ବିଳାସ କାବ୍ୟର ଊନବିଂଶ ଛାନ୍ଦରେ ଥିବା ଧନୁବନ୍ଧ ଓ ଗଦାବନ୍ଧ ସହିତ ପ୍ରବନ୍ଧ ଚିତ୍ରକାବ୍ୟର ଉପର୍ଯ୍ୟୁକ୍ତ ବନ୍ଧଗୁଡ଼ିକ ଗ୍ରନ୍ଥ ଶେଷରେ ସନ୍ନିବିଷ୍ଟ ହୋଇଛି ।

 

ଛାନ୍ଦଯୁଗର ଛାନ୍ଦ ପ୍ରୟୋଗ ସହିତ ବନ୍ଧରଚନା ଏକ ବିଲକ୍ଷଣ ସାହିତ୍ୟିକ ପ୍ରତିଭାରୂପେ ବିବେଚିତ ହୋଇଥାଏ । ଉପେନ୍ଦ୍ର ଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦୟ ସବନ୍ଧମାନ ସଂସ୍କୃତ ବନ୍ଧ ରଚନାର ପାଟବତୀ ଓ ଶବ୍ଦ ଯୋଜନା ସହିତ ପ୍ରତିସ୍ପନ୍ଦିତା କରିଥାଏ । ରସଗ୍ରାହୀ ବନ୍ଧପ୍ରେମୀ ପାଠକମାନଙ୍କଠାରୁ ଯେଉଁ କେତେକ ମୁଷ୍ଟିମେୟ କବି ସ୍ୱତନ୍ତ୍ର ସମ୍ମାନ ଦାବୀ କରନ୍ତି, ସେମାନଙ୍କ ମଧ୍ୟରେ ବ୍ରଜରାଜ ଅନ୍ୟତମ । ଏହିପରି ମୌଳିକ ଚିନ୍ତାପୂର୍ଣ୍ଣ ଓ ବଳିଷ୍ଠ ଭାବସମନ୍ୱିତ ବନ୍ଧରଚନା କୌଶଳର ଜଣେ ସିଦ୍ଧହସ୍ତ ବିନ୍ଧାଣିରୂପେ ଭଞ୍ଜଯୁଗର ତଥା ଭଞ୍ଜ ପରବର୍ତ୍ତୀ ଯୁଗର ବହୁ ସ୍ୱନାମଧନ୍ୟ କବିଙ୍କ ଅପେକ୍ଷା ବ୍ରଜରାଜ ସିଂହଦେବ ନିଃସନ୍ଦେହରୂପେ ସମୁଚ୍ଚ ଆସନରେ ଅଧିଷ୍ଠିତ-। ବାସ୍ତରିଗୋଟି ଜଟିଳ କାବ୍ୟବନ୍ଧରେ ରଚିତ ପ୍ରବନ୍ଧ ଚିତ୍ରକାବ୍ୟ ଯଥାର୍ଥରେ ବର୍ଣ୍ଣବିନ୍ୟାସ କଳାଦୃଷ୍ଟିରୁ ଏକ ଅପ୍ରତିମ ସାହିତ୍ୟ କୋଣାର୍କର ସୃଷ୍ଟି । ଅନେକ କବିଙ୍କର ଗୋଟିଏ ଦୁଇଟି ବନ୍ଧ ସହିତ ବହୁ ରଚନା ଅଛି, କିମ୍ବା କେବଳ ବନ୍ଧସମ୍ବଳିତ ରଚନା ଅଛି, ମାତ୍ର ଅନ୍ୟାନ୍ୟ କାବ୍ୟକବିତା ନାହିଁ । କିନ୍ତୁ, ଉପେନ୍ଦ୍ର ଭଞ୍ଜଙ୍କ ପରି ବହୁ କାବ୍ୟ କବିତା ସହିତ ଯେଉଁମାନଙ୍କର ବନ୍ଧ ବିଷୟକ ସମ୍ପୂର୍ଣ୍ଣ ରଚନା ଅଛି, ସେମାନଙ୍କ ମଧ୍ୟରେ କବି ବ୍ରଜରାଜ ଏକ ଆଲୋକସ୍ତମ୍ଭ ସ୍ୱରୂପ । ଏହି ଦୃଷ୍ଟି କୋଣରୁ ଆମେ ନିଃସନ୍ଦେହରେ ତାଙ୍କୁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜର ସଂଜ୍ଞା ଦେବା କି ନଦେବା ବିଚାରକଲେ ସୁଦ୍ଧା ତାଙ୍କୁ ଏକ ଗୌରବପୂର୍ଣ୍ଣ ସ୍ୱତନ୍ତ୍ର ଆସନରେ ଅଧିଷ୍ଠିତ କରିପାରିବା ।

 

କବି ବ୍ରଜରାଜ ଏଡ଼େ ଉଚ୍ଚକୋଟୀର କବି ହେଲେ ମଧ୍ୟ କେଉଁଠାରେ ବି ସେ ନିଜର ମହିମା ବା ସ୍ତୋକ ବାକ୍ୟ ଗାନକରି ଆସ୍ପର୍ଦ୍ଧା ପ୍ରକାଶ କରି ନାହାନ୍ତି । ଅପର ପକ୍ଷେ ସେ ଅତ୍ୟନ୍ତ ସଂଯତ ଚିତ୍ତରେ ତାଙ୍କର ମହାନ୍‌ ପ୍ରତିଭାକୁ ସୁଧୀଜନମାନଙ୍କର ତଥା ଦେବତାମାନଙ୍କର ଆଶୀର୍ବାଦରୂପେ ଗ୍ରହଣ କରିଛନ୍ତି । କବି ବ୍ରଜବଧୂବିଳାସ କାବ୍ୟର ଶେଷପଦରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରିଦେଇ ଗାଇଛନ୍ତି ।

 

ବ୍ରଜପୁର ବିନୋଦ             ନନ୍ଦଚିତ୍ତ ଆନନ୍ଦ

କରତା ଅଟ ଆଦିକନ୍ଦ,

ବୃନ୍ଦାକାନନ ଛନ୍ଦ             କୁମୁଦ ସୁତା ହୃଦ

ଚନ୍ଦନ ମୋହନ ମୁକୁନ୍ଦ ସେ ବିଶ୍ୱବନ୍ଦ୍ୟ

 

ବେନି ପ୍ରପଦ ଅରବିନ୍ଦ

ବିଶେଷେ ମୋ ଚିତ୍ତ ଷଟ୍‌ପଦ

ବିଭ୍ରମୁ ତହିଁ ମୋଦ                  ଲଭି ଆହେ ଗୋବିନ୍ଦ

ଏ ଭବଦର ମୋର ଛେଦ ହେ ‘‘ବ୍ର.ବ.ବି, ଦ୍ୱାବିଂଶ ଛାନ୍ଦ ୨୨ ପଦ ।’’

 

ସେହିପରି ଶୋଭା ବୟସୀ କାବ୍ୟରେ ସେ ଈଶ୍ୱରଙ୍କୁ ସ୍ମରଣ ଓ ବନ୍ଦନା କରି କବି ଓ ପଣ୍ତିତମାନଙ୍କ ଚିତ୍ତରେ ଯେପରି ଏହି କାବ୍ୟ ଆନନ୍ଦ ସଞ୍ଚାର କରେ ସେଥିଲାଗି ତାଙ୍କଠାରୁ କରୁଣା ଭିକ୍ଷା କରିଛନ୍ତି ।

 

ଜୟ ନାରାୟଣ ଅଖିଳ ତାରଣ ବାନା ପତିତପାବନ

ଦୈତ୍ୟ ନିସୂଦନ କର୍ତ୍ତା ଭଗବାନ ଯା ନାମ ଅଘ ତାରଣ

ଯେଉଁ ପଦଦ୍ୱନ୍ଦ୍ୱ ପ୍ରଫୁଲ୍ଲାରବିନ୍ଦ ଗଳେ ତହୁଁ ମକରନ୍ଦ

ହେ ପ୍ରଭୁ ଗୋବିନ୍ଦ ତା’ ଦେଇ ଆନନ୍ଦ କର ମୋ ମନ ମିଳିନ୍ଦ ।

ତୁମ୍ଭଙ୍କୁ ସ୍ମରଣା କରୁଛି କରୁଣା କର ଫୁରୁଣାରେ ମୋତେ

ରସିକ ପଣ୍ତିତ ହୃଦକୁ ମଣ୍ତିତ ଭାବିଛି କରିବି ଗୀତେ ।

ଶୁଣିମା ପ୍ରବନ୍ଧ ପ୍ରମୋଦ କୋବିଦ ବୃନ୍ଦ ଆନନ୍ଦ ଚିତ୍ତରେ

କଲେ ହେଁ ସଞ୍ଚିତ ବିଦିତ ସୁଅର୍ଥ ସ୍ୱାର୍ଥ ହେବ ଉଚିତରେ । ଇତ୍ୟାଦି

 

 

କବି ରୂପମଞ୍ଜରୀ କାବ୍ୟର ଷୋଡ଼ଶ ଛାନ୍ଦକୁ ଅବନା ଅକ୍ଷରରେ ରଚନା କରିଛନ୍ତି । ସେଥିରେ ମଧ୍ୟ ସେ ଆଦ୍ୟରେ ଓ ପ୍ରାନ୍ତରେ ସେହିପରି ଅତ୍ୟନ୍ତ ବିନୟର ସହିତ ଏହି ଛାନ୍ଦ ପ୍ରତି ଇଶ୍ୱରଙ୍କର ଓ ସଜ୍ଜନମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

ଏହାର ପ୍ରଥମ ପଦରେ

ସଜ୍ଜନ କଦମ୍ବରସ ରଚନ ଏ ଛନ୍ଦ ରସ

ପଦ ପଙ୍କଜର ରଜ ପ୍ରସରଇ ମନ ଷଟ୍‌ପଦର ବଶ ।

 

ଶେଷ ପଦରେ-

ସଜ୍ଜନ କର ଶ୍ରବଣ ଶରଦର ଏ ବର୍ଣ୍ଣନ

ବରଜ ଈଶଜ ଚରଣ କରଇ ବରଜ ଈଶ ଶରଣ । ଇତ୍ୟାଦି।

 

ବ୍ରଜରାଜ ଦେବ ଜଣେ ଜ୍ୟୋତିର୍ବିଦ୍‌ ଥିଲେ । ସେ ନିଜର ମୃତ୍ୟୁକଥା ପୂର୍ବରୁ ଗଣନାକରି ସାରିଥିଲେ । ସେଥିଲାଗି ସେ ଜ୍ୟେଷ୍ଠ ପୁତ୍ର ବୀରବିକ୍ରମ ଦେବଙ୍କୁ ସିଂହାସନ ଅର୍ପଣକରି ଦ୍ୱିତୀୟ ପୁତ୍ର ଶିବନାରାୟଣଙ୍କୁ ସାଙ୍ଗରେ ଧରି କାଶୀଧାମରେ ଦେହରକ୍ଷା ଉଦ୍ଦେଶ୍ୟରେ ରାଜପ୍ରାସାଦରୁ ବାହାରି ପଡ଼ିଲେ । ସେତେବେଳେ ଦ୍ରୂତଗାମୀ ଯାନବାହନ ନଥିଲା ଏଣୁ ଶକଟ ପୃଷ୍ଠରେ ଧୀରେ ଧୀରେ ଗମନ କରି ମହାସମୁଦ୍ରଠାରେ ପହଞ୍ଚିଲେ । ସେହିଠାରେ ହିଁ ୧୯୦୭ ଖ୍ରୀ.ଅ.ରେ କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ଏକ ଶୁଭ ମୁହୂର୍ତ୍ତରେ ଛପନ ବର୍ଷ ବୟସରେ ସେ ଦେହ ତ୍ୟାଗ କଲେ । ସେହିଦିନଠାରୁ ଉତ୍କଳ ସାରସ୍ୱତ ଗଗନରୁ ଏକ ଜ୍ୟୋତିର୍ମୟ ତାରକା ତିରୋହିତ ହୋଇଗଲା ।

 

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଉତ୍କଳ ସାହିତ୍ୟ ଶ୍ରୀକୁ ସ୍ୱକୀୟ ରଚନାରେ ସୁମଣ୍ତିତ କରିଥିବା କବିମାନଙ୍କ ମଧ୍ୟରେ ରାଜକବି ବ୍ରଜରାଜ ସିଂହଦେବଙ୍କ ନାମ ଅବିସ୍ମରଣୀୟ ।

 

ଆଲୋଚ୍ୟ କବି ବ୍ରଜରାଜ ସିଂହଦେବଙ୍କ ସାହିତ୍ୟକୃତି ଏତେ ମହାନ୍‌ ଓ ଦିଗନ୍ତପ୍ରସାରୀ ଯେ, ସ୍ୱଳ୍ପକାଳର ଏକ କ୍ଷୁଦ୍ର ପରିସର ମଧ୍ୟରେ ତାହାକୁ ଅଧୟନ କରି ସେ ସମ୍ବନ୍ଧରେ ଏକ ସୁଚିନ୍ତିତ ଆଲୋଚନା କରିବା ଧୃଷ୍ଟତା ମାତ୍ର । ମୋର ଏହି ଆଲୋଚନାଟି ସଂଶିତ ଗ୍ରନ୍ଥାବଳୀର ଏକ ବିହଙ୍ଗା ବଲୋକନ ମାତ୍ର । ଓଡ଼ିଶାର ଲବ୍‌ପ୍ରତିଷ୍ଠିତ ସାହିତ୍ୟିକ ଓ ସମାଲୋଚକମାନଙ୍କର ଦୃଷ୍ଟି ଏଥିପ୍ରତି ଆକୃଷ୍ଟ ହେଲେ ଏହି ବହୁ ଆୟାସସଂକଳିତ ଗ୍ରନ୍ଥାବଳୀର ସକଳ ପାଟବତା ସୁଧୀଜନ ସମାଜ ଆଗରେ ପ୍ରତିଷ୍ଠିତ ହୋଇ ପାରିବ ଓ ତତ୍‌ସଙ୍ଗେ ଓଡ଼ିଆସାହିତ୍ୟକୁ ଖରିଆଳର ମହତ୍‌ଦାନ ଆହୁରି ସ୍ପଷ୍ଟ ହୋଇ ଉଠିବ ।

 

***

 

ଭକ୍ତକବି ବାଲିଗାଁ ଦାସ ଓ ଆଗତ ଭବିଷ୍ୟ

ନୀଳମଣି ମିଶ୍ର

 

ଭକ୍ତ କବି ବାଲିଗାଁ ଦାସ ଓଡ଼ିଶାର ଭକ୍ତମଣ୍ତଳୀରେ ଜଣେ ପ୍ରଧାନ ସନ୍ଥ ଓ କବିରୂପେ ସ୍ଥାନ ଅଧିକାର କରନ୍ତି, କିନ୍ତୁ ତାଙ୍କ ରଚନା କିମ୍ବା ଜୀବନୀ ସମ୍ବନ୍ଧରେ ବହୁ ତଥ୍ୟ ରହିଥିଲେ ହେଁ, ଅଦ୍ୟାପି ସାଧାରଣ ପାଠକ ମହଲରେ ସେ ସବୁର ପ୍ରଚାର ହୋଇନାହିଁ । ଅଷ୍ଟାଦଶ ଶତାବ୍ଦୀରେ ଶ୍ରେଷ୍ଠ ଭକ୍ତ କବି ଋଷିକୁଲ୍ୟା ତଟବାସୀ ରାମ ଦାସ ସ୍ୱରଚିତ ‘ଦାଢ଼୍ୟତାଭକ୍ତି ରସାମୃତ’ରେ ଓଡ଼ିଶା ଓ ଓଡ଼ିଶା ବାହାରର ବହୁଭକ୍ତଙ୍କ ଚରିତାବଳୀର ଆଲୋଚନା କରିଛନ୍ତି ।

 

ରାମଦାସଙ୍କ ‘ଦାଢ଼୍ୟତାଭକ୍ତି ରସାମୃତ’ରୁ ଜଣାଯାଏ ଯେ, ଭକ୍ତ ବାଲିଗାଁ ଦାସ ବା ଦାସିଆ ବାଉରି ଶ୍ରୀକ୍ଷେତ୍ର ଧାମଠାରୁ ଦୁଇ କ୍ରୋଶ ଦୂର ବାଲିଗାଁରେ ଜନ୍ମ ଗ୍ରହଣ କରିଥିଲେ । ଜାତିରେ ସେ ଖଦାଳ । ଖଦାଳମାନେ ଆଜିକାଲି ‘ବାଉରି’ ଶ୍ରେଣୀର ଅନ୍ତର୍ଭୁକ୍ତ । ସେମାନେ ମୁଖ୍ୟତଃ କୃଷିଜୀବୀ ଏବଂ ଲୁଗାବୁଣିବା ସେମାନଙ୍କର ଅନ୍ୟତମ ବ୍ୟବସାୟ । ଭକ୍ତ ରାମଦାସ ତାଙ୍କୁ ‘ଶବର’ ଜାତିରେ ଅନ୍ତର୍ଭୁକ୍ତ କରିଛନ୍ତି ।

 

‘କ୍ଷେତ୍ରରେ ଛଡ଼ା ବେନି କୋଶ

ବାଲିଗ୍ରାମରେ ତାର ବାସ

।।

ଜାତିରେ ଅଟଇ ଖନ୍ଦଳ

ନ ଜାଣେ ପାପ ପୁଣ୍ୟ ଫଳ

।।

ନାମ ତା’ ଦାସିଆ ବାଉରି

ଶବର ଜାତି ତୁଲେ ସରି

।।

(ଦାଢ଼୍ୟତା ଭକ୍ତି ରସାମୃତ ଅଷ୍ଟାବିଂଶ ଅଧ୍ୟାୟ । )

 

ଦାସିଆ ସନ୍ତାନ ବିହୀନ ହୋଇ ପତ୍ନୀ ସହିତ କାଳ ଅତିବାହିତ କରୁଥିଲେ, କିନ୍ତୁ ଆବାଲ୍ୟରୁ ସେ ଥିଲେ ଜଣେ ଭକ୍ତ । ଗ୍ରାମ ମଧ୍ୟରେ ଯେଉଁଠାରେ ପୁରାଣ ପାଠ, ନାମସଂକୀର୍ତ୍ତନ କିମ୍ବା ବ୍ରତ ଉତ୍ସବ ପାଳିତ ହୁଏ, ସେଠାରେ ଦାସିଆ ଉପସ୍ଥିତ ରହି ଭକ୍ତିର ସହିତ ଆଲୋଚନାମାନ ଶୁଣୁଥିଲେ । ଧୀରେ ଧୀରେ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଦାସିଆଙ୍କର ହୃଦୟରେ ଦିବ୍ୟଜ୍ଞାନ ଉଦୟ ହେଲା ଏବଂ ମାଳା ଓ ତିଳକଧାରୀ ହୋଇ ହରିନାମ ଗାୟନରେ ଚିତ୍ତନିବେଶି, ନିଜ ଜାତିଗତ ବ୍ୟବସାୟ ଲୁଗାବୁଣାରୁ ଅର୍ଥ ଉପାର୍ଜନ କରି, କାଳ ଅତିବାହିତ କଲେ । ସମସ୍ତପ୍ରକାର ଦିନଚର୍ଯ୍ୟା ମଧ୍ୟରେ ଭକ୍ତ ଦାସିଆଙ୍କ ହୃଦୟରେ ଜ୍ଞାନ ପିପାସା ଦିନକୁ ଦିନ ବୃଦ୍ଧି ପାଇଲା ଏବଂ ସେ କିପରି ଅଧ୍ୟାତ୍ମ ମାର୍ଗରେ କାଳଯାପନ କରି ମାନବ ଜୀବନକୁ ସାର୍ଥକ କରିବେ, ସେଥିଲାଗି ମନେ ମନେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲେ । ଏହିପରି ଭାବରେ ଚିନ୍ତା କରୁଥିବା ସମୟରେ ଗୁଣ୍ତିଚା ଯାତ୍ରା ଆସି ଉପସ୍ଥିତ ହେଲା । ଦୂରଦୂରାନ୍ତରୁ ଶତସହସ୍ର ଯାତ୍ରୀ ଶ୍ରୀଜଗନ୍ନାଥଙ୍କ ‘ଉଭାଯାତ୍ରା’ର ଦର୍ଶନ ଲାଗି ‘ଜଗନ୍ନାଥ ସଡ଼କ’ରେ ଯାଉଥିବା ବେଳେ, ଦାସିଆ ବାଉରିର ମନରେ ଗଭୀର ଆଲୋଡ଼ନ ସୃଷ୍ଟି ହେଲା । ସେ ନିଜର ମନର ଆବେଗକୁ ଚରିତାର୍ଥ କରିବା ଲାଗି ଯାତ୍ରୀମାନଙ୍କ ସହିତ ଶ୍ରୀକ୍ଷେତ୍ର ଚାଲିଗଲେ । ସେଠାରେ ଉଭା ଯାତ୍ରାରେ ନନ୍ଦିଘୋଷ ବିହାରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖି ବାଲିଗାଁ ଦାସ ଭାବରେ ଭୋଳ ହୋଇଗଲେ । ପ୍ରଭୁଙ୍କର କଳାଶ୍ରୀ ମୁଖକୁ ଚାହିଁ ତାଙ୍କ ଚକ୍ଷୁରୁ ପ୍ରେମାଶ୍ରୁ ଧାର ଧାର ହୋଇ ବହିବାରେ ଲାଗିଲା । ସେ ମହାପ୍ରଭୁଙ୍କୁ ନାନା ଭାବରେ ଦୁଃଖ ଜଣାଇ ଘରକୁ ଫେରିଗଲେ ।

 

ପ୍ରଥମଥର ପୁରୀ ଧାମ ଆସି ଫେରିଯିବା ପରେ ଗୃହରେ ‘ହବିଷ’ ଭୋଜନର ପ୍ରଥା କେଉଁ ଆଦିମକାଳରୁ ପରମ୍ପରା ଭାବେ ରହି ଆସିଛି । ସେହି ପ୍ରଥା ଅନୁସାରେ ଦାସିଆଙ୍କ ପତ୍ନୀ ସ୍ୱାମୀଙ୍କ ଲାଗି ନୂଆ ହାଣ୍ତିରେ ଉଆ ଚାଉଳ ରାନ୍ଧି ପୂର୍ଣ୍ଣ ହାଣ୍ତି ଉପରେ ମେଞ୍ଚାଏ ଶାଗ ଥୋଇ, ସ୍ୱାମୀଙ୍କ ଆଗରେ ପରଷି ଦେଲେ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦେଖିବା ସମୟରୁ ଭକ୍ତ ଦାସିଆଙ୍କର ଭାବାନ୍ତର ଜାତ ହୋଇଥାଏ; ସେ ପୂର୍ଣ୍ଣ ହାଣ୍ତି ଉପରେ ଶାଗ ମେଞ୍ଚାକ ଦେଖି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚକାନୟନ ଧ୍ୟାନରେ ଭୋଳ ହୋଇଗଲେ । ତାଙ୍କୁ ଜଣା ପଡ଼ିଲା, ସତେ ଯେପରି, ତାଙ୍କରି ଭକ୍ତି ଭାବରେ ବିମୁଗ୍‌ଧ ହୋଇ ପ୍ରଭୁ ଚକାଡ଼ୋଳା ଆଜି ତାଙ୍କର ସମ୍ମୁଖରେ ବିଜେ ହୋଇଛନ୍ତି । ଧନ୍ୟ ସେ ଭକ୍ତ । ଧନ୍ୟ ତାଙ୍କର ପରିକଳ୍ପନା । ସେ ସର୍ବତ୍ର ପ୍ରଭୁଙ୍କର ଅସ୍ତିତ୍ୱ ଅନୁଭବ କରନ୍ତି । ସୁରଙ୍ଗ ହାଣ୍ତିର ଫନ୍ଦ, ଭିତରେ ପୂର୍ଣ୍ଣଭାତ ହାଣ୍ତିରେ ପେଜ ସର ବାନ୍ଧ ଯାଇଛି । ତା’ ଉପରେ ଶାଗ ମେଞ୍ଚାକ କଳା ମଚ ମଚ ଦେଖାଯାଉଛି । ଏହି ଦୃଶ୍ୟ ଦେଖି ଭକ୍ତ ଦାସିଆଙ୍କ ଭାବ ଭୋଳା ପ୍ରାଣ ପ୍ରଭୁଙ୍କ ସ୍ୱରୂପ ଚିନ୍ତାରେ ଉଦ୍‌ବେଳ ହୋଇ ଉଠିଲା । ସେ ଭାତଖିଆ ପାଖରୁ ଉଠି ଆନନ୍ଦରେ କରତାଳି ଦେଇ ନାଚି ନାଚି ପ୍ରଭୁଙ୍କ ମହିମାଗାନରେ ବାଇ ପ୍ରାୟ ହୋଇ ବୁଲିଲେ-। କବି ଭକ୍ତ ରାମଦାସ ଭକ୍ତ ବାଲିଗାଁ ଦାସଙ୍କର ଏତାଦୃଶ ଘଟଣାକୁ ଲୋକମୁଖରୁ ଶୁଣି ‘ଦାଢ଼୍ୟତା ଭକ୍ତି ରସାମୃତ’ରେ ଲେଖିଛନ୍ତି ।

 

‘ସୁରଙ୍ଗ ଦିଶେ ହାଣ୍ତିଧାର

ମଧ୍ୟେ ଧବଳ ପେଜସର

।।

ତା ମଧ୍ୟେ ଶାଗ ଦିଶେ କଳା

ବୋଲେ ଏ ଶ୍ୱେତପଦ୍ମ ଡୋଳା

।।

ମୁଁ ଏହା ଖାଇବି କେମନ୍ତେ

ବୋଲି ଭାବନା କରି ଚିତ୍ତେ

।।

ଦେହ ହୋଇଲା କମ୍ପମାନ

ବଦନୁ ନ ସ୍ଫୁରେ ବଚନ

।।

ନେତ୍ରଯୁଗଳୁ ଲୁହ ଗଳି

ଟାଙ୍କୋରି ଗଲା ରୋମବଳୀ

।।

ଉଠିଲା ବାଇ ପ୍ରାୟ ହୋଇ

କାହାକୁ ଅବା କିସ କହି

।।

କରେ ବଜାଇ କରତାଳି

ରଙ୍ଗେ ନାଚଇ ଢଳି ଢଳି’’

।।

 

ଏହା ଦେଖି ବାଲିଗାଁ ଦାସଙ୍କ ପତ୍ନୀ ସାହିପଡ଼ିଶାଙ୍କୁ ଡାକ ବୋବାଳି ପକାଇଲେ । ସମସ୍ତେ ଧାଇଁ ଆସି ଦାସିଆଙ୍କର ଏହି ଭାବୋନ୍ମତ୍ତତା ଦେଖି, ତାଙ୍କର ଭକ୍ତି ଭାବନାରେ ଏକାଗ୍ରତା ସମ୍ବନ୍ଧରେ ହୃଦୟଙ୍ଗମ କରି ନ ପାରି, ତାଙ୍କୁ ପାଗଳ ବୋଲି କହିଲେ । ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ପ୍ରଭୁଙ୍କ ଚିନ୍ତାରେ ଅହରହ ଅନ୍ୟ ମନସ୍କ ଭାବରେ ବିତାଇ ଭକ୍ତ ଦାସିଆ ସେ ଅଞ୍ଚଳରେ ଏକ ପାଗଳ ଭକ୍ତ ନାମରେ ପ୍ରସିଦ୍ଧ ହୋଇଗଲେ । ଧୀରେ ଧୀରେ ତାଙ୍କର କାର୍ଯ୍ୟକଳାପ ଓ ସ୍ୱଭାବ ତଥା ମହାପ୍ରଭୁଙ୍କ ପାଦରେ ଏକାଗ୍ର ଭକ୍ତି ଦେଖି ଲୋକମାନେ ତାଙ୍କ ପ୍ରତି ଶ୍ରଦ୍ଧା ଓ ଆଦର ଦେଖାଇଲେ । କିନ୍ତୁ ଭକ୍ତଙ୍କର ହୃଦୟ କାହାରି ନିନ୍ଦା ପ୍ରଶଂସାକୁ ଭ୍ରୂପେକ୍ଷ କରେ ନାହିଁ, ମାନଅପମାନ ଆଡ଼କୁ ଥରେ ହେଲେ ସୁଦ୍ଧା ଧ୍ୟାନ ଦିଏ ନାହିଁ । ଭକ୍ତ ଚାହେଁ ଅନ୍ତରର ସହିତ ଆକୁଳ କଣ୍ଠରେ ପ୍ରଭୁଙ୍କୁ ପାଇବା ଲାଗି ଭଜନ କରିବା । ସେଇଥିରେ ହିଁ ତା’ର ଆନନ୍ଦ, ମୋକ୍ଷ ତଥା ବ୍ରହ୍ମପ୍ରାପ୍ତି ।

 

ଭକ୍ତ ପ୍ରବର ଦାସିଆ ଦୃଢ଼ଭାବରେ ପ୍ରଭୁଙ୍କ ପାଦପଦ୍ମରେ ଲୟ ରଖି ଭଜନ କରିବାରେ ଲାଗିଲେ । ସେ ମନ ମଧ୍ୟରେ ସବୁବେଳେ ଭାବୁଥାଆନ୍ତି–‘‘ସତେ କ’ଣ ପ୍ରଭୁ ସଦୟ ହୋଇ ମୋତେ ଦର୍ଶନ ଦେବେ ? ଭକ୍ତଙ୍କର ଏହି କରୁଣ ନିବେଦନ ପ୍ରଭୁଙ୍କ ହୃଦୟକୁ ତରଳାଇ ଦେଲା । ସେ ଭକ୍ତର ମନୋବାଞ୍ଛା ପୂରଣ ଲାଗି ରତ୍ନସିଂହାସନ ତ୍ୟାଗକରି ଭକ୍ତର ଦୀନ କୁଟୀରରେ ପଦାର୍ପଣ କଲେ । ଭକ୍ତ ଦାସିଆ ଶୟନ କରିଥିବା ସମୟରେ ପ୍ରଭୁ ଆସି ତାଙ୍କରି ମୁଣ୍ତ ପାଖରେ ବସିଲେ । ସେହି ଦେବଦୁର୍ଲ୍ଲଭ ମୂର୍ତ୍ତିର ସନ୍ଦର୍ଶନରେ ଭକ୍ତ ଦାସିଆ ବିହ୍ୱଳ ହୋଇଗଲେ । ସେ ସେହି ବିହ୍ୱଳତାର ସହିତ କହିଲେ–

 

‘‘ରଥେ ମୁଁ ଦେଖିଥିଲି ଯାହା

ସାକ୍ଷାତେ ଦେଖିଲଇଁ ତାହା

।।

ବ୍ରହ୍ମା ଇନ୍ଦ୍ରାଦି ସୁରାସୁର

ଯକ୍ଷ ଗନ୍ଧର୍ବ ଯେ କିନ୍ନର

।।

ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ

ଚିନ୍ତନ୍ତି ଯେ ହରିଚରଣ

।।

ମନେ କରନ୍ତି ନିତ୍ୟେ ଭାବ

ତାଙ୍କୁ ତୋ ଦର୍ଶନ ଦୁର୍ଲଭ

।।

ମୁଁ ସେ ଅଜ୍ଞାନୀ ହୀନ ଜାତି

ନାହିଁ ମୋ ଭକ୍ତି କ୍ରିୟା ଗତି

।।

ବିଜୟ କଲ ମୋର ପୁର

ହେ ପ୍ରଭୁ ବ୍ରହ୍ମାଣ୍ତ ଠାକୁର’’

।।

 

ଭକ୍ତଙ୍କର ଏହି ବିନମ୍ର ନିବେଦନ ଶୁଣିବା ପରେ ପ୍ରଭୁ ତାଙ୍କୁ ଈପ୍‌ସିତ ବର ଦେବା ଲାଗି ପ୍ରକାଶ କଲେ । କିନ୍ତୁ ପ୍ରଭୁଙ୍କ ଦର୍ଶନରେ ଯେ ଭୋଳ, ସେ ଅବା କାହିଁକି ପାର୍ଥିବ ସୁଖ ଭୋଗର ଇଚ୍ଛାରେ ନିଜ ପତନର ମାର୍ଗ ପରିଷ୍କାର କରିବ ? ମୋକ୍ଷକାମୀ ଭକ୍ତ ଦାସିଆ ପ୍ରଭୁଙ୍କ କରୁଣାରେ ବାହ୍ୟଜ୍ଞାନ ହରାଇ; ସାଂସାରିକ ସୁଖ ଭୋଗକୁ ତୁଚ୍ଛ ମନେ କରି, ଯମଦେବଙ୍କ ପ୍ରଲୋଭନକୁ ଏଡ଼ାଇ ଓ ଦିବ୍ୟଜ୍ଞାନୀ ବାଳକ ନଚିକେତା ମୃତ୍ୟୁ ରହସ୍ୟ ଜାଣିବା ପରି ପ୍ରଭୁଙ୍କର ଦର୍ଶନ ଅଭିଳାଷୀ ହୋଇ ପ୍ରାର୍ଥନା କଲେ-

 

‘‘ପଦ୍ମ ଚରଣ ତୁମ୍ଭ ଭାବି

କୋଟିଏ ବାର ଲୁଚିଯିବି

।।

ବରେ ମୋ ପ୍ରୟୋଜନ ନାହିଁ

ଏତକ ଦେବ ଭାବଗ୍ରାହୀ

।।

ତୋ ଭକ୍ତ ମାନଙ୍କ ଚରଣେ

ମୋ ମନ ଥାଉ ଅନୁକ୍ଷଣେ

।।

ଯେବେ ମୁଁ ମନରେ ଭାବିବି

ତୁମ୍ଭ ଦର୍ଶନ ପାଉଥିବି

।।

ଏ ବର ମୋତେ ଆଜ୍ଞା ହେଉ

ଅଧିକ ଲୋଡ଼ା ନାହିଁ ଆଉ’’

।।

 

ପ୍ରଭୁ ଭକ୍ତ–ଦାସିଆଙ୍କର ଏପରି ଅନାସକ୍ତ ଭାବରେ ମୁଗ୍‌ଧ ହୋଇ, ତାଙ୍କୁ ଧନ୍ୟ ଧନ୍ୟ କହିବା ସଙ୍ଗେ ସଙ୍ଗେ ଈପ୍‌ସିତ ବରଦାନ ଦେଇଥିଲେ ଏବଂ ଆହୁରି ମଧ୍ୟ ଭକ୍ତ ଦାସିଆ ଯେଉଁ ଦ୍ରବ୍ୟ ଦେବେ ପ୍ରଭୁ ତାହା ଶ୍ରୀହସ୍ତ ବଢ଼ାଇ ଗ୍ରହଣ କରିବାର ଆଜ୍ଞା ଦେଇ, ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ ।

 

ପ୍ରଭୁଙ୍କଠାରୁ ଅଭୟ ବର ପାଇ ଭକ୍ତ ଦାସିଆ ଜନୈକ ବ୍ରାହ୍ମଣଙ୍କ ହସ୍ତରେ ନଡ଼ିଆଟିଏ ପଠାଇଥିଲେ ଏବଂ ନିଜେ ମଧ୍ୟ କିଛି ଆମ୍ବ ନେଇ ପ୍ରଭୁଙ୍କୁ ଅର୍ପଣ କରିଥିଲେ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜର ପ୍ରତିଶ୍ରୁତି ଅନୁସାରେ ଭକ୍ତଙ୍କ ହାତରୁ ସେ ଗୁଡ଼ିକ ଗ୍ରହଣକଲେ । ଭକ୍ତ ରାମଦାସ ଏହିପରି ଭାବରେ ସ୍ୱରଚିତ ‘ଦାଢ଼୍ୟତା ଭକ୍ତିରସାମୃତ’ରେ ଦାସିଆ ବାଉରି ବାଲିଗାଁ ଦାସଙ୍କ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ।

 

ଆଲୋଚନାରୁ ଜଣାଯାଏ ଯେ, ଭକ୍ତ ଦାସିଆ ଜଣେ ବୈଷ୍ଣବ କବି ଥିଲେ । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ବାଲିଗାଁ ଦାସିଆଙ୍କ ନାମରେ ଭଣିତ ‘ଆଗତ ଭବିଷ୍ୟ’ ବା ‘ବାଲିଗାଁ ଦାସିଆ ଭାଗବତ’ ଶୀର୍ଷକ ଖଣ୍ତିଏ ତାଳପତ୍ର ପୋଥି ସଂରକ୍ଷିତ ହୋଇଛି । ପୋଥିଟି ପାଞ୍ଚୋଟି ଅଧ୍ୟାୟରେ ବିଭକ୍ତ । ପୁସ୍ତକଟିର ମୋଟ ପଦସଂଖ୍ୟା ପାଞ୍ଚଶହ ଏକତିରିଶ । ପ୍ରତ୍ୟେକ ଅଧ୍ୟାୟର ପଦ ଗଣନାରୁ ଜଣାଯାଏ ଯେ, ପ୍ରଥମ ଅଧ୍ୟାୟରେ ୧୦୨, ଦ୍ଵିତୀୟ–୧୦୪ , ତୃତୀୟ ୧୧୩ ଚତୁର୍ଥ–୧୦୯ ଓ ପଞ୍ଚମ–୧୦୩ ପଦ ରହିଛି । ଅବଶ୍ୟ କେତୋଟି ପୋଥିର ପାଠ ଏକତ୍ର ମିଶାଇ ଏଠାରେ ପଦସଂଖ୍ୟାର–ଉଲ୍ଲେଖ କରାଯାଇଛି ,ମାତ୍ର ଗୋଟିଏ ପୋଥିରେ ପଦ ସଂଖ୍ୟାଠାରୁ ଅନ୍ୟ ପୋଥିଟିର ପଦସଂଖ୍ୟା ଊଣା ଅଧିକ ରହିଛି । ହୁଏତ ଏ ପ୍ରକାର ବ୍ୟତିକ୍ରମ ମୂଳ ରଚନାରେ ନ ଥିବ, କିନ୍ତୁ ପରବର୍ତ୍ତୀକାଳର ନକଲକାର ଓ ଅଞ୍ଚଳ ଭେଦରେ ପଦସଂଖ୍ୟାର ବ୍ୟତିକ୍ରମ ଦେଖାଯିବା ଆଦୌ ଅସମ୍ଭବ ନୁହେ ।

 

ଅବଶ୍ୟ ଏଠାରେ ପ୍ରଶ୍ନ ଉଠେ–ପ୍ରାୟ ଅଢ଼େଇଶହ–ବର୍ଷ ତଳର ଭକ୍ତ ବାଲିଗାଁ ଦାସିଆ ବାଉରି କୁଳରେ ଜନ୍ମ ଗ୍ରହଣ କରି ଗ୍ରନ୍ଥରଚନା କରିବା ଭଳି ଶିକ୍ଷା ଲାଭ କରିଥିବାର କିଛି ପ୍ରମାଣ ମିଳେ କି ? ସେ ଯୁଗରେ ସାଧାରଣ ଉଚ୍ଚବର୍ଗୀୟ ବ୍ୟକ୍ତିମାନେ କେବଳ କାମଚଳା ପାଠ ପଢ଼ୁଥିବା ବେଳେ ବାଉରି କୁଳରେ ଜାତ ଦାସିଆ କିପରି ଗ୍ରନ୍ଥ ରଚନା କରିବା ଭଳି ଉନ୍ନତ ଜ୍ଞାନର ଅଧିକାରୀ ହୋଇ ପାରିଲେ ? ଏହି ଶଙ୍କାର ସମାଧାନ ଲାଗି ଏତିକି କୁହାଯାଇ ପାରେ ଯେ, ଯେଉଁ ଭକ୍ତମାନେ ପ୍ରଭୁଙ୍କ କୃପା କଣିକା ଲାଭକରି ଦିବ୍ୟ ଆଧ୍ୟାତ୍ମିକ ଜ୍ଞାନର ଅଧିକାରୀ ହୋଇ ପାରିଥିଲେ, ସେଭଳି ଦିବ୍ୟଭାବାପନ୍ନ ବ୍ୟକ୍ତି ପକ୍ଷରେ କିଛି ଅସମ୍ଭବ ନୁହେଁ । ଜନ୍ମମୂର୍ଖ କାଶୀଧାମର କବୀର ଦାସ ହଜାର ହଜାର ବ୍ରହ୍ମଜ୍ଞାନମୂଳକ ପଦରଚନା କରିଛନ୍ତି । ହିନ୍ଦୀ ଜଗତର ଶ୍ରେଷ୍ଠ ବୈଷ୍ଣବ କବି ସୁରଦାସ ଜନ୍ମାନ୍ଧ ଥିଲେ ମଧ୍ୟ ତାଙ୍କ ମୁଖ ନିସୃତ ଲକ୍ଷସଂଖ୍ୟକ ପଦ ହିନ୍ଦୀସାହିତ୍ୟର ଶୋଭାବର୍ଦ୍ଧନ କରୁଛି । ସେହିପରି ଅକ୍ଷରଜ୍ଞାନ ଶୂନ୍ୟ ହୋଇଥିଲେ ମଧ୍ୟ ଭକ୍ତ ବାଲିଗାଁ ଦାସ ପୁସ୍ତକ ଓ ପଦାବଳୀ ରଚନା କରିଥିବା ଅସମ୍ଭବ ନୁହେଁ । ଶ୍ରୀ ଜଗନ୍ନାଥଙ୍କ କୃପା ଫଳରେ ସେ ଅଲୌକିକ ପ୍ରତିଭାସମ୍ପନ୍ନ ହେବାପରେ, ସ୍ୱମୁଖନିଃସତ ବାଣୀକୁ ତାଙ୍କର ଶିଷ୍ୟବର୍ଗ ସଂଗ୍ରହ କରିଥିବା ଅସମ୍ଭବ ନୁହେଁ ।

 

‘ଆଗତ ଭବିଷ୍ୟ’ ବା ବାଲିଗାଁ ଦାସିଆ ଭାଗବତ ପୋଥିଟି ପଞ୍ଚସଖାଙ୍କ ମାଳିକାଗ୍ରନ୍ଥ ପରି ଏକ ଚେତାବନୀ ଗ୍ରନ୍ଥ, କବି ଦାସିଆଙ୍କର ଏହି କ୍ଷୁଦ୍ର ରଚନାରୁ ଆଗତ ଭବିଷ୍ୟ ସମ୍ବନ୍ଧରେ ଯେତିକି ସୂଚନା ମିଳୁଛି, ତଦପେକ୍ଷା ଓଡ଼ିଶାର ଭୋଇ ରାଜବଂଶର ଇତିହାସ ସମ୍ୱନ୍ଧରେ ଅନେକ ସୂଚନା ମିଳି ପାରୁଛି । ପୁସ୍ତକର ଆରମ୍ଭରୁ କବି ଶ୍ରୀଜଗନ୍ନାଥଙ୍କର ଦଶାବତାର ବର୍ଣ୍ଣନା କରିଛନ୍ତି । ଅବଶ୍ୟ କବି ଜୟଦେବଙ୍କପରି ବର୍ଣ୍ଣନା ଏଥିରେ କରାଯାଇ ନାହିଁ । ସେ ତାଙ୍କ ଦଶାବତାର ମଧ୍ୟରେ ମତ୍ସ୍ୟ, କଚ୍ଛପ, ଶୂକର, ନୃସିଂହ, ବାମନ, ପରଶୁମ, ରାମ, କାହ୍ନୁ, ବଉଦ, ବଳଭଦ୍ରଙ୍କର ବର୍ଣ୍ଣନା କରିଛନ୍ତି । ମଙ୍ଗଳାଚରଣ ପରେ ପ୍ରଥମ ଅଧ୍ୟାୟର ବିଷୟବସ୍ତୁରୁ ଜଣାଯାଏ ଯେ, କବି ଦିନେ ଲୁଗା ବୁଣୁଥିବା ସମୟରେ ଶ୍ରୀଜଗନ୍ନାଥ ବ୍ରାହ୍ମଣ ରୂପରେ ଆସି ସେଠାରେ ଉପସ୍ଥିତ ହେଲେ । ଦାସିଆ ପ୍ରଭୁଙ୍କୁ ଚିହ୍ନିପାରି ବାସ–ପଇଡ଼ରେ ତାଙ୍କୁ ଅଭ୍ୟର୍ଥନା ଜଣାଇ, ଆଗତ ଭବିଷ୍ୟ ପଚାରିଲେ । ସେହି ପ୍ରସଙ୍ଗରେ କବି ଓଡ଼ିଶା ମୁଲକର ରୀତି-ନୀତି, ଆଚାର-ବ୍ୟବହାର ସମ୍ବନ୍ଧରେ ବହୁପ୍ରଶ୍ନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପଚାରିଥିଲେ । ମହାପ୍ରଭୁ ଭକ୍ତର ଅନନ୍ୟ ଭକ୍ତିରେ ବିମୁଗ୍‌ଧ ହୋଇ ନିଜେ ଲେଖନ ଓ ସଞ୍ଚା ଧରି ଆଗତଭବିଷ୍ୟ ଲେଖିଥିଲେ–

 

‘‘ଲେଖନ ସଞ୍ଚାକଲେ ଧରି

ଆଗତ ଲେଖନ୍ତି ଶ୍ରୀହରି

।।

ଲେଖିଲେ ପ୍ରଭୁ ପୀତବାସ

ଶରଣ ବାଲିଗାଁ ଯେ ଦାସ

।।

(ଆଗତ ଭବିଷ୍ୟ, ପ୍ରଥମ ଅଧ୍ୟାୟ)

 

ଦ୍ୱିତୀୟ ଅଧ୍ୟାୟ ଆରମ୍ଭରୁ କବି ଓଡ଼ିଶା ରାଜ ବଂଶର ଇତିହାସ ତଥା ରାଜବଂଶାବଳୀ ଲେଖିଛନ୍ତି । ସେ ଗଙ୍ଗ ବଂଶଠାରୁ ଓଡ଼ିଶାର ରାଜବଂଶାବଳୀ ଆରମ୍ଭ କରିଥିଲେହେଁ, ତାଙ୍କ ପ୍ରଦତ୍ତ ଗଙ୍ଗ ବଂଶାବଳୀର ତାଲିକା ଆଦୌ ଠିକ୍‌ ନୁହେଁ । ସେ ଲୋକମୁଖରୁ ଯାହା ଶୁଣିଥିଲେ, ତଦନୁସାରେ ଗଙ୍ଗବଂଶର ପ୍ରଥମ ରାଜ ଜଗନ୍ନାଥଦେବ ଏବଂ ସେ ଅଣଚାଳିଶ ବର୍ଷ ରାଜତ୍ୱ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ତାଙ୍କପରେ ଯଥାକ୍ରମେ ଅନନ୍ତ, ରାମଚନ୍ଦ୍ର, ପ୍ରତାପରୁଦ୍ର, କରୁଣାକର, ଲାଙ୍ଗୁଳା ନରସିଂହଦେବ, ଗୋବିନ୍ଦ ଓ କାଳିଆଙ୍କ ନାମ ଉଲ୍ଲେଖ କରିଛନ୍ତି । ସେ ଗଙ୍ଗବଂଶର ବଂଶାବଳୀ ଶେଷ କରି ଲେଖିଛନ୍ତି–

 

‘‘କାଳିଆ ବୋଲି କରି ପୁତ୍ର

ତାହାର କୁଳେ ହେବ ଜାତ

।।

ତାହାର ତହୁଁ ପାଟ ଶେଷ

ନିଧନ ହେବ ଗଙ୍ଗବଂଶ

।।

 

ଉଲ୍ଲିଖିତ ବଂଶାବଳୀ ମଧ୍ୟରୁ ଅନନ୍ତ ଅର୍ଥାତ୍‌ ଅନନ୍ତ ବର୍ମା ଚୋଳଗଙ୍ଗ ଦେବ ଓ ଲାଙ୍ଗୁଳା ନରସିଂହ ଦେବଙ୍କ ବ୍ୟତୀତ ଅନ୍ୟ କେହି ଗଙ୍ଗବଂଶର ରାଜା ନ ଥିଲେ । ବିଶେଷତଃ ପ୍ରତାପରୁଦ୍ର ଗୋବିନ୍ଦ ବା ଗୋବିନ୍ଦ ବିଦ୍ୟାଧର ଏମାନେ ଆଦୌ ଗଙ୍ଗବଂଶରେ ନଥିଲେ । କବି ବାଲିଗାଁ ଦାସ ସେ ପ୍ରଖ୍ୟାତ ଯଶା ଅନନ୍ତ ବର୍ମା ଚୋଳଗଙ୍ଗଦେବ କୋଣାର୍କ ମନ୍ଦିର ପ୍ରତିଷ୍ଠାତା ଓ ଗୌଡ଼ ବିଜେତା ନରସିଂହ ଦେବ (ପ୍ରଥମ) ସୂର୍ଯ୍ୟବଂଶର ପରମ ବୈଷ୍ଣବ ରାଜା ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର ପ୍ରଭୃତିଙ୍କ ନାମ ଲୋକମୁଖରୁ ଶୁଣି ସେମାନଙ୍କୁ ଗଙ୍ଗବଂଶର ରାଜା ବୋଲି ସ୍ୱଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।

 

ତତ୍‌ପରେ ମୁକୁନ୍ଦ ଦେବ ଓ ସୁଲେମାନ୍‌ କର୍‌ ରଣାନିଙ୍କ ଯୁଦ୍ଧ ସାରଙ୍ଗଗଡ଼ ଦେଇ ଖୋର୍ଦ୍ଧା ଓ ନୀଳାଚଳ ଉପର କଳାପାହାଡ଼ର ଆକ୍ରମଣ ସମ୍ବନ୍ଧରେ ସେ ଦୁଇ ଚାରି ପଦ ଉଲ୍ଲେଖ କରିଛନ୍ତି ।

 

‘‘ହାଲୋକି ନାମେ ହରିଚନ୍ଦ୍ର

ରାଜନ ତେଲଙ୍ଘା ମୁକୁନ୍ଦ

।।

ଗଙ୍ଗ କୂଳକୁ ଯିବେ ମାରି

ଗଉଡ଼େଶ୍ୱର ଯେ ବିଚାରି

।।

ସନ୍ୟ ତାହାର ଘେନି ସଙ୍ଗ

ବୋଲିବ ଓଡ଼ିଶାକୁ ଭାଙ୍ଗ

।।

କଳା ପାହାଡ଼ ରଣରଙ୍ଗେ

ଗୁପତେ ଆସି ସେ ସାରଙ୍ଗେ

।।

ବଳ ଆସିବ ତାର ଘୋଟି

ପକାଇ କଳ୍ପବଟ କାଟି

।।

କ୍ଷେତ୍ରରେ କରିବ ଅନୀତି

ଦେବତା ଅପୂଜା ହୁଅନ୍ତି’’

।।

 

କବି ଦାସିଆ ପୁରୀର ନିକଟବର୍ତ୍ତୀ ବାଲିଗ୍ରାମର ଅଧିବାସୀ ହୋଇଥିବାରୁ ଶ୍ରୀକ୍ଷେତ୍ରରେ କଳାପାହାଡ଼ଙ୍କ ଅତ୍ୟାଚାର ସମ୍ବନ୍ଧରେ ବୃଦ୍ଧ ବ୍ୟକ୍ତିଙ୍କଠାରୁ ଶୁଣି ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିବାର ମନେହୁଏ । କାରଣ କବି ଭୋଇବଂଶର ରାଜା ରାମଚନ୍ଦ୍ର ଦେବ (୧ମ)ଙ୍କଠାରୁ ଅର୍ଥାତ୍‌ ଖ୍ରୀ:ଅ: ୧୫୬୮ ସାଲ୍‌ରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀର ରାଜା ବୀରକେଶରୀ ଦେବ (ଖ୍ରୀ:ଅ: ୧୭୩୬ରେ ବୀରକେଶରୀ ଦେବ ଅଭିଷିକ୍ତ ହୋଇଥିଲେ)ଙ୍କ ପର୍ଯ୍ୟନ୍ତ ବିବରଣୀ ସ୍ୱ-ପୁସ୍ତକରେ ଉଲ୍ଲେଖ କରିଥିବାରୁ ଖ୍ରୀ:ଅ: ୧୫୬୮ ରୁ ୧୭୩୬ ଅର୍ଥାତ୍‌ ଦୀର୍ଘ ଏକଶହ ଅଡ଼ଷଠୀ ବର୍ଷରୁ ଅଧିକକାଳ ବଞ୍ଚିଥିବାର ମନେ ହୁଏ ନାହିଁ । ତେଣୁ ଉକ୍ତ ପୁସ୍ତକରେ ପ୍ରଦତ୍ତ ଭୋଇ ବଂଶର ବିବରଣୀ ମଧ୍ୟରୁ କେଉଁ ଅଂଶ କବିଙ୍କଦ୍ୱାରା ଚାକ୍ଷୁଷ ହୋଇପାରେ ସେ ସମ୍ବନ୍ଧରେ ଏକ ପର୍ଯ୍ୟାଲୋଚନା କରାଯାଇ ପାରେ ।

 

‘ଆଗତ ଭବିଷ୍ୟ’ ପୁସ୍ତକର ପର୍ଯ୍ୟାଲୋଚନାରୁ ଜଣାଯାଏ କବି ବାଲିଗାଁ ଦାସ ଭୋଇ ବଂଶର ରାଜା ନରସିଂହ ଦେବ (ଖ୍ରୀ: ଅ: ୧୬୨୧-୧୬୪୭ )ଙ୍କଠାରୁ ଆରମ୍ଭ କରି ବୀରକେଶରୀଦେବଙ୍କ ପର୍ଯ୍ୟନ୍ତ ଘଟଣାବଳୀ ଗୁଡ଼ିକ ଅତି ଚମତ୍କାର ଭାବରେ ଉଲ୍ଲେଖ କରିଛନ୍ତି । ମୋଗଲ ସେନାପତି ଫତେ ଖାଁଙ୍କଦ୍ୱାରା ନରସିଂହଦେବଙ୍କ ହତ୍ୟା, ଗଙ୍ଗାଧର ଦେବ ଓ ବଳଭଦ୍ର ଦେବଙ୍କ ମଧ୍ୟରେ ବିବାଦ ତଥା ଗଙ୍ଗାଧର ଦେବଙ୍କଦ୍ୱାରା ଖୁରୁଧା ରାଜସିଂହାସନ ଆରୋହଣ ସମ୍ପର୍କରେ ସେ ବିଶଦ ବର୍ଣ୍ଣନା କରିଛନ୍ତି । ତତ୍‌ପରେ ବଳଭଦ୍ରଦେବ, ମୁକୁନ୍ଦଦେବ, ଦିବ୍ୟସିଂହ ଦେବ,ହରେକୃଷ୍ଣ ଦେବ ଓ ଗୋପୀନାଥ ଦେବଙ୍କ ସମୟର ଘଟଣାବଳୀ ଖୁବ୍‌ ବିଶଦଭାବରେ ଉଲ୍ଲେଖ କରି ନଥିଲେ ହେଁ, ‘ମାଦଳା ପାଞ୍ଜି’ ଓ ସମସାମୟିକ ଇତିହାସ ସହିତ ସାମଞ୍ଜସ୍ୟ ରଖି ବହୁ ଘଟଣାର ଉଲ୍ଲେଖ କରିଛନ୍ତି । ଗୋପୀନାଥ ଦେବଙ୍କ ପରେ ଖୁର୍‌ଧା ରାଜସିଂହାସନ ତଥା ଓଡ଼ିଶାର ରାଜନୈତିକ ବାତାବରଣରେ ଏକ ପ୍ରବଳ ଝଞ୍ଜା ସୃଷ୍ଟି ହୋଇଗଲା । ଗଜପତି ରାମଚନ୍ଦ୍ର ଦେବ (ଦ୍ୱିତୀୟ) ଖ୍ରୀ:ଅ: ୧୭୨୭ ର ୧୭୩୫ ପର୍ଯ୍ୟନ୍ତ ନାମକୁ ମାତ୍ର ଖୁରୁଧା ସିଂହାସନ ଆରୋହଣ କରିଥିଲେ । ମାଦଳାପାଞ୍ଜି ତଥା ସମସାମୟିକ ଅନ୍ୟାନ୍ୟ ବିବରଣୀରୁ ଜଣାଯାଏ, ସେ ମୋଗଲ ସୁବେଦାରଙ୍କ କନ୍ୟାର ପାଣି ଗ୍ରହଣ କରିଥିଲେ । କିନ୍ତୁ ଐତିହାସିକ ଆଲୋଚନାରୁ ଜଣାଯାଏ, ଖୁର୍‌ଧା ରାଜ୍ୟର ସ୍ଥିତି, ପ୍ରଜାମାନଙ୍କ ସନ୍ତୋଷ ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସୁରକ୍ଷା ଲାଗି ସେ ଜାଣି ଶୁଣି, ମୋଗଲ ବାଦଶାହ ତଥା ବାଦଶାହଙ୍କ ପ୍ରତିନିଧି କଟକ ସୁବେଦାରଙ୍କୁ ସନ୍ତୁଷ୍ଟ କରିବା ଲାଗି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ ହୋଇଥିଲେ । ରାଜା ରାମଚନ୍ଦ୍ର ଦେବଙ୍କ ଏହି କାର୍ଯ୍ୟ ଫଳରେ ତାଙ୍କ ରାଣୀ ତଥା ଜେନାମଣି (ପୁଅ) ଭାଗୀରଥି କୁମାର ରାମଚନ୍ଦ୍ରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତା’ ଫଳରେ ଖୁର୍‌ଧା ରାଜ୍ୟ ଏକ ପ୍ରକାର ଅରକ୍ଷିତ ହୋଇ ଯାଇଥିଲା; ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବହୁଦିନ ଧରି ବାଣପୁରରମାଳ, ଖଲିକୋଟର ଟିକାଲି ତଥା ଗଞ୍ଜାମର ଆଠଗଡ଼ ଅଞ୍ଚଳରେ ଲୁଚାଇ ରଖା ଯାଇଥିଲା । ଏ ସମସ୍ତ ଘଟଣା କବି ବାଲିଗାଁ ଦାସ ସ୍ୱପୁସ୍ତକରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି ।

 

‘‘ରାମ ଯେ ଚନ୍ଦ୍ର ରାଜା ପୁଣ ।

      ରାଜା କରିବ ସୁରାପାନ ।।

ରାଜ୍ୟରୁ ଛାଡ଼ି ପଳାଇବ ।

      ପଶ୍ଚିମେ ଗୋପ୍ୟାନ ହୋଇବ ।।

X            X            X            X

 

ଏ ରାଜା ରାମଚନ୍ଦ୍ର ଦେବ ।

      ପ୍ରତାପୀ ବୀର ଶୂର ଦେବ ।।

ଆଠ ଯେ ଅଙ୍କଠାରୁ ପୁଣ ।

      ଲାଗିବ ମହାଘୋର ରଣ ।।

X            X            X            X

 

ଦମନ ଆସିବେ ଯେ ବାହି ।

      ପାଞ୍ଚ ସହସ୍ର ବଳ ଥାଇ ।।

ପୃଥିବୀ ରହିବେ ଯେ ଘୋଟି ।      

      ଗୋରୁ ଯେ ଜବେ କରି କାଟି ।।

 

ଗୁହାରି ନ ଶୁଣିବେ ରାଜା ।

      ବିକଳ ହେବେ ଜନପ୍ରଜା ।।

କ୍ଷତ୍ରି ଯେ ସଂଗ୍ରାମ ଛାଡ଼ିବେ ।

      ଯୁଦ୍ଧ ଦେଖିଲେ ପଳାଇବେ ।।

X            X            X            X

 

ଆମ୍ଭେ ଯେ କ୍ଷେତ୍ର ଛାଡ଼ିଯିବୁ ।

      ଦକ୍ଷିଣେ ଯାଇଣ ଲୁଚିବୁ ।।

ପୁଣି ଆଷାଢ଼ ମାସଠାରେ ।

      ଆମ୍ଭେ ଆସିବୁ କ୍ଷତ୍ରବରେ ।।

 

ଚଢ଼ିବୁ ନନ୍ଦିଘୋଷ ରଥ ।

      କରିବୁ ଶ୍ରୀଗୁଣ୍ତିଚା ଯାତ ।।

ଯାତ୍ରା ସାରିବୁ ବେଗ ପୁଣ ।

      ପଳାଇ ପଶିବୁ ଦକ୍ଷିଣ ।।

 

ପାଞ୍ଚ ବରଷ ନୋହେ ଯାତ ।

ହୋଇବ କଳି ଯେ ଭାରତ ।।’’

(ଆଗତ ଭବିଷ୍ୟ–ତୃତୀୟ ଅଧ୍ୟାୟ)

 

କବି ବାଲିଗାଁ ଦାସ ‘ଆଗତ ଭବିଷ୍ୟ’ର ପରବର୍ତ୍ତୀ ଦୁଇଟି ଅଧ୍ୟାୟରେ ବହୁ ଅତି ମାନବୀୟ ଘଟଣାବଳୀର ବର୍ଣ୍ଣନା କରିଛନ୍ତି । ସେହି ପ୍ରସଙ୍ଗରେ ଓଡ଼ିଶାର ଦେବଦେବୀ କଳ୍‌କୀ ଅବତାର ସହିତ ଏକତ୍ରିତ ହୋଇ କିପରି ମ୍ଲେଚ୍ଛ ସଂହାର କଲେ ତା’ର ବର୍ଣ୍ଣନା କରିଛନ୍ତି । ସେହି ସଂପର୍କରେ ସେ ଲେଖିଛନ୍ତି–

 

ଦିଲ୍ଲୀରୁ କଳିଙ୍ଗ ଦକ୍ଷିଣ

ଲାଗିବ ମହାଘୋର ରଣ

।।

କାଳ ଶୃଗାଳ ଘୋର ରଡ଼ି

କାନ୍ତାନୀ ଚଣ୍ତୀ ଶୂନ୍ୟେ ଉଡ଼ି

।।

ଡାକିନୀ ମହାଘୋର ଡାକ

ଆକାଶେ ପଡ଼ିବ ଚମକ

।।

ପତଙ୍ଗ ପ୍ରାୟ ଉଡ଼ୁଥିବେ

ପାପୀ ଜନଙ୍କୁ ମାରିଦେବେ

।।

(ଆଗତ ଭବିଷ୍ୟ-ଚତୁର୍ଥ ଅଧ୍ୟାୟ )

 

କବିଙ୍କ ବର୍ଣ୍ଣନା ସହିତ ସମସାମୟିକ ଇତିହାସର ଆଲୋଚନା କଲେ ଜଣାଯାଏ ଯେ ଦିଲ୍ଲୀଠାରୁ ଆରମ୍ଭ କରି ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସମଗ୍ର ଭୂ-ଭାଗର ବହୁ ଅଞ୍ଚଳରେ ଘୋର ଯୁଦ୍ଧ ସଂଘଟିତ ହୋଇଥିଲା । ଦୁର୍ଦ୍ଧର୍ଷ ମୋଗଲ ଶକ୍ତି ବିରୁଦ୍ଧରେ ମରହଟ୍ଟା ଶକ୍ତି ଟକ୍‌କର ଦେଇ ସେତେବେଳେ ଭିନ୍ନ ଭିନ୍ନ ରଣକ୍ଷେତ୍ରରେ ପ୍ରସ୍ତୁତ ହେଉଥିଲେ ଏବଂ ରାଜପୁତ ଶକ୍ତି ମଧ୍ୟ ବେଳେ ବେଳେ ମୁଣ୍ତଟେକି ମୋଗଲ ସାମ୍ରାଜ୍ୟକୁ ଟଳମଳ କରିଦେଉଥିଲା । ମୋଗଲ ଶାସନ ଅଧୀନସ୍ଥ ବଙ୍ଗ, ବିହାର, ଓଡ଼ିଶାରେ ସେତିକି ବେଳେ ଆତଙ୍କରାଜ ବ୍ୟାପି ଯାଇଥିଲା । ମୋଗଲ ସୁବାଦାରମାନଙ୍କ ଧର୍ମାନ୍ଧ ନୀତିଯୋଗୁ ଏହି ତିନୋଟି ରାଜ୍ୟର ପ୍ରଜାମାନେ ତ୍ରାହି ତ୍ରାହି ଡାକ ଛାଡ଼ୁଥିଲେ । ଏହି ସମସ୍ତ ରାଜନୈତିକ ବାତାବରଣକୁ ଲକ୍ଷ୍ୟ କରି କବି ପୂର୍ବୋକ୍ତ ମତେ ମନ୍ତବ୍ୟ ପ୍ରକାଶ କରିଛନ୍ତି ।

 

ଆଗତ ଭବିଷ୍ୟ ପୁସ୍ତକର ପଞ୍ଚମ ଅଧ୍ୟାୟରେ କବି ଓଡ଼ିଶାର ମହାବ୍ୟୁତ୍ପାତ ସମ୍ୱନ୍ଧରେ ସୂଚନା ଦେଇ, ଅନନ୍ତକେଶରୀଙ୍କ ଆବିର୍ଭାବ ତଥା ମ୍ଲେଚ୍ଛସଂହାର ପରେ ସମଗ୍ର ଦେଶରେ ଶାନ୍ତିସ୍ଥାପନର ସୂଚନା ଦେଇଛନ୍ତି । ସେହି ପ୍ରସଙ୍ଗରେ, ସେ ପ୍ରତ୍ୟକ୍ଷ ଭାବରେ ନ ହେଲେ, ମଧ୍ୟ ପରୋକ୍ଷଭାବରେ ବୀରକେଶରୀ ଦେବଙ୍କ ନାମ ଉଲ୍ଲେଖ କରି ଲେଖିଛନ୍ତି–

 

‘‘କୁମାର ବୀରବର ଜେନା

ଉଡ଼ାଇ ବୀରବର ବାନା

।।

ଦୀଆନ ପାଦାନ୍ତି କରୀନ୍ଦ୍ର

ବାହିଣ ଆସିବେ ନରେନ୍ଦ୍ର

।।

X            X            X

 

ଚଢ଼ିବୁ ତେର ଅସୁଆର

ହସ୍ତରେ ଧରିଣ କୁଠାର

।।

କ୍ଷେତ୍ରରେ ପଶିବୁ ଧସାଇ

ଆମ୍ଭେ ପଶିବୁ ଦୁଇ ଭାଇ

।।

X            X            X

 

କାଳିଆ ଘାଇ ଯାଏ ପୁଣି

ତେର ଅଶ୍ୱରେ ଯିବୁ ହାଣି

।।

ଗୋଡ଼ାଇ ମାରିବୁ ଅସୁର

ଟିକିରା ଗୋହିରୀ ମଧ୍ୟର

।।

X            X            X

 

ଦେବୀ ଦେବତା ହେବେ ତୋଷ

ଆକାଶୁ ବରଷିବ ପୁଷ୍ପ

।।

X            X            X

 

ମେଳକ୍ଷ ଯିବେ ସବୁ ନାଶ

ପୃଥିବୀ ହୋଇବ ଉସ୍ୱାସ

।।

 

କବିଙ୍କର ଏ ବର୍ଣ୍ଣନା ସହିତ ସମସାମୟିକ ଇତିହାସ ଆଲୋଚନା କଲେ ଜଣାଯାଏ ଯେ, ରାମଚନ୍ଦ୍ର ଦେବଙ୍କ ପରେ ନୟାଗଡ଼, ଖଣ୍ତପଡ଼ା, ଅନୁଗୁଳ ପ୍ରଭୃତି ପଡ଼ୋଶୀ ଇଲାକାର ରାଜାମାନଙ୍କର ସହାୟତାରେ ବୀରକେଶରୀ ଦେବ ଖୁରୁଧା ସିଂହାସନ ଅଧିକାର କରିଥିଲେ । ସେତିକି ବେଳେ ମରହଟ୍ଟାମାନଙ୍କଦ୍ୱାରା ଓଡ଼ିଶା ଅଧିକାର ଫଳରେ ଦେଶରୁ ‘ମୋଗଲ–ଗୋଳ’ ବନ୍ଦ ହୋଇ ଯାଇଥିଲା । ମରହଟ୍ଟାମାନେ ହିନ୍ଦୁ ହୋଇଥିବାରୁ ସେମାନେ ଦେବ, ଦେବୀ, ମଠ, ମନ୍ଦିର ତଥା ଗୋ, ବ୍ରାହ୍ମଣଙ୍କ ପ୍ରତି ଅତ୍ୟାଚାର କରୁନଥିଲେ । ତେଣୁ ପୂର୍ବାପେକ୍ଷା ଦେଶରେ ଅଧିକ ଶାନ୍ତି, ଶୃଙ୍ଖଳା ଦେଖା ଦେଇଥିଲା ଏବଂ ଓଡ଼ିଆଜାତିର ସାଂସ୍କୃତିକ ଆଶା ଭରସାର କେନ୍ଦ୍ରସ୍ଥଳ ଶ୍ରୀ କ୍ଷେତ୍ରଧାମ ଓ ଶ୍ରୀ ଜଗନ୍ନାଥଙ୍କ ଉପରେ କୌଣସି ଆକ୍ରମଣ ହୋଇନଥିଲା ।

 

କବି ବାଲିଗାଁ ଦାସଙ୍କ ବର୍ଣ୍ଣନାରେ ଭୋଇ ବଂଶର ଗଜପତି ନରସିଂହ ଦେବଙ୍କଠାରୁ ବୀରକେଶରୀ ଦେବଙ୍କ ପର୍ଯ୍ୟନ୍ତ ଅର୍ଥାତ୍‌ ଖ୍ରୀ. ୧୬୨୧ରୁ ୧୭୩୬ ପର୍ଯ୍ୟନ୍ତ ବର୍ଣ୍ଣନା ବିସ୍ତୃତ ଭାବରେ ମିଳୁଥିବାରୁ କବି ସେହି ସମୟ ମଧ୍ୟରେ ବିଦ୍ୟମାନଥିଲେ ଏବଂ ଓଡ଼ିଆ ଭକ୍ତମଣ୍ତଳୀରେ ଜଣେ ଦୀର୍ଘାୟୁ ସନ୍ଥରୂପେ ଖ୍ୟାତି ଅର୍ଜନ କରିଥିଲେ ବୋଲି ଅନୁମାନ କରିବା ଅସଙ୍ଗତ ନୁହେଁ ।

 

***

 

ବୁଦ୍ଧ ଚରିତକାର ଅଶ୍ୱଘୋଷ

ରମାକାନ୍ତ ମଶ୍ର

 

ବୌଦ୍ଧଗ୍ରନ୍ଥ, ସମୂହରେ, ବୌଦ୍ଧ ପଣ୍ତିତ ତଥା ପ୍ରଖର ବୈରାଗ୍ୟବାଦୀ ଦାର୍ଶନିକ ଅଶ୍ୱଘୋଷଙ୍କ ସମ୍ପର୍କରେ ବହୁ ଜ୍ଞାତବ୍ୟ ତଥ୍ୟ ଉପଲବ୍‌ଧ ହୋଇଥାଏ । ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକର ଚୀନି, ତିବ୍ଦତୀ ଆଦି ଅନୁବାଦମାନଙ୍କରେ ମଧ୍ୟ ତାଙ୍କ ଜୀବନ ଏବଂ ରଚନାକାଳ ସମ୍ବନ୍ଧରେ ସଙ୍କେତ ରହିଅଛି । ‘ସୌନ୍ଦରନନ୍ଦ’ ମହାକାବ୍ୟ, ଅଶ୍ୱଘୋଷଙ୍କର ଶ୍ରେଷ୍ଠକୃତି । ତହିଁରେ ବର୍ଣ୍ଣିତ ପୁଷ୍ପିକା ସମୂହରୁ ଜଣାପଡ଼େ, ସେ ସାକେତ (ଅଯୋଧ୍ୟା) ନିବାସୀ ଏବଂ ସୁବର୍ଣ୍ଣାକ୍ଷୀଙ୍କ ପୁତ୍ର ଥିଲେ । ସେ ଆର୍ଯ୍ୟ, ଭଦନ୍ତ ଆଚାର୍ଯ୍ୟ, ମହାକବି ଆଦି ଉପାଧିରେ ଭୁଷିତ ହୋଇଥିଲେ ।

 

‘‘ଆର୍ଯ୍ୟ ସୁବର୍ଣ୍ଣାକ୍ଷୀ ପୁତ୍ରସ୍ୟ ସାକେତକସ୍ୟ ଭିକ୍ଷୋରାଚାର୍ଯ୍ୟ ।

ଭଦନ୍ତାଶ୍ୱଘୋଷସ୍ୟ ମହାକବେର୍ବାଦିନଃ କୃତିରିୟମ୍‌ !!’’

(ସୌନ୍ଦରନନ୍ଦ)

 

ବୁଦ୍ଧଚରିତର ଅନୁପଲବ୍‌ଧ ମୂଳ ରଚନାର ତିବ୍ବତୀ ଅନୁବାଦରୁ ମଧ୍ୟ ଏହା ପ୍ରମାଣିତ ହୋଇଅଛି । ତାଙ୍କର ବେଦ ଏବଂ କର୍ମକାଣ୍ତ ସମ୍ବନ୍ଧୀୟ ଜ୍ଞାନ, ଶାସ୍ତ୍ରଜ୍ଞାନ, କାବ୍ୟାଙ୍ଗ ସମୂହର ବିସ୍ତୃତ ପରିଚୟ ଆଦିରୁ, ସେ ବୌଦ୍ଧହେବା ପୂର୍ବରୁ ବ୍ରାହ୍ମଣ ଥିବା କଥା ଜଣାପଡ଼ୁ୍ଅଛି । କାରଣ ବ୍ରାହ୍ମଣେତର ବର୍ଣ୍ଣରେ ଶାସ୍ତ୍ରଜ୍ଞାନର ଏଭଳି ବ୍ୟାପକ ପରମ୍ପରା ସୁଲଭ ନଥିଲା କିମ୍ବା କୌଣସି ଆବଶ୍ୟକତା ନଥିଲା ।

 

ଖ୍ରୀ:ପୂ: ୪୮୩ରେ ବୁଦ୍ଧଙ୍କର ମହାନିର୍ବାଶ ଘଟିଥିଲା ଏବଂ ସେହି ସମ୍ବତ୍ସରରେ ବୌଦ୍ଧଭିକ୍ଷୁମାନଙ୍କର ପ୍ରଥମ ସଙ୍ଗୀତି (ସମ୍ମେଳନ) ହେଲା । ଦ୍ୱିତୀୟ ସଙ୍ଗୀତି ଖ୍ରୀଷ୍ଟପୂର୍ବ ୩୮୩ରେ ଏବଂ ତୃତୀୟ ସଙ୍ଗୀତି ଅଶୋକଙ୍କଦ୍ୱାରା ଖ୍ରୀଷ୍ଟପୂର୍ବ ୨୪୮ରେ ଆୟୋଜିତ ହୋଇଥିଲା । ଅଶ୍ୱଘୋଷଙ୍କ ରଚିତ ‘ବୁଦ୍ଧ ଚରିତ’ର ଅନ୍ତିମ ସର୍ଗରେ (ତିବ୍ବତୀ ଅନୁବାଦ) ଅଶୋକ ଏବଂ ବୌଦ୍ଧ ସଙ୍ଗୀତିର ଯେଭଳି ଉଲ୍ଲେଖ ରହିଛି, ତଦ୍ଦ୍ୱାରା କବି, ଅଶୋକଙ୍କ ପରବର୍ତ୍ତୀ ଅଟନ୍ତି ବୋଲି ପ୍ରତୀୟମାନ ହୁଏ । ତାଙ୍କ ‘ବୁଦ୍ଧଚରିତ’ର ଚୀନଭାଷାରେ ଅନୁବାଦ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପୂର୍ବରୁ ହୋଇସାରି ଥିଲା । ବିଦେଶରେ ଗ୍ରନ୍ଥଟି ପ୍ରଖ୍ୟାତହେବା ନିମିତ୍ତ ଅନ୍ୟୂନ ଦୁଇ ଶତାବ୍ଦୀର ଅବକାଶ ଆବଶ୍ୟକ ହୋଇଛି ।

 

ଚୀନି ପରମ୍ପରାରେ ଅଶ୍ୱଘୋଷ, କନିଷ୍କଙ୍କର ସମସାମୟିକ ଏବଂ ଗୁରୁରୂପରେ ଗୃହୀତ ହୋଇଛନ୍ତି । ଏ ସମସ୍ତ ବାଦାନୁବାଦ ଏବଂ ଚୀନି ପରମ୍ପରାର ଆଧାର ଉପରେ ଆମେ ଅନୁମାନ କରିପାରୁ ଯେ, ଅଶ୍ୱଘୋଷ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ କନିଷ୍କଙ୍କ ସମସାମୟିକ ଥିଲେ କିମ୍ବା ତାଙ୍କଠାରୁ କିଛିବର୍ଷ ପୂର୍ବରୁ ଥିବା ସମ୍ଭବ । କିନ୍ତୁ କନିଷ୍କଙ୍କ ବ୍ରାହ୍ମଣବିରୋଧୀ ଦୃଷ୍ଟିକୋଣ ସହିତ, ଅଶ୍ୱଘୋଷଙ୍କର ବ୍ରାହ୍ମଣ ପରମ୍ପରା ପ୍ରତି ଶ୍ରଦ୍ଧାନୁରାଗ ତଥା ଉଦାର ଦୃଷ୍ଟିର ସଙ୍ଗତି ଖାପ ଖାଉନାହିଁ ।

 

ଭାଷା ଦୃଷ୍ଟିରୁ ଅଶ୍ୱଘୋଷ, କାଳିଦାସଙ୍କର ପୂର୍ବଗାମୀ କୁହାଯିବା ସମୀଚୀନ । କାରଣ ତାଙ୍କ ଭାଷାରେ ଆର୍ଷ ପ୍ରୟୋଗ ସମୂହର ସ୍ଥିତି ବ୍ୟତୀତ ପ୍ରାଞ୍ଜଳ ପ୍ରବାହର ଅଭାବ ରହିଛି । ସେହି ପ୍ରାଞ୍ଜଳ ପ୍ରବାହହିଁ କାଳିଦାସଙ୍କ ଭାଷାର ବିଶେଷତ୍ୱ ଅଟେ । ଅଶ୍ୱଘୋଷଙ୍କ ଶବ୍ଦାବଳୀ ସହିତ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ପ୍ରଯୁକ୍ତ ଶବ୍ଦାବଳୀର ନିକଟ ସମ୍ପର୍କ ରହିଅଛି । ଏଥିରୁ ଅନୁମିତ ହୁଏ ଯେ ସେ ଦୁହିଁଙ୍କ ମଧ୍ୟରେ ସମୟର ବ୍ୟବଧାନ ଅଧିକ ହେବ ନାହିଁ ।

 

‘ମହାଯାନ ଶ୍ରଦ୍ଧୋତ୍ପାଦ-ସଂଗ୍ରହ’, ବଜ୍ରସୂଚୀ, ଗଣ୍ତୀ-ସ୍ତୋତ୍ର-ଗାଥା’, ତଥା ‘ସୂତ୍ରାଳଙ୍କାର’ ଆଦିର ରଚୟିତାରୂପେ ଅଶ୍ୱଘୋଷ କିମ୍ବଦନ୍ତୀଦ୍ୱାରା ସ୍ୱୀକୃତ । କିନ୍ତୁ ଏହି ବିଷୟରେ କେବଳ ମତଭେଦ ନୁହେଁ; ବିରୋଧୀ ପ୍ରମାଣ ମଧ୍ୟ ରହିଅଛି । ‘ବଜ୍ରସୂଚୀ’ରେ ବ୍ରାହ୍ମଣ ଧର୍ମ ଏବଂ ତାଙ୍କଦ୍ୱାରା ସ୍ଥାପିତ ବର୍ଣ୍ଣ-ବ୍ୟବସ୍ଥା ଉପରେ ଯେଭଳି ବାକ୍ୟବାଣ ତଥା ପ୍ରହାର ରହିଛି, ତାହା ଅଶ୍ୱଘୋଷଙ୍କ ନିଜସ୍ୱ ଶୈଳୀ ତଥା ଉଦାରବୃତ୍ତି ସହିତ ମେଳ ଖାଉନାହିଁ । ଏହା ବ୍ୟତୀତ ବଜ୍ରସୂଚୀର ଚୀନିଭାଷ ଅନୁଦିତ ଅଂଶରୁ (ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ପ୍ରାପ୍ତ) ଜଣା ପଡ଼େ ଯେ ତାହା ଷଷ୍ଠ ଶତାବ୍ଦୀର ବୌଦ୍ଧ ଦାର୍ଶନିକ ଧର୍ମକୀର୍ତ୍ତିଙ୍କ କୃତି ଅଟେ । ଗଣ୍ତୀ-ସ୍ତୋତ୍ର–ଗାଥା, ଯେଉଁଥିରେ ୨୯ ସ୍ରଗ୍‌ଧରା ଛନ୍ଦରେ ପିଙ୍ଗଳ, ସଙ୍ଗୀତ ଆଦିର ବର୍ଣ୍ଣନା ରହିଛି । ଶୈଳୀ ଦୃଷ୍ଟିରୁ ଅଶ୍ୱଘୋଷଙ୍କର ବୋଲି ଗ୍ରହଣ କରାଯାଇ ନପାରେ । ମହାଯାନ ଶ୍ରଦ୍ଧୋତ୍ପାଦ-ସଂଗ୍ରହ ମଧ୍ୟ ଯାହାକି ମହାଯାନ ଗୋଷ୍ଠୀର ମହାନ ଦାର୍ଶନିକ ଗ୍ରନ୍ଥ ଏବଂ ନାଗାର୍ଜ୍ଜୁନଙ୍କ ଶୂନ୍ୟ ବିବର୍ତ୍ତନବାଦୀ ମାଧ୍ୟମିକ ଶାଖାର ଆଧାର କୁହାଯାଇପାରେ, ବିଭିନ୍ନ ବିରୋଧୀ ପ୍ରମାଣର ଶରବ୍ୟ ହୋଇଛି । ଏହି ଗ୍ରନ୍ଥ କେବଳ ଚୀନ ଅନୁବାଦରେ ପ୍ରାପ୍ତ ଅଟେ ଏବଂ ଚୀନ ପରମ୍ପରା ଏହାକୁ ଅଶ୍ୱଘେ ଷକୃତରୂପେ ସ୍ୱୀକାର କରେ ।

 

ଦାର୍ଶନିକ ତଥା ଅନ୍ୟ ଶାସ୍ତ୍ରୀୟ ଗ୍ରନ୍ଥମାନଙ୍କର କୃତିତ୍ୱ ସମ୍ବନ୍ଧରେ ଭ୍ରମ ଯେଭଳି ସହଜ, ସାହିତ୍ୟିକ କୃତୀଗୁଡ଼ିକ ସମ୍ପର୍କରେ ସେଭଳି ପ୍ରାୟ ହୁଏ ନାହିଁ । ସେଥିରେ ରଚୟିତାର ବ୍ୟକ୍ତିତ୍ୱ ତାହାର ନିଜସ୍ୱ ଶୈଳୀରେ ବ୍ୟକ୍ତ ହୋଇଥାଏ । ମହାକବି କାଳିଦାସଙ୍କ ନାମରେ ବହୁ ତୁଚ୍ଛକୃତି ମଧ୍ୟ ଯୋଡ଼ି ଦିଆଯାଇଛି । କିନ୍ତୁ ସେ ସମସ୍ତ ତାଙ୍କର ଭାଷା, ଶୈଳୀ, ବିଷୟଚୟନ ଆଦିର କଷଟି ଉପରେ ଦଣ୍ତାୟମାନ ହୋଇପାରି ନାହିଁ । ଠିକ୍‌ ସେହିଭଳି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅପ୍ରକାଶିତ କାବ୍ୟରୂପେ ବହୁ ତୁଚ୍ଛକୃତୀ ତାଙ୍କ ନାମରେ ସୃଷ୍ଟି କରି କେତେକ ନାମଧାରୀ ପଣ୍ତିତ ସଂପ୍ରତି ବାହାଦୂରୀ ନେବାରେ ବ୍ୟସ୍ତ ।

 

‘ମହାଯାନ ଶ୍ରଦ୍ଧୋତ୍ପାଦ–ସଂଗ୍ରହ’କୁ କୌଣସି ଅନ୍ୟ ବିଦ୍ୱାନଙ୍କ ରଚନାରୂପେ ପ୍ରମାଣିତ କରିବା କଠିନ ନୁହେଁ । କିନ୍ତୁ ଯେ ‘ବୁଦ୍ଧଚରିତ’କୁ ରଚନା କରିଛନ୍ତି, ସେ ‘ସୌନ୍ଦରନନ୍ଦ’ ରଚନା କରି ନାହାନ୍ତି, ଏକଥା ସମାଣିତ କରିବା ସମ୍ଭବ ହେବ ନାହିଁ । କାରଣ ଗୋଟିଏ ମାତ୍ର ଭାବନା ଏବଂ ଅଭିବ୍ୟକ୍ତିର ବିଶେଷ ପଦ୍ଧତି, ସେ ଦୁଇଟିକୁ ଆକାର ପ୍ରଦାନ କରିଛି । ଏହି କାରଣରୁ ବହୁ ଶତାବ୍ଦୀ ପରେ ମଧ୍ୟ କୌଣସି ସାହିତ୍ୟିକ କୃତିରେ ପ୍ରକ୍ଷିପ୍ତ ଅଂଶକୁ ଚିହ୍ନିବାରେ କୌଣସି ବାଧାସୃଷ୍ଟି ହୁଏ ନାହିଁ ।

 

ଅଶ୍ୱଘୋଷଙ୍କର ସାହିତ୍ୟିକ କୃତିରୂପେ ‘ବୁଦ୍ଧଚରିତ’, ‘ସୌନ୍ଦରନନ୍ଦ’ ଦୁଇଟି ମହାକାବ୍ୟ ଏବଂ ‘ଶାରିପୁତ୍ର’ ପ୍ରକରଣର କେତେକ ଅଂଶ ସମ୍ପ୍ରତି ଉପଲବ୍‌ଧ ହେଉଅଛି ।

 

‘ବୁଦ୍ଧଚରିତ’ ମହାକାବ୍ୟର ୨୮ ସର୍ଗରେ ବୁଦ୍ଧଙ୍କ କଥା ବର୍ଣ୍ଣିତ ହୋଇଛି । ଅଥଚ ତନ୍ମଧ୍ୟରୁ ୨ ରୁ ୧୩ ସର୍ଗ ପର୍ଯ୍ୟନ୍ତ ମାତ୍ର ସଂସ୍କୃତରେ ପୂର୍ଣ୍ଣରୂପେ ସୁରକ୍ଷିତ ରହିଛି । ପ୍ରଥମ ସର୍ଗର ଏକଚତୁର୍ଥାଂଶ ଏବଂ ଚତୁର୍ଦ୍ଦଶ ସର୍ଗର ଦୁଇତୃତୀୟାଂଶ ଅପ୍ରାପ୍ୟ ଅଟେ । ଏହି ମହାକାବ୍ୟର ଅନୁବାଦ ଚୀନି ଭାଷାରେ ଖ୍ରୀଷ୍ଟୀୟ ୪୧୪ରେ ହୋଇଥିଲା ଏବଂ ତିବ୍ବତୀ ଭାଷାରେ ଖ୍ରୀ: ୭୦୦, ୮୦୦ ମଧ୍ୟରେ ତଥା ଏହି ଅନୁବାଦମାନଙ୍କ ଭିତରୁ ୨୮ଟି ସର୍ଗ ମାତ୍ର ଉପଲବ୍‌ଧ ହୋଇଅଛି । ଏହି ଅନୁବାଦଗୁଡ଼ିକଦ୍ଵାରା ସଂସ୍କୃତ ପାଠର ଶୁଦ୍ଧିରେ ମଧ୍ୟ ସହାୟତା ମିଳିପାରିଛି । ‘ବୁଦ୍ଧଚରିତ’ରେ ବୁଦ୍ଧଙ୍କ ଜନ୍ମଠାରୁ ଆରମ୍ଭ କରି ତାଙ୍କର ମହାନିର୍ବାଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜୀବନବୃତ୍ତ ରହିଛି । ଏହାର ଶେଷ ପର୍ଯ୍ୟାୟରେ ବୁଦ୍ଧଙ୍କ ଅବଶୋଷ ସକାଶେ ସଂଘର୍ଷ, ପ୍ରଥମ ବୌଦ୍ଧ ସଙ୍ଗୀତି ଏବଂ ଅଶୋକଙ୍କ ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରି କବି କାବ୍ୟର ଉପସଂହାର କରିଅଛନ୍ତି । ‘ସୌନ୍ଦରନନ୍ଦ’ରେ ବୁଦ୍ଧଙ୍କ ବୈମାତୃକ ଭ୍ରାତା ନନ୍ଦଙ୍କ ପ୍ରବ୍ରଜ୍ୟା କଥା ୧୮ ସର୍ଗରେ ବର୍ଣ୍ଣିତ ହୋଇଛି । ‘ଶାରିପୁତ୍ର’ ପ୍ରକରଣ, ଯାହାର କିଛି ଅଂଶ ପ୍ରଫେସର ଲ୍ୟୁଡ଼ର୍ସ, ମଧ୍ୟ ଏସିଆର ତୁଫାନଠାରେ ପ୍ରାପ୍ତ ହୋଇଥିଲେ, ତାହା ନଅଟି ଅଙ୍କର ଏକ ପ୍ରକରଣ ରୂପକ ଅଟେ । ଏହା ବିଷୟବସ୍ତୁରେ ବୁଦ୍ଧଙ୍କ ପଟ୍ଟଶିଷ୍ୟ ଶାରିପୁତ୍ର ଏବଂ ମୌଦଗଲ୍ୟାୟନ୍‌ଙ୍କ ପ୍ରବ୍ରଜ୍ୟା ବର୍ଣ୍ଣିତ ହୋଇଛି ।

 

‘ସୌନ୍ଦରନନ୍ଦ’ ମହାକାବ୍ୟର ଭାଷାଚାତୁରୀ, ଶୈଳୀ ତଥା ମାଧୁର୍ଯ୍ୟର ପ୍ରବାହଶୀଳତା ବାସ୍ତବିକ ଏକ ବ୍ୟତିକ୍ରମ । ‘ବୁଦ୍ଧଚରିତ’ରେ ୧୪ ସର୍ଗ ପରେ କଥାର ଶିଥିଳତା ପରିଦୃଷ୍ଟ ହୋଇଥାଏ ଏବଂ ବୌଦ୍ଧ ଧର୍ମ ତଥା ଦର୍ଶନର ବିଶଦ ବ୍ୟାଖ୍ୟା ହେତୁ କାବ୍ୟିକ ମୂଲ୍ୟ ମଧ୍ୟ ହ୍ରାସ ପାଇଅଛି । ଅଶ୍ୱଘୋଷଙ୍କ ନିକଟରେ କବିର ସମ୍ବେଦନଶୀଳ ହୃଦୟ ରହିବା ସଙ୍ଗେ ସଙ୍ଗେ ସଂସାରକୁ ଦୁଃଖାତ୍ମକ ତଥା ତ୍ୟାଜ୍ୟରୂପେ ସ୍ୱୀକାର କରିବା ଦର୍ଶନ ମଧ୍ୟ ରହିଛି ।

 

ବିଷୟବସ୍ତୁ ଦୃଷ୍ଟିରୁ ସୌନ୍ଦରନନ୍ଦ ଅଧିକ ମର୍ମସ୍ପର୍ଶୀ । ନନ୍ଦ ଏବଂ ତାଙ୍କ ପତ୍ନୀ ଚକ୍ରବାକ–ଚତ୍ରବାକୀ ସଦୃଶ ଜଣେ ଜଣକପ୍ରତି ଆସକ୍ତ ଅଟନ୍ତି । ଯେଉଁ ସମୟରେ ଅବଗୁଣ୍ଠନବତୀ ବଧୂକୁ ନନ୍ଦ ଦର୍ପଣ ଦେଖାଉଛନ୍ତି, ସେହି ସମୟରେ ଦାସୀ ପ୍ରବେଶ କରି, ତଥାଗତ ଦ୍ୱାର ନିକଟକୁ ଆସି ଭିକ୍ଷା ନନେଇ ଫେରିଯିବାର ସମ୍ବାଦ ଦେଉଅଛି । ଗୁରୁ ଅବଜ୍ଞାଜନିତ ଭୟରେ ବଧୂ,ପତିଙ୍କୁ ତଥାଗତଙ୍କ ନିକଟରେ କ୍ଷମା ମାଗିବା ନିମିତ୍ତ ଯିବାପାଇଁ ଅନୁରୋଧ କରିଛି । ନନ୍ଦ ତଥାଗତଙ୍କ ନିକଟକୁ ଗମନ କରିଛନ୍ତି, କିନ୍ତୁ ବହୁ ଭକ୍ତଙ୍କ ଗହଣରେ ସେ ଥିବାରୁ ନନ୍ଦ ତାଙ୍କ ନିକଟରେ ବିଳମ୍ବରେ ପହଞ୍ଚିଛନ୍ତି । ପ୍ରଣାମ ଶେଷରେ ସେ ତାଙ୍କ ଗୃହକୁ ଯିବା ନିମିତ୍ତ ବିନୀତ ଅନୁରୋଧ କରିଛନ୍ତି, କିନ୍ତୁ ତଥାଗତ ପୁନର୍ବାର ପ୍ରତ୍ୟାବର୍ତ୍ତନକୁ ଅସ୍ୱୀକାର କଲେ ଏବଂ ନନ୍ଦଙ୍କ ହସ୍ତରେ ତାଙ୍କ ଭିକ୍ଷାପାତ୍ରକୁ ଧରାଇ ଦେଲେ । ତା ପରେ ତଥାଗତ ବିହାର ଆଡ଼କୁ ଅଗ୍ରସର ହେଲେ । ତାଙ୍କୁ ଅନୁସରଣ କରି କରି ନନ୍ଦ ମଧ୍ୟ ବିହାରଠାରେ ପହଞ୍ଚିଲେ । ସେଠାରେ ଏକରକମ ବାଧ୍ୟହୋଇ ନନ୍ଦଙ୍କୁ ପ୍ରବ୍ରଜ୍ୟା ଗ୍ରହଣ କରିବାକୁ ପଡ଼ିଛି । ଏଣେ ପ୍ରତୀକ୍ଷିତା, ଅଧୀରା ବଧୂ ବିବ୍ରତଚକିତା । ପ୍ରତି ପଦଧ୍ୱନିରେ ସେ ନନ୍ଦଙ୍କ ପ୍ରତ୍ୟାବର୍ତ୍ତନ ଆଶାକରି ହତାଶାରେ ଉପବିଷ୍ଟା । ପ୍ରତ୍ୟାବର୍ତ୍ତନର ସମୟ ଅତିକ୍ରାନ୍ତ ହୋଇଛି । ସହସା ବଧୂ ଦାରୁଣ ସମ୍ବାଦ ଶ୍ରବଣର ଅବକାଶ ପାଇଅଛି–‘ତଥାଗତଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦ ସନ୍ନ୍ୟାସ ଗ୍ରହଣ କଲେ..... ।’ ବଧୂର କୋମଳ ହୃଦୟ ବିଦୀର୍ଣ୍ଣ ହେଲା । ଚତୁଃପାର୍ଶ୍ୱରେ ତାର ଶର୍ବରୀର ଘନଛାୟା । ମର୍ମାହତା ବଧୂ ଶୋକରେ ମୂର୍ଚ୍ଛିତା ।

 

ସଂସାରର ସମସ୍ତ ସ୍ନେହ-ବନ୍ଧନକୁ ଭ୍ରାନ୍ତିରୂପେ ସ୍ୱୀକାର କରୁଥିବା କବିର ହୃଦୟ ମଧ୍ୟ ଏହି ବିୟୋଗ ପ୍ରତି କଠୋର ହୋଇପାରି ନାହିଁ । କବି–ହୃଦୟର କରୁଣା, ବର୍ଣ୍ଣନାର ପ୍ରତିଛତ୍ରରେ ପ୍ରକାଶିତ । ବିୟୋଗକୁ ଶ୍ରେୟରୂପେ ସ୍ୱୀକାର କରୁଥିବା ଅଶ୍ୱଘୋଷ, ନନ୍ଦ ଏବଂ ସୁନ୍ଦରୀ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି–

 

‘‘ତାଂ ସୁନ୍ଦରୀଂ ଚେନ୍ନଲଭେତ ନନ୍ଦଃ, ସା ବା ନିଷେବେତ ନ ତଂ

ଦ୍ୱନ୍ଦ୍ୱଂ ଧ୍ରୁବଂ ତଦ୍‌ବିକଳଂ ନଶୋଭେ–ନତଭ୍ରୁଃ ।

ତା ନ୍ୟୋନ୍ୟ ହୀନାବିବରାତ୍ରି ଚନ୍ଦ୍ରୌ ।।’’

(ସୌନ୍ଦରନନ୍ଦ)

 

(ଯଦି ନନ୍ଦ ସୁନ୍ଦରୀକୁ ପ୍ରାପ୍ତ ହୋଇପାରୁ ନାହିଁ, ଏବଂ ଯଦି ସୁନ୍ଦରୀ ତାକୁ ପତିରୂପେ ପାଉ ନାହିଁ ତେବେ ସେହି ବିକଳ ଦ୍ୱନ୍ଦ୍ୱ, ଠିକ ରାତ୍ରି ବିନା ଚନ୍ଦ୍ର ଏବଂ ଚନ୍ଦ୍ର ବିନା ରାତ୍ରି ସଦୃଶ ଶୋଭା ପାଇବ ନାହିଁ ।)

 

ଭାବ ଏବଂ ସୌନ୍ଦର୍ଯ୍ୟର ସଫଳ ଚିତ୍ରଣରେ ଅଶ୍ୱଘୋଷଙ୍କ ଲେଖନୀ ମଧ୍ୟ ଦୁର୍ବଳ ନୁହେଁ । ସ୍ୱଭାବତଃ ଜୀବନକୁ ଦୁଃଖମୟ ତଥା ସୌନ୍ଦର୍ଯ୍ୟକୁ ଭ୍ରାନ୍ତିରୂପେ ଗ୍ରହଣ କରୁଥିବା ଅଶ୍ୱଘୋଷଙ୍କ ସୌନ୍ଦର୍ଯ୍ୟ-ଚିତ୍ର, ଜୀବନକୁ ଆନନ୍ଦମୟ ତଥା ସୌନ୍ଦର୍ଯ୍ୟକୁ ସତ୍ୟରୂପେ ସ୍ୱୀକାର କରୁଥିବା କାଳିଦାସଙ୍କ ସୌନ୍ଦର୍ଯ୍ୟ-ଚିତ୍ର ତୁଳନାରେ ନ୍ୟୁନ ନୁହେଁ । ଆବଶ୍ୟକୀୟ ରଂଗ ଏବଂ ରେଖାରେ ତାହା ପରିପୂର୍ଣ୍ଣ । ବୋଧପ୍ରାପ୍ତ ସିଦ୍ଧାର୍ଥ ଯଦି ନିଜର ପ୍ରଶାନ୍ତ ଆଭାରେ ଆକର୍ଷିତ କରିଅଛନ୍ତି, ତେବେ ମୋହଗ୍ରସ୍ତ ନନ୍ଦ ନିଜର ସଜଳ ବିଷାଦରେ ହୃଦୟକୁ କରୂଣାସ୍ନାତ କରିପାରିଅଛି ।

 

‘‘ଯୁଗପଜ୍ଜ୍ୱଳନ୍‌ ଜ୍ଜ୍ୱଳନବଚ୍ଚ ଜଳମବସୃଜଂଶ୍ଚ ମେଘବତ ।

ତପ୍ତକନକ ସଦୃଶ ପ୍ରଭୟା ସଂ ବଭୌ ପ୍ରଦୀପ୍ତ ଇବ ସନ୍ଧ୍ୟୟା ଘନ ।।’’

 

(ଏକ ସଙ୍ଗେ ଅଗ୍ନି ସଦୃଶ ପ୍ରଜ୍ଜ୍ୱଳିତ ଏବଂ ମେଘସଦୃଶ ଜଳ ବର୍ଷା କରି, ତପ୍ତ ସ୍ୱର୍ଣ୍ଣ ସଦୃଶ ସୌନ୍ଦର୍ଯ୍ୟସଂପନ୍ନ ସିଦ୍ଧାର୍ଥ ସାଂଧ୍ୟକାଳୀନ ବାଦଲ ସଦୃଶ ଉଦଭାସିତ ହେଲେ ।)

 

‘‘ଅଥେ ଋତଂ ତସ୍ୟ ମୁଖଂ ସବାଷ୍ପଂ ପ୍ରବାସ୍ୟମାନେଷୁ ଶିରୋରୂହେଷୁ ।

ବକାଗ୍ରନାଳଂ ନଳିନଂ ତଡ଼ାଗେ ବର୍ଷୋଦକକ୍ଳିନ୍ନ ମିବାବଭାସେ ।।’

 

(କେଶଗୁଡ଼ିକୁ କାଟି ଦିଆଯିବା ପରେ ନନ୍ଦଙ୍କ କ୍ରନ୍ଦନରତ ତଥା ଅଶ୍ରୁଜଳରେ ଧୌତ ମୁଖ, ସରୋବରରେ ବର୍ଷାଜଳରେ ଆର୍ଦ୍ର ଏବଂ ଯାହାର ନାଳର ଅଗ୍ରଭାଗ ବକ୍ର ଠିକ ସେହି ପଦ୍ମ ପୁଷ୍ପ ସଦୃଶ ମନେ ହେଉଥିଲା ।)

 

ନିଦ୍ରାଭିଭୂତ ସୁନ୍ଦରୀର ମୁଖ ଅମ୍ବରରେ କାରୁଣ୍ୟର ଛାୟା, ଶୋକଦଗ୍‌ଧ ମାନସର ସୂକ୍ଷ୍ମ ପରିପ୍ରକାଶ, ତାକୁ ଗବାକ୍ଷ ପଥରେ ଦେଖିବା ନିମିତ୍ତ ଉପସ୍ଥିତ ପୌର ଅଙ୍ଗନାମାନଙ୍କର ଉତ୍କଣ୍ଠା ତଥା ନନ୍ଦଙ୍କ ଗୃହତ୍ୟାଗ ଫଳରେ କରୁଣକ୍ରନ୍ଦନ କରୁଥିବା ଅନ୍ତପୁର ନାରୀଗଣଙ୍କ ଚିତ୍ର ଅତୀବ ବାସ୍ତବ ଏବଂ ସ୍ପଷ୍ଟ ହୋଇଛି । ଅଶ୍ୱଘୋଷଙ୍କ ରଚନାରେ ଜୀବନର ସୂକ୍ଷ୍ମ ନିରୀକ୍ଷଣର ଅଭାବ ନାହିଁ-

 

‘‘ବିବଭୌ କରଲଗ୍ନବେଣୁରନ୍ୟା ସ୍ତନବିସ୍ତ୍ରସ୍ତ ସିତାଂଶୁକା ଶୟାନା ।

ଋଜୁ ଷଟ୍‌ପଦପଂକ୍ତିଜୁଷ୍ଟ ପଦ୍ମା ଜଳଫେନ ପ୍ରହସତ୍ତଟା ନଦୀବ ।।’’

 

(ଜଣେ ଅନ୍ୟ ନାରୀ ଯେ କି ହାତରେ ବେଣୁଧରି ଶୋଇ ପଡ଼ିଥିଲା ଏବଂ ଯାହାର ଶ୍ୱେତ ଅଂଶୁକ ବକ୍ଷରୁ ଖସି ଯାଇଥିଲା । ତାକୁ ଦେଖିଲେ ମନେ ହେଉଥିଲା, ସତେ ଯେମିତି ସେ ଭ୍ରମରମାନଙ୍କର ସିଧାପଂକ୍ତିରେ ଯୁକ୍ତ ପଦ୍ମଟିଏ ଏବଂ ଫେଣ ପରିପୂର୍ଣ୍ଣ ତଟ ଥିବା ନଦୀଟିଏ) ।

 

‘‘ମୁଖୈଶ୍ଚ ତାସାଂ ନୟନାମ୍ବୁ ତାଡ଼ିତୈରରାଜ ତଦ୍ରାଜନିବେଶନଂ ତଦା ।

ନବାମ୍ବୁକାଳେଽମ୍ବୁଦବୃଷ୍ଟି ତାଡ଼ିତୈଃ ସ୍ରବଜ୍ଜଳୈସ୍ତାମରସୈର୍ଯ ଥାସରଃ ।।’’

 

(ସ୍ତ୍ରୀମାନଙ୍କର ଅଶ୍ରୁଜଳରେ ଧୌତ ମୁଖ ଯୋଗୁଁ ସେହି ରାଜ ଭବନର ଏମିତି ଏକ ସରୋବର ସଦୃଶ ମନେ ହେଉଥିଲା, ଯେଉଁଥିରେ ବର୍ଷାକାଳର ପ୍ରାରମ୍ଭରେ ମେଘବୃଷ୍ଟିରେ ତାଡ଼ିତ ହୋଇ ଜଳବିନ୍ଦୁ ବର୍ଷା କରୁଥିବା କମଳ ଅଟେ)।

 

ପ୍ରକୃତିର ଭୀମକାନ୍ତ ରୂପ ବର୍ଣ୍ଣନା ସଙ୍ଗେ ସଙ୍ଗେ ଦର୍ଶନତତ୍ତ୍ୱର ଗହନଭାବକୁ ମଧ୍ୟ ଅଶ୍ୱଘୋଷ କଥାକ୍ରମ ମଧ୍ୟରେ ସ୍ଥାନ ଦେଇଛନ୍ତି ।

 

‘‘ମୃଗା ଗଜାଶ୍ଚାର୍ତରବାନ୍ ସୃଜନ୍ତୋ

      ବିଦୁଦ୍ରୁ ବୁଶ୍ଚୈବ ନିଳିଲ୍ୟରେ ଚ ।

ରାତ୍ରୌ ଚ ତସ୍ୟା ମହନୀବ ଦିଗ୍‌ଭ୍ୟଃ

      ଖଗା ରୁବନ୍ତଃ ପରିପେତୁରାର୍ତାଃ ।।’’

 

(ମୃଗ ଏବଂ ହାତୀ ଆର୍ତ୍ତଚିତ୍କାର କରି ଏଣେତେଣେ ଦଉଡ଼ି ନିଜ ନିଜକୁ ଗୋପନ କଲେ । ସେହି ରାତ୍ରିରେ, ଦିବସ ସଦୃଶ, ପକ୍ଷୀସମୂହ ଆର୍ତ୍ତବିଳାପ କରି କରି ସମସ୍ତ ଦିଗ ଆଡ଼କୁ ଉଡ଼ିବାରେ ଲାଗିଲେ) ।

 

‘‘ଦୀପୋ ଯଥା ନିର୍ବୃତିମଭ୍ୟୁପେତୋ

      ନୈବାବନିଂ ଗଚ୍ଛତି ନନ୍ତରିକ୍ଷମ୍ ।

ଦିଶଂ ନ କାଞ୍ଚିତ୍ ବିଦିଶଂ ନ କାଞ୍ଚିତ୍

      ସ୍ନେହକ୍ଷୟାତ୍ କେବଳମେତି ଶାନ୍ତିମ୍ ।।

କଥା କୃତୀ ନିର୍ବୁତିମ ଭ୍ୟୁପେତୋ

ନୈବାବନିଂ ଗଚ୍ଛତି ନନ୍ତରିକ୍ଷମ୍ ।

ଦିଶଂ ନ କାଞ୍ଚିତ୍ ବିଦିଶଂ ନ କାଞ୍ଚିତ୍

      କ୍ଳେଶକ୍ଷୟାତ୍ କେବଳମେତି ଶାନ୍ତିମ୍ ।’’

 

(ଦୀପ ଲିଭିଯିବା ପରେ ଯେପରି ପୃଥିବୀକୁ ଯାଏ ନାହିଁ କି ଆକାଶକୁ ଯାଏ ନାହିଁ, କିମ୍ବା କୌଣସି ଦିଗ, ବିଦିଗକୁ ଯାଏ ନାହିଁ, ସ୍ନେହ ସମାପ୍ତ ହେବା କାରଣରୁ କେବଳ ଶାନ୍ତି ପ୍ରାପ୍ତ ହୁଏ; ସେହିଭଳି କୃତୀ ମାନବ ନିର୍ବାଣପ୍ରାପ୍ତ ହେବାରେ ପୃଥିବୀକୁ ବା ଆକାଶକୁ ଯାଏ ନାହିଁ; କିମ୍ବା କୌଣସି ଦିଗ–ବିଦିଗକୁ ଯାଏ ନାହିଁ । ଦୁଃଖ କ୍ଳେଶ କ୍ଷୟ ହେବା କାରଣରୁ କେବଳ ଶାନ୍ତି ପ୍ରାପ୍ତ ହୋଇଥାଏ ।)

 

ଅଶ୍ୱଘୋଷ, ଆଦିକବି ତଥା ରାମାୟଣଦ୍ୱାରା ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ । କୁମାର ସିଦ୍ଧାର୍ଥଙ୍କୁ ଛାଡ଼ି ଛନ୍ଦକ ଏବଂ କନ୍ଥକ ଫେରି ଆସିବାର ଦେଖି ପୁରଜନ ଯେମିତି କ୍ରନ୍ଦନ କରିଥିଲେ, ଠିକ୍ ସେହିପରି ରାମ–ଲକ୍ଷ୍ମଣ–ସୀତା ଶୂନ୍ୟ ରଥ ନେଇ ସୁମନ୍ତ ଫେରିବାର ଦେଖି ଅଯୋଧ୍ୟାବାସୀ କ୍ରନ୍ଦନ କରିଥିଲେ ।
 

‘‘ନିଶାମ୍ୟ ଚ ସ୍ରସ୍ତ ଶରୀର ଗାମିନୌ

            ବିନାଗତୌ ଶାକ୍ୟ କୁଳର୍ଷଭେଣ ତୌ ।

ମୁମୋଚ ବାଷ୍ପଂ ପଥି ନାଗରୋ ଜନଃ

ପୁରା ରଥେ ଦାଶରଥେରିବାଗତେ ।’’

 

(ମାର୍ଗରେ ଯେତେବେଳେ ନଗରବାସୀ ସେହି ଦୁଇଜଣଙ୍କୁ (ଛନ୍ଦକ ସାରଥି ଏବଂ କନ୍ଥକ ଅଶ୍ୱକୁ) ମୁଖାବନତ କରି ଶାକ୍ୟଶ୍ରେଷ୍ଠଙ୍କ ବିନା ଆସିବାର ଦେଖିଲେ, ସେତେବେଳେ ସେମାନେ କ୍ରନ୍ଦନ କରିବାରେ ଲାଗିଲେ, ଯେଉଁପରି ପ୍ରାଚୀନ କାଳରେ ଦଶରଥ ପୁତ୍ର ରାମଙ୍କ ବିନା ରଥ ଲେଉଟି ଆସିବାରୁ ପୁରଜନଗଣ ଅଶ୍ରୁମୋଚନ କରିଥିଲେ ।)

 

ଗୌତମୀଙ୍କ ବିଳାପ ସଙ୍ଗେ, କୌଶଲ୍ୟାଙ୍କର ବିଳାପର ସ୍ମରଣ ଅନାୟାସରେ ହୋଇଥାଏ-। ଉଭୟଙ୍କ ବିଳାପ ଏବଂ କାରୁଣ୍ୟର ମୂଳରେ ପୁତ୍ରର ସୁକୁମାର ଭାବ ଏବଂ ବନବାସର ଯନ୍ତ୍ରଣାଦାୟକ କଳ୍ପନା ବିଦ୍ୟମାନ ।

 

ଅଶ୍ୱଘୋଷ ବିଶିଷ୍ଟ ବୌଦ୍ଧ ପଣ୍ଡିତ ଏବଂ ପ୍ରଖର ବୈରାଗୀବାଦୀ ଦାର୍ଶନିକ ହେବା ସତ୍ତ୍ୱେ ମଧ୍ୟ ଜଣେ ମହାନ୍ ଭକ୍ତ–କବି ଥିଲେ । ତାଙ୍କର କାବ୍ୟ ରଚନା କେବଳ ବୀତରାଗ ବୌଦ୍ଧର ଶୁଷ୍କ ବୌଦ୍ଧିକ ଜ୍ଞାନ–ବିଜ୍ଞାନ–ଅଭିଧାନ ନୁହେଁ, ବରଂ ସହୃଦୟ କବିର ରାଗାତ୍ମକ ଜୀବନର ଅଭିବ୍ୟକ୍ତି । ସାମ୍ପ୍ରତିକ ସେହି ବିଶ୍ୱବରେଣ୍ୟ କବି ଏବଂ ଦାର୍ଶନିକ ଅଶ୍ୱଘୋଷଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଗବେଷଣା ଏକାନ୍ତ ଆବଶ୍ୟକ ।

 

***

 

Unknown

ରତ୍ନଗିରି

ଗଣେଶପ୍ରସାଦ ପରିଜା

 

ସମୟର ପ୍ରଖର ଗତିରେ ପୁରାତନ ଐତିହ୍ୟ ଧୂଳିସାତ ଯେପରି ହୁଏ ସେହିପରି ନୂତନ ସଂସ୍କୃତି ମୁଣ୍ଡଟେକି ଉଠେ । କେବଳ ଇତିହାସ ଛଡ଼ା ତାହାର ଆଉ ସାକ୍ଷ୍ୟ କେହି ରହନ୍ତି ନାହିଁ । ପଞ୍ଚଦଶ ଶତାବ୍ଦୀରେ ଶାରଳା ଦାସ ତାଙ୍କ ଚଣ୍ଡି ପୁରାଣରେ କହିଛନ୍ତି ରତ୍ନଗିରି ଶିଖେ ବିଜେକଲେ ଦେବୀଦୁର୍ଗେ । ଏହି ଉକ୍ତିକୁ ଅନୁସରଣ କରି ରତ୍ନଗିରି ଉପରେ ଖୋଜିଲେ ଦେବୀ ଦୂର୍ଗା କେଉଁଠି ବିଜେ କରିଥିଲେ ତାହାର ନିଦର୍ଶନ ମିଳେନାହିଁ । ରତ୍ନଗିରି ଉପରେ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ଇଟା ପଥର ସୂପ ଖନନ କରି ଯେଉଁ ମୂର୍ତ୍ତିଗୁଡ଼ିକ ଉଦ୍ଧାର କରିଛନ୍ତି ସେହି ମୂର୍ତ୍ତି ମଧ୍ୟରେ ଦୁର୍ଗାମୂର୍ତ୍ତି ପରିଦୃଷ୍ଟ ହୁଅନ୍ତି ନାହିଁ । ଦୁର୍ଗାଙ୍କ ବିଷୟ ପଚାରିଲେ ଲୋକମାନେ ମଧ୍ୟ କିଛି ଉତ୍ତର ଦେଇପାରନ୍ତି ନାହିଁ ।

 

ପ୍ରତ୍ନତତ୍ତ୍ୱ ବିଭାଗ ସେଠାରେ ଯେଉଁ ସାଇନବୋର୍ଡ଼ ମାରିଛନ୍ତି ସେଥିରେ ଅଷ୍ଟମ ଶତାବ୍ଦୀର ଐତିହାସିକ ବିଭବ ବୋଲି ଲେଖିଛନ୍ତି । ପ୍ରକୃତରେ ଅଷ୍ଟମ ଶତାବ୍ଦୀର ବହୁ ମୂର୍ତ୍ତି ସେଠାରେ ଦେଖିବାକୁ ମିଳେ । କିନ୍ତୁ ରତ୍ନଗିରି ଯେ ଅଷ୍ଟମ ଶତାବ୍ଦୀରୁ ଗଢ଼ିଉଠିଛି ଏହା କହିଲେ ଠିକ୍ ହେବନାହିଁ । ଅଷ୍ଟମ ଶତାବ୍ଦୀ ବେଳକୁ ଓଡ଼ିଶାର ବିଭିନ୍ନ ବୌଦ୍ଧ ପୀଠରେ ତନ୍ତ୍ରର ଉପାସନା ଚାଲିଲାଣି । ଭୁବନେଶ୍ୱରର ବୈତାଳ ମନ୍ଦିର, ଝଙ୍କଡ଼ର ଶାରଳା, ବ୍ରହ୍ମଗିରିର ହରଚଣ୍ଡୀ ଆଦି ଦେବୀ ଅଷ୍ଟମ ଶତାବ୍ଦୀ ବୋଲି କୁହାଯିବ । ତେଣୁ ରତ୍ନଗିରିର ବିଭବ ଅଷ୍ଟମ ଶତାବ୍ଦୀର ବହୁ ପୂର୍ବରୁ । ବିଶିଷ୍ଟ ଐତିହାସିକ ଡଃ ନବୀନକୁମାର ସାହୁ ଓଡ଼ିଶାର ବୌଦ୍ଧଧର୍ମ ଗ୍ରନ୍ଥରେ ଲେଖିଛନ୍ତି, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ ଗୁପ୍ତସମ୍ରାଟ ନରସିଂହଗୁପ୍ତ ବାଳଦିତ୍ୟ ଓଡ଼ିଶାର ରତ୍ନଗିରିଠାରେ ସର୍ବପ୍ରଥମେ ବୌଦ୍ଧବିହାର ସ୍ଥାପନ କରିଥିବା ତିବ୍ଦତର କେତେକ ଗ୍ରନ୍ଥରୁ ଜଣାପଡ଼େ ।

 

କଲିକତା ଇଣ୍ଡିୟାନ ମ୍ୟୁଜିୟମରେ ରତ୍ନଗିରିଠାରୁ ମିଳିଥିବା ଶିଳାଲେଖ ସଂରକ୍ଷିତ ହୋଇଛି । ଏହି ଶିଳାଲେଖଟି ୫ମ କିମ୍ବା ୬ଷ୍ଠ ଶତାବ୍ଦୀର । ଡଃ ସାହୁ ମଧ୍ୟ ଏହି ଶିଳାଲେଖ ତିବ୍ଦତୀୟ ବିବରଣର ସତ୍ୟତା ପ୍ରମାଣ କରେ ବୋଲି କହନ୍ତି । ମାତ୍ର ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ରତ୍ନଗିରି ସେଭଳି କିଛି ପ୍ରସିଦ୍ଧି ଲାଭ କରି ନଥିଲା । ହୁଏନସାଂଙ୍କ ବିବରଣୀରେ ରତ୍ନଗିରି କଥା ନଥିବାରୁ ରତ୍ନଗିରି ୭ମ ଶତାବ୍ଦୀ ପରେ ଏହିଭଳି ଧାରଣା କେତେକ ଐତିହାସିକ କରନ୍ତି । ମାତ୍ର ବିଭିନ୍ନ ପ୍ରମାଣ ପତ୍ରରୁ ରତ୍ନଗିରି ହୁଏନସାଂଙ୍କ ପୂର୍ବରୁ ବୋଲି ମନେ କରନ୍ତି । ମାତ୍ର ବିଭିନ୍ନ ପ୍ରମାଣପତ୍ରରୁ ରତ୍ନଗିରି ହୁଏନସାଂଙ୍କ ପୂର୍ବରୁ ବୋଲି ମନେ ହେବା ସ୍ୱଭାବିକ । ହୁଏନସାଂ ପୁଷ୍ପଗିରିର ବର୍ଣ୍ଣନା କରିଛନ୍ତି । ଏହି ପୁଷ୍ପଗିରି ଉଡ୍ର ଦେଶର ଦକ୍ଷିଣ ପଶ୍ଚିମ ସୀମାରେ ଅବସ୍ଥିତ ଥିଲା । ଆଧୁନିକ ସିଂହଭୂମି, ମୟୁରଭଞ୍ଜଠାରୁ ବୌଦ–ଫୁଲବାଣୀ ପର୍ଯ୍ୟନ୍ତ ବାଲେଶ୍ୱର, କଟକ, ପୁରୀ ଜିଲାକୁ ଧରି ଗଠିତ ବୋଲି ଡଃ ନବୀବକୁମାର ସାହୁ କୁହନ୍ତି । ରତ୍ନଗିରି ଅଞ୍ଚଳରେ ଯେଉଁ ପୁଷ୍ପଗିରି ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ଗଢ଼ା ହୋଇଛି ତାହାକୁ ଲକ୍ଷ୍ୟକଲେ ରତ୍ନଗିରିର ଅନ୍ୟ ନାମ ପୁଷ୍ପଗିରି ବୋଲି ଧାରଣା ହୁଏ ।

 

ବୁଦ୍ଧଙ୍କ ବାମ କଳଦାନ୍ତ ଖ୍ରୀଷ୍ଟୀୟ ତୃତୀୟ ଶତକରେ କଳିଙ୍ଗର ରାଜକୁମାରୀ ବନବଲ୍ଲୀ ବା ହେମମାଳା ତାଙ୍କ ସ୍ୱାମୀ ଦନ୍ତକୁମାର ଦନ୍ତପୁରଠାରୁ ଧରି ସଂହଳ ଯାତ୍ରା କଲେ । ଦନ୍ତପୁରର ଅନ୍ୟ ନାମ ସିଂହପୁର । ଏହି ସିଂହପୁର ବର୍ତ୍ତମାନ ଯାଜପୁର ମଧ୍ୟରେ ବୋଲି ଡଃ ପାଣିଗ୍ରାହୀ କହନ୍ତି । ଯଦି ବର୍ତ୍ତମାନର ସିଂହପୁର ସେତେବେଳେ ମଧ୍ୟ ସିଂହପୁର ବା ଦନ୍ତପୁର ମଧ୍ୟରେ ପ୍ରସିଦ୍ଧ ଥିଲା ତାହାହେଲେ ରତ୍ନଗିରି ପୁଷ୍ପଗିରି ହୋଇପାରେ । ସେତେବେଳେ ପୁଷ୍ପଗିରିରେ କେବଳ ବୌଦ୍ଧବିହାର ଥିଲା ତାହା ନୁହେଁ, ପୁଷ୍ପଗିରି ନାମରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଚୀନ ପରିବ୍ରାଜକ ହୁଏନ୍‌ସାଂ ସପ୍ତମଶତାବ୍ଦୀରେ ପୁଷ୍ପଗିରି ଆସିଥିବା ଲେଖିଛନ୍ତି । ସେ ମଧ୍ୟ ଲେଖିଛନ୍ତି ସେଠାରେ ଚୈତ ଓ ବିହାରରେ ଘଟୁଥିବା ଅଦ୍‌ଭୁତ ବ୍ୟାପାର । ଯେଉଁ ବ୍ୟାପାର କେବଳ ରତ୍ନଗିରିରେ ଘଟିଥିବା ମନେ ହୁଏ । ରତ୍ନଗିରି ଉପରେ ଥିବା ଦ୍ୱିତଳ ପ୍ରାସାଦ ଗୁଡ଼ିକ ଭାଙ୍ଗିଯିବା ଫଳରେ ସପ୍ତମ ଶତାବ୍ଦୀର ବହୁ ଚୈତ ତଥା ବିହାର ନଷ୍ଟ ହୋଯାଇଛି । ଏହି କେତେବର୍ଷ ତଳେ ତାହା ଖନନ କରି ଯେଉଁ କେତେକ ଭଗ୍ନାବଶେଷ ଉଦ୍ଧାର କରାଯାଇଛି ସେଥିରୁ ସ୍ପଷ୍ଟ ଭାବେ ଜଣାଯାଇଛି ହୁଏନ୍‌ସାଂ ବର୍ଣ୍ଣିତ ପୁଷ୍ପଗିରିହିଁ ରତ୍ନଗିରି । ରତ୍ନଗିରି, ଉଦୟଗିରି, ଲଳିତଗିରିକୁ ନେଇ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଗଠିତ । ମହାଯାନ ବୌଦ୍ଧପତ୍ନୀ ଯେତେବେଳେ ତନ୍ତ୍ରଯାନରେ ପ୍ରବେଶ କଲା ସେତେବେଳେ ପୁଷ୍ପଗିରି ବିଶ୍ୱବିଦ୍ୟାଳୟରୁ ତାହା ଚାରିଆଡ଼େ ବିଚ୍ଛୁରିତ ହୋଇ ପଡ଼ିଲା ।

 

ରତ୍ନଗିରି ଉପରେ ମନ୍ଦିର ପୂଜା ପାଉଥିବା ମହାକାଳ ଦେବତା ତନ୍ତ୍ରର ପ୍ରତିପାଦ୍ୟ ଦେବତା । ସେ ଉପବେଶନ କରିଛନ୍ତି ଏକ ପଦ୍ମ ଉପରେ ଏବଂ ତାଙ୍କ ଡାହାଣ ଏକ ଛୁରିକା ଓ ବାମ ହସ୍ତରେ ଏକ ପାନପତ୍ର । ଏହାହିଁ ତନ୍ତ୍ରଦେବତାଙ୍କ ପ୍ରଥମାବସ୍ଥା । ବର୍ତ୍ତମାନ ଏହି ଦେବତାଙ୍କ ପାଖରେ ଚଣ୍ଡଠାରୁ ପ୍ରତ୍ୟେକ ତନ୍ତ୍ରାନୁଷ୍ଠାନ ଅନୁଷ୍ଠିତ ହୁଏ । ପଣାସଂକ୍ରାନ୍ତିରେ ଅନୁଷ୍ଠିତ ହୁଏ ମଧ୍ୟ ଗୋଟିଏ ବଡ଼ ମେଳା । ଏହି ମେଳା ସମ୍ପୂର୍ଣ୍ଣ ତାନ୍ତ୍ରିକ । ଚାଙ୍ଗୁଡ଼ାଧରୀଠାରୁ କୌଣସି ମତେ ଚାଙ୍ଗୁଡ଼ାର କେହି ଅପୁତ୍ରିକ ଆମ୍ବଟିଏ ନେଇଯାଇ ପାରେ ତେବେ ସେ ପୁତ୍ରବାନ ନିଶ୍ଚୟ ହେବ ଏହି ପ୍ରବାଦ ଅଛି ।

 

ରତ୍ନଗିରି ପରି ଉଦୟଗିରିରେ ମଧ୍ୟ ମହାକାଳ ନାମରେ ଦେବତା ପୁଜା ପାଉଛନ୍ତି । କିନ୍ତୁ ଏହି ମହାକାଳ ରତ୍ନଗିରି ଭଳି ନୁହନ୍ତି । ଗୋଟିଏ ମନ୍ଦିରରେ ତିନୋଟି ଦେବୀ ପୂଜିତା । ମଧ୍ୟବର୍ତ୍ତୀ ମୂର୍ତ୍ତିଟି ମହାକାଳ । ଏଠାରେ ମହାକାଳ ପରିଷ୍କାର ଭାବରେ ଜଣେ ସ୍ତ୍ରୀ ଦେବତା । ରତ୍ନଗିରି ଭଳି ଏହି ଦେବତା ପୁରୁଷ ନୁହନ୍ତି କି ସ୍ତ୍ରୀ ନୁହନ୍ତି, ଏହିଭଳି ମନେ ହେବ ନାହିଁ । ତାଙ୍କ ମୁଣ୍ଡ ଉପରେ ଛତ୍ର ଧରା ହୋଇଛି । ମୂର୍ତ୍ତିଟି ଟିକିଏ ବଡ଼ । ମୂର୍ତ୍ତିଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ନାରୀ ମୂର୍ତ୍ତି ଦଣ୍ଡାୟମାନ । ତାଙ୍କ ବାମ ପାର୍ଶ୍ୱରେ ଦୁଇ ମୂର୍ତ୍ତି ମଧ୍ୟରୁ ଜଣକର ପଶ୍ଚାତ୍ ଦେଶ ଓ ଜଣକର ସମ୍ମୁଖ ଦେଶ ଦେଖାଯାଉଛି । ମୂର୍ତ୍ତି ଦୁଇଟି ପ୍ରାୟ ଉଲଗ୍ନ । ଏହି ମହାକାଳଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ଅନ୍ୟ ଏକ ପଥରରେ ଖୋଦିତ ମୂର୍ତ୍ତି ଅଷ୍ଟଭୁଜା । ସେ ପଦ୍ମ ଉପରେ ଅର୍ଦ୍ଧ ପଦ୍ମାସନାରେ ବସିଛନ୍ତି । ତାଙ୍କ ଦକ୍ଷିଣ ପାଦ ବସିବା ଆସନରୁ ତଳକୁ ଓହଳାଇ ବସିଛନ୍ତି । ସିଂହାସନ ତଳେ ଚାରୋଟି ସ୍ତ୍ରୀ ଲୋକ ହାତଯୋଡ଼ି ପ୍ରାର୍ଥନା କରୁଛନ୍ତି । ଆଉ ଉପରେ ଦୁଇଟି ପରୀ ଫୁଲମାଳ ଧରି ଉଡ଼ୁଛନ୍ତି ।

 

ମହାନିର୍ବାଣ ତନ୍ତ୍ରରେ ଅଛି ସମସ୍ତଙ୍କୁ ମହାକାଳ କବଳିତ କରେ । ଏହି ମହାକାଳଙ୍କ ଶକ୍ତି ମହାକାଳୀ । ମାତ୍ର ମହାକାଳୀଙ୍କ ମୂର୍ତ୍ତି ସେଠାରେ କେଉଁଠି ଦେଖିବାକୁ ମିଳନ୍ତି ନାହିଁ । କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଯେଉଁ ମୂର୍ତ୍ତିଗୁଡ଼ିକ ସଂରକ୍ଷିତ କରି ରଖିଛନ୍ତି ତନ୍ମଧ୍ୟରେ ଦୁଇଟି ତନ୍ତ୍ର ଦେବୀ ଦେଖିବାକୁ ମିଳନ୍ତି । ସେହି ଦୁଇମୂର୍ତ୍ତି ମଧ୍ୟରୁ କେହି କାଳୀ ନୁହନ୍ତି । ତେରଟି ନରମୁଣ୍ଡ ବିଶିଷ୍ଟ ମାଳା ଏକ ଦେବୀଙ୍କ କଣ୍ଠ ଦେଶରେ ଝୁଲୁଛି । ସେ ଦେବୀ ଦ୍ୱିଭୁଜା । ବାମ ହସ୍ତରେ ତ୍ରିଶୁଳ, ଦକ୍ଷିଣ ହସ୍ତରେ ଡମ୍ବରୁ । ଦେବୀ ନଟରାଜ ଠାଣିରେ ତଳେ ଲମ୍ବଭାବେ ପଡ଼ିଥିବା ଶବର ଛାତିରେ ଡାହାଣ ଗୋଡ଼ ଦେଇ ବାମଗୋଡ଼ ଟେକି ନର୍ତ୍ତନରତା । ସେଠାରେ ଥିବା ଅପର ଏକ ମୂର୍ତ୍ତି ଠିକ୍ ହିନ୍ଦୁତନ୍ତ୍ରର ତାରାଙ୍କଭଳି ଦେଖିବାକୁ । ତାରାଙ୍କଭଳି ସେ ଲମ୍ବୋଦରା । ଠିଆ ହୋଇଛନ୍ତି ଗୋଟିଏ ବାଘ ଉପରେ । ଦେବୀ ଷଡ଼ଭୂଜା ଓ ଦକ୍ଷିଣ ହସ୍ତରେ ଖଡ୍‌ଗ ଧରିଛନ୍ତି । ତାଙ୍କର ତିନୋଟି ମୁଣ୍ଡ ।

 

ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀରେ ଗୁହସିଂହଙ୍କ ରାଜଧାନୀ ସିଂହପୁରରେ ଥିଲା । ବର୍ତ୍ତମାନ ଧର୍ମଶାଳା ନିକଟରେ ବ୍ରାହ୍ମଣୀ ନଦୀର ଅନତିଦୂରରେ ଗୋଟିଏ ସିଂହପୁର ଅବସ୍ଥିତ । ତାହା ଜେନାପୁର ରେଳ ଷ୍ଟେସନରୁ ପ୍ରାୟ ୭/୮ ମାଇଲ ପୂର୍ବକୁ ହେବ । ଅପର ଏକ ସିଂହପୁର ବ୍ରାହ୍ମଣୀ ନଦୀର ଶାଖା ନଦୀ ଖରସୁଆଁ ନଦୀ କୂଳରେ । ଶାରଳା ଦାସ ତାଙ୍କ ଚଣ୍ଡିପୁରାଣରେ ଲେଖିଛନ୍ତି ମହିଷାସୁରର ରାଜଧାନୀ ଜେନାବଳିପୁର । ଏହି ଜେନାବଳିପୁର ସମ୍ଭବତଃ ବର୍ତ୍ତମାନର ଜେନାପୁର । କବି ମହିଷାସୁରର ପିତା ନାମ କପିଳ ସିଂହ ବୋଲି ଉଲ୍ଲେଖ କରିଛନ୍ତି । ସିଂହ ସଂଜ୍ଞାରୁ ସିଂହପୁର ଯଦି ଧରାଯାଏ, ତେବେ ବ୍ରାହ୍ମଣୀନଦୀର ଅନତିଦୂରରେ ସିଂହପୁର ଅବସ୍ଥିତ ଥିଲା; ଯେଉଁଠାରୁ କି ଦନ୍ତକୁମାର ବୁଦ୍ଧଙ୍କ ଦନ୍ତଧାତୁ ଧରି ପୂର୍ବକୁ ଯାଇ ରତ୍ନଗିରି ନିକଟରେ ବାଲିରେ ଲୁଚାଇ ଦେଇ ଆସିଥିଲେ ବୋଲି ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱରେ ଲେଖିଛନ୍ତି । ବର୍ତ୍ତମାନ ବ୍ରାହ୍ମଣୀ ନଦୀ ରତ୍ନଗିରିଠାରୁ ପ୍ରାୟ ଦୁଇମାଇଲ ଉତ୍ତରକୁ ଘୁଞ୍ଚି ଗଲାଣି–ସେତେବେଳେ ପ୍ରାୟ ପନ୍ଦର ଶହ ବର୍ଷ ତଳେ ବ୍ରାହ୍ମଣୀ ନଦୀ ରତ୍ନଗିରି ନିକଟରେ ଥିଲା । ଏପରିକି ପାଞ୍ଚ ଶହ ବର୍ଷ ତଳେ ବ୍ରାହ୍ମଣୀ ରତ୍ନଗିରି ନିକଟରେ ବହିଯାଉଥିଲା । ବର୍ତ୍ତମାନ ଦୁଇମାଇଲ ଦୂରରେ ଥିଲେ ମଧ୍ୟ ତାହାର ଅବସ୍ଥିତିରୁ ଦିନେ ରତ୍ନଗିରି ନିକଟରେ ଥିଲାବୋଲି ମନେ ହୁଏ ।

 

ରତ୍ନଗିରିର ଟିକିଏ ପଶ୍ଚିମକୁ ପଣଷାପାଳ ବୋଲି ଏକ ବଡ଼ ଢିପ ପରି ଗୋଟିଏ ଛୋଟ ପାହାଡ ଅବସ୍ଥିତ । ଏହି ପାହାଡ଼ ଉପରେ ବନମାଧବୀ ବୋଲି ଏକ ତନ୍ତ୍ରଦେବତା ପୂଜା ପାଉଛନ୍ତି । ପ୍ରାୟ ତିନି ଫୁଟ ଉଚ୍ଚର ଖଣ୍ଡିଏ ସାହାଣ ପଥରରେ ଦେବୀ ନିର୍ମିତ । ମୂର୍ତ୍ତିଟି ସ୍ତ୍ରୀ ଦେବତା ବୋଲି ମନେ ହୁଏ ନାହିଁ, କିନ୍ତୁ ସେ ଉପବେଶନ କରିଥିବା ପଦ୍ମତଳେ ଦୁଇଟି ସିଂହ ଦୁଇ ପାର୍ଶ୍ୱକୁ ମୁଖ କରି ଅଛନ୍ତି । ଦେବୀ ଦ୍ୱୀହସ୍ତା–ଅର୍ଦ୍ଧ ପଦ୍ମାସନରେ ଗୋଟିଏ ପଦ୍ମ ଉପରେ ବସିଛନ୍ତି । ପାଦତଳେ ଦୁଇଟି ସ୍ତ୍ରୀ ଲୋକ ପୂଜାରତା ! ଅଣ୍ଟାରେ ତାଙ୍କର କାରୁକାର୍ଯ୍ୟ ଖଚିତ ରତ୍ନର ବେଢ଼ଣୀ । କଣ୍ଠରେ ହାର–କର୍ଣ୍ଣରେ କୁଣ୍ଡଳ ଏବଂ ମସ୍ତକରେ ମୁକୁଟ । ଏହି ମୂର୍ତ୍ତି ବୁଦ୍ଧଙ୍କ ଭଳି ଦେଖାଯାନ୍ତି । ବାମ ହସ୍ତରେ ପାଶ ଧରି ଅଣ୍ଟାରେ ହାତ ଦେଇ ରହିଛନ୍ତି ।

 

ଏହି ମୂର୍ତ୍ତିଟି ଅଷ୍ଟମ ଶତାବ୍ଦୀ ପୂର୍ବର ବୋଲି ମନେ ହେବା ସ୍ୱାଭାବିକ । ବୁଦ୍ଧଙ୍କୁ ତନ୍ତ୍ରର ଦେବତାରୂପେ ବୌଦ୍ଧ ମହାଯାନପନ୍ଥୀ ପ୍ରଥମେ ଉପାସନା କରିଥିଲେ । ସେହି ସମୟର ସେ ଦେବତା । ଗ୍ରାମ ଲୋକମାନେ ବନମାଧବୀ ନାମ ଦେଇ ତାଙ୍କୁ ପୂଜା କରୁଛନ୍ତି । ଅଷ୍ଟମ ଶତାବ୍ଦୀ ମୂର୍ତ୍ତିମାନଙ୍କ ମଧ୍ୟରେ ଏହି ମୂର୍ତ୍ତିଟି ଟିକିଏ ସ୍ୱତନ୍ତ୍ର ।

 

ରତ୍ନଗିରି ଅଧିବାସୀଙ୍କ ଧାରଣା ପୂର୍ବେ ବସୁକଳ୍ପ ବୋଲି ଜଣେ ରାଜା ସେଠାରେ ରାଜତ୍ୱ କରୁଥିଲେ । ତାଙ୍କର ଥିଲେ ଆଠଟି ରାଣୀ । ସେହି ରାଣୀମାନଙ୍କ ନାମାନୁସାରେ ପାହାଡ଼ଗୁଡ଼ିକ ନାମକରଣ ହୋଇଛି । ରତ୍ନବତୀ ରତ୍ନଗିରିରେ–ଉଦୟାବତୀ ଉଦୟଗିରିରେ–ଲଳିତା ଲଳିତଗିରିରେ–କୋଲଣାବତୀ କୋଲଣାଗିରି ଆଦିରେ ରହିଥିଲେ । ଚଉଧୁରୀ ରାଧାମୋହନ ମଙ୍ଗରାଜ ମହାପାତ୍ର ନାମରେ ଜଣେ ବୃଦ୍ଧ ଭଦ୍ରଲୋକ ବସୁକଳ୍ପଙ୍କ ବଂଶଧର ବୋଲି ଦାବୀ କରନ୍ତି-। ସେ ଥିଲେ ଜମିଦାର । ରତ୍ନଗିରି ତାଙ୍କ ଜମିଦାରୀ ଅଧୀନରେ ଥିଲା । ମାତ୍ର ବସୁକଳ୍ପ ବୋଲି କିଏ କେବେ ରାଜା ଥିଲେ ତା’ର ପ୍ରମାଣ ମିଳେ ନାହିଁ ।

 

ଶହ ଶହ ସ୍ତୂପ ରତ୍ନଗିରିର ଦକ୍ଷିଣ ଭାଗରେ ଏଣେ ତେଣେ ପଡ଼ିଛି । ସେହି ଅଂଶଟି ଏପର୍ଯ୍ୟନ୍ତ ଖୋଳା ହୋଇନାହିଁ । ପ୍ରତି ସ୍ତୂପରେ ବୁଦ୍ଧ ଏବଂ ତାରାଙ୍କ ମୂର୍ତ୍ତି ଖୋଦିତ ହୋଇଛି । ସ୍ତୂପ ଗୁଡ଼ିକର ଆକାର ବିଭିନ୍ନ । ଖୁବ ସମ୍ଭବ ଏହି ସ୍ତୂପଗୁଡ଼ିକ ସିଦ୍ଧ ସାଧକ ସାଧିକାଙ୍କ ସମାଧି । କେତେକ ସ୍ତୂପରେ ହାଡ଼ ବାହାରିଥିବା ଲୋକେ କହନ୍ତି । ରତ୍ନଗିରି ଲମ୍ବାରେ ଉତ୍ତର ଦକ୍ଷିଣ ଭାବେ ଅବସ୍ଥିତ । ମଧ୍ୟ ଭାଗରେ ଉପାସନା ଓ ପାଠଶାଳା ଥିଲା । କୋଣାର୍କ ଭଳି କାରୁକାର୍ଯ୍ୟ ଖଚିତ ମୁଖଶାଳା ଓ ମଣ୍ଡପମାନ ବର୍ତ୍ତମାନ ମଧ୍ୟ ଲୋକମନକୁ ଆନନ୍ଦରେ ଭରି ଦିଏ । ସାଧାରଣତଃ ଗ୍ରାମ ତଥା ନଗରର ଦକ୍ଷିଣ ଦିଗରେ ଶ୍ମଶାନ ରହେ । ତେଣୁ ସମ୍ଭବତଃ ରତ୍ନଗିରିର ଦକ୍ଷିଣକୁ ସମାଧିମାନ ରଖାଯାଇଛି । ଯେଉଁ କେତୋଟି ବଡ଼ ବଡ଼ ସମାଧି ସେଠାରେ ଅଛି ତନ୍ମଧ୍ୟରୁ କେତେକ ପଥରରେ ସ୍ତୂପଭଳି କେତୋଟି ସୁଦୃଢ ଇଟାରେ ପ୍ରସ୍ତୁତ । ତା ମଧ୍ୟରେ ସିଦ୍ଧସାଧକ ବା ସାଧିକାଙ୍କ ଦେହ ଅଛି କି ଅସ୍ଥି ଅଛି ତାହା କହିହେବ ନାହିଁ । ଏବେ ବି ତାହା ସୁଦୃଢ଼ ଅବସ୍ଥାରେ ଅଛି ।

 

ପଥରର ଯେଉଁ କେତୋଟି ସ୍ତୂପ ଏଣେତେଣେ ପଡ଼ିଛି ବା ରହିଛି ତନ୍ମଧ୍ୟରୁ ଅଧିକାଂଶରେ ବୌଦ୍ଧତାରାଙ୍କ ଚିତ୍ର ଖୋଦିତ ହୋଇଛି । ଏହି ତାରାମୂର୍ତ୍ତି ଅଧିକାଂଶ ଦ୍ୱିଭୁଜା । ମାତ୍ର ଅଳ୍ପ କେତୋଟି ଚତୁର୍ଭୁଜା । ତାରା ମୂର୍ତ୍ତି ସମ୍ବଳିତ ସ୍ତୂପଗୁଡ଼ିକ ପ୍ରାୟ ସାଧିକାଙ୍କ ସମାଧି । ବୁଦ୍ଧଙ୍କ ମୂର୍ତ୍ତି ଖୋଦିତ ସ୍ତୂପ ସାଧକଙ୍କ ସମାଧି । ଏହି ଭାବେ ଧାରଣା କଲେ ରତ୍ନଗିରିରେ ଅଧିକାଂଶ ସାଧିକା ଥିଲେ ବୋଲି କୁହାଯିବ ।

 

ରତ୍ନଗିରିର ପୂର୍ବ ଭାଗରେ କେତୋଟି ପ୍ରସ୍ତର ଘର ଖନନ ହୋଇ ବାହାରିଛି । ତନ୍ମଧ୍ୟରୁ ଦୁଇଟି ଘରକୁ ସେଠାକାର ଅଧିବାସୀ ବସୁକଳ୍ପ ରାଜାଙ୍କ ଘୋଡ଼ାଶାଳ କହନ୍ତି । ମାତ୍ର ଏହି ଘର ଦୁଇଟି ଏତେ ଛୋଟ ଯେ ଘୋଡ଼ା ରହିବା କାର୍ଯ୍ୟ କେବେ ହୋଇ ପାରିବ ନାହିଁ । ଏହି ଧାରଣା କେହି କରନ୍ତି ନାହିଁ । ପ୍ରକୃତରେ ସେହିସବୁ ଘରମାନଙ୍କରେ ବୁଦ୍ଧଙ୍କ ମୂର୍ତ୍ତି ବା ଦେବଦେବୀଙ୍କ ମୂର୍ତ୍ତି ରହୁଥିଲେ । ବିରାଟ ଗୋଟିଏ ବୁଦ୍ଧଙ୍କ କେବଳ ମସ୍ତକ ସେହିସବୁ ଘର ନିକଟରେ ଗୋଟିଏ ଅଶ୍ୱତଥ୍ ବୃକ୍ଷ ତଳେ ରଖାଯାଇଛି । ତାହାରି ନିକଟରେ ସ୍ତୂପିକୃତ ଇଟା ପଥର ଗଦା ଖନନ ହେଲେ ବହୁ ମୁର୍ତ୍ତୀ ଆତ୍ମପ୍ରକାଶ କରିବାର ସମ୍ଭାବନା ।

 

ରତ୍ନଗିରି ତନ୍ତ୍ରର ଆଦି ପୀଠ । ତନ୍ତ୍ରର ବହୁ ଦେବତା ଏହିଠାରେ ପୂଜା ପାଇଥିବା ମନେ ହୁଏ, ଶାରଳା ଦାସଙ୍କ ସମୟରେ ସେଠାରେ ଦୂର୍ଗାପୂଜା ଖୁବ ଆଡ଼ମ୍ବର ସହକାରେ ହେଉଥିଲା । ତାହା ନହେଲେ ସେଠାରେ ଦୂର୍ଗା ବିଜେ କରିଥିବା କଥା ଶାରଳା ଦାସ କାହିଁକି ଲେଖନ୍ତେ, ହୁଏତ ବର୍ତ୍ତମାନକୁ ସେହି ମୂର୍ତ୍ତିଗୁଡ଼ିକ ସ୍ଥାନାନ୍ତରିତ କରାଯାଇଛି କିମ୍ବା ଖୋଳା ନ ହୋଇଥିବା ଅଂଶରେ ଇଟା ପଥର ଗଦା ମଧ୍ୟରେ ରହିଯାଇଛି ।

 

ଜାତିର ବିଶେଷ ବିଭବରୂପେ ରତ୍ନଗିରି ବିଖ୍ୟାତ । ବୈଦିକ ଏବଂ ବୌଦ୍ଧଯୁଗ ପରେ ଯେଉଁ ତନ୍ତ୍ରଯୁଗ ଭାରତରେ ମୁଣ୍ଡ ଟେକି ଉଠିଲା ତାହାର ଆରମ୍ଭ ରତ୍ନଗିରିରୁ ବୋଲି କୁହା ହୋଇଆସିଛି । ବୌଦ୍ଧ ମହାଯାନପନ୍ଥୀଙ୍କ ତନ୍ତ୍ରସାଧନାର ମହାନ୍ କ୍ଷେତ୍ର ଥିଲା ରତ୍ନଗିରି । ତନ୍ତ୍ରର ଯେତେ କ୍ଷେତ୍ର ଭାରତରେ ଅଛି, ତନ୍ମଧ୍ୟରେ ରତ୍ନଗିରି ଅନ୍ୟତମ । କେବଳ ଆଧୁନିକ ଯୁଗରେ ଯାତାୟାତର ଅସୁବିଧା ହେତୁ ତାହା ଅନାଦୃତ ହୋଇ ପଡ଼ିଛି, ତନ୍ତ୍ର ସାଧନାରେ ଶୀଘ୍ର ସିଦ୍ଧିମିଳିବାର ପ୍ରଶସ୍ତକ୍ଷେତ୍ର ରତ୍ନଗିରି । ତନ୍ତ୍ରଶାସ୍ତ୍ରର ଚତୁଷ୍ପୀଠ ପର୍ବତ ଉଦୟଗିରି, ଲଳିତଗିରି, ଅଳତିଗିରି (ଆଲମଗିରି) ଓ ରତ୍ନଗିରିକୁ କୁହାଯାଏ । ଏହା ମଧ୍ୟ ଉଡୀୟାନ, ପୂର୍ଣ୍ଣଗିରି, କାମାଖ୍ୟା ଓ ଶ୍ରୀହଟ୍ଟର ପ୍ରତୀକ । ୮ମ ୯ମ ଶତାବ୍ଦୀରେ ଆଚାର୍ଯ୍ୟ ପିତୋପାଦ ସେଠାରେ ଅଧ୍ୟାପକ ଥିଲେ । ତାଙ୍କ ପାଖରୁ ଅବଧୂତୀ, ବୋଧିଶ୍ରୀ ଓ ନରୋ ଯୋଗାଚାର ତଥା ତନ୍ତ୍ରଶାସ୍ତ୍ର ଶିକ୍ଷା କରିଥିଲେ । ଏହିଠାରେ ଅଧ୍ୟାପକ ପିତୋପାଦ ‘କାଳଚକ୍ରଯାନ’ ନାମରେ ଏକ ନୂତନ ଯାନ ପ୍ରବର୍ତ୍ତନ କରିଥିବା ଜଣାଯାଏ । ‘ୟୁଆନ–ଚାଓ’ ନାମକ ଜଣେ ଚୀନା ପଣ୍ଡିତଙ୍କ ଲେଖାରୁ ଜଣାପଡ଼େ ‘ପ୍ରାଜ୍ଞ’ ନାମରେ ଜଣେ କପିଶା ନଗରୀର ବିଦ୍ୟାର୍ଥୀ ଉତ୍ତର ଭାରତର ବିଭିନ୍ନ ଶିକ୍ଷା କେନ୍ଦ୍ରରେ ଅଠରବର୍ଷ ଅଧ୍ୟୟନ କରି ଯୋଗାଚାର ଦର୍ଶନର ଉଚ୍ଚ ଗବେଷଣାପାଇଁ ରତ୍ନଗିରିକୁ ଆସିଥିଲେ ।

 

***

 

ଗୋପବନ୍ଧୁଙ୍କ ସୃଷ୍ଟିରେ ଧର୍ମପଦ

ଶ୍ରୀ ରବିନାରାୟଣ ଦାଶ

(ପୂର୍ବ ପ୍ରକାଶିତ ଉତ୍ତାରୁ)

 

ଏ ଗଭୀର ଆତ୍ମବିଶ୍ୱାସ ଓ ତତ୍‌ଜନିତ ଅପୂର୍ବ ବଳ ଓଡ଼ିଶାବାସୀଙ୍କ ହୃଦୟରେ ଭରିଦେବାପାଇଁ ଗୋପବନ୍ଧୁ ଅପ୍ରାଣ ଉଦ୍ୟମ କରିଛନ୍ତି । ସେଥିରେ ତାଙ୍କର ସତ୍ୟ ଓ ଦେବତା ଆରାଧନାର ସୂଚନା ବ୍ୟାପକ ଭାବରେ ପ୍ରକାଶ ପାଇଛି । ଏକ ସୁକ୍ଷ୍ମ ଅନୁଚିନ୍ତା ଓ ସେଥିରେ ଭରି ରହିଛି ଜାତୀୟ ଉତ୍କର୍ଷର ବୀଜ । ବର୍ତ୍ତମାନର ଭଗ୍ନ ହୃଦୟ ଓଡ଼ିଆ ଜାତି ମଧ୍ୟରେ ଜାଗରଣ ତଥା ବଳ ଓ ଉତ୍ସାହ ଭରିଦେବାପାଇଁ ଭଗବତ୍ ଶକ୍ତିର ପ୍ରଚ୍ଛନ୍ନ ସହାୟତାହିଁ ଆବଶ୍ୟକ । ଏହା ଗୋପବନ୍ଧୁ ମର୍ମେ ମର୍ମେ ଅନୁଭବ କରି ତାହାର ପ୍ରକାଶ ଅବକାଶଚିନ୍ତାରେ ନିମ୍ନୋକ୍ତ ମତେ କରିଛନ୍ତି-

 

‘‘ସଂସାର ତୁମୁଳ ରଣ ପ୍ରାଙ୍ଗଣେ

ଉତ୍କଳର ଦୀନ ତନୟ ଗଣେ,

ପଛରେ କେବେହେଁ ନ ପଡ଼ୁ ଦେବ,

ଶ୍ରୀଛାମୁରୁ ଏହି ଆଦେଶ ହେବ,

ଘେନି ଅପୂର୍ବ ଉତ୍ସାହ ଯେ,

ଭାରତର ମହାଜାତୀୟ ତରଙ୍ଗେ

ମିଶୁ ଉତ୍କଳ ପ୍ରବାହ ଯେ ।

(ପ୍ରାର୍ଥନା ପଦ୍ୟର ଶେଷ ଚରଣ) ।

 

ଧର୍ମବିଶ୍ୱାସୀ ଓଡ଼ିଆ ଜାତି ଚିରକାଳ ଭଗବତ୍ ଶକ୍ତିର ଆରଧନା ଓ ସେଥିରେ ଦୃଢ ବିଶ୍ୱାସ ସ୍ଥାପନ କରି ଅସାଧ୍ୟସାଧନ କରିଅଛି । ଏହା ଜାଗ୍ରତ କରାଇବା ଗୋପବନ୍ଧୁଙ୍କର ଲକ୍ଷ୍ୟ ଓ ଇଚ୍ଛା । ଧର୍ମପଦର ଦେଉଳ ପୂରଣ କରିବାପାଇଁ ସବିନୟ ଅନୁମତି ପ୍ରାର୍ଥନା ଏବଂ ସେଥିରେ ଥିବା ଗଭୀର ଆତ୍ମବିଶ୍ୱାସ ଏବଂ ଅପୂର୍ବ ବୀରତ୍ୱ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱକୁ ଧର୍ମପଦ ମାଧ୍ୟମରେ ପ୍ରକାଶ କରିଅଛି । ଏଥିରେ ଜାତୀୟ ଆତ୍ମବିଶ୍ୱାସ ସ୍ଥାପନପାଇଁ ସେ ଆପ୍ରାଣ ଉଦ୍ୟମ କରିଛନ୍ତି । ଏହା ଇଂରାଜୀ ଲୋକାକ୍ତି Plain living and high thinkingକୁ ଦକ୍ଷତାର ସହିତ ରୂପାୟିତ କରିପାରିଛି ଏବଂ ଆମ ଦେଶରେ ଥିବା ଦାମ୍ଭିକ ଷଡ଼ାକ୍ଷର ମନ୍ତ୍ରର ପ୍ରଚାର କରିଅଛି । ଗୋପବନ୍ଧୁ ଏପରି ଗୋଟିଏ ବୀର ହୃଦୟର ସଂଯୋଜନା ଧର୍ମପଦ ପରି ଗୋଟିଏ ବାଳକର ଚରିତ୍ରରେ ଦେଇ ସେଥିରେ କାଳେ ଅବାସ୍ତବ ଉକ୍ତି ରହି ଯାଉଥିବ ଏହା ଚିନ୍ତା କରି ପରେ ପରେ ତାକୁ ଦୃଢ଼ୀଭୂତ କରିବାପାଇଁ କହିଛନ୍ତି-

 

ପ୍ରତିଜ୍ଞା ଏହାର             ଅସମ୍ଭବ ବୋଲି,

ମନେ ବିଚାର ନ କର,

କାହାକୁ କି ଶକ୍ତି            ଦେଇଛନ୍ତି ପ୍ରଭୁ

ଜାଣିବ ବା କାହିଁ ନର ?

 

ହୁଏ ଶିଶୁ ମୁଖେ            ସତ୍ୟ ପରକାଶ

ବାଳକେ ବଳ ଉଦୟ

ଅସମ୍ଭବ ହୁଏ            ସମ୍ଭବ ଜଗତେ

ଦୟା କଲେ ଦୟାମୟ ।’’

 

ଏହାର ପ୍ରେରଣା ଗୋପବନ୍ଧୁ ଭାଗବତର ପ୍ରବକ୍ତା ଶୁକ ମୁନିଙ୍କଠାରୁ ଲାଭ କରିଛନ୍ତି । ଧର୍ମପଦର ଭୂମିକାରେ ବ୍ରହ୍ମଦେଶର ବାଳକ ମୁଖରେ ନାନା ଗୂଢ଼ତତ୍ତ୍ୱ ପ୍ରଚାରର ଉଲ୍ଲେଖ କରିଛନ୍ତି । ସର୍ବୋପରି ଗୋପବନ୍ଧୁଙ୍କ ମନରେ ଉଦୟ ହୋଇଛି ଭାଗବତର ଆଦ୍ୟ ପ୍ରାର୍ଥନା ଶ୍ଳୋକର ଛାୟା-

 

‘‘ମୁକଂ କରୋତି ବାଚାଳଂ

ପଙ୍ଗୁ ଲଂଘୟତେ ଗିରିମ୍ ।

ଯତ୍ କୃପା ତମହଂ ବନ୍ଦେ

ପରମା–ନନ୍ଦ–ମାଧବମ୍ ।’’

 

ଏହା ବ୍ୟତୀତ-

‘‘ନାରାୟଣଂ ନମସ୍କୃତ୍ୟଂ ନରଂଚୈବ

            ନରୋତ୍ତମମ୍ ।

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ

            ମୁଦିରୟେତ୍ ।’’

 

ସେଥିରେ ସେ ସନ୍ତୁଷ୍ଟ ନ ହୋଇ ପରେ ପରେ ଧ୍ରୁବ, ପ୍ରହ୍ଲାଦ, ଅଭିମନ୍ୟୁ, ବିକ୍ରମ, ଶୁକଆଦିଙ୍କର ସୂଚନା ଦେଇ ତାଙ୍କର ଧର୍ମପଦ ଚରିତ୍ରକୁ ସମର୍ଥନ କରିଛନ୍ତି । କେବଳ ଯେ ଏହି ଚରିତ୍ରମାନେ ଧର୍ମପଦର ଚାରିତ୍ରିକ ଆଦର୍ଶ ହୋଇଛନ୍ତି ତାହା ନୁହେଁ, ସେ ମଧ୍ୟ ନିଜର ଉତ୍କର୍ଷ ଦେଖାଇବାପାଇଁ ଯେଉଁ ଉକ୍ତି ପ୍ରକାଶ କରିଛି ତାହାକୁ ଧ୍ୟାନ ଦେବାର କଥା । ଗୋପବନ୍ଧୁ ଧର୍ମପଦର ତୁଣ୍ଡରେ ଯେପରି କି ନିଜେ କହୁଛନ୍ତି-

 

‘‘ମୋର ସେ ଯଶେ କି ଫଳ ?

ଯେବେ ଶିଳ୍ପୀ କୁଳ            ବାର ଶତ ଫୁଲ

ଝାଉଁଳି ପଡ଼ିବେ ତଳ ।’’

 

ମାହାତ୍ମା ଗାନ୍ଧି ଥରେ କହିଥିଲେ, ‘‘ମୁଁ ଏପରି ବିଜୟ ଚାହେଁ ଯେଉଁଥିରେ କାହାରି ପରାଜୟ ହେବନାହିଁ ।’’ ଗୋପବନ୍ଧୁଙ୍କ ଏହି ଉକ୍ତିରେ ତାହା ପ୍ରତିଧ୍ୱନିତ ହୁଏ । ଧର୍ମପଦ ବାପାଙ୍କୁ ପଚାରିଛି ‘‘ବାରଶ ବଢ଼େଇରେ ଦାୟ କି ପୁଅରେ ଦାୟ ।’’ ଏହା ଗୋପବନ୍ଧୁ ଯେପରି ନିଜର ଅନ୍ତରକୁ ପଚାରିଛନ୍ତି । ନିଜର ପୁତ୍ର ମୃତ୍ୟୁ ଶଯ୍ୟାରେ, ତାପାଇଁ ପିତା ଅପେକ୍ଷା କରିବେ ନା ଅସଂଖ୍ୟ କାତର ଜାତିଭାଇ ଶେଷ ନିଶ୍ୱାସ ତ୍ୟାଗକରି ବଢ଼ିର କରାଳ କବଳରେ ଜୀବନ ବିସର୍ଜନ କରିବେ ? ଏଥିରେ ଗୋପବନ୍ଧୁ ବହୁଲୋକଙ୍କ ହିତ ନିମିତ୍ତ କାର୍ଯ୍ୟକରିଛନ୍ତି ଓ ପୁତ୍ରକୁ ତ୍ୟାଗ କରିଛନ୍ତି । ଏହାହିଁ କର୍ତ୍ତବ୍ୟ ଓ ଗ୍ରୀକ୍‌ ପଣ୍ଡିତ ଆରିଷ୍ଟେଟଲଙ୍କ ଉକ୍ତି ଯଦ୍ଦ୍ୱାରା ସର୍ବାଧିକ ସଂଖ୍ୟକ ଲୋକଙ୍କର ସର୍ବାଧିକ ପରିମାଣରେ ହିତ ହୁଏ ତାହାହିଁ ମାନବର କର୍ତ୍ତବ୍ୟକୁ ବ୍ୟକ୍ତକରେ ଇଂରାଜୀ ଦାର୍ଶନିକ Benthamଙ୍କ ଉକ୍ତିରେ ମଧ୍ୟ ଏହା ପ୍ରତିଫଳିତ–

 

‘‘The goodness of man is known by the

amount of good that has done’’

                  Jeremy Bentham.

 

ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ ଧର୍ମପଦ କହିଛି

‘‘କହିବ ତୁରିତେ             ପୁଅରେ ଦାୟ କି

ବାରଶ ବଢ଼େଇ ଦାୟ

ଏ ବିଚାରେ ହେବ ବାରଶ ବଢ଼ାଇ–

ତ୍ରାଣ ଉଦ୍ଧାର ଉପାୟ ।’’

 

ଏଥିରେ ଧର୍ମପଦର ପିତାହିଁ ବିଚାରକ । ତାଙ୍କର ଉଦାର ହୃଦୟ, ତ୍ୟାଗ, ଆତ୍ମ-ବିଶ୍ୱାସ ଓ ଆଦର୍ଶ ଯେପରି ଏକାକାର ହୋଇ ଗୋପବନ୍ଧୁଙ୍କ ଚିନ୍ତାକୁ ଆଚ୍ଛନ୍ନ କରିଅଛି । ସେ ନିଜର ପୁଅକୁ ଦେଖିବେ ନା ଜାତିର ରକ୍ଷାକଥା ଚିନ୍ତା କରିବେ । ଉତ୍କଳ ଗୌରବ ମଧୁ ସୂଦନ ଦାସ ଜାତୀୟ ଜୀବନ ପ୍ରବନ୍ଧରେ ସୂଚାଇଛନ୍ତି ଯେ–ମୋର ଘର, ମୋର ପୁଅ ଆଦି ବ୍ୟକ୍ତିଗତ ଆକାଂକ୍ଷା ପ୍ରାଣୀକୁ ସର୍ବଦା ତଳକୁ ଟାଣୁଅଛି; କିନ୍ତୁ ମୋର ଦେଶ, ମୋର ଜାତିଆଦି ଭାବ ଆମକୁ ସର୍ବଦା ଉପରକୁ ନେଉଅଛି । ଏହି ଉକ୍ତିର ଯଥାର୍ଥତା ଗୋପବନ୍ଧୁ ମର୍ମ୍ମେ ମର୍ମ୍ମେ ଅନୁଭବ କରିଥିଲେ । ବେଦାନ୍ତରେ ମଧ୍ୟ ଏ ଜଗ୍‌ତ ମିଥ୍ୟା ଓ ମାୟା, କେବଳ ବ୍ରହ୍ମ ସତ୍ୟ ବୋଲି ଉକ୍ତ ହୋଇଛି । ପଣ୍ଡିତ ଗୋପବନ୍ଧୁ ଏହି ଉକ୍ତିକୁ ପ୍ରକାଶ କରି ଲେଖିଛନ୍ତି–

 

‘‘ଏ ଜଗତେ କାହା             ପୁଅ ବା କାହାର

ସମସ୍ତ ମାୟା ଭିଆଣ,

ସାର୍ଥକ ଜନମ             ତା’ର ଏକା ସିନା

ପର ହିତେ ଯା’ର ପ୍ରାଣ ।’’

 

ତଥାପି ପୁତ୍ରହରା ଗୋପବନ୍ଧୁ ଅସ୍ଥିର ପ୍ରାଣକୁ ପ୍ରବୋଧ ଦେବାପାଇଁ ବିଭିନ୍ନ ଅନୁଚିନ୍ତା ପ୍ରକାଶ କରିଛନ୍ତି । ପୁତ୍ର-ମୃତ୍ୟୁର ଦୁଃଖ ଓ ଦେଶର ବହୁ ଲୋକଙ୍କର ବିନାଶ ମଧ୍ୟରେ ତାଙ୍କର କତ୍ତର୍ବ୍ୟ ସ୍ଥିର କରିବାପାଇଁ ସେ ଯେଉଁ ଭାବନା ମନକୁ ଆଣିଛନ୍ତି, ତାହା ବ୍ୟକ୍ତି ହୃଦୟର ଅନୁଚିନ୍ତା ଓ ସ୍ୱାର୍ଥହୀନ ସାର୍ବଜନୀନ ଅନୁଚିନ୍ତାର ସଂଘର୍ଷରେ ଭରା । ଏହାର ସମାଧାନପାଇଁ ସେ ଚାଣକ୍ୟ ନୀତିଶାସ୍ତ୍ରକୁ ମୂଳରୂପେ ଗ୍ରହଣ କରି କହିଛନ୍ତି–କୁଳରକ୍ଷାପାଇଁ କୁଳର ଜଣକୁ ବର୍ଜନ କରିବ । ଏହାର ଉଦାହରଣ ନିଜର ପୁତ୍ରକୁ ତ୍ୟାଗ କରିବାରେ ସୃଷ୍ଟି ହୋଇଛି । ଗ୍ରାମର ହିତ ନିମିତ୍ତ ନିଜର କୁଳକୁ ସେ ତ୍ୟାଗ କରିଛନ୍ତି । ନିଜ ସମ୍ପତ୍ତିଙ୍କୁ ସେ କୌଣସି ପୋଷ୍ୟପୁତ୍ରକୁ ନ ଦେଇ ଗୃହ ଦେବତାଙ୍କ ନାମରେ ଉତ୍ସର୍ଗ କରିଥିଲେ ଓ ଅନ୍ୟମାନଙ୍କୁ ଦାନ କରିଥିଲେ । ସମସ୍ତ ୠଣ-ଗ୍ରହୀତାମାନଙ୍କୁ ୠଣପତ୍ରରୁ ମୁକ୍ତି ଓ ଧାନଆଦି ଗ୍ରାମର ଦରିଦ୍ରଙ୍କୁ ବାଣ୍ଟିଦେବାରେ ସେ ବିଶେଷ ଆନନ୍ଦ ପାଇଥିଲେ । ଏହା ବ୍ୟତୀତ ଦେଶର ହିତ ସାଧନପାଇଁ ତାଙ୍କ ନିଜ ଗ୍ରାମ ରୂପକ ସତ୍ୟବାଦୀ ବନ-ବିଦ୍ୟାଳୟକୁ ଜାତିର ମୁକ୍ତି ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଓ ଦେଶପାଇଁ କାରବରଣ ତଥା ନିଜର ପ୍ରାଣ ବିସର୍ଜନ କରିଥିଲେ । ଦେଶକୁ ବିଶେଷ କରି ଓଡ଼ିଶାକୁ ଭାରତପାଇଁ ବିସର୍ଜନ କରିବାରେ ତାଙ୍କର ଏହି ଦୃଷ୍ଟିହିଁ ପଥ-ପ୍ରଦର୍ଶକ ହୋଇଥିଲା । ଏ ବିସର୍ଜନ ଉତ୍କଳ ସମ୍ମିଳନୀକୁ କଂଗ୍ରେସରେ ଲୀନ କରାଇବାର ସିଦ୍ଧାନ୍ତ ମୂଳରେ ନିହିତ ଥିବାର ସ୍ଥିର କରାଯାଇପାରେ ।

 

ଧର୍ମପଦର ପିତାଙ୍କୁ ପ୍ରବୋଧ ଦେବା ପ୍ରସଙ୍ଗ ଗଭୀର ଦାର୍ଶନିକ ଅନୁଚିନ୍ତାରେ ପୂର୍ଣ୍ଣ । ଏହା ମଧ୍ୟରେ ଗୀତାର ବାଣୀ ନିମ୍ନୋକ୍ତ ଉଦ୍ଧୃତାଂଶରେ–

 

‘‘କାପୁରୁଷ ପରି                   ମରିବା ଜଗତେ

ନୁହେଁ ନର ପଉରୁଷ,

ପର ହିତ ସାଧି                   ମରେ ଯେ ମହୀରେ

ସେହି ଏକା ସୁପୁରୁଷ ।’’ ବ୍ୟକ୍ତ ହୋଇଅଛି ।

 

ଗୀତା କହନ୍ତି–

‘‘ଅଥ ଚେତ୍ତ୍ୱମିମଂ ଧର୍ମ୍ୟଂ ସଂଗ୍ରାମଂ ନ କରିଷ୍ୟସି

ତତଃ ସ୍ୱଧର୍ମଂ କୀର୍ତ୍ତଂ ଚ ହିତ୍ୱା ପାପ ମବାପ୍‌ସ୍ୟସି

(ଗୀତା–୨ୟ ଅଧ୍ୟାୟ–୩୩ ଶ୍ଳୋକ)

 

ଗୋପବନ୍ଧୁ ଏହି ଭାବନାକୁ ବନ୍ଦୀର ଆତ୍ମକଥାରେ କହିଛନ୍ତି

‘‘କାତରତା ସିନା କାପୁରୁଷ ପଣ

ବୀର ମାରେ ଅବା ମରେ କରି ରଣ ।’’

 

ପୁଣି–

‘‘ପଛ ଘୁଞ୍ଚା ନାହିଁ ବୀରର ଜାତକେ

ନ ମରେ ସେ କେବେ ପରାଣ ଆତଙ୍କେ ।’’

 

ଏଠାରେ ଧର୍ମପଦର ବୀରତ୍ୱ ଗୋପବନ୍ଧୁଙ୍କ ବୀରତ୍ୱର ଅନୁସରଣରେ ଓ ଗୀତାର ଦର୍ଶନ ବ୍ୟକ୍ତ କରିବାରେ ସ୍ପଷ୍ଟ । ଏଥିରେ ସାଂଖ୍ୟବାଦର ସରଳ ପ୍ରକାଶ ଅତି ଚୁମ୍ୱକରେ କରାଯାଇଅଛି । ଇଂରାଜୀ କବି Longfellow ତାଙ୍କର ‘‘A psalm of life’’ କବିତାରେ ଲେଖିଥିଲେ ।

 

‘‘In the world's broad field of battle

In the bivouac of life

Be not like dumb, driven cattle !

Be a hero in the strife !"

 

ଏହା ଗୋପବନ୍ଧୁଙ୍କ ବନ୍ଦୀର ଆତ୍ମକଥାରେ ବ୍ୟକ୍ତ ପଂକ୍ତିର ଅନୁଚିନ୍ତା ସହିତ ଏପରି ସାମଞ୍ଜସ୍ୟ ରକ୍ଷାକରେ ଯେ ମନେହୁଏ ଏହା ଯେପରି ଓଡ଼ିଆ ପଦ୍ୟରେ ରୂପାନ୍ତରିତ ହୋଇଯାଇଛି-। Longfellowଙ୍କ ଭାବନା ଏବଂ ଗୀତାର ଏହି ନିର୍ଦ୍ଦିଷ୍ଟ ବାଣୀ ଯେ ଗୋପବନ୍ଧୁ ବ୍ୟକ୍ତି କରିଛନ୍ତି ଏପରି ନୁହେଁ, ଗୀତାର କର୍ମଯୋଗ ମଧ୍ୟରେ ଗୋପବନ୍ଧୁ ଦେଖିଥିବା ସତ୍ୟକୁ ଧର୍ମପଦର ଉକ୍ତିରେ ମଧ୍ୟ ପ୍ରକାଶ କରି କହିଛନ୍ତି–

‘‘ମାନବ ଜୀବନ             ନୁହଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କର୍ମେ ଜୀଏଁ ନର କର୍ମ ଏକା ତାର

ଜୀବନର ମାନଦଣ୍ଡ ।’’

 

ଗୀତା ୩ୟ ଅଧ୍ୟାୟ ୮ମ ଶ୍ଳୋକରେ ଦେଖିବାକୁ ମିଳେ–

‘‘ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋହ୍ୟକର୍ମଣଃ

ଶରୀର ଯାତ୍ରାପି ଚ ତେନ ପ୍ରସିଧ୍ୟେଦ–କର୍ମଣଃ ।’’

 

ଏହି ଉକ୍ତିର ବିକାଶ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ବ୍ୟାପ୍ତ ଇଟାଲିୟାନ ଦାର୍ଶନିକ ଭିକୋ (Giambatistta vico)ଙ୍କ ‘‘Truth is deed’’ ଏହି ଭାବନାର ସୂଚନା ମଧ୍ୟ ଦେଇଥାଏ । କେବଳ ଭାରତୀୟ ପରମ୍ପରାର ଆଦର୍ଶକୁ ଯେ ଗୋପବନ୍ଧୁ ଗ୍ରହଣ କରିଛନ୍ତି ଏପରି ନୁହେଁ । ତାଙ୍କ କାବ୍ୟର ପ୍ରଧାନ ଚରିତ୍ର ଧର୍ମପଦର ପୁଣ୍ୟାତ୍ମା ଯେପରି କ୍ଷଣସ୍ଥାୟୀ ହେଲେ ମଧ୍ୟ ଉଜ୍ଜଳ ଆଲୋକରେ ଭରା ଏବଂ ତାହା ଜ୍ଞାନଗର୍ଭ ଓ ତ୍ୟାଗପୂତ ତଥା ଏକ ମହନୀୟ ଆଦର୍ଶର ଉଦାହରଣ ରଖେ । ଏହାହିଁ ଗୋପବନ୍ଧୁଙ୍କ ଜୀବନର ଆଦର୍ଶ । ଏ ଭାବନା ଇଂରାଜୀ କବି Ben Johnsonଙ୍କ କବିତା ‘‘The Noble Nature’’ରେ ପ୍ରକାଶିତ ହୋଇଥିବାର ଦେଖାଯାଏ । ଏଥିରେ କ୍ଷଣସ୍ଥାୟୀ ଲିଲିଫୁଲ ବୟସ ଭାରରେ ଜୀର୍ଣ୍ଣ ଓକ୍‌ ଗଛର କାଠଗଣ୍ଡିଠାରୁ ଆହୁରି ମହୀୟାନ୍‌–

 

‘‘It is not growing like a tree

In bulk, doth make man better be,

Or standing long an oak, three hundred years,

To fall a log at last, dry bald, and sere;

A lily of a day

Is fairer far in May,

Although it fall and die that night:

It was the plant and flower of light.

In small propertions we just beauties see,

And in short measures life may perfect be. ’’

 

‘ଧର୍ମପଦ’ କାବ୍ୟର–

‘‘ମୁହୂର୍ତ୍ତେ ମାତର ଉଜ୍ଜ୍ୱଳ ପ୍ରଖର

ଶିଖା ଟେକି ହୁତାଶନ

ଜଳି ଯେବେ କରେ       ଆଲୋକ ଉତ୍ତାପ

ଚଉଦିଗେ ବିତରଣ ।

 

ଲିଭୁ ସେ କ୍ଷଣକେ             ତଥାପି ଏ ଲୋକେ

ରହେ ତା ଆଦର ଯଶ

କି ଲୋଡ଼ା ତହିଁରେ             ରହେ ଯେ ମହୀରେ

କୁହୁଳି ସହସ୍ର ବର୍ଷ ।’’

 

ଉପରୋକ୍ତ ପଂକ୍ତିରେ ଏହାହିଁ ଦେଖିବାକୁ ମିଳେ । ଗୋପବନ୍ଧୁଙ୍କ ଦୃଷ୍ଟିରେ ମୁହୂର୍ତ୍ତକ ଲାଗି ସୃଷ୍ଟି ମହତ୍‌ ଜୀବନର ଗୌରବ ଦୀର୍ଘସ୍ଥାୟୀ ନିର୍ବେଦ ଜୀବନର ପ୍ରକାଶ ଅପେକ୍ଷା ସ୍ପୃହଣୀୟ । କର୍ମବୀରର କ୍ଷୁଦ୍ରାପି କ୍ଷୁଦ୍ର ଜୀବନହିଁ ତାଙ୍କର ଆଦର୍ଶ ଓ ଏ ସତ୍ୟ ସେ ବାରମ୍ୱାର ପ୍ରକାଶ କରିଛନ୍ତି । ପରେ ପରେ ଧର୍ମପଦ ନିଜର ଗୌରବପାଇଁ ଜାତିର ରକ୍ତରଞ୍ଜିତ ଦୃଶ୍ୟ ଦେଖିବାକୁ ବୀତସ୍ପୃହ, ଏଥିରେ ନିଜର ନିଧନ ବରଂ ଶ୍ରେୟ କିନ୍ତୁ ସେ ଯଶ ସମ୍ମାନ ଅନାବଶ୍ୟକ । ଗୋପବନ୍ଧୁ ବିହାର ଓଡ଼ିଶାର ଲାଟ୍‌ ଗୋଟେ ସାହେବଙ୍କ ବାରଣ ସତ୍ତ୍ୱେ ବିହାର-ଓଡ଼ିଶା କାଉନ୍‌ସିଲ୍‌ ସଭ୍ୟପଦରୁ ଇସ୍ତଫା ଦେବାର ସିଦ୍ଧାନ୍ତ ଏବଂ ନିଜର ପ୍ରିୟ ସତ୍ୟବାଦୀ ସ୍କୁଲକୁ ଏକ ଜାତୀୟ ବିଦ୍ୟାଳୟରେ ପରିଣତ କରି ସ୍ୱରାଜ୍ୟ ଯୁଦ୍ଧରେ ବଳି ଦେବା ପଛରେ ଏହି ସିଦ୍ଧାନ୍ତ ଥିବା ଦେଖିବାକୁ ମିଳେ । କନିକା ରାଜ୍ୟର ପ୍ରଜାମାନଙ୍କ ରକ୍ତରଞ୍ଜିତ କଳେବର ଓ ଇଂରେଜ ସରକାରଙ୍କ ଦମନ ଲୀଳାର ସ୍ମୃତି ତାଙ୍କୁ ବ୍ୟାକୁଳ କରୁଥିଲା । ଏହି ପରିପ୍ରେକ୍ଷୀରେ ସେ ଧର୍ମପଦ ତୁଣ୍ଡରେ ଗାଇଛନ୍ତି–

 

‘‘ବାରଶ ବଢ଼ାଇ             ରକତ ରଞ୍ଜିତ

ଯଶ ସନମାନ ଧନ,

ପାଇ ରାଜ ଦ୍ୱାରେ             କହ କି ପ୍ରକାରେ

ବଢ଼ିବ ମୋ ବଡ଼ପଣ ?

 

ଶାଢ଼ୀ ବାନ୍ଧି ମୁଣ୍ଡେ             ଯିବି ରାଜ ଦାଣ୍ଡେ

ଦେଖି ଜାତି-କୁଳ-ନାଶ

କି ରଙ୍ଗେ ଚିତ୍ରିବ             ଏ ଜଘନ୍ୟ ଛବି

ଭବିଷ୍ୟତ ଇତିହାସ ।’’

 

ଏ ଅନୁଚିନ୍ତାର ପଟାନ୍ତର ଓଡ଼ିଆ ସାହିତ୍ୟରେ ନାହିଁ । ଏହି ଭାବରେ ଅନୁପ୍ରାଣିତ ଓ ନିଜକୁ ତ୍ୟାଗ କରିଥିବା ବୀର ବାଳକ ‘‘ଦୁଃଖୀଧନ’’ ଚରିତ୍ର ପଣ୍ଡିତ ଗୋଦାବରୀଶଙ୍କର ଏକ ଅନବଦ୍ୟ ସୃଷ୍ଟି । ଓଡ଼ିଆ ଶିଳ୍ପୀ, ଓଡ଼ିଆ ବୀର ଦୁଃଖୀଧନ ଓ ଓଡ଼ିଆ ରାଜପୁତ୍ର ବୀରଭଦ୍ର (ପଣ୍ଡିତ ନୀଳକଣ୍ଠଙ୍କ ଓଡ଼ିଶାର ଦୁଇଟି ଅଦ୍ଭୁତ ପୁରୁଷ ପ୍ରବନ୍ଧ) ଓଡ଼ିଆଜାତିର ଟେକ ରଖିବାରେ ଏକାନ୍ତ କର୍ତ୍ତବ୍ୟନିଷ୍ଠ; ତାହା ପୁଣି ନିଜର ଜୀବନ ବିନିମୟରେ । ଏହି ଭାବନା ଉପନିଷଦ୍‌ ବର୍ଣ୍ଣିତ ଶିବ ଚରିତ୍ରର ମହନୀୟ ଆଦର୍ଶରେ ସମୁଜ୍ଜଳ । ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ଇହ ଓ ପରଲୋକରେ ବିଶ୍ୱାସ ଏବଂ ସେଥିପାଇଁ ଆତ୍ମୋତ୍ସର୍ଗଦ୍ୱାରା ପରର ହିତ ସାଧନରେ ଲାଭ ହେଉଥିବା ଚତୁର୍ବର୍ଗ ଫଳର ଆକାଂକ୍ଷା ଗୋପବନ୍ଧୁଙ୍କ ମଧ୍ୟରେ ଚିର ଜାଗ୍ରତ ଥିଲା ଓ ଧର୍ମପଦ ଚରିତ୍ରର ତାହାହିଁ ଆକାକ୍ଷାଂ ତଥା ବୈଷିଷ୍ଟ୍ୟ । ଏହି ଅନୁଚିନ୍ତାହିଁ ପଣ୍ଡିତ ଗୋପବନ୍ଧୁଙ୍କ ଆର୍ଯ୍ୟପ୍ରାଣର ସଙ୍କେତ । ସେଥିପାଇଁ ଗୋପବନ୍ଧୁ ପୁଣି ଧର୍ମପଦ ମୁହଁରେ କହିଛନ୍ତି–

 

‘‘ପରହିତେ ପ୍ରାଣ             ଉତ୍ସର୍ଗି ପୂରବେ

କେତେ କେତେ ମହାଜନ,

ଲିଭିଛନ୍ତି ତ୍ୟାଗେ             ପରାଣ ପୂର୍ଣ୍ଣତା

ମରଣେ ନିତ୍ୟ ଜୀବନ ।’’

 

ପରିଶେଷରେ ଗୋପବନ୍ଧୁ ପୁତ୍ରସ୍ନେହର ମାୟା ତ୍ୟାଗରେ ବାରଶତ ବଢ଼େଇଙ୍କ ବଞ୍ଚିବାର ପଥ ଉନ୍ମୁକ୍ତ ହେବାର ସୂଚନା ଦେଇଛନ୍ତି । ଏହା ତାଙ୍କ ପୁତ୍ରସ୍ନେହ ଓ ବନ୍ୟାକ୍ଳିଷ୍ଟ ମୂମୂର୍ଷୂ ମାନବର ଜୀବନଭିକ୍ଷା ନିମିତ୍ତ ଆର୍ତ୍ତଚିତ୍କାର ମଧ୍ୟରେ ନିଜର କର୍ମପଥ ନିର୍ଦ୍ଦେଶ କରିଥିବା ଭଳି ମନେହୁଏ ଓ ବେଦାନ୍ତୋକ୍ତ ମାୟାବାଦର ପରୀକ୍ଷାପାଇଁ ସେ ନିଜ ଜୀବନରେ ଏହାହିଁ ଗ୍ରହଣ କରିଥିଲେ । ଏହା ତାଙ୍କ ଜୀବନର ଅନୁଚିନ୍ତା ଓ ଧର୍ମପଦ ଚରିତ୍ର ମାଧ୍ୟମରେ ତାହାର ବିଶ୍ୱସ୍ତ ପ୍ରକାଶ ଏଥିରେ ଦେଖିବାକୁ ମିଳେ । ପୁତ୍ରର ମୃତ୍ୟୁରେ ଗୋପବନ୍ଧୁ ଅନୁଭବ କରିଥିବା ବଂଶରକ୍ଷାର ମୋହକୁ ପରିତ୍ୟାଗ କରିବାପାଇଁ ସେ ଧର୍ମପଦର ପିତାଙ୍କୁ ଉପଦେଶରେ କହିଛନ୍ତି–

 

‘‘କରୁଛ ଭାବନା             ନ ହେବ ମୋ ବିନା

ବଂଶରକ୍ଷା ତୁମ୍ଭ ଅନ୍ତେ,

କର ହେ ବିଚାର             କାହା ବଂଶ ଚିର

ରହିଛି ବା ଏ ଜଗତେ ।’’

 

ସେ ଏହି ପ୍ରାରବ୍‌ଧ ସଂସ୍କୃତିର ବଶବର୍ତ୍ତୀ ହୋଇ ନିଜକୁ ନିଜେ ପଚାରିଛନ୍ତି ଓ ସେଥି ସହିତ ଉତ୍ତର ମଧ୍ୟ ଦେଇଛନ୍ତି–

‘‘କେତେ ମହାଜନ             ଅସାଧ୍ୟ ସାଧନ

କରିଗଲେ କାଳବଳେ;

କାହିଁ ତାଙ୍କ ବଂଶ ?       ଆଜି ମାତ୍ର ଯଶ

ଆଜିଯାଏ ମହୀତଳେ ।’’

 

ଗୋପବନ୍ଧୁ ଯେ ଏକାନ୍ତ ଭାବରେ ଯଶ ଅନୁରାଗୀ ଥିଲେ ତାହା ଏଥିରୁ ସ୍ପଷ୍ଟ ହୋଇଥାଏ-। ସେଥିପାଇଁ ସେ ନିଜର ଅଳ୍ପ ବୟସ୍କ ପୁତ୍ରର କ୍ଷଣସ୍ଥାୟୀ ମାୟାରେ ମୂହ୍ୟମାନ ନୁହନ୍ତି, ହେବା ବି ଉଚିତ ନୁହେଁ ଏବଂ ସେଥିପାଇଁ ତାକୁ ତ୍ୟାଗ କରିବାର ସଂକଳ୍ପ ତଥା ପ୍ରବୋଧ ବାକ୍ୟରେ ନିଜକୁ ସେ ସାନ୍ତ୍ୱନା ଦେଇଛନ୍ତି–

 

‘‘ତୁମ୍ଭର ମୋହର             ଦେଖା ଦିନକର

କିମ୍ପା ଏତେ ମାୟା ମୋହ ?

ତେଜ ମୋ ମମତା             ଦେଖାଅ ବୀରତା

କର ନାହିଁ ଜାତିଦ୍ରୋହ ।’’

 

ଧର୍ମପଦର ଏହି ପିତୃ ଉପଦେଶ ଗୋପବନ୍ଧୁଙ୍କ ହୃଦୟର ବାଣୀ । ସେଥିରେ ସେ ନିଜକୁ ପ୍ରବୋଧ ଦେଇଛନ୍ତି । ତାଙ୍କ ନଷ୍ଟ ସନ୍ତାନ ନିମିତ୍ତ ବ୍ୟଥିତ ପିତୃ ହୃଦୟରେ ଚିରଜାଗ୍ରତ ଥିବା ଏହି ବିଶାଦର ଛାୟା ଯେପରି ଧର୍ମପଦ ଚରିତ୍ର ମୁହଁରେ ମୁକ୍ତ ହୋଇଯାଇଛି । ଜେଲ ଜୀବନର ବିନିଦ୍ର ରଜନୀରେ ହୁଏତ ସେ ଏହି ପୁତ୍ର ଶୋକରେ ଅଭିଭୂତ ହୋଇଛନ୍ତି ଏବଂ ମନକୁ ବୁଝାଇବାପାଇଁ ଓ ଧୈର୍ଯ୍ୟପାଇଁ ବେଦାନ୍ତ ଦର୍ଶନର ମାୟାବାଦକୁ ଆଶ୍ରା କରିଛନ୍ତି । ସେଥିପାଇଁ ସେ ପୁତ୍ର ବିୟୋଗରେ ମଧ୍ୟ ଯଶ-ପୁତ୍ରର ଅନ୍ୱେଷଣରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି ଓ ଧର୍ମପଦର ପିତୃ ହୃଦୟରେ ନିଜ ହୃଦୟର ପ୍ରତିବିମ୍ୱ ପ୍ରତିଷ୍ଠା କରିଛନ୍ତି । ଗୋପବନ୍ଧୁଙ୍କ ହୃଦୟର ଏହି କଷାଘାତ ମଧ୍ୟରେ ସେ ପରିଶେଷରେ ଜାତିପାଇଁ ଜୀବନ ଉତ୍ସର୍ଗ କରିବା ନିମିତ୍ତ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାହିଁ ତାଙ୍କର ଜ୍ଞାନପ୍ରାପ୍ତି ଓ ବୃଦ୍ଧତ୍ୱ ବୋଲି କୁହାଯାଇପାରେ । ଏହା ବ୍ୟକ୍ତକରି ସେ ଲେଖିଛନ୍ତି–

 

‘‘ପାହି ଆସିଲାଣି             ଅନ୍ଧାର ରଜନୀ

ନିର୍ମଳ ଦିଶେ ମୋ ପଥ,

ଦିଅ ଆଶୀର୍ବାଦ             ଘେନି ଏ ଜୀବନେ

ଏହି ଶେଷ ଦଣ୍ଡବତ ।’’

 

ଏହା ଯେପରି କାବ୍ୟର ଧର୍ମପଦ ତୁଣ୍ଡରେ ସେ ନିଜେ କହୁଛନ୍ତି, ସେହିପରି ତାଙ୍କ ମୃତ ସନ୍ତାନ ମଧ୍ୟ ମରିବା ପୂର୍ବରୁ ଗୋପବନ୍ଧୁଙ୍କ ନିକଟରେ ଏହା ଅବ୍ୟକ୍ତ ଇଙ୍ଗିତରେ ବ୍ୟକ୍ତ କରି ଶେଷ ଆଶୀର୍ବାଦ ଭିକ୍ଷା କରୁଅଛି । ଏଥିରେ ଦୁଇପାଖ ଏକାକାର ହୋଇ ବର୍ଣ୍ଣିତ ହୋଇଛି ଏକ ଅପୂର୍ବ ଭଙ୍ଗିରେ । କେବଳ ସେତିକି ନୁହେଁ ଏଥିରେ ସ୍ୱାଧୀନତା ନିମନ୍ତେ ଆତ୍ମୋତ୍ସର୍ଗର ନିଷ୍ପତ୍ତି ମଧ୍ୟ ଗୋପବନ୍ଧୁଙ୍କ ଜୀବନର ଅନ୍ୟ ଗୋଟିଏ ଭାବ ବ୍ୟକ୍ତ କରିଥାଏ । ଦେଶବସୀଙ୍କ ଊଦ୍ଦେଶ୍ୟରେ ଏ ଆଶୀର୍ବାଦ ଭିକ୍ଷା ପରିଶେଷରେ ଗୋପବନ୍ଧୁଙ୍କ ମନରେ ବିଭୁଙ୍କ କରୁଣାଭିକ୍ଷା ଏବଂ ଏହି କରୁଣାରେ ବିମଳ ଆନନ୍ଦ ଲାଭର ସୂଚନାହିଁ ତାଙ୍କ ନିକଟରେ ଚିନ୍ତାର ଶେଷ ପର୍ଯ୍ୟାୟ ଉନ୍‌ମୋଚନ କରିଅଛି ।

 

‘ଧର୍ମପଦ’ କାବ୍ୟର ନବମ ଓ ଶେଷ ପର୍ଯ୍ୟାୟରେ ଗୂଢ଼ ବେଦାନ୍ତତତ୍ତ୍ୱ ଓ ମୋକ୍ଷାବସ୍ଥାର ବର୍ଣ୍ଣନା କରାଯାଇଛି । ଧର୍ମପଦର ଅନ୍ତରରେ ସୃଷ୍ଟି ହୋଇଥିବା ଭାବର ବିକାଶ ପଣ୍ଡିତ ଗୋପବନ୍ଧୁ ଦର୍ଶାଇଚନ୍ତି । ବ୍ୟକ୍ତି-ପ୍ରାଣରେ ବ୍ରହ୍ମଜ୍ଞାନ ଉଦୟ ହେଲେ ତାର ପ୍ରାଣ ଉଦାର ଓ ଶୁଦ୍ଧ ହୁଏ । ପଣ୍ଡିତ ଗୋପବନ୍ଧୁ ଏହାକୁ ବର୍ଣ୍ଣନା କରି ଲେଖିଛନ୍ତି–

 

‘‘ହେଲା ଶୁଦ୍ଧପ୍ରାଣେ       ଅପୂର୍ବ ଉଦାର

ମହାଭାବ ପରକାଶ ।’’

 

ପୁଣି ଏହି ଭାବର ଉଦୟ ହେବାପରେ ବ୍ୟକ୍ତିର ଭେଦାଭେଦ ରହେ ନାହିଁ । ସେ ନିଜ ଓ ବିଶ୍ୱ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖେନାହିଁ । ତାହାର ବର୍ଣ୍ଣନା କରି ପଣ୍ଡିତ ଗୋପବନ୍ଧୁ ବେଦାନ୍ତର ଏହି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱର ବିଶ୍ୱସୃଷ୍ଟି ତଥା ମାନବ ମଧ୍ୟରେ ଭାବ ବୈଚିତ୍ର ରହିତ ଅବସ୍ଥାକୁ ବର୍ଣ୍ଣନା କରି ଗାଇଛନ୍ତି–

 

‘‘ଜଳ ସ୍ଥଳ ନଭ             ହେଲା ଏକ ଭାବ

ଲିଭିଗଲା ବିଚିତ୍ରତା

ଅନନ୍ତ ଅଭେଦେ             ପରମ ନିର୍ବେଦେ

ବ୍ୟକ୍ତି ବିଶ୍ୱ-ମହାସତ୍ତା ।

 

ବାଳୁତ ହୃଦୟ             ମିଶିଗଲା ସେହି

ମହା ଅନନ୍ତ ବିତାନେ

ଅଜ ଭାବ ଭୁଲି             ମଣେ ଆପଣାକୁ

ଏକୀଭୂତ ବିଶ୍ୱପ୍ରାଣେ ।

 

ମୁହୂର୍ତ୍ତକେ ପୁଣି             ସେ କ୍ଷୁଦ୍ର ହୃଦୟେ

ସଂକୁଚିତ ବିଶ୍ୱସାରା

ଭିତର ବାହାର             କଲା ଏକାକାର

ଅମୃତ ସଙ୍ଗୀତ ଧାରା’’

 

ବେଦାନ୍ତ କୁହନ୍ତି–‘‘ଯେତେବେଳେ ଯେ ପୁରୁଷର ଅଖଣ୍ଡ ଚୈତନ୍ୟ ସ୍ୱରୂପ ବ୍ରହ୍ମଜ୍ଞାନ ହେଲାପରେ ସର୍ବବ୍ୟାପୀ ଚୈତନ୍ୟ-ସ୍ୱରୂପ ବ୍ରହ୍ମଙ୍କର ସାକ୍ଷାତ୍‌କାର ହୁଏ ସେତେବେଳେ ତାହାର ଅଜ୍ଞାନ ଓ ଅଜ୍ଞାନର କାର୍ଯ୍ୟ ସ୍ୱରୂପ ପାପ, ପୁଣ୍ୟ, ସଂଶୟ ଓ ଭ୍ରମାଦି ଦୂରୀଭୂତ ହୋଇ ସଂସାର ବନ୍ଧନରୁ ବିମୁକ୍ତ ଓ ବ୍ରହ୍ମନିଷ୍ଠ ହୁଏ, ଏପରି ଅବସ୍ଥାକୁ ଜୀବନ୍ମୁକ୍ତ ଅବସ୍ଥା କୁହାଯାଏ ।’’ (ବେଦାନ୍ତ ସାର–ଶ୍ରୀ ବିହାରିଲାଲ କାଶ୍ମୀରୀ ପଣ୍ଡିତ–୧୯୫୦ ଖ୍ରୀଷ୍ଟାବ୍ଦ-ପୃଷ୍ଠା ୮୦ ଭାଷାଟୀକା) ଏହି ଅବସ୍ଥାରେ ବ୍ୟକ୍ତି ବିମଳ ଆନନ୍ଦ ଲାଭ କରି ପରଂବ୍ରହ୍ମଙ୍କର ସାକ୍ଷାତ୍‌ ଲାଭ କରେ । ପଣ୍ଡିତ ଗୋପବନ୍ଧୁ ଏଠାରେ ପରଂବ୍ରହ୍ମଙ୍କୁ ବିଶ୍ୱାଗାର ରୂପରେ ଚିତ୍ରଣ କରିଛନ୍ତି ଓ ତାହା ଗୀତାର ଭଗବାନଙ୍କ ବିଶ୍ୱ ପ୍ରକୃତିର ଅବବୋଧରେହିଁ ବ୍ୟକ୍ତ ହୋଇଅଛି ।

 

ବେଦାନ୍ତ ତତ୍ତ୍ୱର ବିକାଶରେ ସୃଷ୍ଟି ହୋଇଥିବା ଅଦ୍ୱୈତବାଦ ଭାରତରେ ଶଙ୍କରଚାର୍ଯ୍ୟଙ୍କଦ୍ୱାରା ବିସ୍ତାରିତ ହୋଇଥିଲା । ଶଙ୍କର ପୁରୀଧାମରେ ନିଜର ମଠ ପ୍ରତିଷ୍ଠା କରି ଶେଷ ଜୀବନ ଅତିବାହିତ କରିଥିଲେ ଓ ତାଙ୍କ ପ୍ରଭାବରେ ଉତ୍କଳର ସଂସ୍କୃତ ସାହିତ୍ୟ ଏବଂ ପରବର୍ତ୍ତୀ କାଳରେ ପ୍ରାକୃତ ସାହିତ୍ୟ ମଧ୍ୟରେ ଅଦ୍ୱୈତବାଦରେ ବହୁଳ ସନ୍ନିବେଶ ହୋଇଥିବା ଜଣାଯାଏ । ପଣ୍ଡିତ ଗୋପବନ୍ଧୁ ଶମ୍ଭୁକର ବାଜପେୟୀ, ଗଦାଧର ରାଜଗୁରୁ, ଜଗନ୍ନାଥ, ବଳରାମ ଓ ସାରଳା ଦାସ ଆଦିଙ୍କ ପୁସ୍ତକମାନଙ୍କରୁ ଏହି ଜ୍ଞାନରାଶି ଆହରଣ କରିଥିବା ଖୁବ୍‌ ସମ୍ଭବ । ତେଣୁ ଜାତୀୟ ପରଂପରା ରକ୍ଷା କରି ସେ ନିଜର କାବ୍ୟ ମଧ୍ୟରେ ତାହା ସନ୍ନିବିଷ୍ଟ କରିଛନ୍ତି । ଏତଦ୍‌ବ୍ୟତୀତ ପାଶ୍ଚାତ୍ୟ ଦାର୍ଶନିକ ( ଗ୍ରୀକ ) Permerides ଅଦ୍ୱୈତବାଦର ପ୍ରଚାର କରି ବିଶ୍ୱକୁ ଏକରୂପେ ବର୍ଣ୍ଣନା କରିଛନ୍ତି–‘‘The universe is one spherical solid and static’’ ଇଂରାଜୀ ଦାର୍ଶନିକ Spinoz । ଏହାର ବ୍ୟାଖ୍ୟାକରି କୁହନ୍ତି ‘‘universe is one. Everything has meaning as part of the whole.’’ ଏହାହିଁ ପଣ୍ଡିତ ଗୋପବନ୍ଧୁଙ୍କ ଧର୍ମପଦ ଚରିତ୍ରର ଚିନ୍ତାରେ ସନ୍ନିବିଷ୍ଟ ଅଦ୍ୱୈତବାଦୀ ଦର୍ଶନ । ଭକ୍ତକବି ମଧୁସୂଧନ ରାଓଙ୍କ ରଚନାର ପ୍ରାଣ ସ୍ଫୁଲିଙ୍ଗ ମଧ୍ୟ ଏଥିରେ ଉପଲବ୍‌ଧ ହୋଇଥାଏ । କବିବର ରାଧାନାଥ ତାଙ୍କର ଚିଲିକା କାବ୍ୟରେ ପ୍ରକୃତିର ବିଚିତ୍ର ପ୍ରକାଶ ମଧ୍ୟରେ ନିଜର ସତ୍ତା ହରାଇ ‘‘ଅସ୍ମିତା ବିସ୍ମୟେ ହେଲା ନିଗମନ’’ ଭାବକୁ ପ୍ରକାଶ କରିଥିଲେ । କିନ୍ତୁ ଧର୍ମପଦ ଏଠାରେ ବିସ୍ମୟରେ ହତବୃଦ୍ଧି କିମ୍ୱା ହତଜ୍ଞାନ ନୁହନ୍ତି, ସେ ଏଠାରେ ବିଶ୍ୱ ପ୍ରକୃତି ସହିତ ଏକୀଭୂତ ହୋଇ ଆନନ୍ଦ ଲହରରେ ନିମଜ୍ଜିତ । ବିଶ୍ୱ ସଙ୍ଗୀତର ଧାରାରେ ଧର୍ମପଦ ‘ଜୟ ଜଗଦୀଶ ହରେ’ ଗାଇଛି । ମନେହୁଏ ଏହା ଜଗତ୍‌କର୍ତ୍ତା ଜଗନ୍ନାଥଙ୍କ ନିମିତ୍ତ ଯେପରି ଉତ୍କଳୀୟ କବି ଜୟଦେବ ଗାନ କରୁଛନ୍ତି ।

 

ପଣ୍ଡିତ ଗୋପବନ୍ଧୁଙ୍କ ବିଶ୍ୱପ୍ରୀତି ଏଠାରେ ବିଭୁପ୍ରୀତିରେ ରୂପାନ୍ତରିତ । ସେ ସେଥିପାଇଁ ଗାଇଛନ୍ତି–

 

‘‘ନମୋ ନିରଞ୍ଜନ                   ନିଖିଳ ନିଦାନ

ବ୍ୟାପ୍ତ ସର୍ବ ଚରାଚରେ,’’

 

ଈଶ୍ୱର ସର୍ବବ୍ୟାପୀ । ସେ ସମସ୍ତ ପୃଥିବୀର ଆଧାର । ସମସ୍ତ ଜଗତର ସେ ନିମିତ୍ତ ମାତ୍ର-। ପଣ୍ତିତ ଗୋପବନ୍ଧୁ ଏହି ବିଶ୍ୱପ୍ରୀତିର ବର୍ଣ୍ଣନା କରିବାକୁ ଯାଇ ଥରେ ସତ୍ୟବାଦୀ ପତ୍ରିକାରେ ଲେଖିଥିଲେ, ବିଶ୍ୱସୃଷ୍ଟିର ସକଳ ଜୀବକୁ ହିନ୍ଦୁ ବିଭୁଜ୍ଞାନରେ ଅର୍ଘ୍ୟ ପ୍ରଦାନ କରେ । ସେଥିରେ ବିଭୁସେବାହିଁ ତା’ର ବ୍ରତ । ହିନ୍ଦୁର ସନ୍ଧ୍ୟା ପଦ୍ଧତିରେ ‘‘ଆବ୍ରହ୍ମ ସ୍ତମ୍ବ ପର୍ଯ୍ୟନ୍ତଂ ଜଗଦ୍ଦେକ ଚରାଚର’’ସମସ୍ତଙ୍କୁ ଜଳ ଅର୍ପଣ କରିବାର ବିଧି ରହିଛି । ଏହି ବିଭୁଜ୍ଞାନହିଁ ବିଶ୍ୱପ୍ରୀତିର ଜ୍ଞାନ । ଧର୍ମପଦର ଆତ୍ମବିସର୍ଜନକାଳୀନ ମୋକ୍ଷ ଭାବନରେ ସେ ଏହି ଭାବର ଅବତାରଣାହିଁ କରିଛନ୍ତି । ଏ ବିଭୁସୃଷ୍ଟି ଛନ୍ଦୋବଦ୍ଧ । ତାହାର ପ୍ରକାଶରେ ବ୍ୟତିକ୍ରମ ନାହିଁ । ଇଂରାଜୀ କବି Robert Browningଙ୍କର ‘‘Pipa’s song’’ କବିତାରେ ସନ୍ନିବେଶିତ–

 

‘‘God’s in His heaven–

 

All’s right with the world !ରେ ଏହା ପ୍ରକାଶିତ । ଇଂରାଜୀ କବି Blake ମଧ୍ୟ ତାଙ୍କର କେତେକ କବିତାରେ ଅନୁରୂପ ଭାବନା ପ୍ରକାଶ କରନ୍ତି ଯାହାକି ଗୋପବନ୍ଧୁଙ୍କ ଦର୍ଶନ ସହିତ ସାମଞ୍ଜସ୍ୟ ରକ୍ଷାକରି ଏକାକାର ଓ ସୁନ୍ଦରତର ହୋଇ ଧର୍ମପଦର ବିଭୁବନ୍ଦନାର ସ୍ୱଗତୋକ୍ତିରେ ପ୍ରକାଶ ପାଇଛି । ଭକ୍ତକବି ମଧୁସୂଦନ ତାଙ୍କର ‘‘ସ୍ତବ’’ କବିତାରେ ଲେଖିଛନ୍ତି-

 

ସୂର୍ଯ୍ୟ ଚନ୍ଦ୍ର ତାର ତୁମରି ଆଜ୍ଞାରେ ବରଷନ୍ତି ଜ୍ୟୋତିରାଶି

ତୁମରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି ।’’

 

ଗୋପବନ୍ଧୁ ଙ୍କ ଲେଖାନୀ ନିଃସୃତ-

‘‘ତବ ଦିବ୍ୟ ଜ୍ୟୋତି      ପରକାଶେ ନିତି

ଗ୍ରହ ତାରା ନୀଳାମ୍ବରେ

ତବ ପୁଣ୍ୟ ହାସେ            କୁସୁମ ବିକାଶେ

ଜୟ ଜଗଦୀଶ ହରେ ।

 

ନଦୀ ବନ ଗିରି            ଭୀମକାନ୍ତ ଶିରୀ

ତୁମରି କଟାକ୍ଷ ଧରେ

ଗାଏ ତୁମ୍ଭ ଗୀତି            ଏ ବିଶ୍ୱ-ଭାରତୀ

ଜୟ ଜଗଦୀଶ ହରେ ।

 

ଅନନ୍ତ ମହିମା            ଅତୁଳ ସୁଷମା

ଦିଶେ ବିଶ୍ୱେ ସ୍ତରେ ସ୍ତରେ

ତବ ମହାପ୍ରେମ            ଖେଳେ ଚରାଚରେ

ଜୟ ଜଗଦୀଶ ହରେ ।’’

 

ପଂକ୍ତିଗୁଡ଼ିକରେ ଏହାର ପ୍ରତିଧ୍ୱନି ଶୁଣିବାକୁ ମିଳେ । ଏପରିକି ଇଂରାଜୀ କବି Blake ତାଙ୍କର ‘‘Auguries of Innocence’’ କବିତାରେ ପ୍ରକାଶ କରୁଥିବା ନିମ୍ନୋକ୍ତ ଭାବ-

 

‘‘To see a world in the Grain of sand

And a Heaven in a wild Flower,

Hold Infinity in the palm of your hand

And Eternity in an hour.’’ ମଧ୍ୟ ଏହି ଚିନ୍ତା ବ୍ୟକ୍ତ କରିଥାଏ ।

 

ପୁଣି ଭକ୍ତକବି ମଧୁସୂଦନଙ୍କ ‘‘ଚନ୍ଦ୍ର ଓ ତାରା ’’ କବିତାର ନିମ୍ନୋକ୍ତ ପଙ୍‌କ୍ତି-

 

‘‘ସେ ମହିମା କ୍ଷୁଦ୍ର ମୁହିଁ, କେମନ୍ତେ ବୁଝିବି

ମୋର ଏହି କ୍ଷୁଦ୍ର ଆତ୍ମା ବିସ୍ମୟେ ସ୍ତବଧ,

ଭୟେ ଅବସନ୍ନ, ଧ୍ୟାୟି ସେ ମହିମା ତତ୍ତ୍ୱ

ଆକୁଳେ ଲୋଡ଼ଇ ଆଶ୍ରା ତୋ ଅନନ୍ତ କ୍ରୋଡ଼ ।’’

 

ପଣ୍ଡିତ ଗୋପବନ୍ଧୁଙ୍କ ‘‘ଧର୍ମପଦ’’ର ନିମ୍ନୋକ୍ତ ପଙ୍‌କ୍ତିରେ–

 

‘‘ସେ ମହା ମହିମା             କି ବୁଝିବି ପ୍ରଭୋ–

କ୍ଷୁଦ୍ର ନର କଳେବରେ,

କି ଭାଷାରେ ତବ             କରିବି ହେ ସ୍ତବ

ଜୟ ଜଗଦୀଶ ହରେ ।

 

ଦେଶ କାଳ ସୀମା–      ଅତୀତ ମହିମା

ଅଗୋଚର ସୁର ନରେ,

ଏକ ଅଦ୍ୱିତୀୟ             ପୂର୍ଣ୍ଣ ପ୍ରେମମୟ

ଜୟ ଜଗଦୀଶ ହରେ ।

 

ପ୍ରଭୃ ପରାତ୍ପର             ପରମ ଈଶ୍ୱର

ଆଶ୍ରାଦିଅ ଶ୍ରୀପୟରେ,

ପୂରୁ ତବ ଇଚ୍ଛା             ଏ ନଗର ପରାଣେ

ଜୟ ଜଗଦୀଶ ହରେ ।’’

 

ପ୍ରକାଶିତ ହେଲେ ମଧ୍ୟ ଗୋପବନ୍ଧୁ ସ୍ତବ୍‌ଧ କିମ୍ୱା ଭୟ ଅବସନ୍ନ ନୁହନ୍ତି । ସେ ବିଭୁଭାବର ଆନନ୍ଦରେ ମୋକ୍ଷପ୍ରାପ୍ତିପାଇଁ ସଚେତନ ଓ ସେଥିରେ ତାଙ୍କର ଅନ୍ତରାତ୍ମା ମହାପ୍ରେମରେ ଭୋଳ । ‘‘କାରା କବିତା’’ ପୁସ୍ତକର ‘‘ବିଶ୍ୱର ମିଳନ ଚିତ୍ର’’ କବିତାରେ ,ଏହି ଭାବନେଇ ସେ ଗାଇଛନ୍ତି–

 

‘‘ଗିରି ସାଗର ନଦୀ ତପନ ଶଶୀ

ସର୍ବେ ଚୁମ୍ୱିବେ ମୋତେ ପ୍ରେମେ ପରଶି,

ମୋ ପ୍ରାଣ ପ୍ରେମଧାରେ ଭାସିବ ଧରା

ହେବ ଏ ବିଶ୍ୱ ମୋର ପ୍ରେମ ପସରା ।’’

 

ଅନ୍ତତଃ ଧର୍ମପଦର ଚରିତ୍ରରେ ତାଙ୍କର ଏହି ଅନୁଚିନ୍ତା ସୃଷ୍ଟିକୁ ବେଦାନ୍ତ ବାକ୍ୟରେ ମନୁଷ୍ୟର ନିକଟତର କରେ । ଗୋପବନ୍ଧୁଙ୍କ ସ୍ୱାଧୀନ ବିଭୁଭାବ ଏଠାରେ ଉଜ୍ଜୀବିତ । ପଣ୍ଡିତ ଗୋପବନ୍ଧୁ ବିଶ୍ୱସତ୍ତାର ଏ ବ୍ୟାପ୍ତିରେ ସଂକୁଚିତ ହେଲେ ମଧ୍ୟ ଭୟକାତର ନୁହନ୍ତି । ସେ ଏହାକୁ ପ୍ରେମମୟ ବିଭୂରୂପେ ଦେଖି ତାର କୋଳକୁ ଡେଇଁବାକୁ ଯାଇଛନ୍ତି । ଏଠି ଗୋପବନ୍ଧୁ ଓ ତାଙ୍କ ସୃଷ୍ଟି ଧର୍ମପଦ ଚରିତ୍ର ଏକାକାର ହୋଇ ପ୍ରକାଶିତ ହୋଇଛି । ଗୋପବନ୍ଧୁ ଏ ବିଶ୍ୱ-ପ୍ରକୃତିକୁ ସୀମାତୀତ ଜ୍ଞାନରେ ବ୍ୟକ୍ତ ହୋଇଥିବାର ଦର୍ଶାଇଛନ୍ତି । ଗୀତାର ଏହି ତତ୍ତ୍ୱବାଣୀରେ ସେ ବେଦାନ୍ତୋକ୍ତ ପ୍ରେମମୟ ବିଶ୍ୱସୃଷ୍ଟିର ପ୍ରକାଶକୁ ଏକୀଭୂତ କରି ଭେଦାଭେଦ ରହିତ ପରଂବ୍ରହ୍ମଙ୍କ ସୃଷ୍ଟିରେ ମିଶିଯିବାକୁ ପ୍ରାର୍ଥନା କରିଛନ୍ତି । ସେଠାରେହିଁ ମୁକ୍ତି ଓ ପରମ କୈବଲ୍ୟ ବା ପରମ ପଦ ଲାଭ ହେବାର ଦୃଢ଼ ଧାରଣା ତାଙ୍କର ହୋଇଛି । ଗୋପବନ୍ଧୁ ପୁଣି ଏ ସୃଷ୍ଟି ଭଗବାନଙ୍କ ଇଚ୍ଛାରେ ନିୟନ୍ତ୍ରିତ ବୋଲି ସର୍ବଦା ସୂଚାଇଛନ୍ତି । ସେଥିପାଇଁ ଧର୍ମପଦ ନିଜ ଜୀବନର ସତ୍ତାରେ ବିଭୁ ଇଚ୍ଛା ପୂର୍ଣ୍ଣ ହେବାପାଇଁ ସଭକ୍ତି ନିବେଦନ କରିଅଛି ଓ ଗାଇଛି–

 

‘‘ପୂରୁ ତବ ଇଚ୍ଛା             ଏ ନର ପରାଣେ

ଜୟ ଜଗଦୀଶ ହରେ ।

ପ୍ରକାଶି କରୁଣା             ଯେ ପୁଣ୍ୟ ପ୍ରେରଣା

ଦେଇଅଛ ମୋ ଅନ୍ତରେ

କର ତାହା ସିଦ୍ଧି             କରୁଣା-ବାରିଧି

ଜୟ ଜଗଦୀଶ ହରେ ।’’

 

ଏହି ଉକ୍ତିର ପ୍ରତିଧ୍ୱନି ଆମ୍ଭେମାନେ ପାଉ ଗୋପବନ୍ଧୁଙ୍କ ‘‘ବନ୍ଦୀର ଆତ୍ମକଥା’’ର ନିମ୍ନୋକ୍ତ ପଙ୍‌କ୍ତିରେ–

 

‘‘ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା

ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ।’’

 

ପଣ୍ଡିତ ଗୋପବନ୍ଧୁ ନିଜ ଜୀବନରେ ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣକରି ଅମୃତ ଗତିପାଇଁ ଆକାଂକ୍ଷିତ ହୋଇଛନ୍ତି । ଆର୍ଯ୍ୟ ଭାବରେ ପ୍ରଣୋଦିତ ଗୋପବନ୍ଧୁ ଧର୍ମପଦପାଇଁ ମୋକ୍ଷ ଓ ଚତୁର୍ବର୍ଗ ଫଳ ବ୍ୟତୀତ ଆଉ ଅଧିକା କିଛି ଆଶା କରି ନ ପାରନ୍ତି । ଏହାହିଁ ତାଙ୍କର ଅମୃତ ଗତି ବା ମୋକ୍ଷ ନିମିତ୍ତ କାମନା ଓ ପ୍ରାର୍ଥନା । ପରିଶେଷରେ ନିଜକୁ ପ୍ରସ୍ତୁତ କରି ଧର୍ମପଦ ନିଜର ଆତ୍ମୋତ୍ସର୍ଗ କରିଛି । ପଣ୍ଡିତ ଗୋପବନ୍ଧୁ ନିଜର ସତ୍ତାକୁ ଧର୍ମପଦର ଚରିତ୍ରରେ ପ୍ରକାଶ କରି ତାର ପରିଣତି ଯେପରି ଭାବରେ ତାକୁ ପ୍ରସ୍ତୁତ କରିଛନ୍ତି ତାର ପ୍ରତିଚ୍ଛବି କେବଳ ତାଙ୍କରି ଜୀବନରେ ହିଁ ଦେଖିବାକୁ ମିଳେ ।

 

ଧର୍ମପଦର ମା ଚରିତ୍ର–

ପଣ୍ଡିତ ଗୋପବନ୍ଧୁଙ୍କ ଧର୍ମପଦ କାବ୍ୟରେ ଅନ୍ୟ ଏକ ଚରିତ୍ର ତାର ମା । ସେ ନାମହୀନା ଏକ ନାରୀ । କେବଳ ପରିଚୟ ମଧ୍ୟରେ ସେ ଧର୍ମପଦର ମା । ଏହି ଚରିତ୍ର-ଚିତ୍ରଣରେ ପଣ୍ଡିତ ଗୋପବନ୍ଧୁ ପୂର୍ଣ୍ଣ ଭାବରେ ଗାଁ ଗହଳର ଗୋଟିଏ ଧୈର୍ଯ୍ୟଶୀଳା ସ୍ତ୍ରୀ ଲୋକର ଚରିତ୍ର ଫୁଟାଇଛନ୍ତି । ସେଥିରେ ତାଙ୍କର କଥୋପକଥନ, କ୍ରନ୍ଦନ, ଅଭିମାନ, ଆଶଙ୍କା, ଗାଳି, ସ୍ନେହ ଏବଂ ପିଲାଙ୍କ ନିକଟରେ ଗଳ୍ପ କହୁଥିବା ବୟସ୍କା ନାରୀର ମନୋବୃତ୍ତି ଅପୂର୍ବ ଭାବରେ ରୂପାୟିତ ହୋଇଛି । ସେ ପୁଅ ଦେହରେ ଟିକିଏ ଧୂଳି ପଡ଼ିଗଲେ ସହିପାରନ୍ତି ନାହିଁ, ପୁଅର ବିରସ ମୁଖ ଦେଖିଲେ ତାଙ୍କ ମନରେ ଦୁଃଖର କଳାଛାଇ ବୁଲିଯାଏ, ରୁଷି ଥିବା ଧର୍ମପଦର ଅଭିମାନରେ ସେ କାତରା ହୋଇଥାନ୍ତି । ପୂଅକୁ ବୁଝାଇବାକୁ ଯାଇ ବାଇ, ଧନ, ଧନମାଳି ରଙ୍କୁଣୀ-ସଂଖାଳି, ନୟନ ପିତୁଳି, ଜୀବ ଜୀବନ, କୁଳ ଚନ୍ଦ୍ରମା, ଭିକାରିଣୀ-ଗଳାମାଳ, ଅନ୍ଧର ଲଉଡ଼ି, ଅନ୍ଧାର ଘର ଦୀପ ଆଦି ସ୍ନେହସୂଚକ ଗେଲବସର ଡାକରେ ତାର ମନ ଭୁଲାଇବାକୁ ଚେଷ୍ଟା କରନ୍ତି । ଏଠାରେ ସେ ଗାଉଁଲି ଓଡ଼ିଆ ଘରର ନାରୀରୂପେ ଠିଆ ହୁଅନ୍ତି । ପୁଅକୁ ହୀନମାନ କରି କେହି କଥା ପଦେ କହି ଦେଲେ ତାଙ୍କ ଛାତିରେ ଯେପରି ଛୁରୀ ଚାଲିଯାଏ । ସେ ରାଗିଉଠି ଗାଳି ବି ଦିଅନ୍ତି । ଏଥିରେ ଅପତ୍ୟ ସ୍ନେହର ଯେଉଁ ଗଭୀର ଭାବ ପ୍ରକାଶ ପାଏ ତାହା ମାତୃହୃଦୟର ସରଳ ପ୍ରକାଶ ଏବଂ କେବଳ ଓଡ଼ିଆ ଘରର କଥାବାର୍ତ୍ତାରେ ରୂପ ପାଇଲେ ମଧ୍ୟ ସାର୍ବଜନୀନ । ତାଙ୍କର ବିରକ୍ତି ପୂର୍ଣ୍ଣ ଭାଷାରେ ‘‘ତା ମା ଏଡ଼େ ସତୀ’’, ‘‘ମୋ ପୁଅକୁ ପୁଣି, କହେ ସେ ଅଣବାବୁଆ’’ ଇତ୍ୟାଦି ମାତୃ ଚରିତ୍ରର ଗୌରବ କ୍ଷୁର୍ଣ୍ଣ କରୁଥିବା ବାକ୍ୟର ସ୍ୱାଭାବିକ ପ୍ରତିକ୍ରିୟା ରୂପରେ ଗାଁ ଗହଳରେ ବ୍ୟବହୃତ ହୋଇଥାଏ । ଓଡ଼ିଆ ଘରର ଗାଉଁଲି ସ୍ତ୍ରୀ ବ୍ୟବହାର କରୁଥିବା ଏହି ନିତିପ୍ରତି କଥାର ପ୍ରବାହ କବିତାରେ ପ୍ରୟୋଗ ହୋଇଥିବା କ୍ୱଚିତ୍‌ ଦେଖିବାକୁ ମିଳେ । ଏହିପରି ଭାଷାରେ ବାତ୍ସଲ୍ୟ ମମତା ପ୍ରକାଶ କରୁଥିବା ସ୍ତ୍ରୀ-ଚରିତ୍ରରେ ପୁଅକୁ ଗଳ୍ପ ଶୁଣାଉଥିବା ନାରୀ-ଚରିତ୍ରର ସଂଯୋଜନା କରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାର ଗାଁ ଗହଳରେ ଅବଗୁଣ୍ଠିତା ବର୍ଷୀୟସୀ ନାରୀକୁ ଯେପରି ଭାବରେ କାବ୍ୟ ମଧ୍ୟରେ ଉପସ୍ଥାପନ କରାଇଛନ୍ତି, ତାହାର ସମଧର୍ମୀ ସୂଚନା ଓଡ଼ିଆ-ସାହିତ୍ୟରେ ବିରଳ । ସାଧାରଣ ସ୍ତ୍ରୀ ହେଲେ ହେଁ ସେ ଅଜ୍ଞ ନୁହଁନ୍ତି । ପୁତ୍ରକୁ ସେ ନିଜ କୁଳର କିମ୍ୱଦନ୍ତୀ, ପୌରାଣିକ ଉପାଖ୍ୟାନ, ଐତିହାସିକ ଘଟନାର ବିବରଣ ଆଦି ଦେଇ ପାରନ୍ତି । ସେଥିରେ ଓଡ଼ିଶାର ଗୌରବ ଓ ଓଡ଼ିଆ ଶିଳ୍ପୀମାନଙ୍କ ଦକ୍ଷତା ପରିସ୍ଫୁଟ ହୋଇଥାଏ । ଧର୍ମପଦର ମା ତାଙ୍କ ପୁଅର ଚରିତ୍ର ଗଠନ ନିମିତ୍ତ ନାନା କଥାରେ ତାର ମନ ମଧ୍ୟରେ ବହୁ ପ୍ରଭାବ ପକାଇଛନ୍ତି । ଶିଶୁଶିକ୍ଷାପାଇଁ ଗୋପବନ୍ଧୁଙ୍କ ଦୃଷ୍ଟି କୋଣ ଏଥିରେ ପ୍ରଚ୍ଛନ୍ନ ଭାବରେ ବ୍ୟକ୍ତ ହୋଇଅଛି । ଆଉ ମଧ୍ୟ ଧର୍ମପଦର ଚରିତ୍ର ଗଠନରେ ତାର ମାତାଙ୍କ ପ୍ରଭାବ ତାକୁ ଆତ୍ମୋତ୍ସର୍ଗପାଇଁ ପ୍ରସ୍ତୁତ କରିଥିବାର ସ୍ଥିର କରାଯାଇପାରେ । ଜନନୀଙ୍କ ଦୁଃଖ ମୋଚନ ତଥା ବ୍ୟାକୁଳ ଭାବର ଅପନୋଦନପାଇଁ ଧର୍ମପଦ ତାଙ୍କ ଆଖିରୁ ଲୁହପୋଛି ଦେବାରେ ତାଙ୍କ ପାଟିରୁ ଯେପରି ବାହାରି ଆସିଛି–

 

‘‘ମରିଯାଏଁ ମୁଁ ଲୋ କି             ବିକଳେ ଲୁହ

ପୋଛି ଦିଅଇ ମୋ ଧନ,

ଏହି ଭରସାରେ             ବାରବର୍ଷ ହେଲା

ରହିଛି ଧରି ଜୀବନ ।’’

 

ଏଥିରେ ପଲ୍ଲୀକ୍ରୋଡ଼ରେ ବଢ଼ି ଆସିଥିବା ସ୍ୱାମୀ ସୁଖରୁ ବଞ୍ଚିତା ମାତାର ଅପତ୍ୟ ସ୍ନେହ ଯେପରି ପ୍ରକାଶିତ ହୋଇଛି ତାହା ଓଡ଼ିଆ ସାହିତ୍ୟରେ ବିରଳ । ଏହି ଚରିତ୍ରରେ ପ୍ରସ୍ଫୁଟିତ ହୋଇଥିବା ମାନବିକତା ଏବଂ ମାତୃକାମନା ଗୋପବନ୍ଧୁଙ୍କ ସଷ୍ଟିରେ ଏକ ସାର୍ଥକ ପ୍ରକାଶ । ଏହା ତାଙ୍କର ପଲ୍ଲୀ ଚେତନାର ସରଳ, ସାବଲୀଳ ପରିପ୍ରକାଶ ଏବଂ ତାଙ୍କ ‘‘ନାନୀ’’ ଚରିତ୍ରର ଅବ୍ୟକ୍ତ ଛାୟା ବହନ କରିଥାଏ । ଗାଁ ଗହଳରେ ପିଲାମାନଙ୍କ ନାମ ଦେବତା କିମ୍ୱା ଅନ୍ୟ କୌଣସି ମାନସିକର ସୂଚକରୂପେ ଦିଆଯାଇଥାଏ । ଧର୍ମଦେବତାଙ୍କ କାର୍ଯ୍ୟରେ ଧର୍ମପଦର ବାପା ଯାଇଥିବା ହେତୁ ତାର ମା ଶ୍ରଦ୍ଧାରେ ନାମ ଦେଲେ ଧର୍ମପଦ । ଏହା ଗୋପବନ୍ଧୁ ଙ୍କ କବିମାନସର ଏକ ସୁନ୍ଦର ପରିକଳ୍ପନା ଓ ତାହା ପଲ୍ଲୀ ଜୀବନର ବିଶ୍ୱସ୍ତରୂପେ ଗ୍ରହଣ କରାଯାଇପାରେ ।

 

ଲୋକୋକ୍ତି ଓ ଲୋକଶିକ୍ଷାର ଆଦ୍ୟ ଉତ୍ସ ପଲ୍ଲୀ ମାତାର ଚିତ୍ରଣ ଗୋପବନ୍ଧୁ ଯେପରି ସଫଳ ଭାବରେ କରିଛନ୍ତି ତାହାର ଉଦାହରଣ ମିଳେ ଧର୍ମପଦରେ ଦିଆଯାଇଥିବା ‘‘ସାତଥର ଯିବ ଗଙ୍ଗା, ଥରେ ଯାଇଥିବ ଚନ୍ଦରଭାଗା ମୁହଁ ପଡ଼ିଯିବ ରଙ୍ଗା’’ ଲୋକୋକ୍ତିରୁ । ପଲ୍ଲୀ ଲଳନା ଦୂରଗାମୀ ଦୟିତର ଖବର ବୁଝେ ପିଢ଼ାରେ କାଉକୁ ଚାଉଳ ଦେଇ । ଏହା ଯେପରି ସତ୍ୟ ସେ ବିଭିନ୍ନ ବ୍ରତ ଉପବାସରେ ସ୍ୱାମୀର ପଥ ଚାହିଁଥିବା ମଧ୍ୟ ସେହିପରି ସତ୍ୟ । ଧର୍ମପଦର ମା ଚାହିଁଛନ୍ତି ତାର ବାପାଙ୍କ ଲେଉଟାଣି ପଥକୁ, ଯାହାକି ବାରବର୍ଷ ହେବ କେବଳ ଆକାଂକ୍ଷାର ଉଦ୍‌ବେଗରେ ଓ ଆଶା ନିରାଶାର ଛାଇରେ ତୀବ୍ରତର ହେଉଅଛି । ସେହି ବ୍ରତ ଉପବାସ ମଧ୍ୟରୁ ଧର୍ମପଦର ମା ଆଚରଣ କରୁଥିବା ପନ୍ଥାଇ ପୂଜା, ରବିବାର ବ୍ରତ ଆଦିରେ ଅସହାୟା, ଆକାଂକ୍ଷିତା ସ୍ତ୍ରୀ ହୃଦୟର ଧର୍ମ ବିଶ୍ୱାସକୁ ଗୋପବନ୍ଧୁ ପ୍ରକଟିତ କରିଛନ୍ତି । ଅବୁଝା ପିଲାକୁ ବୁଝାଇବାପାଇଁ ଓ ତାର ଜିଦ୍‌କୁ ନିବାରଣ କରିବାର ଉପାୟ ନ ପାଇ ମା ତାକୁ ଯିବାପାଇଁ ଛାଡ଼ିଦେବା ପୂର୍ବରୁ ବୁଝିଛନ୍ତି ଯେ ମନକଷ୍ଟ ଶିଶୁର ଜିଜ୍ଞାସା ଓ ଅଭିବୃଦ୍ଧି ମୂଳରେ କୁଠାରାଘାତ କରିଥାଏ । ଏଥିରେ ଶିଶୁ ଭାଙ୍ଗି ପଡ଼େ । ତାକୁ ରୋଧିବାର ନୁହେଁ । ସେ ଯିବା ପୂର୍ବରୁ ତାକୁ ବାପାଙ୍କ ନାମ କହିବାକୁ ହେବ । ସେ କିପରି ତାଙ୍କ ସ୍ୱାମୀଙ୍କ ନାମ ଧରିବେ । ଓଡ଼ିଆ ଘରର ଚଳଣୀରେ କିପରି ତାର ବ୍ୟତିକ୍ରମ ହେବ । ପଲ୍ଲୀବଧୂର ଏ ନିଷ୍ଠା ଭାଙ୍ଗିବାର ନୁହେଁ । ସେଥିପାଇଁ ସେ ତାଙ୍କର ନାମ ତଳେ ଲେଖି ଦେଇଛନ୍ତି ଓ ଧର୍ମପଦ ତାକୁ ପଢ଼ି ବୁଝିଛି; କିନ୍ତୁ ଏଠାରେ ଗୋପବନ୍ଧୁ ପାଠକମାନଙ୍କୁ ଧର୍ମପଦର ବାପାଙ୍କ ନାମ ଦେଇ ନାହାନ୍ତି । ପାଠକ ହୁଏତ ତାଙ୍କର ନାମ ଖୋଜିଛନ୍ତି କିନ୍ତୁ ସେ ଯେ ଓଡ଼ିଆ ଶିଳ୍ପୀ–ଏହି ହେଉଛି ତାଙ୍କର ପରିଚୟ, ଜାତୀୟତା, ସେଥିରେ ବ୍ୟକ୍ତି ଚେତନା ଆସିବ ବା କାହୁଁ ? ମାତାଙ୍କର ନାମ ଓଡ଼ିଆ ଘରର ସ୍ତ୍ରୀ ବା ଓଡ଼ିଆଣୀ ସେଥିପାଇଁ ତାଙ୍କର ନାମହୀନ ଅବସ୍ଥିତି ହିଁ ଗୋପବନ୍ଧୁଙ୍କର ସାର୍ବଜନୀନତାର ଏକ ନିଦର୍ଶନ ରଖେ । ଯେଉଁଠି ବାରବର୍ଷ ହେବ ବାପ ଘରୁ ଯାଇ ଫେରିନି ପୁଣି ଅତୀତରେ ତାର ପୂର୍ବପୁରୁଷ ଘରୁ ଯାଇ ଆଉ ଜୀବନ ନେଇ ଲେଉଟି ନାହାନ୍ତି ସେଠାରେ ପୁଅକୁ କେଉଁ ମା ଛାଡ଼ିବାକୁ ଆଗ୍ରହୀ ହେବେ । ସେ ତାକୁ ଏକୁଟିଆ ଛାଡ଼ିବାକୁ ଅନିଚ୍ଛୁକ । ବାପା ତାକୁ ଚିହ୍ନି ପାରିବେକି ନାହିଁ ସେ ଆଶଙ୍କାରେ ମା ବ୍ୟାକୁଳ । ପୁଅ ବୋଲି ଗୋଟିଏ, ମନ ହେଉନାହିଁ ଏତେ ଦୂର ଅପନ୍ତରା ରାଜ୍ୟକୁ ପଠାଇ ଦେବାକୁ ଏହି ନାରୀମନର ଦ୍ୱନ୍ଦ୍ୱରେ ଗୋପବନ୍ଧୁ ନାରୀ ଚରିତ୍ରର ଏକ ଅପୂର୍ବ ଚିତ୍ରଣ କରିଛନ୍ତି, ଏହା କୌଣସି ଦେଶ-କାଳର ସୀମାରେ ଆବଦ୍ଧ ନୁହେଁ । ବିଶ୍ୱ ଚେତନାର ସ୍ପର୍ଶରେ ଏହା ଜାଗ୍ରତ, ହେଲେ ମଧ୍ୟ ତାର ଜିଦ ରକ୍ଷା କରି ତାକୁ ପଠାଇବାକୁ ହେବ । ତାର ଆକୃତି ବାପ ଆକୃତିର ବୋଲି ତାକୁ କହିବାକୁ ହେବ ଏବଂ ଯାତ୍ରାର ତିଥି ବାର ନକ୍ଷତ୍ର ବେଳ ଆଦିର ଗଣନାକରି ଛାଡ଼ିବାକୁ ହେବ । ସବୁ ଧର୍ମ ବିଶ୍ୱାସୀ ଓଡ଼ିଆ ଲଳନା ମାତୃ ପ୍ରତୀମ ଦେବୀଙ୍କର ଆଶୀର୍ବାଦ ତାଙ୍କ ପୁଅକୁ ଦେବେ ନିଶ୍ଚୟ । ସେଥିପାଇଁ ଜାଗୁଳେଈଙ୍କ ପୂଜାଫୁଲ କାନିରେ ବନ୍ଧା ହେବ । ସ୍ୱାମୀ ନିକଟକୁ ପୁଅ ଯାଉଛି, ସ୍ତ୍ରୀ ତାର ଅନ୍ତରର କାମନା ପ୍ରକାଶ କରିବ କିପରି, ତାର ମନ ବୁଝିଛି ଏକଥା ଜଣାଇବ କିପରି, ତାର ବାଟକୁ ଚାହିଁ ରହିଛି ଏହା ମଧ୍ୟ ଜଣାଇବ କିପରି ? ସ୍ୱାମୀର ସୁଖ କାମନାରେ ସେ ଯେ ବଞ୍ଚିଛି, ସେ ଯାହା ଭଲପାଏ ତାପାଇଁ ତାକୁ ପଠାଇଛି । ଓଡ଼ିଆ ଘରର ସ୍ତ୍ରୀ ପଠେଇବ କ’ଣ ? ବାଡ଼ି ବରକୋଳି ହିଁ ତାର ସାକ୍ଷ୍ୟ, ଘରର ବଳିଆ କୁକୁର ହିଁ ତାର ସାକ୍ଷ୍ୟ, ବାପର ରୂପ ଧରିଥିବା ପୁଅ ହିଁ ତାର ସାକ୍ଷ୍ୟ । ସ୍ୱାମୀ ଅଜାଡ଼ି ଦେଇଥିବା ସ୍ନେହର ପ୍ରତିଦାନ ମୂକ ଓ ମୌନ ଅଭିବ୍ୟକ୍ତିରେ ତାର ସ୍ତ୍ରୀ ପଠାଉଛି, ଆଉ ଅଧିକ ଦେବ ବା କ’ଣ ? ସ୍ତ୍ରୀ ମନରେ ସ୍ୱାମୀପାଇଁ ରହିଥିବା ଅବ୍ୟକ୍ତ ବାସନା ବ୍ୟକ୍ତ କରିବାର ଉପାୟ ହେଉଛି ଉପହାର ସାମଗ୍ରୀ ପଠାଇବା ଯାହାକି ସ୍ୱାମୀ ଭଲପାଏ । ଏହି ସାର୍ବଜନୀନ ନାରୀମନର ଚିତ୍ରଣ ଗୋପବନ୍ଧୁଙ୍କ ଲେଖନୀରେ ରୂପ ପାଇଛି ଧର୍ମପଦର ମା ଚରିତ୍ରରେ । ପୁଅକୁ ବିଦାୟ ଦେବା କାଳରେ ତାର ସହାୟ ହେବାପାଇଁ ଲକ୍ଷ୍ମୀ-ନୃସିଂହ, ଦୁର୍ଗାମାଧବଙ୍କୁ ମା ଡାକିଛନ୍ତି । ଏ ଯାତ୍ରା ଶୁଭଙ୍କର ହେଉ, ଏହା ତାଙ୍କର ଏକାନ୍ତ କାମନା । ପୁତ୍ରହିଁ ମାତାଙ୍କର ସ୍ୱାମୀ ନିକଟକୁ ପଠାଯାଉଥିବା ମୁର୍ତ୍ତିମାନ ପ୍ରେମପତ୍ର । ତାହା ଯେପରି ନିର୍ବିଘ୍ନରେ ସ୍ୱାମୀଙ୍କ ନିକଟରେ ପହଞ୍ଚେ । ମାତୃଦେବୀହିଁ ମାର ଆଶ୍ରୟ । ଏହା ଓଡ଼ିଶାର ପୁରପଲ୍ଲୀରେ ଦେଖିବାକୁ ମିଳେ ଓ ଗୋପବନ୍ଧୁଙ୍କ ଦୃଷ୍ଟିରେ ତାହାସବୁ ଜୀବନ୍ତ ରହିଛି ଏବଂ ସାହିତ୍ୟ ମଧ୍ୟକୁ ସେ ଗୁଡ଼ିକ ଅବିକୃତ ଭାବରେ ପ୍ରବେଶ କରିଛି । ଅନ୍ୟ ଭାଷାରେ କହିଲେ ଗୋପବନ୍ଧୁଙ୍କ ସୃଜନ ଧର୍ମୀ ଲେଖନୀ ସ୍ପର୍ଶରେ ସେ ସବୁ ଜୀବନ୍ତ ହୋଇଉଠିଛି । ଧର୍ମପଦକୁ ବିଦାୟ ଦେବାପରେ ମା-ଚରିତ୍ରର ଆବଶ୍ୟକତା ଆଉ ନାହିଁ । ଧର୍ମପଦର ମା-ଚରିତ୍ରରେ ଫୁଟି ଉଠିଥିବା ସତୀତ୍ୱ ସଚେତନତା, ପିଲାଇ ଦୁଃଖରେ, ନିଜର ଦୁଃଖ ପ୍ରକାଶ ଓ ତାହା ଲାଘବ କରିବାପାଇଁ ଆପ୍ରାଣ ଉଦ୍ୟମ କରିବା ନାରୀର ବୈଷିଷ୍ଟ୍ୟ ପ୍ରତିପାଦନ କରିଥାଏ । ପଣ୍ଡିତ ଗୋପବନ୍ଧୁ ଏହାର ଏକ ନିଛକ ପ୍ରତିଚ୍ଛବି ଧର୍ମପଦର ମା-ଚରିତ୍ରରେ ସନ୍ନିବେଶିତ କରାଇ ତାକୁ ଏକ ଶାଶ୍ୱତ ଜୀବନ୍ୟାସ ଦେଇଛନ୍ତି ଗୋପବନ୍ଧୁ ବାଲ୍ୟ ଜୀବନରେ ଲାଭ କରିଥିବା ସ୍ନେହମୟୀ, ମାତୃ ହୃଦୟା ‘‘ନାନୀ’’ଙ୍କ ସାନ୍ନିଧ୍ୟ ଧର୍ମପଦର ମାତାଙ୍କ ଚରିତ୍ରରେ ଫୁଟିଉଠି ଥିବାର କଳ୍ପନା କରାଯାଇପାରେ । ଗୋପବନ୍ଧୁ ନିଜର ଲେଖାବଳୀ ଏବଂ କବିତା ମଧ୍ୟରେ ମାତୃହୃଦୟର ବର୍ଣ୍ଣନା କରିଥିବା ଦେଖାଯାଇନାହିଁ, କେବଳ ଅବକାଶ ଚିନ୍ତାର ‘‘ମୋ ନାନୀ’’ କବିତାରେ ସେଥିର କିଛି ଆଭାସ ମିଳେ । ଏହି କ୍ଷୁଦ୍ର କବିତାରେ ଗୋପବନ୍ଧୁ ନାନୀଙ୍କ କାମନାହୀନ ସ୍ନେହ, ଅମୃତମୟ ମାତୃ-ହୃଦୟରେ ଅଧିଷ୍ଠାନ କରିଥିବା ନାରୀ ଜୀବନର ସୂଚନା ଦେଇ ତାହା ପରପାଇଁ ଉତ୍ସର୍ଗୀକୃତ ହୋଇଥିବାର ଦର୍ଶାଇଛନ୍ତି । ଧର୍ମପଦର ମାତୃହୃଦୟରେ ନାନୀର ପ୍ରତିଚ୍ଛବି ଦେଖିବାକୁ ଚେଷ୍ଟା କରିବାରେ କିଛି ହେଲେ ଦ୍ୱିଧା ବୋଧହୁଏ ନାହିଁ, ବରଂ ସେଥିରେ ତାଙ୍କ ହୃଦୟର ବ୍ୟାଖ୍ୟା କରାଯାଇଥିବା ମନେ ହୁଏ । ଏହା ବ୍ୟତୀତ ଗୋପବନ୍ଧୁ ଅନୁଭବ କରିଥିବା ନିଜ ସ୍ତ୍ରୀ ମନର ଛାୟା ଧର୍ମପଦର ମା-ଚରିତ୍ରରେ ସଂଯୋଜିତ କରିଥିବାରେ କିଛି ବିଚିତ୍ରତା ନାହିଁ ।

 

ଧର୍ମପଦର ପିତାଙ୍କ ଚରିତ୍ର–

ଧର୍ମପଦର ପିତାଙ୍କ ଚରିତ୍ର ଆରମ୍ଭ କରିବାକୁ ଯାଇ ଗୋପବନ୍ଧୁ ତାଙ୍କୁ ଦୂର ବିଦେଶରେ କର୍ମରତ ଓ ମରମ ବ୍ୟଥାରେ ଆହତ ଶିଳ୍ପୀରୂପେ ଚିତ୍ରଣ କରିଛନ୍ତି । ତାଙ୍କର ନାମ ଧାମ କିଛି ଜଣା ନାହିଁ । ଏହି ଅଜଣା ପରିଚୟ ମଧ୍ୟରେ ସେ କଥା କୁହନ୍ତି, ପୁତ୍ର ଶୋକରେ ବ୍ୟଥିତ ହୁଅନ୍ତି ଓ କର୍ମତତ୍ପରତାରେ ବ୍ୟସ୍ତ ରହି ବ୍ୟକ୍ତିଗତ ଆଳାପ ଆଲୋଚନାକୁ ପଛକୁ ପକାନ୍ତି । ଧର୍ମପଦର ପିତା ଜଣେ ଦକ୍ଷ ଶିଳ୍ପୀ ବୋଲି ତା’ର ମାତା ପ୍ରକାଶ କରିଛନ୍ତି । ପୁତ୍ରକୁ ଦେଖିବା ବେଳଠାରୁ ଓ ତା ସହିତ ବଳିଆ କୁକୁର, ବାଡ଼ି ବରକୋଳି ଆଦି ଦେଖିବାବେଳୁ ତାଙ୍କର ଅପତ୍ୟସ୍ନେହ ଜାଗି ଉଠିଛି । ସେ ଯେପରି ଗୋପବନ୍ଧୁଙ୍କ ସୃଷ୍ଟିରେ ପୁତ୍ରସ୍ନେହୀ ପିତାର ଅବତାର ସେହିପରି ଅପତ୍ୟହରା ଗୋପବନ୍ଧୁଙ୍କ ପିତପ୍ରତୀମ ଚରିତ୍ରର ପ୍ରତିଚ୍ଛବି ବହନ କରିଥାଏ । ପିତା ଓ ପୁତ୍ର ଗୂଢ଼ ଶିଳ୍ପଶାସ୍ତ୍ର ସମ୍ପର୍କିତ ଯୁକ୍ତିତର୍କରେ ଭାଗନେବାପାଇଁ ଦକ୍ଷ ଶିଳ୍ପୀମାନଙ୍କ ସଭାରେ ଯୋଗ ଦେଇଛନ୍ତି । ଏହାଦ୍ୱାରା କେତେଜଣ ଦକ୍ଷ ଶିଳ୍ପୀଙ୍କ ମଧ୍ୟରେ ଧର୍ମପଦର ବାପାଙ୍କୁ ଜଣେ ହିସାବରେ ଗୋପବନ୍ଧୁ ସୁଚାଇଛନ୍ତି । କିନ୍ତୁ ନାମ ନଥିବା ଦକ୍ଷ ଶିଳ୍ପୀଙ୍କର ଚରିତ୍ର ସୃଷ୍ଟିପାଇଁ ଗୋପବନ୍ଧୁଙ୍କ ଉଦ୍ୟମ କାହିଁକି ହୋଇଛି ? ଏହାର ଉତ୍ତର ବୋଧହୁଏ ପ୍ରଚ୍ଛନ୍ନ ଭାବରେ ବ୍ୟକ୍ତ ହୋଇଛି ଓଡ଼ିଶାର ନାମହୀନ ମାତ୍ର ସୁଦକ୍ଷ ଶିଳ୍ପ ଭାସ୍କର୍ଯ୍ୟର ପରାକାଷ୍ଠାରେ । କେଉଁଥିରେ ମଧ୍ୟ ଶିଳ୍ପୀଙ୍କର ନାମୋଲ୍ଲେଖ ନାହିଁ କିନ୍ତୁ ସେମାନେ ଆମ ସଂସ୍କୃତିର ଚରମ ବିକାଶକୁ ପଥର ଦେହରେ ରୂପ ଦେଇଛନ୍ତି ଓ ଆମ୍ଭେମାନେ ଆଜି ତାକୁ ମୁଗ୍‌ଧ ଚକିତ ନୟନରେ ଅନାଇଁ ରହି ଯେପରି ଏକ ନୂତନ ଦ୍ୱୀପରେ ଓହ୍ଲାଇବା ପରି ମନେ କରୁଛୁ । ଏହି ଜାତୀୟତାରେ ତନ୍ମୟ ଶିଳ୍ପୀ ଓ କାରିଗରକୁଳହିଁ ପ୍ରକୃତ ଦେଶମାତୃକାର କଙ୍କାଳ । ସେମାନେ ସର୍ବଦା ଢ଼ାଙ୍କି ହୋଇ ରହିଛନ୍ତି ଚର୍ମ ଓ ତାର ରଙ୍ଗ-ବୈଚିତ୍ର୍ୟରେ ମାତ୍ର ଧରି ରଖିଛନ୍ତି ସେହି ସୁନ୍ଦର ଅବୟବର ସୁଠାମ ଚିକ୍‌କଣ ପରିପ୍ରକାଶକୁ । ଧର୍ମପଦର ପିତାଙ୍କ ଚରିତ୍ରରେ କେବଳ ଘରପାଇଁ ବ୍ୟାକୁଳତା ଓ ପୁତ୍ରସ୍ନେହ ଥିବା ବ୍ୟତୀତ କାର୍ଯ୍ୟତତ୍ପରତାହିଁ ପ୍ରକାଶ ପାଇଛି । ଅନ୍ୟ କୌଣସି ବ୍ୟକ୍ତିଗତ ଆଲୋଚନା ବାପ ପୁଅଙ୍କ ମଧ୍ୟରେ ଦେଖିବାକୁ ମିଳେ ନାହିଁ । ସେଥିପାଇଁ ପଣ୍ଡିତ ନୀଳକଣ୍ଠ ଏଥିରେ ନାଟକୀୟ ପରିବେଶର ଅଭାବ ଅନୁଭବ କରିଛନ୍ତି । କିନ୍ତୁ ବାପ ପୁଅଙ୍କ କଥୋପକଥନରେ ଅଭାବ ଏଥିରେ ଥିବାପରି ମନେହୁଏ ନାହିଁ । କାରଣ ଦେଉଳର ମୁଣ୍ଡି ମାରି ସାରିବା ପରେ ଧର୍ମପଦ ତାର ପିତାଙ୍କ ନିକଟରୁ ମେଲାଣି ମାଗିଛି । ଏହା ପୁଣି ତାର ଜୀବନ ଉତ୍ସର୍ଗ ନିମିତ୍ତ । ଏହି ନିବେଦନ କରି ସେ ବାପାଙ୍କୁ ପଚାରିଛି–‘‘ବାରଶହ ବଢ଼େଇରେ ଦାୟ ନା ୟଅରେ ଦାୟ ।’’ ତେଣୁ ବାପାଙ୍କ ଅନ୍ତରରେ ଉଠିଥିବା ଦୁଃଖ ତରଙ୍ଗରେ ସେ ଅଚେତନ ବା ଅର୍ଦ୍ଧ ଚେତନ । ସେଠାରେ ସେ ପୁଅକୁ ମୃତ୍ୟୁପାଇଁ ଅନୁମତି, ଆଶୀର୍ବାଦ ଆଦି ଦେବେ ନା ନିଜର କୋହ ଦମନ କରିବେ । ଏହି ଦ୍ୱନ୍ଦ୍ୱ ସହିତ ନିଜକୁ ସାନ୍ତ୍ୱନା ଦେବାର ଚିନ୍ତା ମଧ୍ୟରେ ସେ ଯେପରି ବୁଡ଼ି ଯାଇଛନ୍ତି । ଦ୍ୱିତୀୟତଃ ବାରଶହ ବଢ଼େଇକୁଳର ଶେଷ ପରିଣତି ତାଙ୍କ ଆଖି ଆଗରେ ନାଚିଛି-। ଏହି ଉଭୟ ସଙ୍କଟ ଭିତରେ ସେ କାହାକୁ ତ୍ୟାଗ କରିବେ । ଏକ ଅସାଧାରଣ ଗୁଣବାନ ପୁଅର ଜନକ ହେବାର ଲୋଭ ଓ ବିଡ଼ମ୍ୱିତ ଭାଗ୍ୟ ସହିତ ତାକୁ ହରାଇବାର ଦୁଃଖ ଏବଂ ହତାଶା ପିତୃ-ହୃଦୟରେ ଅସହ୍ୟ ହୋଇ ଉଠିଛି । ଗୋପବନ୍ଧୁଙ୍କ ପୁତ୍ରଶୋକର ଭାବ ବହନ କରିଥିବା ଏହି ପିତୃ-ଚରିତ୍ର ନିଜର ପଶ୍ଚାତ୍ତାପ କରି ଯେପରି କହିଛି–ପୂର୍ବ ଦୁଷ୍କୃତର ଏହା ଫଳ । ଧର୍ମପଦର ପିତାଙ୍କ ମୁହଁରେ ଯେପରି ପୁତ୍ରହରା ପଲ୍ଲୀ-ପିତାର ଖେଦ ରୂପ ପାଇଛି ଓ ତାରି ଭାଷାରେ ସେସବୁ ପ୍ରକାଶିତ ହୋଇଛି । ସେଥିରେ ଗୋପବନ୍ଧୁଙ୍କ ବ୍ୟାକୁଳ ପିତୃ ହୃଦୟର ଆଲେଖ୍ୟ ଦେଖିବାକୁ ମିଳେ-। ଗୋପବନ୍ଧୁଙ୍କ ହୃଦୟର ଦ୍ୱନ୍ଦ୍ୱ ପିତା ପୁତ୍ରଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ ଦେଖିବାକୁ ମିଳିଥାଏ । ଏଥିରେ ମଧ୍ୟ କୃତି-ଅକୃତି ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳେ । ପିତା ବ୍ୟଷ୍ଟିର ଆପାତ କୃତି ସପକ୍ଷରେ ଯୁକ୍ତି କରନ୍ତି ଏବଂ ପୁତ୍ର ସମଷ୍ଟିର ଆକୃତି ମଧ୍ୟରେ ଭବିଷ୍ୟତର ସମ୍ଭାବନା ଦେଖି ତା ସପକ୍ଷରେ ଯୁକ୍ତି କରିଥାଏ । ଏହାର ମୀମାଂସାରେ ପହଞ୍ଚିବାପାଇଁ ଗୋପବନ୍ଧୁ ବହୁ ଚିନ୍ତାକରି ପରିଶେଷରେ ଗୀତାର କର୍ମଯୋଗକୁ ଆଶ୍ରୟ କରିଛନ୍ତି । ସେଥିରେ ସେ କର୍ମବନ୍ଧ ବା କର୍ମରେ ସ୍ୱାର୍ଥର ମୋହକୁ ପରିତ୍ୟାଗ କରି ଆତ୍ମୋତ୍ସର୍ଗର ସିଦ୍ଧାନ୍ତ ଧର୍ମପଦ ତୁଣ୍ଡରେ ଘୋଷଣା କରିଛନ୍ତି । ଏଥିରେ ବ୍ୟଥିତ ପିତା କହିଛନ୍ତି-

‘‘ଅପାର ପାତକେ            ପୂରି ରହିଅଛି

ମୋ ପ୍ରାରବଧି କର୍ମବନ୍ଧ,

ପଲକେ ମୋ ପଥ            ଉଜ୍ଜ୍ୱଳି ନୋହିଲେ

କିମ୍ପା କରିଯିବୁ ଅନ୍ଧ ।’’

 

ସ୍ୱାର୍ଥର ମୋହରେ ଅଜ୍ଞାନ-ପିତାଙ୍କ ନିକଟରେ ବାରଶହ ବଢ଼େଇଙ୍କ ମାୟା ଅପେକ୍ଷା ଗୁଣବନ୍ତ ପୁତ୍ରର ମାୟା ଅଧିକ ଓ ତାକୁ ରକ୍ଷା କରିବାରେ କୁଳର ଗୌରବ । ପୁତ୍ରର ସିଦ୍ଧାନ୍ତ ଅଟଳ, ସେ ଦିବ୍ୟଜ୍ଞାନରେ ଏପରି ଯୁକ୍ତିର ଅସାରତା ଉପଲବ୍‌ଧି କରିଅଛି ଓ ଆତ୍ମତ୍ୟାଗପାଇଁ ସଂକଳ୍ପ କରିଅଛି । ସେଥିରେ ମୂହ୍ୟମାନ ପିତା ତାକୁ ପଚାରିଛନ୍ତି–

‘‘କାହିଁ ଯିବୁ ବାବୁ            ଫେଡ଼ି କହ ସବୁ

ରହିବୁ ଟିକି ପରାଣେ,

ବଞ୍ଚି ରହିଥିଲେ            କେବେ ହେଲେ ଦେଖା

କାହିଁ ହେବ କିଏ ଜାଣେ ।’’

 

ଏହି ଉକ୍ତିର ପ୍ରତିଧ୍ୱନି ସତ୍ୟବାଦୀରେ ପ୍ରକାଶିତ ‘‘କୁଳ ଗୃହରେ ବିୟୋଗ ଦୁଃଖ’’ ଶିରୋନାମାରେ ଲିଖିତ ଆଲୋଚନା ମଧ୍ୟରେ ଦେଖିବାକୁ ମିଳେ । ସେଥିରେ ପଣ୍ଡିତ ଗୋପବନ୍ଧୁ ଭାଗୀରଥିର ବିୟୋଗ ଦୁଃଖରେ ଭାବପ୍ରବଣ ତଥା ମ୍ରିୟମାଣ ହୋଇ ପଚାରିଛନ୍ତି–‘‘ତୁ ଯେଉଁ ଆଡ଼େ ଯା’ ପଛକେ ଅଛୁଟିକ ?’’ ଏହି ଭାବ-ପ୍ରବଣ ହୃଦୟର ଝଙ୍କାର ପଛରେ ଗୋପବନ୍ଧୁଙ୍କ ଅପତ୍ୟ ସ୍ନେହର ଯେଉଁ ପରିପ୍ରକାଶ ଦେଖିବାକୁ ମିଳେ ତାହା ତାଙ୍କର ପୁତ୍ରହରା ବ୍ୟଥିତ ପିତୃହୃଦୟର ଛାୟାଭଳି ମନେହୁଏ । ସେ ନିଜର ବଂଶଲୋପର ଭାବନାରେ ଭାରାକ୍ରାନ୍ତ ଓ ତାହାହିଁ ଧର୍ମପଦର ପିତାଙ୍କ ଚରିତ୍ରରେ ପ୍ରସ୍ଫୁଟିତ ହୋଇଛି । ସେଥିପାଇଁ ଧର୍ମପଦର ସାନ୍ତ୍ୱନା ବାକ୍ୟଗୁଡ଼ିକ ଓ ଯୁକ୍ତିପୂର୍ଣ୍ଣ ଭାବରେ ସାଂସାରିକତାର ଖଣ୍ଡନ ନିମିତ୍ତ ତା’ର ଉପଦେଶଗୁଡ଼ିକ ଗୋପବନ୍ଧୁଙ୍କ ଭଗ୍ନ ପିତୃହୃଦୟର ପ୍ରତିକ୍ରିୟାରୂପେ ସ୍ଥିର କରାଯାଇପାରେ । ଜେଲ ଜୀବନ କାଳରେ କେଉଁ ବିନିଦ୍ର ରଜନୀର ଅଶ୍ୱସ୍ତିକର ପରିବେଶ ମଧ୍ୟରେ ଗୋପବନ୍ଧୁ ହୁଏତ ପୁତ୍ର ଶୋକରେ ଅଭିଭୂତ ହୋଇପଡ଼ି ମନକୁ ମନ ଏହି ସାନ୍ତ୍ୱନା ଦେଇଛନ୍ତି ଓ ତାହା ରୂପ ପାଇଛି ଧର୍ମପଦ କାବ୍ୟରେ । ସେ ପ୍ରକୃତିସ୍ଥ ହେବାପରେ ନିଜକୁ ନିଜେ ସାନ୍ତ୍ୱନା ଦେଇଛନ୍ତି । ପରିଶେଷରେ ବୃଦ୍ଧ ପିତା ଧର୍ମପଦକୁ ମୌନ ଆଶୀର୍ବାଦ ଇଙ୍ଗିତରେ ପ୍ରଦାନ କରିଛନ୍ତି । ଏହାହିଁ ପିତା-ଚରିତ୍ରର ଅନ୍ତିମ ଦୃଶ୍ୟ । ଧର୍ମପଦ କାବ୍ୟର ନାୟକ ଧର୍ମପଦଠାରୁ ତାହାର ପ୍ରକାଶ ମହୀୟାନ ହୋଇ ନ ପାରେ ।

 

ଧର୍ମପଦ କାବ୍ୟରେ ଐତିହାସିକ ତଥ୍ୟ–

ଧର୍ମପଦ କାବ୍ୟରେ ସଂଯୋଜିତ ହୋଇଥିବା ଐତିହାସିକ ତଥ୍ୟ ସମୂହ ଗୋପବନ୍ଧୁଙ୍କ ଇତିହାସ ପ୍ରୀତିର ପ୍ରତୀକରୂପେ ଗ୍ରହଣ କରାଯାଇପାରେ । ଧର୍ମପଦର ମାତା ଧର୍ମପଦ ନିକଟରେ କୁଳ ବିଶେଷତ୍ୱ ବର୍ଣ୍ଣନା କରିବାକୁ ଯାଇ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଓ ଐତିହାସିକ କୀର୍ତ୍ତି ସକଳର ବୃତ୍ତାନ୍ତ ଦେଇଛନ୍ତି । ସେଥିରେ ଜଗନ୍ନାଥ ମନ୍ଦିର ତୋଳା ଓ ତାର ଇତିହାସ ବର୍ଣ୍ଣିତ ହୋଇଅଛି । ଏହା ମାଦଳାପାଞ୍ଜି ଓ ଅନ୍ୟାନ୍ୟ ଐତିହାସିକ ତଥ୍ୟାବଳୀରୁ ସଂଗୃହୀତ ହୋଇଥିଲେ ମଧ୍ୟ ମୁଖ୍ୟତଃ କିମ୍ୱଦନ୍ତୀକୁ ଆଶ୍ରୟ କରିଥିବା ଭଳି ମନେହୁଏ । ବର୍ତ୍ତମାନର ଉପଲବ୍‌ଧ ତଥ୍ୟମାନଙ୍କରୁ ଏଗୁଡ଼ିକର ବହୁ ଅଂଶ ଭ୍ରମାତ୍ମକ ହୋଇଥିଲେ ବି ଗୋପବନ୍ଧୁଙ୍କ ସମୟରେ ଏହା ଅଭ୍ରାନ୍ତ ସତ୍ୟରୂପେ ପ୍ରତିଷ୍ଠିତ ଥିଲା । ଐତିହାସିକତାର ବର୍ଣ୍ଣନା ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଶିଳ୍ପୋନ୍ନତ ପ୍ରତ୍ନତାତ୍ତ୍ୱିକ ସ୍ଥଳୀଗୁଡ଼ିକର ବର୍ଣ୍ଣନା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ନିର୍ମାଣ କରାଇଥିବା ପ୍ରସିଦ୍ଧ ନରପତିମାନଙ୍କ କଥା ଏଥିରେ ବିବୃତ କରିଛନ୍ତି । ତେଣୁ ନୀଳାଚଳ, ଏକାମ୍ର, ବିରଜାକ୍ଷେତ୍ର, ବାରବାଟୀଦୁର୍ଗ, ଖଣ୍ଡଗିରି ଆଦି ପ୍ରତ୍ନସମ୍ପଦ ପୂର୍ଣ୍ଣ କୀର୍ତ୍ତରାଜିର ସଂକ୍ଷେପ ବିବରଣ ତାଙ୍କ ମନରେ ଜାତୀୟ ଉତ୍କର୍ଷର ପ୍ରତିପାଦନପାଇଁ କମ୍ପନ ସୃଷ୍ଟି କରିଛି । ଗୋପବନ୍ଧୁ ଇତିହାସ ଅଧ୍ୟୟନ ନିମିତ୍ତ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କୁ ନିୟୋଜିତ କରିଥିଲେ ଏବଂ ତାଙ୍କ ରଚିତ ଉତ୍କଳ ଇତିହାସର ଶେଷ ଦଶପୃଷ୍ଠା ଲେଖିଥିଲେ । ଏହା ପଣ୍ଡିତ କୃପାସିନ୍ଧୁଙ୍କ ବିୟୋଗ ପରେ ହୋଇଥିଲା । ବିହାର ଓଡ଼ିଶା ରାଜ୍ୟସଭାର ସଭ୍ୟ ହିସାବରେ ସେ ବହୁପ୍ରଶ୍ନ ଏ ସଂକ୍ରାନ୍ତରେ ଉଠାଇଥିଲେ ଓ ତାର ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣପାଇଁ ଉଦ୍ୟମ କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟର ଇତିହାସ ଆଲୋଚନା ସଭାଗୁଡ଼ିକ ତାଙ୍କ ନିର୍ଦ୍ଦେଶରେ ଜୀବନ୍ତ ହୋଇ ଉଠୁଥିଲା । କଲିକତାର ଏସିଆଟିକ୍‌ ସୋସାଇଟି ଐତିହାସିକ ଗବେଷଣାକୁ ଉତ୍ସାହିତ କରୁଥିଲେ ଏବଂ ସେଥିରେ ଓଡ଼ିଶାରୁ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସଭ୍ୟ ଥିଲେ । ବିଭିନ୍ନ ଲେଖାବଳୀରେ ବିଶେଷକରି ସତ୍ୟବାଦୀ ପତ୍ରିକାର ଆଲୋଚନା ସ୍ତମ୍ଭମାନଙ୍କରେ ସେ ଐତିହାସିକ ଶିକ୍ଷାର ମହତ୍ତ୍ୱ ଏବଂ ଗୌରବ ସମ୍ପର୍କରେ ସୂଚନା ଦେଇ ଏଠାରେ ପ୍ରତ୍ନତାତ୍ତ୍ୱିକ ଗବେଷଣାର ଭିତ୍ତିସ୍ଥାପନ କରିଥିଲେ । ତେଣୁ ଧର୍ମପଦରେ ତାଙ୍କର ଇତିହାସ ସ୍ଥଳୀମାନଙ୍କର ବର୍ଣ୍ଣନା ଓ ତାର ସୃଷ୍ଟିରେ ନିୟାମକ ହୋଇଥିବା ଅଜଣା ଶିଳ୍ପିକୁଳର ଗୌରବ ବ୍ୟାଖ୍ୟା କରିବା ତାଙ୍କ ପକ୍ଷରେ ଅସମୀଚୀନ ନଥିଲା । କୋଣାର୍କ ମନ୍ଦିର କିପରି ଏକ ସାଗର ଦୁର୍ଗ-ରୂପେ ଗଠିତ ହେଉଥିଲା ଏବଂ ତାହା ରଥ ଦେଉଳର ଆକୃତି ବିଶିଷ୍ଟ ଥିଲା, ସେ ବିଷୟ ପଣ୍ଡିତ ଗୋପବନ୍ଧୁ ଧର୍ମପଦର ମାତାଙ୍କ ମୁହଁରେ ଫୁଟାଇଛନ୍ତି । ପୁଣି ଧର୍ମପଦ ଓ ତାର ବାପା ଶିଳ୍ପିମାନଙ୍କ ସହିତ ମନ୍ଦିର ଗଠନ ରୀତି ଓ ଚୁମ୍ୱକତତ୍ତ୍ୱ ବିଷୟରେ ଆଲୋଚନା କରୁଥିବା ଏବଂ ଧର୍ମପଦ ମନ୍ଦିରର ପୀଢ଼, ଖମ୍ୱ, କୋଣ ଆଦିର ପରୀକ୍ଷା କରିବାକୁ ଉଦ୍ୟମ କରିବା ମୂଳରେ ଶିଳ୍ପଶାସ୍ତ୍ରର ବିଭିନ୍ନ ଶଙ୍କୁ ସମ୍ପର୍କରେ ପଣ୍ଡିତ ଗୋପବନ୍ଧୁଙ୍କ ସଚେତନତା ପରିଦୃଷ୍ଟ ହୁଏ । ଖଣ୍ଡଗିରିର ପ୍ରତ୍ନତାତ୍ତ୍ୱିକ ଶିଳ୍ପ ସଂପଦ, ଯାଜପୁରର ବୀରଜାଈ ମନ୍ଦିର ଏବଂ ତାର ଶୁଭସ୍ତମ୍ଭ ଓ ସପ୍ତମାତକା ମୂର୍ତ୍ତି ଆଦିର କଳାଚାତୁରୀ ତଥା ସୌକୁମାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ମନରେ ଅତୀତ ଗୌରବରାଜିର ନୀରବ ସ୍ମାରକୀରୂପେ ଉଦ୍‌ଭାସିତ ହୋଇ ଅଛି । ସେ ଶିଳ୍ପିକୁଳର କାର୍ଯ୍ୟପ୍ରଣାଳୀ ଅଧ୍ୟୟନ ଓ ତାର ପ୍ରୟୋଗରେ ଜ୍ଞାନଲାଭ ନିମିତ୍ତ ଦେବାଳୟ ଗଠନ ରୀତିର ଅଭ୍ୟାସ ସମ୍ପର୍କରେ କରୁଥିବା ଆଲୋଚନା ଓ ଉଦ୍ୟମକୁ ଏହି କାବ୍ୟରେ ସନ୍ନିବେଶିତ କରି କିମ୍ୱଦନ୍ତୀକୁ ଇତିହାସ ଆଡ଼କୁ ଟାଣିନେବାର ଉଦ୍ୟମ କରିଛନ୍ତି। ଦେଶର ସ୍ୱାଧୀନତା ରକ୍ଷା ନିମିତ୍ତ ଅପରିହାର୍ଯ୍ୟ ଦୁର୍ଗ ନିର୍ମାଣ ତଥା ଉତ୍କଳର ଗୌରବାବହ ବାରବାଟୀ ଦୁର୍ଗର ସୁନାମ ତାଙ୍କ ହୃଦୟରେ ସ୍ୱାଧୀନତାର ଆକାଂକ୍ଷାକୁ ବଳବତ୍ତର କରିଛି । କେବଳ ଯେ ସ୍ଥଳପଥରେ ଦେଶରକ୍ଷାପାଇଁ ବାରବାଟୀ ଓ ଅନ୍ୟାନ୍ୟ ଦୁର୍ଗ ତାଙ୍କର ଆଖି ଆଗରେ ଆସିଛି ତାହା ନୁହେଁ; କଳ୍ପନାରେ ସାଗର ଯୁଦ୍ଧର ଚିତ୍ର ଓ ଦେଶରକ୍ଷାପାଇଁ ଏହାର ଅପରିହାର୍ଯ୍ୟ ଅତ୍ୟାବଶ୍ୟକତା ତଥା ପୂର୍ବ ଉପକୂଳର ସୁରକ୍ଷାରେ ନିୟୋଜିତ ଥିବା କୋଣାର୍କ–ମନ୍ଦିର ଦୁର୍ଗ ତାଙ୍କ ମାନସରେ ଉଦୟ ହୋଇଅଛି । ଭାରତର ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକରେ ମନ୍ଦିର ଗୁଡ଼ିକ ଦୁର୍ଗର କାର୍ଯ୍ୟ କରୁଥିବାରୁ ସେଗୁଡ଼ିକ ଶତ୍ରୁମାନଙ୍କଦ୍ୱାରା ଆକ୍ରମିତ ହେଉଥିଲା । ଗୋପବନ୍ଧୁ ପୁରୀର ଜଗନ୍ନାଥ ମନ୍ଦିର ଓ ତାର ଧ୍ୱଂସପାଇଁ ଉଦ୍ୟମ କରିଥିବା ମୁସଲମାନମାନଙ୍କ ସମ୍ପର୍କରେ ମାଦଳାପାଞ୍ଜିରୁ ପଢ଼ିବାକୁ ହୁଏତ ସୁଯୋଗ ପାଇଥିଲେ । ସେଥିପାଇଁ କୋର୍ଣାକକୁ ସିନ୍ଧୁ ଦୁର୍ଗରୂପେ ଚିତ୍ରଣ କରିବାକୁ ସେ ଧର୍ମପଦ କାବ୍ୟରେ ଉଦ୍ୟମ କରିଛନ୍ତି ।

 

ଧର୍ମପଦ କାବ୍ୟରେ ଧର୍ମ-ବିଶ୍ୱାସ–

ଓଡ଼ିଶାର ଗାଁ ଗହଳରେ ଚଳୁଥିବା ଧର୍ମ-ବିଶ୍ୱାସ ଧର୍ମପଦ କାବ୍ୟରେ ସ୍ଥାନ ପାଇଛି । ସେଥିମଧ୍ୟରୁ ଦୂର ବିଦେଶକୁ ଗମନ କରୁଥିବା ପ୍ରିୟ ବ୍ୟକ୍ତିପାଇଁ ପନ୍ଥାଇ ବସାଇ ପନ୍ଥ ଦେବତାଙ୍କ ପୂଜା କରିବା, ବିଭିନ୍ନ ମଙ୍ଗଳ କାମନାରେ ଗ୍ରାମ ଦେବତାଙ୍କ ନିକଟରେ ଆଖଣ୍ଡଳ ଜାଳିବା, ମାନସିକ କରି ରବିବାର ବ୍ରତାଦି ପାଳନ କରିବା, ଚନ୍ଦ୍ର ଭାଗାରେ ସ୍ନାନକରି ସୂର୍ଯ୍ୟ ଉଦୟ ଦେଖିବା, ସବୁ କାର୍ଯ୍ୟରେ ଜଗନ୍ନାଥଙ୍କୁ ଭରସା କରି ସ୍ମରଣ କରିବା, ଜାଗୁଳେଈ ପୂଜିବା, ଅନୁକୂଳରେ ବାହାରିବାବେଳେ କାନିରେ ପ୍ରସାଦ ଫୁଲ ବାନ୍ଧିବା ଅନ୍ୟତମ । ଏହାବ୍ୟତୀତ ଘରୁ ବାହାରିବା ବେଳକୁ ଲକ୍ଷ୍ମୀ-ନୃସିଂହ ଓ ଦୁର୍ଗାମାଧବଙ୍କ ସ୍ମରଣରେ ପଦାକୁ ଯିବା ଓ ତ୍ରୟୋଦଶୀ ତିଥିରେ ଶୁଭବେଳା ଦେଖି ଘରୁ ବାହାରିବା ଆଦି ଗୋପବନ୍ଧୁଙ୍କର ତଥା ଓଡ଼ିଆ ସମାଜର ଧର୍ମ ବିଶ୍ୱାସ ସହିତ ଜ୍ୟୋତିଷ ଶାସ୍ତ୍ର ଉପରେ ଥିବା ଦୁଢ଼ ଧାରଣାକୁ ପ୍ରତିଫଳିତ କରିଥାଏ । ଗୋପବନ୍ଧୁ ସତ୍ୟବାଦୀ ପତ୍ରିକାରେ ଏହି ଧର୍ମବିଶ୍ୱାସ, ଲୋକୋକ୍ତି ତଥା କିମ୍ୱଦନ୍ତୀ ସକଳର ସଂକଳନପାଇଁ ଉଦ୍ୟମ କରିଥିଲେ । ସେଥିରେ ରହିଥିବା ତାଙ୍କର ଆନ୍ତରିକତାର ପରିପ୍ରକାଶରୂପେ ‘ଧର୍ମପଦ’ରେ ଏହି ଓଡ଼ିଆ ଚଳଣୀମାନ ବ୍ୟକ୍ତ ହୋଇଥିବାର ସ୍ଥିର କରାଯାଇପାରେ । ଏସବୁ ଧର୍ମବିଶ୍ୱାସ ବ୍ୟତୀତ ସେ ଧର୍ମପଦର ଶେଷ ଜୀବନରେ ଜଗନ୍ନାଥଙ୍କ ବନ୍ଦନା ଭକ୍ତକବି ଜୟଦେବଙ୍କ ଅମର ନୈବେଦ୍ୟ ‘‘ଜୟ ଜଗଦୀଶ ହରେ’’ ଘୋଷାରେ ପ୍ରୟୋଗ କରିଛନ୍ତି । ଏହା ଓଡ଼ିଶାର ଜାତୀୟ କବି ଜୟଦେବଙ୍କ ନିମିତ୍ତ ଗୋପବନ୍ଧୁଙ୍କ ମୋହ ତଥା ସମ୍ମାନର ସୂଚନା ଦିଏ । ସତ୍ୟବାଦୀ ପତ୍ରିକାରେ ଜୟଦେବଙ୍କୁ ଉତ୍କଳୀୟରୂପେ ପ୍ରମାଣ-କରି ଏକ ପ୍ରବନ୍ଧ ଜଗବନ୍ଧୁ ସିଂହ ଲେଖିଥିଲେ । ତାହାହିଁ ଗୋପବନ୍ଧୁଙ୍କ ଜଗନ୍ନାଥ ପ୍ରୀତି ଓ ଜାତୀୟ ସାହିତ୍ୟର ମୋହ ତଥା ଜାତି-ପ୍ରାଣତାର ଗଭୀର ଉଦ୍ୟମ ସୂଚାଇଥାଏ । ଏହି ଲୁପ୍ତ ରତ୍ନକୁ ସେ ଉଦ୍ଧାର କରିବାପାଇଁ ଯେ ଉଦ୍ୟମ କରିଥିଲେ (ଜୟଦେବଙ୍କ ଉତ୍କଳୀୟତ୍ୱର ପ୍ରମାଣ ଦେବାକୁ) ତାହା ଏଥିରୁ ସ୍ପଷ୍ଟ ହୁଏ । ଜୟଦେବଙ୍କର ଏହି ବନ୍ଦନାରେ ଜଗତ୍‍ଈଶ୍ୱର ଜଗନ୍ନାଥଙ୍କର ପୂଜା ଗୋପବନ୍ଧୁ କରିଯାଇଛନ୍ତି ।

 

ଧର୍ମପଦରେ ପ୍ରୟୋଗ ହୋଇଥବା ଓଡ଼ିଆ ଭାଷା ଓ ସାହିତ୍ୟ–

ଓଡ଼ିଆ ସାହିତ୍ୟକୁ ଜାଣିବାପାଇଁ ପଣ୍ଡିତ ଗୋପବନ୍ଧୁ ଥରେ କହିଥିଲେ ଯେ ଚଷାର ହଳ ପଛେ ପଛେ ଯିବାକୁ ହେବ, ଯୋଗୀ ଭିକାରିଙ୍କ ଗୋବିନ୍ଦଚନ୍ଦ୍ର ଗୀତ ଶୁଣିବାକୁ ହେବ, ଜଗନ୍ନାଥ ଦାସଙ୍କ ଭାଗବତର ଦୁଆ ଧରିବାକୁ ହେବ, ଇତ୍ୟାଦି । ଆଉ ମଧ୍ୟ ତାଙ୍କ ମତରେ ସେଥିରେ ପ୍ରୟୋଗ କରାଯାଇଥିବା ଭାଷା ଓ ଭାବକୁ ଗଭୀର ଭାବରେ ନ ବୁଝିଲେ ଓଡ଼ିଆ ଭାଷା ସମ୍ପର୍କରେ ଆମର ଧାରଣା ଆସିବ ନାହିଁ । ସେ ଆଉ ଥରେ ସତ୍ୟବାଦୀରେ ଲେଖିଥିଲେ ପ୍ରାଚୀନ ସାହିତ୍ୟରେ ପ୍ରୟୋଗ ହୋଇଥିବା ଗୋଟିଏ ପଦ ବା ଶବ୍ଦ ଯେଉଁ ଭାବ ବ୍ୟକ୍ତି କରିଥାଏ ତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ହୁଏ ଓ ସେଥିରୁ ଓଡ଼ିଆ ସାହିତ୍ୟର ଶକ୍ତି ଜଣାଯାଏ । ଧର୍ମପଦ କାବ୍ୟରେ ଗୋପବନ୍ଧୁ ଏହି ଭକ୍ତିମାନଙ୍କର ଯେଉଁ ବିଶ୍ୱସ୍ତ ଅନୁସରଣ କରିଛନ୍ତି ତାହା ସେ ପ୍ରୟୋଗ କରିଥିବା ନିମ୍ନୋକ୍ତ ଢଗ, ଖଣ୍ଡବାକ୍ୟ ତଥା ଶବ୍ଦାବଳୀରୁ ଜଣାଯାଏ–ଯଥା : ଥନଥନ, ଧନ, ବାଇ, ମରିଯାଏଁ ମୁଁ ଲୋ, ତା ମା ଏଡ଼େ ସତୀ, ଅଣବାବୁଆ ସାତଥର ଯିବ ଗଙ୍ଗା ଥରେ ଯାଇଥିବ ଚନ୍ଦରଭଗା ମୁହଁ ପଡ଼ିଯିବ ରଙ୍ଗା, ଯାଉଁଳି, ତର, ପରଖି, ଶରଧା, ପାହାନ୍ତି, ମୁହଁ ଅନ୍ଧାରୀ ବେଳ ଆଦି । ଏଥିରେ ପଲ୍ଲୀର ପ୍ରାଣ ତରଙ୍ଗ ଯେପରି ପରିସ୍ଫୁଟ ଅନ୍ୟତ୍ର ନୁହେଁ । ପୁଣି ପହୁରିକିଆ ବୋବାଇବା ପଲ୍ଲୀର ସମୟ ଜ୍ଞାନ ସମ୍ପର୍କରେ ସୂଚନା ଦେଇଥାଏ । ଧର୍ମପଦ କାବ୍ୟରେ ପ୍ରୟୋଗ ହୋଇଥିବା କୁଳ ଚନ୍ଦ୍ରମା ସମ୍ୱୋଦନ ପଦ ଗୋବିନ୍ଦ ଚନ୍ଦ୍ର ଗୀତକୁ ମନେ ପକାଇ ଦିଏ । ଓଡ଼ିଶାର ପୁରପଲ୍ଲୀରେ ପ୍ରୟୋଗ ହେଉଥିବା ଏହି ଶବ୍ଦାବଳୀ ଧର୍ମପଦର ସରଳ ଓ ସାବଲୀଳ ପ୍ରକାଶକୁ ମାର୍ଜିତ କରିବା ସଙ୍ଗେ ସଙ୍ଗେ ଏଥିରେ ତାର କାବ୍ୟିକ ମୂଲ୍ୟ ବୃଦ୍ଧି କରିଥାଏ । ଏହାଦ୍ୱାରା ଧର୍ମପଦ କାବ୍ୟ ଲୋକ ତଥା ଜନ-ସାହିତ୍ୟର ଆସନକୁ ଉଠି ଜାତୀୟ ସାହିତ୍ୟର ମର୍ଯ୍ୟାଦା ଲାଭ କରିଛି । ଆୟୁଷ ଥିଲେ କେତେ ଜଣରେ ଜଣେ ହେବୁ, ପଢ଼ିଲେ ଜାଣିବୁ, ମୋ ପିଲାକୁ ହୀନିମାନ କରି କିଏ କହିଲା, ଲକ୍ଷେ ଦେବଦେବୀ ସେବି ତତେ ପାଇଛି, କେତେ ମରିମରି ତୁ ମୋର ଜୀବଜୀବନ, ଗୋଟାଳି ଗଡ଼ିଯିବା ଅଜ୍ଞାନ ଛୁଆ, ଦିନେ ଗଲେ ଯୁଗେ ଯା, ଜଗନ୍ନାଥେ କୃପାକଲେ କୁଳ ଗୌରବ ଯଶ ରଖିବୁ, ପୂର୍ବ ସୁକୃତରୁ ପୁଅ ମୁହଁ ଦେଖିବା ଆଦି ଲୋକୋକ୍ତି ଗୁଡ଼ିକ ଧର୍ମପଦ କାବ୍ୟର ଅଳଙ୍କାର ଓ ସେସବୁ ଓଡ଼ିଆ ଚଳଣୀର ପ୍ରୟୋଗ ଏହି କାବ୍ୟକୁ ଓଡ଼ିଶାର ପ୍ରାଣତନ୍ତ୍ରୀରେ ମିଶାଇ ଦେଇଛି । ଏହା ବ୍ୟତୀତ ନିମ୍ନୋକ୍ତ ପଙ୍‌କ୍ତିଗୁଡ଼ିକ ଚିରନ୍ତନ ସତ୍ୟ ଓ ସୌନ୍ଦର୍ଯ୍ୟରେ ଚକ୍ରିତ ହୋଇ ସାହିତ୍ୟର ଶାଶ୍ୱତ ପ୍ରବାହକୁ ପରିସ୍ଫୁଟ କରନ୍ତି–

 

‘‘ନୟନେ ନୟନ             ହେଲେ ଭେଟାଭେଟି

ହେବ ପରାଣ-ମିଳନ,

ଯେ ଯାହାର ତାକୁ             ଲୋଡ଼େ ସେ ସହଜେ

କରିବାକୁ ଆଲିଙ୍ଗନ ।’’

 

ବାତ୍ସଲ୍ୟ ସ୍ନେହ ସହିତ ଏହି ଚିରନ୍ତର ସତ୍ୟ ସାହିତ୍ୟକୁ ମହୀୟାନ୍‌ କରିଅଛି । ପୁଣି–

‘‘ଦର ବିକଶିତ             କମଳ ସରସେ

କିପାଁ ହିମ ବିନ୍ଦୁପାତ,

ଉଲ୍ଲସିତ ପ୍ରାଣେ             କାହୁଁ କି କାରଣେ

ଅକସ୍ମାତେ କଷାଘାତ ?’’

 

ଏଥିରେ ପ୍ରକୃତି ଚିତ୍ରଣ ସହିତ ବିଷାଦବାଦର ଉପମା ଏକାକାର ହୋଇ ପ୍ରବାହିତ ହେଉଛି ।

 

‘‘କୋରକିତ ପ୍ରାଣ             ଫୁଟେ ପ୍ରେମ ସରେ

ପବନେ ମିଶାଏ ବାସ,

ବିଶ୍ୱ ବ୍ୟାପୀ ରବି–      ଉଜ୍ଜ୍ୱଳ ଆଲୋକେ

ଚାରୁ ସ୍ନିଗ୍‌ଧ ମନ୍ଦହାସ ।’’

 

ପ୍ରକୃତି ଚିତ୍ରଣର ଅନ୍ୟ ଏକ ଦୃଷ୍ଟାନ୍ତ ଏଥିରେ ଦେଖିବାକୁ ମିଳେ ଓ ତହିଁରେ ବିଭୁପ୍ରେମର ଅନ୍ୟ ଏକ ସୂକ୍ଷ୍ମପ୍ରବାହ ଉନ୍‌ମୋଚିତ ହୋଇଥାଏ । ସାହିତ୍ୟରେ ବିଭୁପ୍ରେମ ପ୍ରକୃତିକୁ ଆଶ୍ରାକରି ପ୍ରବାହିତ ହେବା ଇଂରାଜୀ କବି William Wordsworth ଙ୍କ ଲେଖାରେ ଦେଖିବାକୁ ମିଳେ-। ପଣ୍ଡିତ ଗୋପବନ୍ଧୁଙ୍କ ଚେତନାରେ ଏହି ରୂପକଳ୍ପ ଏକ ସ୍ୱତନ୍ତ୍ର ମର୍ଯ୍ୟାଦାର ଆସନରେ ଇଂରାଜୀ କବିଙ୍କର ଭାବ ବହନ କରି ପ୍ରକାଶିତ ହୋଇଥାଏ । ରୂପକଳ୍ପର ଅନ୍ୟ ଏକ ଉଦାହରଣ ତଥା ପ୍ରକୃତି ଚିତ୍ରଣର ସଂଯୋଜନା–

 

‘‘ଅରୁଣ ଆରକ୍ତ             ବରଣେ ରଞ୍ଜିତ

ଦିଶେ ପୂରୁବ ଆକାଶ,

ଫିଟି ନାହିଁ ନିଶା             ଅଙ୍ଗୁ କଳା ଶାଢ଼ି

ଫୁଟି ନାହିଁ ଉଷା ହାସ ।

 

ଚନ୍ଦ୍ର ଭାଗା ନୀରେ             ପାହାନ୍ତି ସମୀରେ

ଖେଳଇ ମୃଦୁ ତରଙ୍ଗ,

ଅଦୂର କାନନେ             ପହର ପ୍ରମାଣେ

ରାବେ କୁମ୍ଭାଟୁଆ ଖଗ ।’’

 

ଉପରୋକ୍ତ ପଙ୍‌କ୍ତିରେ ରୂପପାଏ । ନଦୀ, ନୀର, ପକ୍ଷୀର କାକଳି କେବଳ ନୁହନ୍ତି ସେଥିରେ ପ୍ରକୃତିର ସାଗର ସୈକତ, ବିଜନବେଳା ଏବଂ ମହାଶୂନ୍ୟ ତଥା ଆକାଶ ଚିତ୍ରିତ ହୋଇଛନ୍ତି ଗୋପବନ୍ଧୁଙ୍କର ଅମର ଲେଖନୀରେ । ଏଥିରେ କୋଳାହଳ ଓ ଗମ୍ଭୀର ପରିବେଶର ଦିବାରାତ୍ରୀ ଖେଳ ମୁଗ୍‌ଧକର ଭଙ୍ଗି ମାରେ ରୂପାୟିତ ।

 

‘‘ଚୌଦିଗେ ବିସ୍ତୃତ             ସାଗର-ସୈକତ୍‌

ନିସ୍ତବ୍‌ଧ ବିଜନ ବେଳା,

ସମ୍ମୁଖେ ଅପାର             ନୀଳ ପାରାବାର

ଚିରନ୍ତନ ଉର୍ମିଖେଳା ।

 

ଊର୍ଦ୍ଧ୍ୱେ ସୁଶୋଭିତ             ତାରକା ଖଚିତ

ଅନନ୍ତ ନୀଳ ଆକାଶ

ହେଲା ଶୁଦ୍ଧ ପ୍ରାଣେ       ଅପୂର୍ବ ଉଦାର

ମହାଭାବ ପରକାଶ ।’’

 

ପ୍ରକୃତି ଚିତ୍ରଣ ଗୋପବନ୍ଧୁଙ୍କ କବିପ୍ରାଣର ଅନ୍ୟ ଏକ ସ୍ଫୁରଣ, ଅବକାଶ-ଚିନ୍ତାରେ ପ୍ରକୃତିର ଚିତ୍ରଣ ମୁଖ୍ୟତଃ ପ୍ରକାଶିତ । ପ୍ରକୃତି ତାଙ୍କପାଇଁ ମୂକ ନୁହେଁ । Wordsworthଙ୍କପାଇଁ ଯେପରି ସେ friend, philosopher and guide ବା teacher ସେହିପରି ପଣ୍ଡିତ ଗୋପବନ୍ଧୁଙ୍କ ଦୃଷ୍ଟିରେ ପ୍ରକୃତି ଭାବ ପ୍ରକାଶକ ଓ ଐକ୍ୟପ୍ରାଣ । ଏହା ତାଙ୍କୁ ବିଭିନ୍ନ ସମ୍ୱାଦ ଦିଏ ଯେପରି Wordsworthଙ୍କୁ ପ୍ରକୃତି ନୀରବ ଭାଷାରେ ଅନ୍ତର ଖୋଲି କଥା କହେ । Wordsworth ଙ୍କ ରଚିତ ‘‘Lines Composed a few miles above Tintern Abbey’’ ର ଏହି ଅଶଂଟି ।

 

‘‘And I have felt

A presence that disturbs me with the joy

Of elevated thoughts, a sence sublime

Of something far more deeply interfused,

Whose dwelling is the light of setting suns,

And the round ocean and the living air,

And the blue sky, and in the mind of man

A motion and a spirit, that impels

All thinking things, all objects of all thoughts,

And rolls through all things.’’

 

ଗୋପବନ୍ଧୁଙ୍କ ଚିନ୍ତାର ସାମଞ୍ଜସ୍ୟ ରକ୍ଷାକରି ଧର୍ମପଦରେ ପ୍ରବାହିତ ହୁଏ । ‘‘ବିଷାଦ ସମୟରେ ଲିଖିତ କତିପୟ ପଂକ୍ତି’’ କବିତାର ଶେଷ ଧାଡ଼ିରେ ସେ ଯେପରି ଇଂରାଜୀ କବି Wordsworthଙ୍କ ଭାବକୁ ନିଜ ମଧ୍ୟକୁ ଆଣି ଠେଲି ଦେଇଛନ୍ତି ଓଡ଼ିଆ ସାହିତ୍ୟ ମଧ୍ୟକୁ :

 

‘‘ଶୋଇବି ମୁଁ             ବିତାନ ହୃଦୟେ

ଶୁଣିବାକୁ ବାୟୁ ସନସନ ।’’

 

ସେହିପରି ଅପାର ସାଗର ଓ ଅନନ୍ତ ଆକାଶ ତାଙ୍କ ହୃଦୟରେ ମହାଭାବର ସନ୍ଦେଶ ଦେଇ ସେଥିରେ ବିସ୍ତୀର୍ଣ୍ଣତାର ଭାବ ସୃଷ୍ଟି କରୁଛନ୍ତି । ‘‘ଅବକାଶ ଚିନ୍ତା’’ରେ ତାଙ୍କର ପ୍ରକୃତି ପ୍ରେମ ପରିସ୍ଫୁଟ ହୋଇଛି ତାହା ଧର୍ମପଦରେ ହୋଇ ନ ଥିଲେ ମଧ୍ୟ ଏହା ତାଙ୍କ ହୃଦୟରେ ପ୍ରକୃତି ପ୍ରେମକୁ ତରଙ୍ଗାୟିତ କରିଛି ଓ ତାଙ୍କପାଇଁ ମୋକ୍ଷର ଦ୍ୱାର ଉନ୍ମୁକ୍ତ କରିଛି । ଗୋପବନ୍ଧୁଙ୍କ ଲେଖନୀ ନିଃସୃତ–

 

‘‘ନଦୀ ବନ ଗିରି             ଭୀମକାନ୍ତ ଶିରୀ

ତୁମର କଟାକ୍ଷ ଧରେ, ’’

 

ପ୍ରକୃତିରେ ବିଭୁଙ୍କ ଆବିର୍ଭାବର ସୁଚନା ଦିଏ । Wordsworthଙ୍କ ବିଭୁପ୍ରେମ ଓ ପ୍ରକୃତି ପ୍ରେମ ଐକାନ୍ତିକତା ଲାଭ କଲାଭଳି ଏଥିରେ ତାହା ପ୍ରକାଶିତ ।

 

ଧର୍ମପଦ କାବ୍ୟ କେବଳ ଧର୍ମପଦର ଆତ୍ମୋତ୍ସର୍ଗ ବା ଗୋପବନ୍ଧୁଙ୍କ ଆତ୍ମୋତ୍ସର୍ଗ ନୁହେଁ କିମ୍ୱା ଆଦର୍ଶର ବୟାନ ବା ମୋକ୍ଷର ପନ୍ଥା-ନିର୍ଦ୍ଦେଶକ ନୁହେଁ; ଏଥିରେ ମାନବ ଚରିତ୍ରର ବିବିଧ ଦିଗ ଉନ୍ମୋଚିତ ହୋଇଛି । ସେସବୁ ବାରଣ ବଢ଼େଇଙ୍କ ଭାବ ପ୍ରକାଶ, କଳ୍ପନା କଳ୍ପନା ଆଦିରେ ରୂପ ପାଇଛି । ପୁଣି ମାତୃହୃଦୟ ଓ ଶିଶୁର ଅବୋଧ ଦରୋଟି କଥାରେ ତାହା ପ୍ରାଣବନ୍ତ । ଈର୍ଷା ଅହଂକାର, ବିସ୍ମୟ, ସମବେଦନା ଆଦି ଏହି କାବ୍ୟର ବର୍ଣ୍ଣ-ବୈଚିତ୍ର ମାନବ ପ୍ରକୃତିର କିରଣ ବିଚ୍ଛୁରିତ କରେ । ଏଥିରେ ବିଶ୍ୱାସ, ଅବିଶ୍ୱାସ ଓ ଆତ୍ମବିଶ୍ୱାସ ସହିତ ନୈରାଶ୍ୟ ମଧ୍ୟ ଅତି ସୁନ୍ଦର ତଥା ସଂକ୍ଷେପରେ ପ୍ରକାଶିତ ହୋଇଛି । ଧର୍ମପଦର ଏହି ସାହିତ୍ୟିକ ମୂଲ୍ୟ ଅତୁଳ ।

 

ଧର୍ମପଦ କାବ୍ୟରେ ଗୌଣ ଚରିତ୍ର-

ଏହି କାବ୍ୟରେ ଆଉ ଦୁଇଟି ଗୌଣ ଚରିତ୍ରର ବର୍ଣ୍ଣନା ଦେଖିବାକୁ ମିଳେ । ରାଜା ନରସିଂହ ଦେବଙ୍କ ଚରିତ୍ର ପରୋକ୍ଷରେ ଏଥିରେ ପ୍ରକାଶ ପାଇଛି । ସେ କୀର୍ତ୍ତିପ୍ରିୟ, କଳାର ଶ୍ରେଷ୍ଠ ପ୍ରକାଶପାଇଁ ବଦ୍ଧ ପରିକର ଏବଂ ସେଥିରେ ଅତି ଆଗ୍ରହୀ ଓ କଠୋର । କିନ୍ତୁ ତାଙ୍କ କଠୋରତା କେବଳ କାର୍ଯ୍ୟ ସାଧନପାଇଁ ଉଦ୍ଦିଷ୍ଟ ମାତ୍ର ବାସ୍ତବରେ ଅଳୀକ । ଧର୍ମପଦର ତାଙ୍କ କଠୋରତାରେ ସଂଶୟ ରହିଛି । ଶିଳ୍ପିମାନେ ତାଙ୍କର ମନସ୍କାମନା ପୂରଣ କରିବାରେ ଐକାନ୍ତିକ କର୍ତ୍ତବ୍ୟନିଷ୍ଠ । ଯେ ଇଚ୍ଛା ସେ ମନ୍ଦିର ନିର୍ମାଣ କରୁ ପଛକେ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଉ । ରାଜାଙ୍କର କୀର୍ତ୍ତିପାଇଁ କେବଳ ମନ ନୁହେଁ ତା ସହିତ ସେ ଦେଶରକ୍ଷାପାଇଁ ସଦା ଜାଗ୍ରତ । ସେ ମଧ୍ୟ ମନୁଷ୍ୟ ହୃଦୟ ବହନ କରନ୍ତି । କାର୍ଯ୍ୟ ସମାପ୍ତ ନ ହେଲେ ସେ ଦୁଃଖରେ ବ୍ୟାକୁଳ ହୁଅନ୍ତି, ମନ୍ଦିର ଚୂଡ଼ାରେ ଚୁମ୍ୱକ ଖଞ୍ଜି ଶତ୍ରୁଙ୍କ ବୋଇତ ଧ୍ୱଂସର ପରିକଳ୍ପନା କରନ୍ତି । ସେ ବିଭିନ୍ନ ବିଷୟର ଖବର ଗୁପ୍ତରେ ଜାଣିପାରନ୍ତି । ତେଣୁ କୋଣାର୍କ ଦେଉଳର ମୁଣ୍ଡି କିଏ ମାରିଲା ତାହା ସେ ଜାଣିଯିବେ ଏଥିରେ ଶିଳ୍ପିମାନଙ୍କର ଆଦୌ ସନ୍ଦେହ ନାହିଁ । ସେଥିପାଇଁ ସେମାନଙ୍କର ଭାବନା ଓ ତତ୍‌ଜନିତ ଆତଙ୍କ ସୃଷ୍ଟି ହୋଇଛି । ରାଜପୁରୁଷଙ୍କର କର୍ତ୍ତବ୍ୟଜ୍ଞାନ ଓ ମାନବିକତାକୁ ପଣ୍ଡିତ ଗୋପବନ୍ଧୁ ଯେଭଳି ପରୋକ୍ଷରେ ଚିତ୍ରଣ କରିଛନ୍ତି ତାହା ଚାଣକ୍ୟ ନୀତି ବର୍ଣ୍ଣିତ ରାଜାଙ୍କ ଚରିତ୍ର ସହିତ କଳା ଓ ସ୍ଥାପତ୍ୟର ବିକାଶରେ ଉଦ୍ୟମୀ ନରପତିଙ୍କ ଛାୟା ବହନ କରେ ।

 

ଅନ୍ୟ ଚରିତ୍ରଟି ଅତ୍ୟନ୍ତ ଗୌଣ । ତାହା ସିବେଇ ସାନ୍ତରା ଚରିତ୍ର । ସେ କେବଳ କାରିଗର କୁଳର ପ୍ରଧାନ । ସେ ମନ୍ଦିର ନିର୍ମାଣପାଇଁ ସେମାନଙ୍କୁ ଡାକି ଆଣି କାର୍ଯ୍ୟରେ ଲଗାନ୍ତି । ସିବାଇ ସାଆନ୍ତରା ଚରିତ୍ର ମାଦଳାପାଞ୍ଜିରେ ବର୍ଣ୍ଣିତ । ସେ ରାଜାଙ୍କଦ୍ୱାରା ଆଦିଷ୍ଟ ହୋଇ ମନ୍ଦିର ନିର୍ମାଣ କରିବାକୁ ଆୟୋଜନ କରିଥିଲେ । ମାଦଳାପାଞ୍ଜିରେ ତାଙ୍କର ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ଏକ ଗପ ଦିଆଯାଇଅଛି । ସେଥିରୁ ତାଙ୍କର ଏହି ନିର୍ମାଣରେ ଥିବା ତ୍ରୁଟି ମଧ୍ୟ ଜଣାଯାଏ ।

ଯଥା:–

‘‘ଲାଙ୍ଗୁଡ଼ା ନରସିଂହ ଦେବ :– x x ଏ ମହାରାଜାଙ୍କ ଅ୨ଙ୍କେ କଣାରଖ ଦେଉଳ ଶୁଭ ଦେଲେ । ଏ ଦେଉଳ ମେରୁ ମନ୍ଦର ଘଟଣା କଲେ । ସିବାଇ ସାଆନ୍ତାରା ମହାପାତ୍ରଙ୍କ ମୂଳେ ଦେଉଳ ତୋଳାଇବାକୁ ବୋଇଲେ ।

x            x            x

ଜଣେ ବୃଦ୍ଧ ସିବାଇ ବୋଇଲେ ବାବୁ, ଠାକୁରାଣୀଙ୍କ ପ୍ରସାଦରୁ କିଛି ପାଇବ କି ? ଏ ବୋଇଲେ ଦିଅ । ସେଠାରୁ ସେ ଖିରି ପତରରେ ଦେଲେ । ଏ ସେ ଖିରି ମଝିରୁ ହାତ ପୂରାଇ ଖାଇଲା ବେଳକୁ ହାତ ପୋଡ଼ିଲା । ସେଥିପାଇଁ ସେ ବୃଦ୍ଧ କହିଲେ ସିବାଇ ସାଆନ୍ତରା ଦେଉଳ ତୋଳା ପରି ତ କଲୁ । ସେ ବୋଇଲେ ସିବାଇ ସାଆନ୍ତରା କି କରି ଦେଉଳ ତୋଳାଇଲାକି ? ତହିଁକି ସେ ବୋଇଲେ, ପଥର ଖଣ୍ଡ ମଝିରୁ ପକାଇବାରୁ ରାଘବ ଗିଳୁଅଛି । ଏ ପଥର ଚାରିପାଖରୁ ବସାଇ ମୁଦିଲେ ଏ ଦେଉଳ ହୋଇବ । ଏହା ଶୁଣି ସିବାଇ ସାଆନ୍ତରା ଏହି ପ୍ରକାରେ ଚାରି ପାଖରୁ ମୁଦି ଏକ ଚକ କରି ଦେଉଳ କଲେ । ପଦ୍ମକେଶର ବୋଲି ଦେଉଳ କଲେ । ମୁଖଶାଳ କଲେ । ଏ ରାଜାଙ୍କ ଅ୨୬ଙ୍କେ ମକର ପଞ୍ଚମୀ ଶୁକ୍ଳବକ୍ଷ ଗୁରୁବାର ଦିନ ଦେଉଳ ପ୍ରତିଷ୍ଠା କଲେ । x x ( ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ପୃ ୯ ) ତଥାପି ସିବାଇସାନ୍ତରାଙ୍କ ଆଦେଶ ଅଲଂଘ୍ୟ । ଏହା ସେମାନଙ୍କ ଏକନାୟକତ୍ୱ ତଥା ଏକତାର ପରିଚାୟକ । ସବୁକଥା ସେ ବୁଝନ୍ତି ଜାଣନ୍ତି । ସେଥିପାଇଁ ଧର୍ମପଦର କଥୋପକଥନରେ ପ୍ରଧାନ ଦେଉଳର ଚୂଳ କିଏ ମୁଦିଛି ତାହା ନ ଜାଣିବାପାଇଁ ଦୃଷ୍ଟି ଦେବାକୁ କହିଛି । ମାତ୍ର ଶିଳ୍ପିମାନେ ଏଥିରେ ଏକମତ ନୁହନ୍ତି । ସେ ନିଶ୍ଚୟ ଜାଣିବେ । ସେଥିପାଇଁ ଅନ୍ୟ ପନ୍ଥାର ପ୍ରୟୋଜନ ।

 

ଗୋପବନ୍ଧୁ ମାଦଳାପାଞ୍ଜିରୁ ଏହାକୁ ଗ୍ରହଣ କରିଛନ୍ତି । ଧର୍ମପଦ କାବ୍ୟରେ ଜାତୀୟ ଜାଗରଣ ଓ ଆତ୍ମୋତ୍ସର୍ଗ–

ଧର୍ମପଦ କାବ୍ୟ ସୃଷ୍ଟିରେ ଗୋପବନ୍ଧୁ ଯେଉଁ ପ୍ରେରଣାର ବଶବର୍ତ୍ତୀ ହୋଇଛନ୍ତି ତାହା ମୁଖ୍ୟତଃ ଜାତୀୟ ଜାଗରଣ ଓ ସେଥିପାଇଁ ଆତ୍ମୋତ୍ସର୍ଗ ନିମିତ୍ତ ପ୍ରସ୍ତୁତିହିଁ ରୂପ ପାଇଛି । ଏହା ତାଙ୍କର ବନ୍ଦୀର ଆତ୍ମକଥାରେ ମଧ୍ୟ ବିବୃତ ହୋଇଛି ନିମ୍ନୋକ୍ତ ପଂକ୍ତିରେ–

 

ପୁଣ୍ୟ ଜନ୍ମ ମାଟି ପୁଣ୍ୟ ଦେବାଳୟ

ଉଦ୍ଧରିବାପାଇଁ କଲେ ତନୁ କ୍ଷୟ

ମାନବ ଜୀବନ ହୁଅଇ ସଫଳ

ଏ ମହୀଦୀକ୍ଷା କି ବୁଝିବ ଉତ୍କଳ ।’’

 

ଗୋପବନ୍ଧୁଙ୍କ ମନ ଧ୍ୟାନ କର୍ତ୍ତବ୍ୟ ସବୁରେ ଦେଶର ଉନ୍ନତି ଦେଖି ଓ ସେଥିରେ ଜୀବନ ଉତ୍ସର୍ଗଦ୍ୱାରା ପରମ ପଦ ଓ ଅମୃତ ଗତି ଲାଭ କରି ଉତ୍କଳର ସେବା କରିଛନ୍ତି । ପଣ୍ଡିତ ଗୋପବନ୍ଧୁ ‘‘ଗିରି ଶିଖେ ଲୟ ରଖି ଚାଲିବି ମୁକର’’ କବିତାରେ ତାଙ୍କ ଆଶା ଆକାଂକ୍ଷାର ଯେଉଁ ଉନ୍ନତ ରୂଚିର ପରିଚୟ ଦେଇଛନ୍ତି ତାହା ଧର୍ମପଦରେ ମଧ୍ୟ ଦେଖିବାକୁ ମିଳେ । ଏହା ଜର୍ମାନ ଦାର୍ଶନିକ Gotheଙ୍କ ‘‘Over all mountian tops in peace’’ ଭାବନାର ଏକ ପ୍ରତିଚ୍ଛବି । ଉଚ୍ଚ ଆଦର୍ଶର ପ୍ରତିଷ୍ଠାପାଇଁ ପ୍ରାଣପାତ ଉଦ୍ୟମହିଁ ଧର୍ମପଦ କାବ୍ୟର ପ୍ରାଣ ଓ ଗୋପବନ୍ଧୁଙ୍କ ସରଳ ସର୍ବବୋଧଗମ୍ୟ ଭାଷାର ଅନ୍ତଃସଲିଳା ଫଲ୍‌ଗୁ ପ୍ରବାହରେ ତାହା ଡେଇଁ ଡେଇଁ ନିଜର ସୁଷମା ବିତରଣ କରିଥାଏ । ଧର୍ମପଦ ଚରିତ୍ରରେ ତାଙ୍କର ପ୍ରତିମିମ୍ୱିତ ଆତ୍ମା ସହିତ ତାଙ୍କ ପିତୃହୃଦୟ, ସାମାଜିକ ଅନୁଧ୍ୟାନ ଆଦି ଯେପରି ରୂପ ପାଇଛି ତାହା ଅନନ୍ୟ ସାଧାରଣ । ସେହି ମହାପୁରୁଷଙ୍କ ଅମର କୃତି ‘‘ଧର୍ମପଦ’’ହିଁ ଏକା ତାଙ୍କ ବ୍ୟକ୍ତି-ଜୀବନର ସଫଳ ସାହିତ୍ୟକ ଆଲେଖ୍ୟ ଏବଂ ତାହା ତାଙ୍କ ବ୍ୟତୀତ ଅନ୍ୟ କେହି ସଫଳ ଭାବରେ ଚିତ୍ରଣ କରିବା ସମ୍ଭବ ନୁହେଁ ।

 

ଧର୍ମପଦ କାବ୍ୟରେ ସନ୍ନିବିଷ୍ଟ ସଂଳାପ–

ଧର୍ମପଦ କାବ୍ୟରେ ସନ୍ନିବିଷ୍ଟ ହୋଇଛି କାବ୍ୟକି ସଂଳାପ । ଏଥିରେ ନାଟକର ଆତ୍ମା ରହିଛି ନାଟକୀୟତାର ସ୍ଫୁରଣ ଅତି ଅଳ୍ପ ଘଟିଛି । ନାଟକୀୟ ଚରମ ମୁହୂର୍ତ୍ତ ମଧ୍ୟ କାବ୍ୟିକି ପ୍ରକାଶରେ ଢାଙ୍କି ହୋଇ ଆତ୍ମପ୍ରକାଶ କରିଛି । ଅଧ୍ୟାପକ ଚିନ୍ତାମଣି ଦାଶ ଏହି ମହାମୁହୂର୍ତ୍ତକୁ ବ୍ୟକ୍ତିକରି ଲେଖିଛନ୍ତି ‘‘... ‘ଧର୍ମପଦ’ରେ ବି ସେହିପରି ଗୋଟିଏ ନାଟକୀୟ ଚରମ ମୁହୂର୍ତ୍ତ ଅଛି । ଏହି ଚରମ ମୁହୂର୍ତ୍ତ କୌଣସି ବାହ୍ୟ ଘଟନାରେ ନାହିଁ, ଅଛି ଧର୍ମପଦର ଅନ୍ତର ମଧ୍ୟରେ, ତାର ଆତ୍ମ ବିଲୋପର ଦୃଢ଼ ସଂକଳ୍ପ ଓ ଐକାନ୍ତିକ ନିଷ୍ଠାରେ ।’’ ଧର୍ମପଦ କାବ୍ୟ କେବଳ ସଂଳାପ ତଥା ଚରମ ମୁହୂର୍ତ୍ତର ସନ୍ନିବେଶରେ ନାଟକୀୟତ୍ୱ ଲାଭ କରିନାହିଁ; ଏଥିରେ ଦ୍ରୁତ ଘଟନା ପ୍ରବାହ ଓ ଆବେଗ ପୂରି ରହିଛି । ସଂଳାପ ଦୃଷ୍ଟିରୁ ଧର୍ମପଦର ମାତାଙ୍କ ସଂଳାପ ତଥା ସେଥିରେ ବିକଶିତ ହୋଇଥିବା ତାଙ୍କର ଚାରିତ୍ରିକ ବହିଃପ୍ରକାଶ ଉଚ୍ଚକୋଟୀର ହୋଇଛି । କିନ୍ତୁ ଧର୍ମପଦର ବାପାଙ୍କ ସହିତ ଯେଉଁ ପଦ୍ୟାଳାପ ତାହା ମଧ୍ୟରେ ସଂଯୋଜିତ ହୋଇଥିବା ପିତାଙ୍କ ଉକ୍ତି ଟିକିଏ ଦୁର୍ବଳ ମନେହୁଏ । ମାତ୍ର ଏହା କାବ୍ୟର ନାଟକୀୟତ୍ୱ କ୍ଷୁର୍ଣ୍ଣ କରିନାହିଁ । ପରନ୍ତୁ ଗୋପବନ୍ଧୁ ଏଠାରେ ନାଟକୀୟ ସବଳତା ଉପରେ ବିଶେଷ ଲକ୍ଷ୍ୟ ନ ରଖି ‘‘ମାତା ଆବେଗର ଓ ପିତା ଗମ୍ଭୀର ତତ୍ତ୍ୱର ଆଧାର’’ରୂପେ ପୃଥକ ଭାବରେ ଚିତ୍ରଣ କରିଛନ୍ତି । ପଣ୍ଡିତ ନୀଳକଣ୍ଠ ‘‘ଧର୍ମପଦ’’ କାବ୍ୟ ସଂପର୍କରେ ତାଙ୍କ ଆତ୍ମଜୀବନୀରେ ଲେଖିଥିଲେ–

 

‘‘ଧର୍ମପଦ କବିତାଟି ବହୁତ ପୌରାଣିକ ମିଥ୍ୟାରେ ପୂର୍ଣ୍ଣ । ବିଶୁ ମହାରଣା ଧରମା ପ୍ରଭୃତି କଥାଗୁଡ଼ିକ ଆପଣ ଭରତି କରିଛନ୍ତି । ହେଲେହେଁ ଏଥିରେ ନାଟକୀୟତା ଆଦୌ ନାଇଁ । ଧର୍ମପଦ ଦେଉଳରୁ ଆତ୍ମହତ୍ୟା କରିବାପାଇଁ ଡେଇଁଲା ବେଳେ ଯେପରି ‘‘ଜୟ ଜଗଦୀଶ ହରେ’’ ବୋଲି ଗାଇଚି ତାହା ଭଲ କରି ପାଠ କରିବା ଲୋକମନକୁ ଘେନିବ ନାଇଁ ।’’ ଧର୍ମପଦ କାବ୍ୟରେ ଅନ୍ତତଃ ଏଇ ସଂସ୍କରଣରେ ବିଶୁ ମହାରଣା ଓ ଧରମା ଆଦି ନାମ ନାହିଁ । କେବଳ ଧର୍ମପଦ ନାମହିଁ ରହିଛି-। ମାତ୍ର ନାଟ୍ୟକାର ଅଶ୍ୱିନୀ କୁମାରଙ୍କ ନାଟକରେ (ଧରମା ନାଟକ) ଧରମା ଓ ବିଶୁ ମହାରଣା ଚରିତ୍ର ଦେଖିବାକୁ ମିଳେ । ପଣ୍ଡିତ ନୀଳକଣ୍ଠ ତାଙ୍କର ଏହି ମନ୍ତବ୍ୟ ଲିପିବଦ୍ଧ କଲାବେଳେ ଅଶ୍ୱିନୀବାବୁଙ୍କ ନାଟକକୁ ମନ ମଧ୍ୟରେ ରଖିଥିବା ଭଳି ମନେ ହୁଏ । ଏହା ବ୍ୟତୀତ ଅନ୍ୟ କେତେକ ଆଲୋଚକ ମଧ୍ୟ ସେମାନଙ୍କ ଆଲୋଚନାରେ ଏହାର ସନ୍ନିବେଶ କରିଥିବାର ଜଣାଯାଏ-

 

ଉପସଂହାର–

ପରିଶେଷରେ ଏତିକି ମାତ୍ର କୁହାଯାଇପାରେ ଯେ ପଣ୍ଡିତ ଗୋପବନ୍ଧୁଙ୍କ ‘ଧର୍ମପଦ’ ଗାଥାକାବ୍ୟ ଏକ ଲୋକକାବ୍ୟ ଓ ତହିଁରେ ଲୋକୋକ୍ତି, ଲୋକଚରିତ୍ର ଆଦିର ବିଚିତ୍ର ସମାହାର ହୋଇ ତାହା ଲୋକ–ସାହିତ୍ୟର ଆସନ ଲାଭ କରିଅଛି । ଏଥିରେ କାବ୍ୟାଦର୍ଶ ହେଉଛି ଦେଶହିତେ ଆତ୍ମତ୍ୟାଗ ଓ ତାହାହିଁ ତାର ନାଟକୀୟତ୍ୱ । ଏପରି ସୁପାଠ୍ୟ କ୍ଷୁଦ୍ର କାବ୍ୟ ଓଡ଼ିଆ ସାହିତ୍ୟରେ କ୍ୱଚିତ ଦେଖିବାକୁ ମିଳେ ।

 

***